ଇଂଲିଶ ଭାଷାରେ ଦକ୍ଷ, ଉଚ୍ଚ ଶିକ୍ଷିତ, ସ୍ୱଚ୍ଛଳ ବର୍ଗର ଏକାଂଶ ସମସାମୟିକ ସମ୍ୱାଦ ପଠନ ବିମୁଖ ହୋଇପଡୁଥିବା ସ୍ଥଳେ ସେମାନଙ୍କୁ ସମ୍ୱାଦ ମଞ୍ଚସହ ଯୋଡ଼ି ରଖିବା ନିମନ୍ତେ କ୍ରସୱାର୍ଡ ପଜଲ ଭଳି ବୌଦ୍ଧିକ ଖେଳରେ ନିମଜ୍ଜିରଖିବା ଉଦ୍ୟମ ମହାମାରୀ-ପର ଆନ୍ତର୍ଜାତିକ ଗଣମାଧ୍ୟମ ପରିସରରେ ଅନ୍ୟତମ ଚର୍ଚ୍ଚିତ ଧାରା । ଆନ୍ତର୍ଜାତିକସ୍ତରରେ ବୌଦ୍ଧିକ ଖେଳ ପ୍ରକାଶନରେ ମାର୍କିନ ସମ୍ୱାଦ ମଞ୍ଚ ‘ଦି ନିଉୟର୍କ ଟାଇମ୍ସ’ ଅଗ୍ରଗଣ୍ୟ । ଏହାର ମୁଦ୍ରିତ ସଂସ୍କରଣ ତୁଳନାରେ ଡ଼ିଜିଟାଲ ସଂସ୍କରଣର ଗ୍ରାହକ ସଂଖ୍ୟା ଅଧିକ । କୁହାଯାଉଛି ଯେ ଡ଼ିଜିଟାଲ ସଂସ୍କରଣରେ ଉପଲବ୍ଧ ଭାଷାଜ୍ଞାନ ଖେଳ, ରନ୍ଧନ ପ୍ରତି ପାଠକମାନେ ଆକୃଷ୍ଟ । ଏପରିକି ସଂବାଦମଞ୍ଚ ପକ୍ଷରୁ ଡ଼ିଜିଟାଲ ମଞ୍ଚରେ କେବଳ ଖେଳ କିମ୍ୱା ରନ୍ଧନ ସଂପର୍କୀତ ଲେଖା ନିମନ୍ତେ ସ୍ୱତନ୍ତ୍ର ଗ୍ରାହକ ଚାନ୍ଦା ପ୍ରବର୍ତ୍ତିତ ହୋଇଛି ।
‘ଦି ନିଉୟର୍କ ଟାଇମ୍ସ’ର ଭାଷାଜ୍ଞାନ ଖେଳ ପ୍ୟାକେଜ ‘ଦି ଗେମ’ରେ ‘ଦି କ୍ରସୱାର୍ଡ’, ‘ଦି ମିନିକ୍ରସୱାର୍ଡ’, ‘ୱାର୍ଡଲ’, ‘ସ୍ପେଲିଂ-ବି’, ‘ଲେଟର-ବକ୍ସଡ଼’, ‘ଟାଇଲ୍ସ’ ଓ ‘ଭେରଟକ୍ସ’ ଅନ୍ତର୍ଭୁକ୍ତ । ଭାରତୀୟ ଉପଭୋକ୍ତାଙ୍କୁ ନିମନ୍ତ୍ରଣ ଗ୍ରାହକ ଚାନ୍ଦାରେ ପ୍ରଥମ ବର୍ଷ ପାଇଁ ୫୦୦ ଟଙ୍କା ଦେୟ ନିର୍ଦ୍ଧାରିତ । ଅପରପକ୍ଷେ ସମ୍ୱାଦ ମଞ୍ଚର ସମସ୍ତ ବିଭାଗର ଡିଜିଟାଲ ସଂସ୍କରଣ ଗ୍ରାହକ ଚାନ୍ଦା ବାର୍ଷିକ ଏକ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥାଏ । ଭାରତର ସହରାଞ୍ଚଳରେ ଉଚ୍ଚବର୍ଗର ଅନଲାଇନ ଉପଭୋକ୍ତା ସଂପ୍ରଦାୟରେ ‘ଦି ନିଉୟର୍କ ଟାଇମ୍ସ’ର କ୍ରସୱାର୍ଡ ପଜଲ କ୍ରମଶଃ ଲୋକପ୍ରିୟତା ହାସଲ କରିଥିବା ପରିଲକ୍ଷିତ । ମହାମାରୀ-ପର ଅବସ୍ଥାରେ ସମ୍ୱାଦ ବିମୁଖ ବୁଦ୍ଧିଜୀବୀମାନଙ୍କ ମଧ୍ୟରୁ ଏକାଂଶ ଏହିଭଳି ଅନଲାଇନ ଖେଳ ପ୍ରତି ଆସକ୍ତ ହୋଇପଡୁଥିବା ଗଣମାଧ୍ୟମରେ ଏକ ନୂତନ ସମୀକରଣର ସୂଚ଼ନା ପ୍ରଦାନ କରିଥାଏ ।
କ୍ରସୱାର୍ଡ ପଜଲର ଉତ୍ପତ୍ତି ସ୍ଥଳ ଯୁକ୍ତରାଷ୍ଟ୍ର ଆମେରିକା । ନିଉୟର୍କରୁ ପ୍ରକାଶିତ ‘ଦି ନିଉୟର୍କ ୱାର୍ଲ୍ଡ’ରେ ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବାବସ୍ଥା ୧୯୧୩ରେ ଆତ୍ମପ୍ରକାଶ କରିଥିଲା । ‘ଦି ନିଉୟର୍କ ୱାର୍ଲ୍ଡ’ ମାର୍କିନ ସାମ୍ୱାଦିକତାରେ କାମଳ ସାମ୍ୱାଦିକତା ‘ୟୋଲୋ ଜର୍ଣ୍ଣାଲିଜମ’ ନିମନ୍ତେ ପ୍ରସିଦ୍ଧ । ଖ୍ୟାତନାମା ପ୍ରକାଶକ ଜୋସେଫ ପୁଲିଜର ଏହି ଦୈନିକ ମୁଦ୍ରିତ ସମ୍ୱାଦପତ୍ରଟିରେ ଚାଞ୍ଚଲ୍ୟକାରୀ ସମ୍ୱାଦ, ଅପରାଧ ଓ କ୍ରୀଡ଼ା ସଂବାଦ ପ୍ରକାଶନକୁ ଅଗ୍ରାଧୀକାର ଦେଇ ଲୋକପ୍ରିୟତା ହାସଲ କରିବାକୁ ଉଦ୍ୟମରେ ସଫଳ ହୋଇଥିଲେ । ସମ୍ୱାଦପତ୍ରଟି ୧୮୬୦ରୁ ୧୯୩୧ ଯାଏଁ ଦୀର୍ଘ ୬୧ ବର୍ଷ ଧରି ପ୍ରକାଶିତ ହୋଇଥିଲା ଏବଂ ପୁଲିଜର ୧୮୮୩ରୁ ୧୯୧୧ ମୋଟ ୨୮ ବର୍ଷ ଧରି ପ୍ରକାଶକ ରହିଥିଲେ । ଶେଷରେ ୧୯୩୦ରେ ଏହାର ମାଲିକନା ଅଧିଗ୍ରହଣ ହୋଇ ‘ଟେଲିଗ୍ରାମ’ ସମ୍ୱାଦପତ୍ର ସହ ବିଲୀନ ହୋଇଯାଇଥିଲା । ପୁଲିଜରଙ୍କ ଅମଳରେ ‘ଦି ନିଉୟର୍କ ୱାର୍ଲ୍ଡ’ର ପ୍ରସାର ସଂଖ୍ୟା ସର୍ବାଧିକ ଦଶ ଲକ୍ଷରେ ପହଞ୍ଚିଥିଲା ।
‘ଦି ନିଉୟର୍କ ୱାର୍ଲ୍ଡ’ରେ କ୍ରସୱାର୍ଡ ପଜଲ ପ୍ରକାଶନ ପୂର୍ବରୁ ୧୮୯୦ ବେଳକୁ କମିକ ଷ୍ଟ୍ରୀପ ମଧ୍ୟ ପ୍ରକାଶିତ ହୋଇଥିଲା । ଏହାର ପ୍ରସାର ସଂଖ୍ୟା ବୃଦ୍ଧିରେ ଅନୁପ୍ରାଣିତ ହୋଇ ବହୁ ସଂଖ୍ୟକ ମାର୍କିନ, ବ୍ରିଟିଶ ଓ ୟୁରୋପୀୟ ସମ୍ୱାଦପତ୍ର କାମଳ ସାମ୍ୱାଦିକତାରେ ମନୋନିବେଶ କରିବା ସଙ୍ଗେ କ୍ରସୱାର୍ଡ ପଜଲ, କମିକ ଷ୍ଟ୍ରୀପ ଇତ୍ୟାଦି ପ୍ରକାଶନକୁ ଅଗ୍ରାଧୀକାର ଦେଇଥିଲେ । ‘ଦି ନିଉୟର୍କ ୱାର୍ଲ୍ଡ’ ଏହି ଅଣ-ସମ୍ୱାଦ ଉତ୍ପାଦଗୁଡ଼ିକୁ ଅନ୍ୟ ସମ୍ୱାଦପତ୍ରମାନଙ୍କୁ ମୂଲ୍ୟ ବିନିମୟରେ ପୁନଃପ୍ରକାଶନ ନିମନ୍ତେ ଅନୁମତି ‘ସିଣ୍ଡିକେଟ’ ବ୍ୟବସ୍ଥା କରିଥିଲା । ସମ୍ୱାଦପତ୍ରରେ ସମ୍ୱାଦ ବ୍ୟତୀତ ଅନ୍ୟ ପଠନ ସାମଗ୍ରୀ ସ୍ଥାନିତ କରି ପାଠକବର୍ଗଙ୍କୁ ଆକର୍ଷିତ କରିବା ତଥା ସମ୍ୱାଦପତ୍ର ପଠନ ଅଭ୍ୟାସ ବଳବତ୍ତର ରଖିବା ନିମନ୍ତେ ଉଦ୍ୟମ ଦୀର୍ଘ ଶହେ ବର୍ଷ ଧରି ପ୍ରଚଳିତ ହୋଇ ଆସିଛି ।
କ୍ରସୱାର୍ଡ ପ୍ରକାଶନ କାଳରୁ ଯଦିଓ ଲୋକପ୍ରିୟତା ହାସଲ କରିଥିଲା, ତେବେ ସମାଲୋଚ଼ନା ମଧ୍ୟ ଜାରୀ ରହିଆସିଥିଲା । ବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଶେଷ ଭାଗରେ ଲଣ୍ଡନ ଟାଇମ୍ସ ଆକଳନରେ ପ୍ରାୟ କୋଟିଏ ମାର୍କିନ ପାଠକ କ୍ରସୱାର୍ଡ ଖେଳରେ ଦୈନିକ ଅନ୍ୟୂନ ଅଧ ଘଣ୍ଟାଏ ବିତାଉଥିଲେ । ଏତଦ୍ୱାରା ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଯେତିକି ଅଣ-ଉତ୍ପାଦ ସମୟ ବିନିଯୋଗ ହେଉଥିଲା, ତାହା ତତ୍କାଳୀନ ସରକାରୀ ଓ ବେସରକାରୀ ଦପ୍ତର ତଥା କଳ-କାରଖାନାରେ ଶ୍ରମିକ ଧର୍ମଘଟଠାରୁ ଢ଼େର ଅଧିକ ବୋଲି କୁହାଯାଇଥିଲା । କ୍ରସୱାର୍ଡ ଖେଳକୁ ଏକ ମାଦକଦ୍ରବ୍ୟ ‘ୱିଡ଼’ ସହ ତୁଳନା କରାଯାଇ ଆଳସ୍ୟ ଓ ଅଣ-ସାମାଜିକ ଅଭ୍ୟାସ ରୂପେ ସମାଲୋଚ଼ିତ ହେଉଥିଲା ।
ସମ୍ୱାଦପତ୍ରରେ ପ୍ରକାଶିତ କ୍ରସୱାର୍ଡ ଖେଳ କାରଣରୁ ପାରିବାରିକ ସୌହାଦ୍ଦ୍ୟ କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ କୋର୍ଟ-କଚ଼େରୀରେ ମକଦ୍ଦମା ଦାୟର ହେବା ଉଦାହରଣର ଅଭାବ ନଥିଲା । ଜଣେ ବ୍ରିଟିଶ ମହିଳା ତାଙ୍କରି ପତି ଦିନ ଏଗାରଟା ଯାଏଁ ଶୋଇବା ପଲଙ୍କରେ ପଡ଼ି କ୍ରସୱାର୍ଡ ଖେଳୁଥିବା ଅଭ୍ୟାସର ପ୍ରତିବାଦ କରି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଚ଼ିକିତ୍ସକମାନେ କ୍ରସୱାର୍ଡ ପଜଲରେ ଦୀର୍ଘ ସମୟ ଅତିବାହିତ କରିବା ଅଭ୍ୟାସକୁ ‘କ୍ରସୱାର୍ଡ ଇନସୋମେନିଆ’ ଅଭିହିତ କରି ଏହାଦ୍ୱାରା ନିଦ୍ରାହାନୀ, ମୁଣ୍ଡବ୍ୟଥା ଓ ଦୃଷ୍ଟିଶକ୍ତିରେ ପ୍ରତିକୂଳ ପ୍ରଭାବ ପକାଉଥିବା ଅଭିଯୋଗ କରିଥିଲେ । ଶିକ୍ଷାନୁଷ୍ଠାନ ପ୍ରାଙ୍ଗଣରେ ବିଦ୍ୟାର୍ଥୀମାନଙ୍କୁ କ୍ରସୱାର୍ଡ ପଜଲ ବାରଣ କରାଯାଉଥିଲା । ମିଛିଗନ ବିଶ୍ୱବିଦ୍ୟାଳୟରେ ଏଥିନିମନ୍ତେ ବିଧିବଦ୍ଧ ନୀତିନିୟମ ଲାଗୁ ହୋଇଥିଲା ।
ସମସ୍ତ ସମାଲୋଚ଼ନା ସତ୍ତ୍ୱେ କ୍ରସୱାର୍ଡ ପଜଲକୁ ସମ୍ୱାଦପତ୍ର ପ୍ରକାଶକ ଓ ସମ୍ପାଦକମାନେ ଗୁରୁତ୍ୱ ଦେଇ ଆସିଥିଲେ । ‘ଦି ନିଉୟର୍କ ଟାଇମ୍ସ’ରେ ୧୯୪୨ରେ କ୍ରସୱାର୍ଡ ପଜଲ ପ୍ରକାଶନ ଆରମ୍ଭ ହୋଇଥିଲା । ସେହି ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଘନଘଟା, ପର୍ଲ ହାରବର ବନ୍ଦରରେ ବୋମାମାଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାମାନ ସମ୍ୱାଦପତ୍ର ପୃଷ୍ଠା ମଣ୍ଡନ କରୁଥିଲେହେଁ କ୍ରସୱାର୍ଡ ପଜଲର ଲୋକପ୍ରିୟତାକୁ ଅଣଦେଖା କରାଯାଇପାରିନଥିଲା । ଗଣମାଧ୍ୟମ ବିଶ୍ଳେଷକଙ୍କ ବିଚାରରେ ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉ ବା କରୋନା-ଭୂତାଣୁଜନିତ ମହାମାରୀ ଅବସରରେ ନକାରାତ୍ମକ ସମ୍ୱାଦ ପ୍ରକାଶନରେ ଭରାକ୍ରାନ୍ତ ହୋଇ ସମ୍ୱାଦ ମଞ୍ଚ ପାଠକ ବର୍ଗରୁ ଏକାଂଶ ସମସ୍ୟାବଳୀରୁ ଦୃଷ୍ଟି ଫେରାଇନେଉଥିବା ତଥା କ୍ରସୱାର୍ଡ ପଜଲ ଭଳି ବୌଦ୍ଧିକ ଖେଳରେ ମନୋନିବେଶ କରୁଥିବା ସୁସ୍ପଷ୍ଟ ।
ବିକଶିତ ରାଷ୍ଟ୍ରଗୁଡ଼ିକରେ ମହାମାରୀ ପୂର୍ବାବସ୍ଥାରୁ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଡ଼ିଜିଟାଲ ମଞ୍ଚରେ ଆସ୍ଥାନ ଜମାଇସାରିଥିଲେ । ମୁଦ୍ରିତ ସମ୍ୱାଦପତ୍ର ତୁଳନାରେ ଡ଼ିଜିଟାଲ ମଞ୍ଚରେ କ୍ରସୱାର୍ଡ ପଜଲ ଭଳି ଖେଳ ପ୍ରକାଶନ ଓ ଖେଳିବା ଉଭୟଦିଗରୁ ଆକର୍ଷଣୀୟ ହୋଇପାରିଥିଲା । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ‘ସ୍କେବଲ’ ଡ଼ିଜିଟାଲ ମଞ୍ଚରେ ଆତ୍ମପ୍ରକାଶ କରିଥିଲା । ‘ଦି ନିଉୟର୍କ ଟାଇମ୍ସ’ ଭଳି ସମ୍ୱାଦ ମଞ୍ଚରେ ବୌଦ୍ଧିକ ଖେଳ ଲୋକପ୍ରିୟତା ହାସଲ କରିସାରିଥିବା ସ୍ଥଳେ ମହାମାରୀକାଳରେ ମାତ୍ରାଧିକ ନକାରାତ୍ମକ ସମ୍ୱାଦରୁ ଦୃଷ୍ଟି ଫେରାଇବା ନିମନ୍ତେ ସମ୍ୱାଦ ବିମୁଖ ପାଠକମାନଙ୍କ ପୃଷ୍ଠପୋଷକତା ବୃଦ୍ଧି ପାଇବାରେ ଲାଗିଲା । ଫଳରେ ‘ଦି ନିଉୟର୍କ ଟାଇମ୍ସ’ ୩୧ ଜାନୁୟାରୀ ୨୦୨୨ରେ ‘ୱାର୍ଡଲ’ ଅଧିଗ୍ରହଣ କରିଥିବା ଘୋଷଣା କରିଥିଲା । ଜୋସ ୱାର୍ଡଲଙ୍କ ଦ୍ୱାରା ବିକଶିତ ‘ୱାର୍ଡଲ’ କ୍ରସୱାର୍ଡ ଅକ୍ଟୋବର ୨୦୨୧ରେ ପ୍ରକାଶିତ ହେବା ମାତ୍ରେ ଲୋକାଦୃତ ହୋଇଥିଲା ଏବଂ ମାତ୍ର କେତେ ସପ୍ତାହ ମଧ୍ୟରେ ତିନି ଲକ୍ଷ ଖେଳାଳୀଙ୍କ ଗହଣରେ ପହଞ୍ଚିଥିଲା । ‘ୱାର୍ଡଲେ’ ୨୦୨୨ ମଧ୍ୟଭାଗ ସୁଦ୍ଧା ‘ଦି ଗେମ୍ସ’ର ସର୍ବାପେକ୍ଷା ଆକର୍ଷକ ବୌଦ୍ଧିକ ଖେଳ ।
‘ଦି ନିଉୟର୍କ ଟାଇମ୍ସ’ର ବୌଦ୍ଧିକ ଖେଳ ବିଭାଗ ସଂଯୋଜକ ଜୋସ ନାଇଟଙ୍କ ବିଚାରରେ ସମ୍ୱାଦମଞ୍ଚଗୁଡ଼ିକ ଲୋକପ୍ରିୟତା ହରାଉଥିବା ଅବସରରେ ସମ୍ୱାଦ ବିମୁଖ ପାଠକମାନଙ୍କୁ ଡ଼ିଜିଟାଲ ସମ୍ୱାଦମଞ୍ଚକୁ ଆକର୍ଷିତ କରିବା ନିମନ୍ତେ କ୍ରସୱାର୍ଡ ପଜଲ ଭଳି ବିକଳ୍ପ ବ୍ୟବହାର କରାଯାଉଛି । ‘ଦି ନିଉୟର୍କ ଟାଇମ୍ସ’ ୨୦୨୭ ସୁଦ୍ଧା ଏକ କୋଟି ପଚାଶ ଲକ୍ଷ ଗ୍ରାହକ ସଂଗ୍ରହ କରିବା ନିମନ୍ତେ ଉଚ୍ଚମାନର ସମ୍ୱାଦ ଓ ଅଭିମତ ପରିବେଷଣ ସଙ୍ଗେ ବିଭିନ୍ନ ଅଣ-ସମ୍ୱାଦ ବିଭାଗଗୁଡ଼ିକର ଭିତ୍ତିଭୂମି ପ୍ରସ୍ତୁତ ପ୍ରତି ଧ୍ୟାନ ଦିଆଯାଉଛି । ମୋଟ ଉପରେ ସମ୍ୱାଦମଞ୍ଚଗୁଡ଼ିକୁ ରବିବାସରୀୟ ସମ୍ୱାଦପତ୍ର ପଠନ ଅନୁଭୂତି ପ୍ରଦାନ ନିମନ୍ତେ ଏହି ଭଳି ଉଦ୍ୟମ ଅଭିପ୍ରେତ । ଡ଼ିଜିଟାଲ ମଞ୍ଚରେ ଭୌଗଳିକ ସୀମାପାର ଆହରଣ ସୁଯୋଗ ଉପଲବ୍ଧ ହେତୁ ଭାରତୀୟ ପାଠକମାନେ ‘ଦି ନିଉୟର୍କ ଟାଇମ୍ସ’ର ଗ୍ରାହକ ଶ୍ରେଣୀଭୁକ୍ତ ହୋଇ ଆନ୍ତର୍ଜାତିକସ୍ତରର ଖେଳ ଉପଭୋଗ କରିପାରୁଛନ୍ତି । ଏହି ପରିବେଶ ଦେଶୀୟ ଉଦ୍ୟମକୁ ଉତ୍ସାହିତ କରିପାରୁ ନାହିଁ । ଓଡ଼ିଶାରେ ‘ଛାତ୍ରସାଥୀ’ ଓ ‘ସମ୍ୱାଦ’ ପ୍ରକାଶନୀ ପକ୍ଷରୁ ଭାଷାଜ୍ଞାନ ଓଡ଼ିଆ କ୍ରସୱାର୍ଡ ପ୍ରସ୍ତୁତି ନିମନ୍ତେ ବିଂଶ ଶତାଦ୍ଦୀର ଅଷ୍ଟମ ଓ ନବମ ଦଶକରେ ଉଦ୍ୟମ କରାଯାଇଥିଲା । ତେବେ ତାହା ଲୋକପ୍ରିୟତା ହାସଲ ନକରିପାରିବା କାରଣରୁ ବନ୍ଦ ହୋଇଯାଇଥିଲା । ପରିବର୍ତ୍ତିତ ପରିବେଶରେ ସେହି ଦିଗରେ ପୁନଃଉଦ୍ୟମ ଆଶା କରାଯାଇନପାରେ ।
