ଆଜିର ଖାସ ଖବର
Mon. Jul 27th, 2026

ଡ଼ିଜିଟାଲ ବିରତି

By Dainikasha Jul11,2024

ଜନସାଧାରଣଙ୍କ ଡ଼ିଜିଟାଲ ସଂପୃକ୍ତି ବର୍ତ୍ତମାନ ଡ଼ିଜିଟାଲ ବିରତି ଆହ୍ୱାନରେ ପର୍ଯ୍ୟବସିତ ହେଲାଣି । ୨୦୧୮ ମଧ୍ୟଭାଗ ସୁଦ୍ଧା ଭାରତରେ ପ୍ରାୟ ୫୦ କୋଟି ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଉଥିବା ସ୍ଥଳେ ଏମାନଙ୍କ ମଧ୍ୟରେ ଶତକଡ଼ା ୮୯ ଭାଗ ମୋବାଇଲ ଇଣ୍ଟରନେଟ ବ୍ୟବହାରରେଅଭ୍ୟସ୍ତ ।ଇଣ୍ଟରନେଟ ସମ୍ୱଳିତ ସ୍ମାର୍ଟଫୋନ ସଂଯୋଗ ୨୦୧୮ ଆରମ୍ଭରେ ୨୯ କୋଟି ଥିବାବେଳେ ବର୍ଷଶେଷ ବେଳକୁ ୩୩ କୋଟିରେ ପହଞ୍ଚିବା ଆକଳନ କରାଯାଉଛି ।ସାଧାରଣରେ ସ୍ମାର୍ଟଫୋନ ଉପଭୋକ୍ତାମାନେ ହାରାହାରି ଦୈନିକ ପ୍ରାୟ ଦେଢ଼ ଘଣ୍ଟାରୁ ଚ଼ାରିଘଣ୍ଟା ମୋବାଇଲ ଫୋନରେ ଅତିବାହିତ କରିଥାନ୍ତି ।

ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକ ଶେଷଭାଗରୁ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ସଂପୃକ୍ତି ଏକ ଆନ୍ତର୍ଜାତିକ ପ୍ରବାହ ରୂପ ନେଇଛି । ସର୍ବତ୍ର ସ୍ମାର୍ଟଫୋନ ବ୍ୟବହାରରେ ଇଣ୍ଟରନେଟ ମଞ୍ଚରେ ଉପସ୍ଥିତି ଏବଂ ଫୋନ ବ୍ୟବହାରରେ ଦୀର୍ଘ ସମୟ ବିନିଯୋଗ ପାରମ୍ପରିକ ଜୀବନଶୈଳୀକୁ ଗଭୀର ପ୍ରଭାବିତ କରିଛି । ସୋସିଆଲ ମିଡ଼ିଆ ଓ ମେସେଞ୍ଜର ଆପ୍ଲିକେସନଗୁଡ଼ିକର ମାଦକତା ଧନୀ ଗରିବ ଆବାଳ-ବୃଦ୍ଧ-ବନିତାଙ୍କୁ ଆକୃଷ୍ଟ କରୁଥିବା ତଥା ସେଭଳି ମଞ୍ଚରେ ଦୀର୍ଘକାଳ ଉପସ୍ଥିତି କାରଣରୁ ସୃଷ୍ଟ ସମସ୍ୟାବଳୀର ସମାଧାନ ଲାଗି ଡ଼ିଜିଟାଲ ବିରତିର ଆହ୍ୱାନ ଦିଆଯାଉଛି ।

ଭାରତରେ ଇଣ୍ଟରନେଟ ବ୍ୟବହାର ଅନୁଶୀଳନ କ୍ଷେତ୍ରରେ କେତେକ ନିର୍ଭରଯୋଗ୍ୟ ଗବେଷଣାରୁ ଜଣାଯାଏ ଯେ ଉପଭୋକ୍ତାମାନେ ୪୦% ସମୟ ସୋସିଆଲ ମିଡ଼ିଆ ଓ ମେସେଞ୍ଜର ଆପ୍ଲିକେସନ, ୩୦% ସମୟ ମନୋରଞ୍ଜନ ଓ ବଳକା ୩୦% ସମୟ ଅନ୍ୟାନ୍ୟ ବିଭାଗ ବ୍ରାଉଜିଂରେ ଅତିବାହିତ କରିଥାନ୍ତି । ସ୍ମାର୍ଟଫୋନ ଅତି ଅଧିକ ସମୟ ବ୍ୟବହାରକାରୀ ୨୦% ଦୈନିକ ୪ ଘଣ୍ଟା, ମଧ୍ୟମ ବର୍ଗର ବ୍ୟବହାରକାରୀ ଅଢ଼େଇ ଘଣ୍ଟା ଓ କମ ସମୟ ଅତିବାହିତ କରୁଥିବା ୨୦% ଉପଭୋକ୍ତା ଦୈନିକ ଦେଢ଼ ଘଣ୍ଟା ମୋବାଇଲ ଫୋନ ଯୋଗେ ବିଭିନ୍ନ ଆପ୍ଲିକେସନ ବ୍ରାଉଜିଂ କରିଥାନ୍ତି । ଇଂଲିଶ ଭିନ୍ନ ହିନ୍ଦି ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଇଣ୍ଟରନେଟ ବ୍ୟବହାର ବୃଦ୍ଧି ପାଇ ଚ଼ାଲିଛି । ଆଗାମୀ ଚ଼ାରିବର୍ଷ ୨୦୨୨ ସୁଦ୍ଧା ଇଣ୍ଟରନେଟ ମଞ୍ଚରେ ପହଞ୍ଚୁଥିବା ପ୍ରତି ଦଶଜଣ ଉପଭୋକ୍ତାଙ୍କ ମଧ୍ୟରେ ନଅଜଣ ହିନ୍ଦି ଓ ଅନ୍ୟାନ୍ୟ ଭାରତୀୟ ଭାଷାଭାଷୀ ଅନ୍ତର୍ଭୁକ୍ତ ହେବେ ।

ଅନ୍ୟାନ୍ୟ ଦୃଷ୍ଟିଆକର୍ଷଣକାରୀ ପରିସଂଖ୍ୟାନ ମଧ୍ୟରେ ମହିଳା ସ୍ମାର୍ଟଫୋନ ବ୍ୟବହାରକାରୀମାନେ ହାରାହାରି ପୁରୁଷ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ତୁଳନାରେ ଦୁଇଗୁଣ ସମୟ ଇଣ୍ଟରନେଟ ବ୍ରାଉଜିଂରେ ଅଭ୍ୟସ୍ତ ଥିବାବେଳେ କିଶୋର ଓ କିଶୋରୀମାନେ ପୂର୍ବ ତୁଳନାରେ କମ ସମୟ ଶୋଇ ଅଧିକ ସମୟ ସ୍ମାର୍ଟଫୋନରେ ଉପଯୋଗ କରୁଛନ୍ତି ।

ଦୀର୍ଘସମୟ ସ୍ମାର୍ଟଫୋନ ବ୍ୟବହାର କିଶୋର ଅବସ୍ଥାରେ ‘ଏଟେନସନ ଡ଼େଫିସିଟ ହାଇପର ଏକ୍ଟିଭିଟି ଡ଼ିସଅର୍ଡର’ ନାମିତ ମାନସିକ ଅସୁସ୍ଥତା ଆଡ଼କୁ ଟାଣି ନେଉଥିବା ଗବେଷଣାରୁ ଜଣାଯାଇଛି । ଏଥି ଯୋଗୁଁ ଏକଗ୍ରତା ହ୍ରାସ ‘ଇନଏଟେଣ୍ଟିଉଭନେସ’, ସଂଯମହୀନତା ‘ଡ଼ିଫକଲଟି ଇନ ଗେଟିଙ୍ଗ ଅର୍ଗାନାଇଜଡ଼’, ଚ଼ଞ୍ଚଳମନା ‘ହାଇପର ଏକ୍ଟିଭିଟି’ ଓ ଆବେଗପ୍ରବଣ ବା ବିନା ପରିଣତି ବିଚ଼ାରରେ କାର୍ଯ୍ୟସାଧନ ‘ଇମ୍ପଲସିଭିଟି’ ଭଳି ଲକ୍ଷଣ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ୨୦୧୮ ମଧ୍ୟଭାଗରେ ‘ଜର୍ଣ୍ଣାଲ ଅଫ ଆମେରିକାନ ମେଡ଼ିକାଲ ଏସୋସିଏସନ’ରେ ପ୍ରକାଶିତ ଏହି ଅନୁଧ୍ୟାନ ପ୍ରାପ୍ତବୟସ୍କ ସ୍ମାର୍ଟଫୋନ ଉପଭୋକ୍ତାମାନଙ୍କ ପାଇଁ ମଧ୍ୟ ଅନେକାଂଶରେ ପ୍ରଯୁଜ୍ୟ ବୋଲି ବିଚ଼ାର କରାଯାଇପାରେ ।

ମନୋବିଜ୍ଞାନୀ ଓ ଗଣମାଧ୍ୟମ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ ପରିବର୍ତ୍ତିତ ବିଶ୍ୱ ପରିବେଶରେ ଡ଼ିଜିଟାଲ ସଂପୃକ୍ତି ବିନା ଦୈନନ୍ଦିନ ଜୀବନଯାତ୍ରା ହୁଏତ କଠିନ ସାବ୍ୟସ୍ତ ହୋଇପାରେ । ତେବେ ମାତ୍ରାଧିକ ସଂପୃକ୍ତି ବିରୋଧାଭାସର କାରଣ ପାଲଟୁଥିବା ହେତୁ ସଂଯମ ଆଚ଼ରଣ ଶ୍ରେୟସ୍କର । ଦେଶବିଦେଶରେ ବହୁ ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ଡ଼ିଜିଟାଲ ବିରତିକୁ ପ୍ରାଧାନ୍ୟ ଦେଉଛନ୍ତି । ନିଜ ଜୀବିକା, ସାମାଜିକ ପରିବେଷ୍ଟନୀ ଓ ରୁଚ଼ି ଅନୁଯାୟୀ ପ୍ରତ୍ୟେକେ ବ୍ୟକ୍ତିଗତସ୍ତରରେ ଡ଼ିଜିଟାଲ ବିରତିର କାର୍ଯ୍ୟସୂଚ଼ୀ ପ୍ରସ୍ତୁତ କରିବା ବିଧେୟ ।

ଡ଼ିଜିଟାଲ ସଂପୃକ୍ତି ସ୍ମାର୍ଟଫୋନ ସହ ଡ଼େସ୍କଟପ କମ୍ପୁଟର, ଲେପଟପ, ଟେବଲେଟ, ଡ଼ିଜିଟାଲ ଟେଲିଭିଜନ ଇତ୍ୟାଦି ବ୍ୟବହାରକୁ ବ୍ୟାପ୍ତ । ତେବେ ସାଧାରଣରେ ଅଧିକାଂଶ ବ୍ୟକ୍ତି ସ୍ମାର୍ଟଫୋନରେ ଦୀର୍ଘ ସମୟ ଇଣ୍ଟରନେଟ ମଞ୍ଚରେ ଅତିବାହିତ କରୁଥିବା ହେତୁ ସ୍ମାର୍ଟଫୋନ ବ୍ୟବହାର ନିୟନ୍ତ୍ରଣ ଡ଼ିଜିଟାଲ ବିରତିରେ ଗୁରୁତ୍ୱପୂର୍ଣ୍ଣ।ଘରେ ଓ କାର୍ଯ୍ୟାଳୟରେ ଦୂରଭାଷ ନିମନ୍ତେ ଲ୍ୟାଣ୍ଡଫୋନ ବ୍ୟବହାର କରି କେବଳ ଗମନାଗମନ କାଳରେ ମୋବାଇଲ ଉପଯୋଗ ଉଚ଼ିତ ପନ୍ଥା । ମୋବାଇଲ ଫୋନ ଯୋଗେ ବାର୍ତ୍ତାଳାପ କିମ୍ୱା ଆପ୍ଲିକେସନ ବ୍ରାଉଜିଂ ଦୈନିକ ଦୁଇଘଣ୍ଟା ମଧ୍ୟରେ ସୀମିତ ରଖିବା ଆବଶ୍ୟକ । ସେହିପରି ଡ଼େସ୍କଟପ କମ୍ପ୍ୟୁଟର ବ୍ୟବହାର ତିନିଘଣ୍ଟାରୁ ଯେପରି ଉର୍ଦ୍ଧ୍ୱ ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇପାରେ ।

ସପ୍ତାହରେ ଦିନେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ପରିଦର୍ଶନରୁ କ୍ଷାନ୍ତ ରହିବା, ଫୋନ ବ୍ୟାଟେରୀକୁ ଦୈନିକ ଥରୁଟିଏରୁ ଅଧିକ ବିଦ୍ୟୁତ ଚ଼ାର୍ଜ ନକରିବା ଓ ରାତିରେ ଶୋଇବା ଅଧଘଣ୍ଟା ପୂର୍ବରୁ ସବୁରକମ ଇଲକ୍ଟ୍ରୋନିକ ଉପକରଣରୁ ଦୂରେଇ ରହିବା ନୀତି ବ୍ୟକ୍ତିଗତସ୍ତରରେ ଡ଼ିଜିଟାଲ ଜୀବନ ନିୟନ୍ତ୍ରଣରେ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ ।

କମ ବୟସ୍କଙ୍କ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାର ତଥା ତତ୍ଜନିତ ପ୍ରାଦୁର୍ଭାବ ହେତୁ ଆନ୍ତର୍ଜାତିକସ୍ତରରେ ଉଦବେଗ ପ୍ରକାଶ ପାଉଛି । ଟେବଲେଟ ବା ସ୍ମାର୍ଟଫୋନକୁ ବାଲ୍ୟାବସ୍ଥାରୁ ଖେଳନା ରୂପେ ଗ୍ରହଣ କରିନେବା ଏବଂ ଏଥିରେ ପିଲାଏ ଦୀର୍ଘ ସମୟ ନିମଜ୍ଜିରହିବା ମାନସିକ ବିକାଶ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଉଥିବା ଅନେକ ଗବେଷଣାରୁ ପ୍ରମାଣିତ ହେଲାଣି । ଶିଶୁ ଓ ଅଭିଭାବଙ୍କ ମଧ୍ୟରେ ମତାନ୍ତରରେ ଡ଼ିଜିଟାଲ ସଂପୃକ୍ତିକୁ ୩୦ ପ୍ରତିଶତ କାରଣ ରୂପେ ଚ଼ିହ୍ନଟ କରାଯାଉଛି । ଶ୍ରେଣୀଗୃହରେ ଶିକ୍ଷାଦାନ, ମୁଖ୍ୟତଃ ସର୍ଜନଶୀଳତା ଓ ଗଣିତଜ୍ଞାନ ଅଭ୍ୟାସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକାଗ୍ରତା ଅଭାବରୁ ଶିକ୍ଷକମାନେ କ୍ରମଶଃ ଅସହାୟତା ପ୍ରକାଶ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସୃଷ୍ଟ ସଂକଟ ସମାଧାନଲାଗି ଡ଼ିଜିଟାଲ ବିରତି ଉପଯୋଗରେ ଅଭିଭାବକ, ସାମାଜିକ ରୀତିନୀତି ଓ ପ୍ରଯୁକ୍ତି ବିଜ୍ଞାନ ମଧ୍ୟରୁ କିଏ ନେତୃତ୍ୱ ନେବ ତାହା ଏକ ପ୍ରଶ୍ନବାଚ଼ୀ । 

Related Post