ଆଜିର ଖାସ ଖବର
Thu. Apr 16th, 2026

କଣ୍ଟ୍ରାକ୍ଟରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

By Admin_Dainkasha Feb28,2026

ରାୟାଗଡା /ଅମ୍ବାଦଳା ୨୮/୨(ଆନିସ): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା କଣ୍ଟ୍ରାକ୍ଟର ଟୁଟୁ ସାବତଙ୍କୁ କେହି ଅଜଣା ଲୋକ ହତ୍ୟା ଉଦ୍ୟମ କରିଥିବା ଅମ୍ବାଦଳା ଥାନାରେ ଅଭିଯୋଗ ହୋଇଛି । ଏନେଇ ଟୁଟୁଙ୍କ ବାପା ଗୋପାଳ ସାବତ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଗତ ୨୫ ତାରିଖ ରାତି ସମୟରେ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟ ରାସ୍ତାରେ ଟୁଟୁ ସାବତ କ୍ଷତବିକ୍ଷତ ଅବସ୍ଥାରେ ପଡିଥିଲେ । ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବା ପରେ ପୁଲିସ ଗୁରୁତ୍ତର ଅବସ୍ଥାରେ ଟୁଟୁଙ୍କୁ ଉଦ୍ଧାର କରି ଭବାନିପାଟଣା ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ଚିକିତ୍ସା ପରେ ଅଧିକା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ପ୍ରଥମେ ଏହି ଘଟଣା ଏକ ଦୁର୍ଘଟଣା ଜନିତ ଘଟଣା ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ତାଙ୍କ କାନରୁ ରକ୍ତ ବାହାରିବା ଏବଂ ପଞରା ହାଡ ଭାଙ୍ଗିଯାଇଥିବାରୁ ଏହା ଏକ ଆକ୍ରମଣ ଜନିତ ଘଟଣା ବୋଲି ପରିବାର ସଂଦେହ କରିଥିଲେ । ୨୫ ତାରିଖ ରାତିର ଘଟଣା ହୋଇଥିଲେ ମଧ୍ୟ ଆଜି ଟୁଟୁଙ୍କ ବାପା ଥାନାରେ ଏତଲା ଦେଇଥିଲେ । ଏପର୍ଯ୍ୟନ୍ତ ଟୁଟୁଙ୍କ ହୋସ ଆସିନଥିବା ମେଡିକାଲ ସୂତ୍ରରୁ ଜଣାପଡିଛି । ଏତଲା ପାଇଲା ଆମ୍ବଦଳା ପୁଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ଆମ୍ବଦଳା ଆଇଆଇସି ସୂର୍ଯ୍ୟଚନ୍ଦ୍ର ପାଢ଼ୀ ସୂଚନା ପ୍ରଦାନ କରି କହିଛନ୍ତି ପାରିପାର୍ଶ୍ବିକ ସ୍ଥିତି ଏବଂ ଡାକ୍ତରଙ୍କ ରିପୋର୍ଟ ‌ଆସିଲା ପରେ ଏହି ଘଟଣା ସଂପର୍କରେ ତଥ୍ୟ ମିଳିପାରିବ ବୋଲିକହିଛନ୍ତି । ପୁଲିସ ସିସି ଟିଭି କେମେରା ଫୁଟେଜକୁ ନେଇ ତଦନ୍ତ ଜାରି ରଖିଛି ବୋଲି ଆଇଆଇସି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ଆମ୍ବଦଳା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଅମ୍ବାଦଳାରେ ଅପରାଧିକ ମାମଲା ବଢ଼ୁଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Related Post