ଆଜିର ଖାସ ଖବର
Mon. Jul 27th, 2026

ଦୈନିକରୁ ସାପ୍ତାହିକ

By Dainikasha Jul11,2024

ଭାରତର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ ପ୍ରତିଷ୍ଠାନ ‘ଦି ଟାଇମ୍ସ ଅଫ ଇଣ୍ଡିଆ ଗୃପ’ ପକ୍ଷରୁ ଇଂଲିଶ ଦୈନିକ ‘ମୁମ୍ୱାଇ ମିରର’ର ପ୍ରକାଶନ ବନ୍ଦ କରିଦେବା ନେଇ ଡ଼ିସେମ୍ୱର ୨୦୨୦ ପ୍ରଥମ ସପ୍ତାହରେ ସୂଚ଼ିତ ହୋଇଥିଲା । ମହାନଗରୀ ମୁମ୍ୱାଇର ସମ୍ୱାଦପତ୍ରଗୁଡ଼ିକ ମଧ୍ୟରେ ପନ୍ଦର ବର୍ଷ ଧରି ‘ମୁମ୍ୱାଇ ମିରର’ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଥିଲା । ଏହାର ପ୍ରସାର ସଂଖ୍ୟା ପ୍ରାୟ ସାତ ଲକ୍ଷ ହିସାବ କରାଯାଏ ।

‘ମୁମ୍ୱାଇ ମିରର’ର ମୁଦ୍ରିତ ଦୈନିକ ସଂସ୍କରଣ ବନ୍ଦ ହୋଇ ଏକ ସାପ୍ତାହିକ ସଂସ୍କରଣ ରୂପେ ପ୍ରକାଶନର ବ୍ୟବସ୍ଥା କରାଯିବ । ତେବେ ଡ଼ିଜିଟାଲ ମଞ୍ଚରେ ଉପସ୍ଥିତି ବଳବତ୍ତର ରହିବ ଏବଂ ଡିଜିଟାଲ ସଂସ୍କରଣର ଗୁଣବତ୍ତା ବୃଦ୍ଧି ପ୍ରାଥମିକତା ପାଇବ । ଅର୍ଥାତ ‘ମୁମ୍ୱାଇ ମିରର’ ଡିଜିଟାଲ-ଫାଷ୍ଟ ଆଙ୍ଗିକ ଗ୍ରହଣ କରିବ । ପାଠକମାନେ ୨୪ ଘଣ୍ଟା x ୭ ଦିନ ଭିତ୍ତିରେ ମୁମ୍ୱାଇ ମହାନଗରୀର ଚଳନ୍ତି ଘଟଣାକ୍ରମ ମୋବାଇଲ ଫୋନ ପର୍ଦ୍ଦାରେ ତତ୍ କ୍ଷଣାତ ଅବଗତ ହେବା ପରେ ଆବଶ୍ୟକ ସ୍ଥଳେ ବିସ୍ତୃତ ବର୍ଣ୍ଣନା ବା ଗଭୀର ଅନୁଶୀଳନ ନିମନ୍ତେ ସାପ୍ତାହିକ ସଂସ୍କରଣ ଖୋଜିବେ ।

ପ୍ରକାଶକଙ୍କ ପକ୍ଷରୁ କୁହାଯାଇଛି ଯେ ମହାମାରୀଜନିତ ଅର୍ଥନୀତିକ ମାନ୍ଦାବସ୍ଥା ହେତୁ ରାଜସ୍ୱ ଆୟ ହ୍ରାସ ଏବଂ ବୈଦେଶିକ ନିଉଜପ୍ରିଣ୍ଟ ଦର ବୃଦ୍ଧିର ମୁକାବିଲା କରିବା ନିମନ୍ତେ ଦୈନିକ ସମ୍ୱାଦପତ୍ରର ମୁଦ୍ରିତ ସଂସ୍କରଣକୁ ସାପ୍ତାହିକରେ ରୂପାନ୍ତରିତ କରିବା ନିମନ୍ତେ ବାଧ୍ୟ ହୋଇଛନ୍ତି । ଅପରପକ୍ଷେ ଗଣମାଧ୍ୟମ ବିଶ୍ଳେଷକମାନେ ଆନ୍ତର୍ଜାତିକସ୍ତରରେ ଡିଜିଟାଲ ସମ୍ୱାଦ ମଞ୍ଚର କ୍ରମୋନ୍ନତି ଓ ମୁମ୍ୱାଇ ଭଳି ବିକଶିତ ମହାନଗରୀରେ ତାହାର ପ୍ରଭାବ ତଥା ମହାମାରୀ-ପର ଅବସ୍ଥାରେ ମୁଦ୍ରିତ ସମ୍ୱାଦପତ୍ର ବିତରଣ ଓ ଗ୍ରାହକ ସଂଖ୍ୟା ହ୍ରାସ ଭଳି କାରଣ ଗୁଡ଼ିକ ଟାଇମ୍ସ ଗୃପକୁ ଏତାଦୃଶ ନିଷ୍ପତ୍ତି ଗ୍ରହଣ ନିମନ୍ତେ ପ୍ରୋତ୍ସାହିତ କରିଥାଇପାରେ ବୋଲି ବିଶ୍ୱାସ କରନ୍ତି ।

ବିଂଶ ଶତାଦ୍ଦୀର ଶେଷଦଶକରୁ ତିନି ଦଶନ୍ଧି ଧରି ୧୮୨ ବର୍ଷ ପୁରାତନ ‘ବେନେଟ କୋଲାମିନ ଏଣ୍ଡ କମ୍ପାନୀ ଲିମିଟେଡ଼’ ଦେଶରେ ଗଣମାଧ୍ୟମ ବ୍ୟବସାୟରେ ଆଗୁଆ ରହିଆସିଛି । ‘ଦି ଟାଇମ୍ସ ଅଫ ଇଣ୍ଡିଆ’ର ମୁମ୍ୱାଇ ଓ ଭୁବନେଶ୍ୱର ସମେତ ୫୦ ରୁ ଉର୍ଦ୍ଧ୍ୱ ସଂସ୍କରଣ ସାଙ୍ଗକୁ ‘ଦି ଇକନୋମିକ ଟାଇମ୍ସ’, ‘ନବ ଭାରତ ଟାଇମ୍ସ’ (ହିନ୍ଦି), ‘ମହାରାଷ୍ଟ୍ର ଟାଇମ୍ସ’ (ମରାଠୀ), ‘ଏଇ ସମୟ’ (ବଙ୍ଗଳା) ଦୈନିକ ସମ୍ୱାଦପତ୍ର ତଥା ଅନ୍ୟାନ୍ୟ ପତ୍ରପତ୍ରିକା ସମେତ ରେଡ଼ିଓ ମିର୍ଚ୍ଚି, ଟାଇମ୍ସ ନାଓ ଟେଲିଭିଜନ ଓ ଇଣ୍ଡିଆ ଟାଇମ୍ସ ଡିଜିଟାଲ ମଞ୍ଚ ଟାଇମ୍ସ ଗୃପ ମାଲିକାନାରେ ପରିଚାଳିତ ।

ଦୈନିକ ଇଂଲିଶ ସମ୍ୱାଦପତ୍ର ‘ମୁମ୍ୱାଇ ମିରର’ ସାଙ୍ଗକୁ ‘ପୁଣେ ମିରର’ର ପ୍ରକାଶନ ବନ୍ଦ କରିବା ନିମନ୍ତେ ନୀତି ନିର୍ଦ୍ଧାରଣ କରାଯାଇଥିବା ସ୍ଥଳେ ଅନୁରୂପ ‘ଅହମ୍ମଦାବାଦ ମିରର’ ଓ ‘ବାଙ୍ଗାଲୋର ମିରର’ ସଂପର୍କରେ କୌଣସି ନିଷ୍ପତ୍ତି ଘୋଷିତ ହୋଇନାହିଁ । ‘ମୁମ୍ୱାଇ ମିରର’ ୨୦୦୫ ମେ’୩୦ ତାରିଖ ଦିନ ପ୍ରଭାତୀ ଟେବଲଏଡ଼ ଭାବେ ଆତ୍ମପ୍ରକାଶ କରିଥିଲା । ସେହି ସମୟ ବେଳକୁ ‘ଦି ଟାଇମ୍ସ ଅଫ ଇଣ୍ଡିଆ’ ମୁମ୍ୱାଇର ସର୍ବାଧିକ ପ୍ରସାରିତ ସମ୍ୱାଦପତ୍ରର ମାନ୍ୟତା ପାଇ ସାରିଥିବା ସତ୍ତ୍ୱେ ‘ହିନ୍ଦୁସ୍ଥାନ ଟାଇମ୍ସ’ର ମୁମ୍ୱାଇ ସଂସ୍କରଣ ଓ ନୂତନ ‘ଡ଼େଇଲି ନିଉଜ ଏଣ୍ଡ ଏନାଲିସିସ (ଡିଏନଏ)’ ପ୍ରକାଶନକୁ ମୁକାବିଲା କରିବା ନିମନ୍ତେ ସ୍ଥାନୀୟ ସାମ୍ୱାଦିକତା ‘ଲୋକାଲ ଜର୍ଣ୍ଣାଲିଜମ’କୁ ଭିତ୍ତିକରି ‘ମୁମ୍ୱାଇ ମିରର’ ମହାନଗରୀ ବଜାରରେ ପହଞ୍ଚିଥିଲା ।

‘ଦି ଟାଇମ୍ସ ଅଫ ଇଣ୍ଡିଆ’ ଓ ‘ଦି ଇକନୋମିକ ଟାଇମ୍ସ’ ସହ ‘ମୁମ୍ୱାଇ ମିରର’ ଉପଭୋକ୍ତାଙ୍କ ମଧ୍ୟରେ ବିତରଣ ପ୍ରକ୍ରିୟା ତତ୍ କ୍ଷଣାତ ଏକ ବୃହତ ପାଠକ ଶ୍ରେଣୀ ଗଠନରେ ସହାୟକ ହୋଇପାରିଥିଲା । ଜାତୀୟସ୍ତରର ‘ଦି ଟାଇମ୍ସ ଅଫ ଇଣ୍ଡିଆ’ର ସମ୍ପାଦକୀୟ ନୀତିରେ ସ୍ଥାନୀୟ ପାଠକ ଓ ସମସ୍ୟାକୁ ଗୁରୁତ୍ୱ ଦିଆଯାଇ ନପାରୁଥିବା ସ୍ଥଳେ ‘ମୁମ୍ୱାଇ ମିରର’ ସେହି ଅଭାବ ପୂରଣ କଲା । ଅପରପକ୍ଷେ ଦେଶର ଅର୍ଥନୀତି ଉର୍ଦ୍ଧ୍ୱଗାମୀ ଥିବା ପରିସ୍ଥିତିରେ ଟାଇମ୍ସ ଗୃପର ସଂଗଠିତ ମାର୍କେଟିଂ ଦକ୍ଷତା ପ୍ରଚୁର ବିଜ୍ଞାପନ ସଂଗ୍ରହରେ ସମର୍ଥ ହୋଇ ପାରିଥିଲା । ଫଳତଃ, ଖୁବ କମ ସମୟ ମଧ୍ୟରେ ‘ମୁମ୍ୱାଇ ମିରର’ ମୁମ୍ୱାଇବାସୀଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା ।

ମହାମାରୀ ପୂର୍ବାବସ୍ଥାରୁ ମୁମ୍ୱାଇ ଭଳି ସହରାଞ୍ଚଳ ଇଂଲିଶ ସମ୍ୱାଦପତ୍ର ପାଠକମାନେ ୫୬ ପ୍ରତିଶତ ଯାଏଁ ଡିଜିଟାଲ ମଞ୍ଚ ମୁହାଁ ହେବା ଏବଂ ତିନିଚାରି ବର୍ଷଧରି ଦୁର୍ବଳ ଆର୍ଥନୀତି କାରଣରୁ ମୁଦ୍ରିତ ମଞ୍ଚରେ ବିଜ୍ଞାପନ ବ୍ୟୟ କ୍ରମଶଃ କମି ଆସିବା ହେତୁ ହୁଏତ ‘ମୁମ୍ୱାଇ ମିରର’ ବ୍ୟାବସାୟିକ ଦିଗରୁ ବିଫଳତାର ସ୍ୱାଦ ଚାଖିସାରିଥିଲା । ଏହି ପରିସ୍ଥିତିରେ ମହାମାରୀରେ ମୁମ୍ୱାଇ ବ୍ୟାପକଭାବେ ପ୍ରଭାବିତ ହେବା, ଆଇନଗତ କାରଣରୁ ସମ୍ୱାଦ ରଚନା ଓ ସମ୍ପାଦନାରେ ଅଙ୍କୁଶ ସାଙ୍ଗକୁ ଭୂତାଣୁ ସଂକ୍ରମଣ ଭୟରେ ସମ୍ୱାଦପତ୍ର ବିତରଣ ବାଧାପ୍ରାପ୍ତ ହେବା ଏବଂ ସର୍ବୋପରି ବଜାରବିପ୍ପଣୀ ଦୀର୍ଘ କାଳ ଧରି ବନ୍ଦ ରହିବା ଫଳରେ ସ୍ଥାନୀୟ ବିଜ୍ଞାପନ ଭୁଷୁଡ଼ି ପଡ଼ିବା ‘ମୁମ୍ୱାଇ ମିରର’ ପ୍ରତି କାଳ ସାଜିଲା ।

ବିଗତ ତିନି ଦଶନ୍ଧି ଧରି ଟାଇମ୍ସ ଗୃପ ରାଜନୀତିକ ପକ୍ଷପାକ୍ଷିତାରୁ ଦୂରେଇ ରହି ମୁଖ୍ୟତଃ ବ୍ୟାବସାୟିକ ମଡ଼େଲରେ ବିକଶିତ ହୋଇଛି । ଗଣମାଧ୍ୟମ ବ୍ୟବସାୟରେ ବିଜ୍ଞାପକ, ଗ୍ରାହକ ଓ ପ୍ରକାଶକଙ୍କ ମଧ୍ୟରେ ବାସ୍ତବଧର୍ମୀ ସମୀକରଣ ସ୍ଥାପନ କରିପାରୁଥିବା ହେତୁ ଏହାର ଉତ୍ତରୋତ୍ତର ଉନ୍ନତି ସମ୍ଭବପର ହୋଇପାରୁଛି । ନୂତନ କାରିଗରୀ କୌଶଳ ସାଙ୍ଗକୁ ଆନ୍ତର୍ଜାତିକସ୍ତରରେ ଅନୁସୃତ ପ୍ରବାହ ‘ଟ୍ରେଣ୍ଡ’ ଅନୁକରଣରେ ପ୍ରତିଯୋଗୀ ମଞ୍ଚଗୁଡ଼ିକଠାରୁ ପାଦେ ଆଗରେ ରହି ଆସିଛି । ପାଶ୍ଚାତ୍ୟ ସମାଜରେ ଡିଜିଟାଲ ମଞ୍ଚରେ ସ୍ଥାନୀୟ ସାମ୍ୱାଦିକତାର ଗୁରୁତ୍ୱ ବଢୁଥିବା ଏବଂ ଡିଜିଟାଲ ସମ୍ୱାଦ ନିମନ୍ତେ ଗ୍ରାହକ ଚାନ୍ଦା ସଂଗ୍ରହ ବାସ୍ତବକ୍ଷେତ୍ରରେ ସମ୍ଭବପର ହୋଇପାରୁଥିବା ହେତୁ ମୁଦ୍ରଣ ମଞ୍ଚକୁ ବର୍ଣ୍ଣନା, ଅନୁଶୀଳନ ଓ ଅନୁସନ୍ଧାନଧର୍ମୀ ସାମ୍ୱାଦିକତା ନିମନ୍ତେ ଉତ୍ସର୍ଗୀକୃତ ଧାରା ‘ମୁମ୍ୱାଇ ମିରର’ କ୍ଷେତ୍ରରେ ଉପଯୋଗ ହେଉଥିବା ଲକ୍ଷ୍ୟ କରାଯାଏ ।

ମୁମ୍ୱାଇ ଦେଶର ବ୍ୟାବସାୟିକ ରାଜଧାନୀ । ଏଠାରେ ‘ଟାଇମ୍ସ ଗୃପ’ ନିଜର ଆଧିପତ୍ୟ ବଜାୟ ରଖିବା ନିମନ୍ତେ ଅବିରତ ଉଦ୍ୟମ କରିଆସିଥିବା ଇତିହାସ ପୃଷ୍ଠାରୁ ସୁସ୍ପଷ୍ଟ । ‘ଦି ଟାଇମ୍ସ ଅଫ ଇଣ୍ଡିଆ’ ଦୀର୍ଘ ଅତୀତରୁ ମହାନଗରବାସୀଙ୍କ ମଧ୍ୟରେ ସର୍ବାଧିକ ପ୍ରସାରିତ ଇଂଲିଶ ସମ୍ୱାଦପତ୍ର ରୂପେ ପ୍ରତିଷ୍ଠିତ ହୋଇପାରିଥିଲେ ହେଁ ପ୍ରତିଯୋଗିତାର ସୂଚନା ମାତ୍ରେ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ପଛାଇ ନଥାଏ ।

ବିଜୟପତ ସିଂହାଣିଆଙ୍କ ‘ଇଣ୍ଡିଆ ପୋଷ୍ଟ’ ୧୯୮୯ରେ ପ୍ରକାଶନ କାଳରେ ‘ଟାଇମ୍ସ ଗୃପ’ ଏକ ନୂତନ ଦୈନିକ ‘ଦି ଇଣ୍ଡିପେଣ୍ଡେଣ୍ଟ’ ଉନ୍ମୋଚନ କରିଥିଲା । ସେହିପରି ଧୀରୁଭାଇ ଆମ୍ୱାନୀଙ୍କ ‘ବିଜନେସ ଏଣ୍ଡ ପଲଟିକାଲ ଅବଜରଭର’ ବିଦେଶର ବାଣିଜ୍ୟ ସମ୍ୱାଦପତ୍ର ଭଳି ଗୋଲାପୀ ନିଉଜପ୍ରିଣ୍ଟରେ ମୁଦ୍ରିତ ହେବା ଗୁଜବ ଶୁଣିବା ପରେ ‘ଦି ଇକନୋମିକ ଟାଇମ୍ସ’କୁ ଗୋଲାପୀ ରଙ୍ଗରେ ସଜାଇଥିଲା । ବର୍ତ୍ତମାନ ଡିଜିଟାଲ ସମ୍ୱାଦ ମଞ୍ଚ ଓ ଅନୁସନ୍ଧାନଧର୍ମୀ ସାମ୍ୱାଦିକତା ‘ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଜମ’ର ଗୁରୁତ୍ୱ ବଢୁଥିବା ଅବସରରେ ସୁଯୋଗକୁ ହାତଛଡ଼ା କରିନାହିଁ । ତେବେ ଏଥିରେ ଆଶାନୁରୂପ ସଫଳତା ନମିଳିଲେ ଯେ ନିଜ ଉଦ୍ୟମ ସଂଶୋଧନ ଅବଶ୍ୟ ଚେଷ୍ଟା କରିବ ସେଥିରେ ମଧ୍ୟ ସନ୍ଦେହ ନାହିଁ ।

ଟାଇମ୍ସ ଗୃପର ‘ମୁମ୍ୱାଇ ମିରର’ର ଉଦାହରଣ ଦେଶର ପ୍ରଦେଶିକସ୍ତରରେ ଲୋକପ୍ରିୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକୁ ସଯତ୍ନେ ଆତ୍ମ-ନିରୀକ୍ଷଣ କରିବା ନିମନ୍ତେ ସୁଯୋଗ ସୃଷ୍ଟି କରିଛି । ଜାତୀୟସ୍ତରରେ ଇଂଲିଶ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ଯେଉଁ ପରିସ୍ଥିତି ଉପୁଜିଛି ତାହା ଆଜି ନାହିଁତ କାଲି ଭାରତୀୟ ଭାଷାରେ ପ୍ରକାଶିତ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଅଙ୍ଗେ ନିଭାଇବା ସଂଭବ ।

ଏଥିନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ, ଅନ୍ତଃପକ୍ଷେ ସୃଜନ ଓ ସଂପାଦକୀୟ ବିଭାଗକୁ ସମ୍ଭାବ୍ୟ ବିଘଟନର ମୁକାବିଲା ନିମନ୍ତେ ସଜାଡ଼ିବା ବୁଦ୍ଧିମାନ କାର୍ଯ୍ୟ । ‘ହିନ୍ଦୁସ୍ତାନ ଟାଇମ୍ସ’ର ମୁମ୍ୱାଇ ସଂସ୍କରଣ ବନ୍ଦ, ‘ଦି ହିନ୍ଦୁ’ର ମୁମ୍ୱାଇ କାର୍ଯ୍ୟାଳୟର ସାମ୍ୱାଦିକ ଛଟେଇ ସହ ‘ମୁମ୍ୱାଇ ମିରର’ର ପ୍ରାୟ ଶହେ କର୍ମଚାରୀ କାର୍ଯ୍ୟ ହରାଇଲେ । ଏମାନଙ୍କ ମଧ୍ୟରୁ ଡିଜିଟାଲ ମଞ୍ଚ ସାମ୍ୱାଦିକତାର ପରିବର୍ତ୍ତିତ ପରିବେଶରେ ଯେଉଁମାନେ ନିଜକୁ ସାମିଲ କରିପାରିବେ ସେଇମାନେ ହିଁ ନିଯୁକ୍ତି ଆଶା କରିପାରିବେ । ଅତଏବ ‘ମୁମ୍ୱାଇ ମିରର’ ଅଭିଜ୍ଞତା କର୍ମଜୀବୀ ମଧ୍ୟ-ବୟସ୍କ ସାମ୍ୱାଦିକମାନେ ନିଜକୁ ନିଯୁକ୍ତିଯୋଗ୍ୟ ଗଢ଼ିତୋଳିବା ନିମନ୍ତେ ଏକ ଆହ୍ୱାନ । 

Related Post