ଆଜିର ଖାସ ଖବର
Mon. Jul 27th, 2026

ଗୁଗୁଲ ଇଣ୍ଡିଆର ନୂତନ ରାଷ୍ଟ୍ରମୁଖ୍ୟ

By Dainikasha Jul11,2024

ଆନ୍ତର୍ଜାତିକ ପ୍ରବାହ ଅନୁସରଣରେ ଭାରତରେ ସୋସିଆଲ ମିଡ଼ିଆ ପ୍ଳାଟଫରମଗୁଡ଼ିକରେ ଭିଡ଼ିଓର ଆଦୃତି କ୍ରମଶଃ ବଢ଼ିବାରେ ଲାଗିଛି । ଭିଡ଼ିଓ ପ୍ରସାରଣରେ ଦେଶରେ ଅଗ୍ରଣୀ ୟୁ-ଟ୍ୟୁବର ସକ୍ରିୟ ଉପଭୋକ୍ତା ‘ଏକ୍ଟିଭ ୟୁଜର୍ସ’ଙ୍କ ସଂଖ୍ୟା ୨୬ କୋଟି ୫୦ ଲକ୍ଷ ହିସାବ କରାଯାଉଥିବା ସ୍ଥଳେ ଫେସବୁକରେ ୩୨ କୋଟି ୮୦ ଲକ୍ଷ ଓ ହ୍ୱାଟସଆପରେ ୪୦ କୋଟି ଉପଭୋକ୍ତା ସଂପୃକ୍ତ । ୟୁ-ଟ୍ୟୁବରେ ମୁଖ୍ୟତଃ ଉପଭୋକ୍ତା କିମ୍ୱା ତୃତୀୟ ପକ୍ଷଙ୍କ ଦ୍ୱାରା ପ୍ରଯୋଜିତ ଭିଡ଼ିଓ ଅପଲୋଡ଼ କରାଯାଉଥିବା ସ୍ଥଳେ ଫେସବୁକରେ ପାଠ୍ୟ ଓ ଚିତ୍ର ସହ ଭିଡ଼ିଓ କ୍ରମଶଃ ଯୋଡ଼ି ହେଲାଣି । ହ୍ୱାଟସଆପ ଯୋଗେ ଉପଭୋକ୍ତାମାନେ ଭିଡ଼ିଓ ଆଦାନପ୍ରଦାନ କରୁଥିବା ହେତୁ ଏହା ମଧ୍ୟ ଭିଡ଼ିଓ ପ୍ରସାରଣ ତଥା ପ୍ରଦର୍ଶନ ମଞ୍ଚ ରୂପେ ପରିଗଣିତ ।

ଭାରତରେ ସକ୍ରିୟ ୮୦୦ରୁ ଉର୍ଦ୍ଧ୍ୱ ଟେଲିଭିଜନ ଚ୍ୟାନେଲ ମଧ୍ୟରୁ ଅନେକ ଡ଼ିଜିଟାଲ ପରିବେଶରେ ଉପସ୍ଥିତି ଜାହିର କରୁଥିବା ସ୍ଥଳେ ଓଟିଟି ‘ଓଭର-ଦି-ଟପ’ ପର୍ଯ୍ୟାୟରେ ହଟଷ୍ଟାର, ଜୀ-୫, ଏରସ ନାଓ, ଆଲଟ ବାଲାଜୀ, ସୋନୀ ଲିଭ, ଭୁତ, ଭିଉ, ଡିଟୋ ସହ ନେଟଫ୍ଳିକ୍ସ, ଆମେଜନ ପ୍ରାଇମ ଭିଡ଼ିଓ ଇତ୍ୟାଦି ଭିଡ଼ିଓ ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏଗୁଡ଼ିକ ମଧ୍ୟରେ ହଟଷ୍ଟାରର ଦର୍ଶକ ସଂଖ୍ୟା ସର୍ବାଧିକ । ହଟଷ୍ଟାରର ଉପଭୋକ୍ତା ସଂଖ୍ୟା ୨୦ କୋଟି ଥିବା ସ୍ଥଳେ କ୍ରୀଡ଼ା କାର୍ଯ୍ୟକ୍ରମ ସିଧା ପ୍ରସାରଣ ଅବସରରେ ୩୦ କୋଟି ଛୁଉଁଥିବା ଦାବୀ କରାଯାଏ ।

ନେଟଫ୍ଳିକ୍ସ ଭଳି ମଞ୍ଚକୁ ବାଦଦେଲେ ସମସ୍ତ ଓଟିଟି ବ୍ୟବସାୟ ବିଜ୍ଞାପନ ଆଶ୍ରିତ । ଉଦାହରଣରେ ହଟଷ୍ଟାରର ବ୍ୟବସାୟ ଉଭୟ ଗ୍ରାହକ ଦେୟ ଓ ବିଜ୍ଞାପନ ଆୟକୁ ଆଧାର କରି ଗଢ଼ି ଉଠିଥିବା ସ୍ଥଳେ ଗ୍ରାହକ ଦେୟରୁ ଆୟ ମାତ୍ର ତିନିରୁ ଚାରି ପ୍ରତିଶତ ମଧ୍ୟରେ ସୀମିତ । ଅର୍ଥାତ ଭାରତର ସର୍ବାଧିକ ଲୋକପ୍ରିୟ ଓଟିଟି ମଞ୍ଚ ପ୍ରାୟତଃ ବିଜ୍ଞାପନ ଆୟ ଉପରେ ନିର୍ଭରଶୀଳ । ଦେଶରେ ଓଟିଟି ଉପଭୋକ୍ତାଙ୍କ ସଂଖ୍ୟା ତଥା ଡିଜିଟାଲ ମଞ୍ଚଗୁଡ଼ିକରେ ବିଜ୍ଞାପନ ବ୍ୟୟ ବୃଦ୍ଧି ପାଇଚାଲିଥିବା ଅବସରରେ ଭିଡ଼ିଓ ପ୍ରସାରଣ ମଞ୍ଚଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଯୋଗିତାର ପୂର୍ବାଭାଷ ସୂଚିତ ହୋଇଥାଏ ।

ନଭେମ୍ବର ୨୦୧୯ ପ୍ରଥମ ସପ୍ତାହରେ ହଟଷ୍ଟାରର ରାଷ୍ଟ୍ରୀୟ ପରିଚାଳକ ସଞ୍ଜୟ ଗୁପ୍ତା ଷ୍ଟାର ଓ ଡିସନି ଇଣ୍ଡିଆ ଗୃପ ସହ ଦଶ ବର୍ଷର ସଂପର୍କ ତୁଟାଇ ଗୁଗୁଲ ଇଣ୍ଡିଆର ରାଷ୍ଟ୍ରମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି । ଗଣମାଧ୍ୟମ ସମୀକ୍ଷକମାନଙ୍କ ମତରେ ସଞ୍ଜୟ ଗୁପ୍ତା ହଟଷ୍ଟାରର ବିନ୍ଧାଣୀ । ହଟଷ୍ଟାରର ଉପଭୋକ୍ତାଙ୍କ ସଂଖ୍ୟା ୨୦ କୋଟିରେ ପହଞ୍ଚିଥିବା ସ୍ଥଳେ ଦ୍ୱିତୀୟ ସ୍ଥାନ ଅଧିକାର କରୁଥିବା ଜୀ-୫ର ଉପଭୋକ୍ତା ସଂଖ୍ୟା ମାତ୍ର ୭ କୋଟି ୫୦ ଲକ୍ଷ । ଭାରତ ଭଳି ବଜାରରେ ଓଟିଟି ବ୍ୟବସାୟ ତିଷ୍ଠିବା ଅସଂଭବ ବୋଲି ବିଚାର କରାଯାଉଥିବା ଅବସରରେ ହଟଷ୍ଟାର ନିଜସ୍ୱ ସ୍ଥିତିକୁ ସୁଦୃଢ଼ କରିପାରିଥିବା ଶ୍ରେୟ ସଞ୍ଜୟ ଗୁପ୍ତାଙ୍କୁ ଦିଆଯାଏ ।

ଡ଼ିଜିଟାଲ ପରିବେଶରେ ବିଜ୍ଞାପନ ଆହରଣ ଦୌଡ଼ରେ ହଟଷ୍ଟାରର ମୁଖ୍ୟ ପ୍ରତିଦ୍ଵନ୍ଦୀ ରୂପେ ୟୁ-ଟ୍ୟୁବ ଓ ଫେସବୁକକୁ ଚ଼ିହ୍ନଟ କରାଯାଏ । ସଞ୍ଜୟ ଗୁପ୍ତା ହଟଷ୍ଟାରରୁ ୟୁ-ଟ୍ୟୁବକୁ ସ୍ଥାନାନ୍ତରିତ ହେଉଥିବା ବେଳେ ଫେସବୁକ ପରିଚାଳନା ନିର୍ଦ୍ଦେଶକ ଅଜିତ ମୋହନ ମଧ୍ୟ ହଟଷ୍ଟାରର ଜଣେ ପୂର୍ବତନ ବରିଷ୍ଠ କର୍ମଚାରୀ । ହଟଷ୍ଟାରକୁ ଓଟିଟି ମଞ୍ଚରୂପେ ଗଢ଼ି ତୋଳିବାରେ ତାଙ୍କରି ମଧ୍ୟ ବଳିଷ୍ଠ ଅବଦାନ ରହିଥିଲା । ବର୍ତ୍ତମାନ ହଟଷ୍ଟାର ସହ ଏହାକୁ ଗଢ଼ିଥିବା ଦୁଇ କର୍ମକର୍ତ୍ତାଙ୍କ ନେତୃତ୍ଵରେ ପରିଚାଳିତ ୟୁ-ଟ୍ୟୁବ ଓ ଫେସବୁକ ବିଜ୍ଞାପନ ଆୟର ଲଢ଼େଇ ଏକ ନୂତନ ସମୀକରଣ ସୃଷ୍ଟି କରିବ । କାରଣ ତିନିଗୋଟି ପ୍ରତିଯୋଗୀଙ୍କ ବ୍ୟାବସାୟିକ ଆଭିମୁଖ୍ୟ ଊଣାଅଧିକେ ସମାନ ହେବା ଆଶା କରାଯାଇପାରେ ।

ଡ଼ିଜିଟାଲ ମଞ୍ଚଗୁଡ଼ିକରେ ଉପଭୋକ୍ତାଙ୍କ ସଂଖ୍ୟା ଓ ଉପସ୍ଥିତି ସମୟସୀମା ବିଜ୍ଞାପନଦାତାଙ୍କୁ ପ୍ରଭାବିତ କରିଥାଏ । ଅର୍ଥାତ ଯେଉଁ ମଞ୍ଚଗୁଡ଼ିକରେ ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ଓ ଯେଉଁ ବିଭବଗୁଡ଼ିକରେ ଉପଭୋକ୍ତାମାନେ ଅଧିକ ସମୟ ଅତିବାହିତ କରିଥାନ୍ତି ସେହି ପୃଷ୍ଠଭୂମିରେ ଅଧିକ ପରିମାଣରେ ବିଜ୍ଞାପନ ପ୍ରଦର୍ଶିତ ହୋଇଥାଏ ତଥା ବିଜ୍ଞାପନ ଆୟ ବଢ଼ିଥାଏ । ୟୁ଼-ଟ୍ୟୁବ ଓ ଫେସବୁକ ଆନ୍ତର୍ଜାତିକସ୍ତରର ଡ଼ିଜିଟାଲ ମଞ୍ଚ ହେଲେହେଁ ଉପଭୋକ୍ତା ସୃଷ୍ଟି ଓ ବିଜ୍ଞାପନ ଆୟ ବୃଦ୍ଧି ନିମନ୍ତେ ସ୍ଥାନୀୟ ପରିବେଶକୁ ଲକ୍ଷ୍ୟରଖି ବ୍ୟାବସାୟିକ ରଣନୀତି ପ୍ରସ୍ତୁତ କରାଯାଇଥାଏ । ଏଦିଗରେ ସଞ୍ଜୟ ଗୁପ୍ତା ଓ ଅଜିତମୋହନଙ୍କ ନେତୃତ୍ୱ ପ୍ରଭାବିତ କରିବା ସୁସ୍ପଷ୍ଟ ।

ଦେଶରେ ଇଣ୍ଟରନେଟ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ପ୍ରସାର ଲାଭ କରୁଥିବା ଏବଂ ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ବ୍ୟବହାରର ତଥା ଇଂଲିଶ ଓ ହିନ୍ଦି ଭିନ୍ନ ଭାରତୀୟ ଭାଷାଗୁଡ଼ିକରେ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ୟୁ-ଟ୍ୟୁବ, ଫେସବୁକ ଓ ହଟଷ୍ଟାର ଭଳି ଭିଡ଼ିଓ ପ୍ରସାରଣ ମଞ୍ଚଗୁଡ଼ିକରେ ନୂତନ ପରିଚାଳକ ନିଯୁକ୍ତି ନିଜ ନିଜ ମଞ୍ଚଗୁଡ଼ିକରେ ଆଞ୍ଚଳିକତା ପରିପ୍ରକାଶ ପ୍ରତି ଗୁରୁତ୍ୱାରୋପ କରିବା ଅନୁମାନ କରାଯାଇପାରେ । ଏତଦ୍ବ୍ୟତୀତ ମୌଳିକ ଭିଡ଼ିଓ ‘ଓରିଜିନାଲ କଣ୍ଟେଣ୍ଟ’ ପ୍ରସ୍ତୁତି ଓ ପ୍ରଦର୍ଶନକୁ ଅଗ୍ରାଧିକାର ଦିଆଯାଇପାରେ । ସଂଜୟ ଗୁପ୍ତା ଓ ଅଜିତ ମୋହନ ସୂଚନା ଓ ମନୋରଞ୍ଜନ ପରିଧିରେ ବ୍ୟକ୍ତି, ପରିବାର ଓ ଗୋଷ୍ଠୀକୁ ପ୍ରାଧାନ୍ୟ ଦେବା ସ୍ୱୀକାର କରିଛନ୍ତି । ଏହାଫଳରେ ଗଣମାଧ୍ୟମର ପାରମ୍ପରିକ ଆଙ୍ଗୀକ ସଂପୂର୍ଣ୍ଣ ପରିବର୍ତ୍ତନ ହେବା ଆଶା କରାଯାଇପାରେ ।

ସଞ୍ଜୟ ଗୁପ୍ତା ଷ୍ଟାର ଗୃପରେ ଯୋଗ ଦେବା ପୂର୍ବରୁ ହିନ୍ଦୁସ୍ତାନ ଲିଭର ଓ ଭାରତୀ ଏୟରଟେଲରେ କାର୍ଯ୍ୟ କରୁଥିଲେ । ସେ ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଂ ଓ ଇଣ୍ଡିଆନ ଇନଷ୍ଟିଟିଉଟ ଅଫ ମ୍ୟାନେଜମେଣ୍ଟ କୋଲକତାର ଛାତ୍ର । ଷ୍ଟାର ଓ ଡିସନି ଇଣ୍ଡିଆର ମୁଖ୍ୟ ଉଦୟ ଶଙ୍କର ହଟଷ୍ଟାରରୁ ଗୁପ୍ତାଙ୍କ ବିଦାୟ ଅବସରରେ ଭୂୟସୀ ପ୍ରଶଂସା କରିଛନ୍ତି । ତେବେ ହଟଷ୍ଟାରର ମୌଳିକ ବିଜ୍ଞାପନ ସଂଗ୍ରହ ନୀତି ପ୍ରଣୟନ କରିଥିବା ସଞ୍ଜୟ ଗୁପ୍ତା ଓ ଅଜିତ ମୋହନଙ୍କ ଅନୁପସ୍ଥିତି ତଥା ପ୍ରତିଯୋଗୀ ମଞ୍ଚରେ ଆବିର୍ଭାବ ହଟଷ୍ଟାରର ବ୍ୟାବସାୟିକ ରଣନୀତିରେ ବଡ଼ ଧରଣର ପରିବର୍ତ୍ତନ ମଧ୍ୟ ସଂଭବପର ।

ସୋସିଆଲ ମିଡ଼ିଆର ଲୋକପ୍ରିୟତା ବୃଦ୍ଧି ଅପରପକ୍ଷରେ ଏହାର ଦୁରୁପୋଯୋଗର କାରଣ ପାଲଟୁଥିବା ଅବସରରେ ମଞ୍ଚଗୁଡ଼ିକର ପରିଚାଳନା ଲାଗି ଶକ୍ତ ଆଇନକାନୁନ ପ୍ରଣୟନର ଆବଶ୍ୟକତା ସୃଷ୍ଟି କରିଛି । ଓଟିଟି ବୈଷୟିକ କୌଶଳ ଅତ୍ୟାଧୁନିକ ବୈଜ୍ଞାନିକ ଉଦ୍ଭାବନ ପର୍ଯ୍ୟାୟଭୁକ୍ତ ଥିବା ସ୍ଥଳେ ଏଗୁଡ଼ିକର ସାମାଜିକ ନିୟନ୍ତ୍ରଣ ଧାରା କ୍ରମଶଃ ବିକଶିତ ହେଉଛି । ଏହି ପରିବେଶ ସଂପୃକ୍ତ ମଞ୍ଚଗୁଡ଼ିକର ପରିଚାଳନା ନିମନ୍ତେ ନୂତନ ଆହ୍ୱାନ ସୃଷ୍ଟି କରିବା ସ୍ୱାଭାବିକ । ଭିଡ଼ିଓ ସର୍ବାଧିକ ଲୋକପ୍ରିୟ ଗଣମାଧ୍ୟମ ରୂପେ ପ୍ରବର୍ତ୍ତିତ ହେଉଥିବା ଅବସରରେ ଏହାର ପ୍ରଯୋଜନା ନୂତନ ବ୍ୟାକରଣ ଆବଶ୍ୟକ କରେ ।

Related Post