ଆଜିର ଖାସ ଖବର
Mon. Jul 27th, 2026

କେବଳ ମୁଦ୍ରିତ ସଂସ୍କରଣରେ ‘କଣ୍ଟ୍ରି ହାଇୱେ’

By Dainikasha Jul11,2024

ବିଶ୍ୱବ୍ୟାପୀ ପତ୍ରପତ୍ରିକା ପ୍ରକାଶନ କ୍ଷେତ୍ରରେ ଡ଼ିଜିଟାଲ ରୂପାନ୍ତରିକରଣ ବଳବତ୍ତର ରହିଥିବା ଅବସରରେ ୨୦୨୩ ମଧ୍ୟଭାଗରେ ଯୁକ୍ତରାଷ୍ଟ୍ର ଆମେରିକାରେ ‘କଣ୍ଟ୍ରି ହାଇୱେ’ ନାମିତ ଏକ ‘କେବଳ ମୁଦ୍ରିତ ପତ୍ରିକା’ ଆରମ୍ଭ ହୋଇଥିଲା । ଅନ୍ୟ ରାଷ୍ଟ୍ର ତୁଳନାରେ ଆମେରିକାରେ ଡ଼ିଜିଟାଲ ମଞ୍ଚ ପ୍ରସାର ପରେ ସର୍ବାଧିକ ମୁଦ୍ରିତ ସମ୍ୱାଦପତ୍ର ଓ ପତ୍ରପତ୍ରିକା ବନ୍ଦ ହୋଇଯାଇଛି । ଏସୋସିଏଟେଡ଼ ପ୍ରେସ ପ୍ରସାରିତ ସମ୍ୱାଦ ଅନୁଯାୟୀ ୨୦୨୨ରେ ପ୍ରତି ସପ୍ତାହରେ ଆମେରିକାରେ ଦୁଇଗୋଟି ମୁଦ୍ରିତ ସମ୍ୱାଦପତ୍ର ବନ୍ଦ ପ୍ରକ୍ରିୟା ଜାରି ରହିଥିଲା । ପ୍ରାଇସ ୱାଟରହାଉସ କୂପରଙ୍କ ରିପୋର୍ଟରେ ଆମେରିକାରେ ସର୍ବାଧିକ ପ୍ରସାରିତ ୧୦୦ ଗୋଟି ସମ୍ୱାଦପତ୍ର ମଧ୍ୟରୁ ୪୦ଗୋଟି ଡ଼ିଜିଟାଲ ସଂସ୍କରଣ ଉନ୍ନୟନରେ ବ୍ୟାପକ ନିବେଶ କରୁଥିଲେ । ଏହି ପରିବେଶରେ କେବଳ ମୁଦ୍ରିତ ସଂସ୍କରଣରେ ଏକ ପତ୍ରିକା ପରିକଳ୍ପନା ଏକ ଉଲ୍ଲେଖଯୋଗ୍ୟ ଘଟଣା ।

‘କଣ୍ଟ୍ରି ହାଇୱେ’ ସମ୍ୱାଦପତ୍ର ଆଙ୍ଗିକରେ ଏକ ପତ୍ରିକା । ଅର୍ଥାତ, ପତ୍ରିକାର ବିଭିନ୍ନ ବିଭବ ଭୂଷିତ ପ୍ରକାଶନଟି ମୁଦ୍ରିତ ସମ୍ୱାଦପତ୍ର ଆକାରରେ ଉପଲବ୍ଧ । ପ୍ରତି ଦୁଇମାସରେ ଥରେ, ବର୍ଷରେ ଛଅ ଗୋଟି ସଂଖ୍ୟା ପ୍ରକାଶିତ । ପତ୍ରିକା ଖଣ୍ଡିକର ମୂଲ୍ୟ ୭୦୦ ଟଙ୍କା । ବାର୍ଷିକ ଗ୍ରାହକମାନଙ୍କୁ ଛଅଗୋଟି ସଂଖ୍ୟା ୪,୦୦୦ ଟଙ୍କା ଓ ତ୍ରୟବାର୍ଷିକ ଗ୍ରାହକମାନଙ୍କୁ ୧୮ ଗୋଟି ସଂଖ୍ୟା ୧୧,୦୦୦ ଟଙ୍କାରେ ପ୍ରକାଶକଙ୍କ ପକ୍ଷରୁ ଗ୍ରାହକଙ୍କ ବାସଗୃହରେ ବିତରଣ ବ୍ୟବସ୍ଥା କରାଯାଇଛି । ‘କଣ୍ଟ୍ରି ହାଇୱେ’ର ଅଳଂକରଣ ଊନବିଂଶ ଶତାଦ୍ଦୀ ମାର୍କିନ ମୁଦ୍ରିତ ସମ୍ୱାଦପତ୍ର ଅନୁକରଣରେ ପ୍ରଯୋଜନା ହୋଇଛି । ତତ୍କାଳୀନ ପତ୍ରିକାଗୁଡ଼ିକରେ ଚାର୍ଲସ ଡିକେନ୍ସଙ୍କ ଭଳି ପ୍ରଖ୍ୟାତ ଲେଖକମାନଙ୍କ ଉପନ୍ୟାସ ଧାରାବାହିକଭାବେ ପ୍ରକାଶ ପାଉଥିଲା । ପତ୍ରିକାଟିର କଳେବର ମୁଦ୍ରିତ ସମ୍ୱାଦପତ୍ରର ବ୍ରଡ଼ସିଟରେ ୨୦ ପୃଷ୍ଠାରେ ସୀମିତ ରହୁଛି ।

‘କଣ୍ଟ୍ରି ହାଇୱେ’ରେ ଗଭୀର ଅନୁଶୀଳନାତ୍ମକ ରଚନା ପ୍ରକାଶନ ନିମନ୍ତେ ସମ୍ପାଦକୀୟ ନୀତି ନିର୍ଦ୍ଧାରିତ । ଏକ ପକ୍ଷରେ ଏହି ଭଳି ରଚନାବଳୀ ପ୍ରସ୍ତୁତ ନିମନ୍ତେ ଦୀର୍ଘ ସମୟ ଆବଶ୍ୟକ ପଡୁଥିବା ସ୍ଥଳେ ଅପରପକ୍ଷରେ ପାଠକମାନେ ମଧ୍ୟ ମନୋଯୋଗ ସହକାରେ ଅଧ୍ୟୟନ ସକାଶେ ବହୁ ସମୟ ଉପଯୋଗ କରନ୍ତି । ମାର୍କିନ ସାମାଜିକ ପରିବେଶକେନ୍ଦ୍ରୀକ ପ୍ରକାଶନରେ ଐତିହାସିକ ଓ ସାଂସ୍କୃତିକ ରଚନାବଳୀ ସଙ୍ଗେ ଗଣତାନ୍ତ୍ରିକ ମୂଲ୍ୟବୋଧ, କୃଷି, ପଶୁପାଳନ, ଔଷଧୀୟ ବୃକ୍ଷରାଜି ଇତ୍ୟାଦି ବିଷୟରେ ସ୍ତମ୍ଭ ତଥା ସାହିତ୍ୟ, କଳା ଓ ସଙ୍ଗୀତ ଇତ୍ୟାଦି ସ୍ଥାନ ପାଏ ।

ପତ୍ରିକାଟି ପକ୍ଷରୁ ରଚନାର ବିଷୟବିନ୍ୟାସରେ ଲେଖକମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଏ । ପୂର୍ବରୁ ସାପ୍ତାହିକ ‘ଦି ନିଉୟର୍କର’ ଓ ମାସିକ ‘ଆଟଲାଣ୍ଟିକ’ ଭଳି ମାର୍କିନ ପତ୍ରିକାରେ ବିଷୟବସ୍ତୁ ନିର୍ଦ୍ଧାରଣ ନିମନ୍ତେ ଲେଖକଙ୍କ ଉପରେ ନିର୍ଭର କରାଯାଉଥିଲା । କିନ୍ତୁ ସେହି ଦୁଇଗୋଟି ପତ୍ରିକା ସାଂପ୍ରତିକ ଘଟଣାବଳୀକେନ୍ଦ୍ରୀକ ସମ୍ପାଦକୀୟ ଆଭିମୁଖ୍ୟ ଗ୍ରହଣ କରିବା ପରେ ସୃଜନ ପରିସୀମା ସଂକୁଚିତ ହୋଇପଡ଼ିଥିଲା । ‘କଣ୍ଟ୍ରି ହାଇୱେ’ର ସମ୍ପାଦକୀୟ ନୀତି, ଆଙ୍ଗିକ ଓ ପ୍ରସାରଣ ନୀତି ସମସମାୟିକ ଗଣମାଧ୍ୟମ ପ୍ରବାହର ବିରୁଦ୍ଧାଚରଣ କରୁଥିବା ସୁସ୍ପଷ୍ଟ । ପତ୍ରିକାଟିରେ ପ୍ରକାଶିତ କୌଣସି ରଚନା ଇଣ୍ଟରନେଟରେ ଉପଲବ୍ଧ ନହେଉଥିବା ସ୍ଥଳେ ଏଥିରେ ପ୍ରକାଶିତ ରଚ଼ନା ପାଠ କରିବା ନିମନ୍ତେ ପାଠକ ଗ୍ରାହକଶ୍ରେଣୀଭୁକ୍ତ ହେବା ବାଧ୍ୟବାଧକତାରେ ପରିଣତ । ଅବଶ୍ୟ ଦେଶର କେତେକ ପୁସ୍ତକ ଓ ରେକର୍ଡ ଦୋକାନରେ ଖୁଚୁରା ସଂଖ୍ୟା ବିକ୍ରିର ମଧ୍ୟ ବ୍ୟବସ୍ଥା ପ୍ରଚଳିତ ।

ଡ଼ୋନାଲଡ଼ ରୋସେନଫିଲଡ଼ ‘କଣ୍ଟ୍ରି ହାଇୱେ’ର ପ୍ରକାଶକ । ସେ ମାର୍ଚ୍ଚେଣ୍ଟ-ଆଇଭୋରୀ ଚଳଚ଼ିତ୍ର ପ୍ରଯୋଜନା କମ୍ପାନୀର ଅଧ୍ୟକ୍ଷ ଭାବେ ୧୯୮୬ରୁ ୧୯୯୮ ଯାଏଁ ୧୨ ବର୍ଷ ଧରି ଅବସ୍ଥାପିତ ଥିଲେ । ମାର୍ଚ୍ଚେଣ୍ଟ-ଆଇଭୋରୀ ପ୍ରାୟ ୫୦ ଖଣ୍ଡ ଚଳଚ଼ିତ୍ର ନିର୍ମାଣ କରିଥିଲେ ଏବଂ ଛଅ ଗୋଟି ଓସ୍କାର ପୁରସ୍କାର ପାଇଥିଲେ । ତାଙ୍କରି ଦ୍ୱାରା ପ୍ରଯୋଜିତ ହାଉସହୋଲଡ଼ର, ସେକ୍ସପିଅରୱାଲା, ବମ୍ୱେ ଟକିଜ, ହିଟ ଏଣ୍ଡ ଡ଼ଷ୍ଟ ଓ ଇନ-କଷ୍ଟୋଡ଼ି ଇତ୍ୟାଦି ଚଳଚ଼ିତ୍ରର କାହାଣୀ ଭାରତୀୟ ପୃଷ୍ଠଭୂମିରେ ଆଧାରିତ । କହିବା ବାହୁଲ୍ୟଯେ ରୋସେନଫିଲଡ଼ଙ୍କ ଆନ୍ତର୍ଜାତିକସ୍ତରରେ କଳା ଓ ସଂସ୍କୃତି ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଦୀର୍ଘ ଦିନର ଅଭିଜ୍ଞତା ରହିଆସିଥିଲା । ବହୁ ଲେଖକ, ବୁଦ୍ଧିଜୀବୀ ଓ ବିଦ୍ୱାନଙ୍କ ସହ ସଂପର୍କ ଏକ ଉଚ୍ଚଧରଣର ପତ୍ରିକା ପ୍ରକାଶନ ନିମନ୍ତେ ନିଶ୍ଚୟ ଖୋରାକ ଯୋଗାଇଛି ।

ସଂପ୍ରସାରିତ ଡିଜିଟାଲ ଗଣମାଧ୍ୟମ ପରିବେଶରେ ମାର୍କିନ ଉପଭୋକ୍ତା ଦଶ ଘଣ୍ଟା ଯାଏଁ ଅନଲାଇନରେ ସମୟ ଅତିବାହିତ କରୁଥିବା ଅବସରରେ ଊନବିଂଶ ଶତାଦ୍ଦୀ ସମ୍ୱାଦପତ୍ର ଆଙ୍ଗିକରେ ମୁଦ୍ରିତ ପ୍ରକାଶନ ଆରମ୍ଭ କରିବା ସମୀକ୍ଷକମାନଙ୍କୁ ବିସ୍ମିତ କରିବା ସ୍ୱାଭାବିକ । ‘କଣ୍ଟ୍ରି ହାଇୱେ’ର ସଂପାଦକ ଡ଼େଭିଡ଼ ସାମୁଏଲ୍ସ କହନ୍ତି ଯେ ମୁଦ୍ରିତ ପୃଷ୍ଠା ପଢ଼ିବାର ଅନୁଭୂତି ଡ଼ିଜିଟାଲ ସ୍କ୍ରୀନରେ ପାଇ ହୁଏନାହିଁ । ଗଭୀର ଅଧ୍ୟୟନ ନିମନ୍ତେ ମୁଦ୍ରିତ ପୃଷ୍ଠାର ସୁଯୋଗ ଅନ୍ୟ ମଞ୍ଚରେ ଦୁର୍ଲଭ । ସମାଜରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ପାଠକଗୋଷ୍ଠୀ ମୁଦ୍ରିତ ସମ୍ୱାଦପତ୍ର, ପତ୍ରପତ୍ରିକା ଓ ପୁସ୍ତକ ପ୍ରତି ଋଚି ରଖିଆସିଛନ୍ତି ।

‘କଣ୍ଟ୍ରି ହାଇୱେ’ର ପ୍ରଥମ ସଂଖ୍ୟା ଅଗଷ୍ଟ ୨୦୨୩ରେ ପ୍ରକାଶ ପାଇଥିଲା । ଏହି ସଂସ୍କରଣର ୨୫,୦୦୦ ଖଣ୍ଡ ବିକ୍ରୀ ହୋଇଥିବା ସଂପାଦକଙ୍କ ସୂତ୍ରରୁ ଜଣାଯାଏ । ଦ୍ୱିତୀୟ ସଂଖ୍ୟା ଅକ୍ଟୋବର ୨୦୨୩ରେ ପ୍ରକାଶ ପାଇଥିଲା । ଏହି ପତ୍ରିକାଟି ପ୍ରକାଶନର ତିନି ବର୍ଷ ମଧ୍ୟରେ ଯେତିକି ସଂଖ୍ୟକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ତିନି ସପ୍ତାହରେ ପୂରଣ ହୋଇଯାଇଥିବା କୁହାଯାଏ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ପତ୍ରିକାଟି ପ୍ରକାଶନ ଅବସରରେ କୌଣସି ବିଜ୍ଞାପନ ଅଭିଯାନ ଆୟୋଜନ କରାଯାଇନଥିଲା । ଲୋକମୁଖରେ ହିଁ ପ୍ରଚାରିତ ହୋଇଥିଲା ।

‘କଣ୍ଟ୍ରି ହାଇୱେ’ ପତ୍ରିକା ପ୍ରକାଶନ ଓ ପ୍ରାଥମିକ ପର୍ଯ୍ୟାୟରେ ବ୍ୟାବସାୟିକ ସଫଳତା ସମକାଳୀନ ଗଣମାଧ୍ୟମ ପରିବେଶରେ ବିକଳ୍ପ ପ୍ରକାଶନ ସୁଯୋଗ ସଂପର୍କରେ କେତେଗୋଟି ଉପଲବ୍ଧି ଅବତାରଣା କରେ । ପ୍ରଥମତଃ, ସୃଜନରେ ଉତ୍କର୍ଷ ଯେକୌଣସି ମଞ୍ଚରେ ପ୍ରକାଶନଲାଗି ସାଫଲ୍ୟ ଆଣିଦିଏ । ଲୋକାଦୃତି ହାସଲ କରିପାରେ । ତେବେ ପ୍ରକାଶନ ଅବଧି ଦୈନିକ, ସାପ୍ତାହିକ ଓ ପାକ୍ଷିକରୁ ମାସିକ, ଦ୍ୱିମାସିକ ବା ତ୍ରୟମାସିକ ସ୍ତରକୁ ସଂପ୍ରସାରିତ ହୋଇପାରେ । ତୃତୀୟତଃ, ଗୁଣାତ୍ମକ ପଠନ ସାମଗ୍ରୀ ପାଇଁ ଉଚ୍ଚ ମୂଲ୍ୟ ଉପଭୋକ୍ତା ଦେବା ଲାଗି ପ୍ରସ୍ତୁତ । ଏକ ୨୦ ପୃଷ୍ଠାର ସମ୍ୱାଦପତ୍ର-ପତ୍ରିକାର ଖଣ୍ଡପିଛା ୭୦୦ ଟଙ୍କା ଦର ଧାର୍ଯ୍ୟ ପ୍ରକୃଷ୍ଟ ଉଦାହରଣ ।

ଚ଼ତୁର୍ଥତଃ, ସୋସିଆଲ ମିଡ଼ିଆର କୋଳାହଳରେ ସାଧାରଣ ଉପଭୋକ୍ତା ଉତ୍କର୍ଷ ଖୋଜୁଛନ୍ତି । ସେମାନଙ୍କ ସଂଖ୍ୟା କମ ହୋଇପାରେ ଓ ବିକଳ୍ପ ପ୍ରକାଶନ ବ୍ୟବସାୟ ବଡ଼ ନହୋଇପାରେ । ପଞ୍ଚମତଃ, ବୈଷୟିକ ପ୍ରଗତି ଓ ବୃହତ ନିବେଶ ସୃଜନ ଉତ୍ପାଦକୁ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ଲୋକପ୍ରିୟ କରିବାରେ ପ୍ରତିଶୃତି ଦେଇପାରିବ ନାହିଁ । ସୃଜନରେ ଉତ୍କର୍ଷହିଁ ଜନାଦୃତିର ମୂଳ ସୂତ୍ର । ଯୁକ୍ତରାଷ୍ଟ୍ର ଆମେରିକାର ଗଣମାଧ୍ୟମର ସ୍ଥିତାବସ୍ଥା ଏବଂ ବିକଳ୍ପ ପ୍ରକାଶନଗୁଡ଼ିକର ଲୋକପ୍ରିୟତା ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ ସମଭାବେ ପ୍ରତିଫଳିତ ନହୋଇପାରେ । ତେବେ ସୃଜନ କ୍ଷେତ୍ରରେ ପରୀକ୍ଷାନିରୀକ୍ଷା ପାଇଁ ପ୍ରଶସ୍ତ କ୍ଷେତ୍ର ଯେ ଉନ୍ମୁକ୍ତ କରିପାରିବ ଏଥିରେ ସନ୍ଦେହ ନାହିଁ । 

Related Post