ଆଜିର ଖାସ ଖବର
Tue. Jul 28th, 2026

ଦେୟଯୁକ୍ତ ଡିଜିଟାଲ ସମ୍ୱାଦ ମଞ୍ଚ

By Dainikasha Jul11,2024

ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ଡ଼ିଜିଟାଲ ପରିବେଶରେ ଆତ୍ମପ୍ରକାଶ କରିବା ଅବସରରେ ମୁଖ୍ୟତଃ ଦେୟରହିତ ବ୍ୟାବସାୟିକ ମଡ଼େଲରେ ସମୃଦ୍ଧ ହୋଇଆସିଥିଲେ । ସମ୍ୱାଦପତ୍ର, ରେଡ଼ିଓ ଓ ଟେଲିଭିଜନ ମଞ୍ଚ ବିଜ୍ଞାପନଭିତ୍ତିକ ବ୍ୟାବସାୟିକ ମଡ଼େଲରେ ବିକଶିତ ହୋଇଥିବା ସ୍ଥଳେ ଡ଼ିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟ ସେହି ରାସ୍ତା ଅନୁସରଣ କରିଥିଲେ । ସ୍ୱଳ୍ପ ସଂଖ୍ୟକ ମୌଳିକ ଡିଜିଟାଲ ସମ୍ୱାଦ ମଞ୍ଚ ‘ଡ଼ିଜିଟାଲ ନେଟିଭ’ ଗ୍ରାହକ ଚାନ୍ଦାକୁ ଅଗ୍ରାଧିକାର ଦେଇଥିଲେ ହେଁ ବିଜ୍ଞାପନ ନିର୍ଭରଶୀଳତାକୁ ଏଡ଼ାଇ ଦେଇ ପାରିନଥିଲେ ।

ଆନ୍ତର୍ଜାତିକସ୍ତରରେ ବିଂଶ ଶତାଦ୍ଦୀର ଶେଷ ଦଶକରୁ ଆରମ୍ଭ ହୋଇଥିବା ଡ଼ିଜିଟାଲ ସମ୍ୱାଦ ମଞ୍ଚ ପ୍ରବାହ ବିଗତ ତିନି ଦଶକ ଧରି ଅତୁଟ ରହିଛି । ଏହି ସମୟ ସୀମାରେ କେତେଗୋଟି ଘଟଣାକ୍ରମ ଗୁରୁତ୍ୱ ବହନ କରିଥାଏ । ପ୍ରଥମତଃ, ବୈଷୟିକ ଦୃଷ୍ଟିରୁ ଅନଲାଇନ ପରିବେଶ କ୍ରମଶଃ ଶକ୍ତିଶାଳୀ ହେବାରେ ଲାଗିଛି । କୁହାଯାଉଛି ପଚାଶ ବର୍ଷ ତଳର ସୁପର ସମ୍ପ୍ୟୁଟର ଆଜି ସାଧାରଣ ଲୋକଙ୍କ ପକେଟରେ ସ୍ଥାନ ପାଉଛି । ଦ୍ୱିତୀୟତଃ, ଇଣ୍ଟରନେଟର ପ୍ରସାର, ଉପଭୋକ୍ତା ସଂଖ୍ୟା ବୃଦ୍ଧି ଓ ଦୈନନ୍ଦିନଭିତ୍ତିରେ ଦୀର୍ଘ ସମୟଧରି ଅନଲାଇନ ଉପସ୍ଥିତି ଜନଜୀବନର ଏକ ଅପରିହାର୍ଯ୍ୟ ଅଂଶ ପାଲଟିଛି । ତୃତୀୟତଃ, ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦୮ରେ ସୃଷ୍ଟ ଅର୍ଥନୀତିକ ମନ୍ଦାବସ୍ଥା କାରଣରୁ ପାରମ୍ପରିକ ସମ୍ୱାଦ ମଞ୍ଚରେ ବିଶ୍ୱବ୍ୟାପୀ ବିଜ୍ଞାପନ ବ୍ୟୟ କମିବାରେ ଲାଗିଛି ।

ଏହି ପରିବେଶରେ ଡ଼ିଜିଟାଲ ସମ୍ୱାଦ ମଞ୍ଚର ଗୁରୁତ୍ୱ ବୃଦ୍ଧି ପାଇବା ସ୍ୱାଭାବିକ । ତେବେ ସୋସିଆଲ ମିଡ଼ିଆ ସହ ସର୍ଚ୍ଚଇଞ୍ଜିନ ଓ ଇ-କମର୍ସର ଲୋକପ୍ରିୟତା ତଥା କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ଉପଭୋକ୍ତାଙ୍କ ଦୈନନ୍ଦିନ ଗତିବିଧିକୁ ତର୍ଜମା କରି ବ୍ୟକ୍ତିଗତସ୍ତରରେ ଲକ୍ଷ୍ୟଭିତ୍ତିକ ବିଜ୍ଞାପନ ପ୍ରଦର୍ଶନ ସୁଯୋଗ କାରଣରୁ ପାରମ୍ପରିକ ମଞ୍ଚରୁ ଡିଜିଟାଲ ମଞ୍ଚକୁ ଅପସାରିତ ବିଜ୍ଞାପନ ବ୍ୟୟ ସମ୍ୱାଦମଞ୍ଚ ଭାଗରେ ପହଞ୍ଚିପାରୁନାହିଁ । ଫଳତଃ ଅନ୍ୟ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସହ ଡିଜିଟାଲ ସମ୍ୱାଦ ମଞ୍ଚର ବିଜ୍ଞାପନଭିତ୍ତିକ ବ୍ୟାବସାୟିକ ମଡ଼େଲ ମଧ୍ୟ ଭୁଷୁଡ଼ି ପଡ଼ିଛି ।

ଦୀର୍ଘ ଅଢ଼େଇଶହ ବର୍ଷରୁ ପରିପୁଷ୍ଟ ବିଜ୍ଞାପନଭିତ୍ତିକ ପ୍ରକାଶନ ଧାରାକୁ ବିଜ୍ଞାପନ ଆୟ ଅଭାବରେ ଗ୍ରାହକଚାନ୍ଦା ଆୟ ହିଁ ବିକଳ୍ପ ବିଚାର କରାଯାଇପାରେ । ବ୍ୟାବସାୟିକ ବିଜ୍ଞାପନ ଧାରା ବଦଳାଇ ସାମାଜିକ ବିଜ୍ଞାପନ ‘ଏଡ଼ଭୋଟାରିଆଲ’, ବଦାନ୍ୟତାଭିତ୍ତିକ ଅର୍ଥନୀତି ‘ଫିଲୋନ୍ଥ୍ରପି’ ଏବଂ ସାର୍ବଜନୀନ ପାଣ୍ଠି ‘ପବ୍ଳିକ ଫଣ୍ଡ’ ବ୍ୟବହାର ସାମୟିକ ଆଶ୍ୱସ୍ତି ଆଣିଦେଇ ପାରିଲେ ହେଁ ଦୀର୍ଘମିଆଦୀ ସୂତ୍ରରେ ବ୍ୟବସାୟ ପରିଚାଳନା ସଂଭବପର ନୁହ । ତେବେ ଭାରତରେ ବିଗତ ୨୫ ବର୍ଷ ଧରି ଦେୟ ରହିତ ବିନାମୂଲ୍ୟରେ ଡିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ କରିବା ସୁଯୋଗରେ ଅଭ୍ୟସ୍ତ ପାଠକଶ୍ରେଣୀଙ୍କୁ ଦେୟଯୁକ୍ତ ସେବା ଗ୍ରହଣ ନିମନ୍ତେ ପ୍ରବର୍ତ୍ତାଇବା କଠିନ ଅଭିଯାନ ମନେହୁଏ ।

ଗଣମାଧ୍ୟମ ଉପତ୍ୟକାରେ ‘କୋଭିଡ଼-୧୯’ ମହାମାରୀ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ବିଚାର କରାଯାଏ । ଏକପକ୍ଷରେ ମହାମାରୀ-ପୂର୍ବାବସ୍ଥାରେ ପ୍ରଚଳିତ ବ୍ୟାବସାୟିକ ମଡ଼େଲ ଅନ୍ତଃସାରଶୂନ୍ୟ ହୋଇପଡ଼ିଥିବା ସ୍ଥଳେ ମହାମାରୀକାଳରେ ବ୍ୟାପକ ବିଘଟନର ସମ୍ମୁଖୀନ ହୋଇଥିଲା । ଉଦାହରଣରେ ‘ଫଡ଼ରେସନ ଅଫ ଇଣ୍ଡିଆନ ଚ଼େମ୍ୱର ଅଫ କମର୍ସ ଏଣ୍ଡ ଇଣ୍ଡାଷ୍ଟ୍ରୀଜ’ର ହିସାବରେ ୨୦୨୦ରେ ମୁଦ୍ରଣ ଗଣମାଧ୍ୟମର ଆୟ ୩୬ ପ୍ରତିଶତ ହ୍ରାସ ପାଇଥିଲା । ବିଜ୍ଞାପନ ବାବଦରେ ୪୧ ପ୍ରତିଶତ ଏବଂ ପ୍ରସାର ବାବଦରେ ୨୯ ପ୍ରତିଶତ ରାଜସ୍ୱ ହାନୀ ଘଟିଥିଲା ।

ମହାମାରୀରେ ଡିଜିଟାଲ ସମ୍ୱାଦ ମଞ୍ଚର ଅଭିବୃଦ୍ଧି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଘଟଣା । ‘ଫିକି’ ରିପୋର୍ଟ ଅନୁଯାୟୀ ୨୦୨୦ରେ ଡିଜିଟାଲ ସମ୍ୱାଦ ମଞ୍ଚରେ ଗ୍ରାହକ ସଂଖ୍ୟା ୩୯ କୋଟି ୮୦ ଲକ୍ଷରୁ ୪୫ କୋଟି ୪୦ ଲକ୍ଷକୁ ବୃଦ୍ଧି ପାଇଥିଲା । ପ୍ରମୁଖ ମୁଦ୍ରିତ ସମ୍ୱାଦପତ୍ର ‘ଦି ଟାଇମ୍ସ ଅଫ ଇଣ୍ଡିଆ’, ‘ଦି ନ୍ୟୂ ଇଣ୍ଡିଆନ ଏକ୍ସପ୍ରେସ’ ଓ ‘ଲାଇଭ ମିଣ୍ଟ’ ୨୦୨୦ରେ ନିଜସ୍ୱ ଡ଼ିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକ ଦେୟଯୁକ୍ତ କରିଥିଲେ । ଆଞ୍ଚଳିକ ଭାଷାର ସମ୍ୱାଦପତ୍ର ମଧ୍ୟରେ ‘ମାତୃଭୂମି’, ‘ମାଳାୟଳା ମନୋରମା’, ‘ଦୈନିକ ଜାଗରଣ’ ଓ ‘ଡେଇଲି ତନ୍ତୀ’ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । ‘ଦୈନିକ ଭାସ୍କର’ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିଲେ ସୁଦ୍ଧା ଦେୟଯୁକ୍ତ ‘ପେ-ୱାଲ’ ଅପେକ୍ଷାରେ ରହିଥିଲା ।

ଦେଶରେ ଦେୟଯୁକ୍ତ ଡିଜିଟାଲ ସମ୍ୱାଦ ମଞ୍ଚ ପ୍ରଚଳନରେ ‘ଦି ହିନ୍ଦୁ’ ଆଗୁଆ ରହିଛି । ମହାମାରୀର ବର୍ଷକ ଆଗରୁ ୨୦୧୯ ଫେବୃୟାରୀ ମାସରୁ ଏହାର ଇ-ପେପର ଦେୟଯୁକ୍ତ ମଡ଼େଲରେ ପ୍ରବର୍ତ୍ତିତ ହୋଇଥିଲା । ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଇ-ପେପର ଗ୍ରାହକ ସଂଖ୍ୟା ୧୫୦ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଏ । ଅବଶ୍ୟ ୨୦୨୧ ସୁଦ୍ଧା ‘ଦି ହିନ୍ଦୁ’ର ଆୟର ୯୦ପ୍ରତିଶତ ମୁଦ୍ରିତ ଉତ୍ପାଦ ଆଶ୍ରିତ ।

ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ଗ୍ରାହକଚାନ୍ଦା ଆୟ ସମୃଦ୍ଧ ହେଉଥିବା ଧାରା ଲକ୍ଷ୍ୟ କରାଯାଏ । ‘ଦି ହିନ୍ଦୁ’ର ଡିଜିଟାଲ ମଞ୍ଚ ଆୟର ୪୭ ପ୍ରତିଶତ ଗ୍ରାହକ ଚାନ୍ଦା ଅନ୍ତର୍ଭୁକ୍ତ ରହିଥିଲା । ବିଜ୍ଞାପନ ଆୟ ୫୩ ପ୍ରତିଶତ ହିସାବ କରାଯାଉଥିବା ସ୍ଥଳେ ଭବିଷ୍ୟତରେ ବିଜ୍ଞାପନ ତୁଳନାରେ ଗ୍ରାହକ ଚାନ୍ଦା ଆୟ ବୃଦ୍ଧି ଘଟିବା ବିଶ୍ୱାସ କରାଯାଏ । ‘ଦି ହିନ୍ଦୁ’ର କର୍ମକର୍ତ୍ତାଙ୍କ ବିଚାରରେ ଡିଜିଟାଲ ସମ୍ୱାଦ ମଞ୍ଚରେ ପହଞ୍ଚୁଥିବା ପାଠକମାନଙ୍କ ମଧ୍ୟରୁ ଶତକଡ଼ା ପାଞ୍ଚ ପ୍ରତିଶତ ଗ୍ରାହକଶ୍ରେଣୀଭୁକ୍ତ ହେଲେ ସ୍ୱାବଲମ୍ୱୀ ବ୍ୟାବସାୟିକ ମଡ଼େଲ ପ୍ରସ୍ତୁତ ହେବା ସମ୍ଭବପର । ‘ଦି ହିନ୍ଦୁ’ର ଇ-ପେପରରେ ପାଠକମାନେ ମାସିକ ୧୦ ଗୋଟି ସମ୍ୱାଦ ବିନାଦେୟରେ ପାଠକରିବା ସୁଯୋଗ ପାଇଥାନ୍ତି । ମହାମାରୀ କାଳରେ ଏହା ୨୦ ଗୋଟି ସମ୍ୱାଦକୁ ବୃଦ୍ଧି ପାଇଥିଲା ।

ଗଣମାଧ୍ୟମ ବିଶ୍ଳେଷକମାନଙ୍କ ମତରେ ଦେଶରେ ଡିଜିଟାଲ ସମ୍ୱାଦ ମଞ୍ଚର ଭବିଷ୍ୟତ ଉଜ୍ୱଳ ଥିବା ସତ୍ତ୍ୱେ ମୁଦ୍ରିତ ସମ୍ୱାଦମଞ୍ଚର ଆଧିପତ୍ୟ ବଳବତ୍ତର ରହିଛି । ଅର୍ଥନୀତି ଦୃଷ୍ଟିରୁ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକର ମୋଟ ଆୟର ମାତ୍ର ପାଞ୍ଚ ପ୍ରତିଶତ ଆୟ ଡିଜିଟାଲ ମଞ୍ଚରୁ ଆସିଥାଏ । ଅବଶ୍ୟ ‘ରଏଟର ଇନଷ୍ଟିଟିଉଟ’ର ‘ଡିଜିଟାଲ ନିଉଜ ରିପୋର୍ଟ ୨୦୧୯’ ଅନୁଯାୟୀ ଭାରତରେ ୪୦ ପ୍ରତିଶତ ଯାଏଁ ଡିଜିଟାଲ ସମ୍ୱାଦ ଉପଭୋକ୍ତା ଗ୍ରାହକଶ୍ରେଣୀଭୁକ୍ତ ହେବା ନିମନ୍ତେ ଆଗ୍ରହୀ । ‘ୱାରଲଡ଼ ଇକନୋମିକ ଫୋରମ’ର ୨୦୨୦ ରିପୋର୍ଟରେ ଏହି ସଂଖ୍ୟା ୬୭ ପ୍ରତିଶତ ଆକଳନ କରାଯାଇଥିଲା ।

ଭାରତରେ ଡ଼ିଜିଟାଲ ସମ୍ୱାଦ ମଞ୍ଚର ଶୀର୍ଷ ସଂଗଠନ ‘ଡିଜିଟାଲ ନିଉଜ ପବ୍ଳିସର୍ସ ଏସୋସିଏସନ’ର ଅଧ୍ୟକ୍ଷ ତଥା ‘ଦୈନିକ ଭାସ୍କର’ ସମ୍ୱାଦପତ୍ର ଗୃପର ପରିଚାଳନା ନିର୍ଦ୍ଦେଶକ ପବନ ଅଗ୍ରୱାଲଙ୍କ ମତରେ ଡିଜିଟାଲ ସମ୍ୱାଦ ମଞ୍ଚର ଗ୍ରାହକ ବୃଦ୍ଧି ନିମନ୍ତେ ମୁଖ୍ୟତଃ ଡିଜିଟାଲ ସମ୍ୱାଦ ମଞ୍ଚରେ ସମ୍ୱାଦ ପରିବେଷଣରେ ଉତ୍କର୍ଷତା ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ । ସେ ଟିପ୍ପଣୀ ଦେଇଛନ୍ତି ଯେ ଦେଶରେ ଇ-କମର୍ସ ଓ ଓଟିଟି ପ୍ଲାଟଫରମର ଲୋକପ୍ରିୟତା ବଢୁଥିବା ହେତୁ ସାଧାରଣ ଲୋକେ ଡିଜିଟାଲ ମୋଡ଼ରେ ଅର୍ଥଦେଣନେଣରେ ଅଭ୍ୟସ୍ତ ହୋଇସାରିଲେଣି । ଏହି ଅବସରରେ ବ୍ୟବହାରଯୋଗ୍ୟ ଉତ୍ପାଦ ଯୋଗାଇଦେଇ ପାରିଲେ ଡିଜିଟାଲ ସମ୍ୱାଦ ମଞ୍ଚକ୍ଷେତ୍ରରେ ଦୃତ ଅଗ୍ରଗତି ସଂଭବପର ।

ମହାମାରୀ କାଳରେ ସମ୍ୱାଦ ଉପଭୋକ୍ତାଗଣ ଅସତ୍ୟ ସମ୍ୱାଦ ‘ଫେକ ନିଉଜ’ ଓ ପ୍ରାୟୋଜିତ ସମ୍ୱାଦ ‘ପେଡ଼ ନିଉଜ’ର ପ୍ରାଦୁର୍ଭାବରେ ଅତିଷ୍ଠ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଏ । ପାରମ୍ପରିକ ସମ୍ୱାଦମଞ୍ଚଗୁଡ଼ିକ ନିଜ ନିଜ ବ୍ୟାବସାୟିକ ମଡ଼େଲର ବିପନ୍ନ ସ୍ଥିତି ହେତୁ ବାଧ୍ୟବାଧକତାରେ ଗୁଣାତ୍ମକ ସମ୍ୱାଦ ପରିବେଷଣରୁ ଦୂରେଇ ଯାଉଥିବା ବିଶ୍ୱାସ । ଏହି ପରିବେଶ ଦେୟଯୁକ୍ତ ଡିଜିଟାଲ ସମ୍ୱାଦ ମଞ୍ଚ ବିକାଶ ନିମନ୍ତେ ଅନୁକୂଳ ବିଚାର କରାଯାଇପାରେ । ବିଶେଷଜ୍ଞଙ୍କ ମତରେ ଏଥିଲାଗି ଦୀର୍ଘକାଳ ପୂର୍ବ ପ୍ରସ୍ତୁତି ଆବଶ୍ୟକ । ତରବରିଆ ଉଦ୍ୟମ ଫସର ଫାଟିବାର ଭୟ ଲାଗି ରହିଥାଏ । 

Related Post