ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଉପଭୋକ୍ତା ନିଜ ପକ୍ଷରୁ ସମ୍ୱାଦ ଓ ଅଭିମତ ପାଠ୍ୟ, ଚ଼ିତ୍ର ଓ ଭିଡ଼ିଓ ମାଧ୍ୟମରେ ମଞ୍ଚରେ ଉପସ୍ଥିତ ରହି ଅନ୍ୟ ବ୍ୟକ୍ତିସମୂହଙ୍କ ମଧ୍ୟରେ ପ୍ରସାରଣର ସୁବିଧାସୁଯୋଗ ଉପଭୋଗ କରିପାରିଥାନ୍ତି । ସୋସିଆଲ ମିଡ଼ିଆ ପ୍ରଚଳନ ପୂର୍ବରୁ ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନ ମଞ୍ଚଗୁଡ଼ିକରେ ଏହା ସଂଭବ ନଥିଲା । ପାରମ୍ପରିକ ଗଣମାଧ୍ୟମରେ ସାମ୍ୱାଦିକମାନେ ସମ୍ୱାଦ ରଚନା କରିବାପରେ ସେଗୁଡ଼ିକସମ୍ପାଦକମାନଙ୍କ ଦ୍ୱାରା ସମ୍ପାଦିତ ହୋଇ ପ୍ରକାଶିତ ହୋଇଥାଏ । ସାମ୍ୱାଦିକ ଓ ସମ୍ପାଦକମାନେ ସମ୍ୱାଦ ଚ଼ୟନ କରିଥାନ୍ତି ଏବଂ ପାଠକ ଓ ଦର୍ଶକମାନଙ୍କ ଚୟନ, ସଂଗ୍ରହ, ସମ୍ପାଦନା କିମ୍ୱା ପ୍ରସାରଣରେ କୌଣସି ଭୂମିକା ନଥାଏ ।
ପାଠକମାନେ, ବିଶେଷକରି ଯୁବବର୍ଗ ସମ୍ୱାଦ ଆହରଣ ନିମନ୍ତେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହୋଇ ପଡୁଥିବା ଲକ୍ଷ୍ୟ କରାଯାଏ । ଏକ ପକ୍ଷରେ ସେମାନେ ନିଜ କାର୍ଯ୍ୟକ୍ଷେତ୍ର, ବାସ କରୁଥିବା ସହର ତଥା ରୁଚି ସମ୍ୱଳିତ ଖବରଅନ୍ତର ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ସ୍ଥଳେ ଅପରପକ୍ଷରେ ପରିଚ଼ିତବର୍ଗଙ୍କ ଦ୍ୱାରା ଅନୁମୋଦିତ ଦେଶବିଦେଶର ଘଟଣାକ୍ରମଗୁଡ଼ିକ ସଂପର୍କରେ ଜାଣିବାଲାଗି ସୋସିଆଲ ମିଡ଼ିଆ ସୂତ୍ରରୁ ସମ୍ୱାଦପତ୍ର, ଟେଲିଭିଜନ ଚ୍ୟାନେଲ ଇତ୍ୟାଦି ମଞ୍ଚରେ ଇଣ୍ଟରନେଟ ଯୋଗେ ପହଞ୍ଚିଥାନ୍ତି । ପାଠକୀୟ ଆଗ୍ରହ କ୍ରମଶଃ ପ୍ରାଥମିକସ୍ତରରେ ଗୋଷ୍ଠୀକେନ୍ଦ୍ରୀକ ତଥା ପରବର୍ତ୍ତୀସ୍ତରରେ ରାଜ୍ୟ, ରାଷ୍ଟ୍ର ଓ ଆନ୍ତର୍ଜାତିକ କ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ ସମ୍ୱାଦ ନିର୍ବାଚନରେ ପର୍ଯ୍ୟବସିତ ହେଉଥିବା ବିଭିନ୍ନ ଅଧ୍ୟୟନରୁ ଜଣାଯାଏ ।
ସୋସିଆଲ ମିଡ଼ିଆ ପ୍ରଭାବିତ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ନିଜକୁ ଯୁଗଉପଯୋଗୀ ଗଢ଼ି ତୋଳିବା ନିମନ୍ତେ ପାଠକ ସହଭାଗୀ ସାମ୍ୱାଦିକତା ‘ରିଡ଼ର୍ସ-ପାର୍ଟିସିପେଟରି ଜର୍ଣ୍ଣାଲିଜମ’ ଏକ ପନ୍ଥା ରୂପେ ଚ଼ିହ୍ନଟ କରାଯାଇପାରେ । ଏତଦ୍ୱାରା ସମ୍ୱାଦପତ୍ର ସହ ପାଠକମାନଙ୍କ ସଂପର୍କ ଦୃଢ଼ୀଭୂତ ହେବା ସଂଭବପର ।
ସାମ୍ୱାଦିକତା ସମାଜକେନ୍ଦ୍ରୀକ ଏବଂ ଜନସାଧାରଣଙ୍କ ଆଶାଆକାଂକ୍ଷାର ପ୍ରତିଫଳନ । ପାରମ୍ପରିକଭାବେ ପାଠକମାନଙ୍କ ନିମନ୍ତେ ପ୍ରକାଶକ ଓ ସମ୍ପାଦକମାନେ ସମ୍ୱାଦପତ୍ରର ପାଠ୍ୟ ଓ ଆଙ୍ଗୀକ ପ୍ରସ୍ତୁତ କରିଆସିଥିଲେ । ଏଥି ନିମନ୍ତେ ସେମାନଙ୍କୁ ପାଠକୀୟ ଗତିପ୍ରକୃତିକୁ ଗଭୀର ଅଧ୍ୟୟନ ଓ ଅନୁଧ୍ୟାନ କରିବାକୁ ପଡୁଥିଲା । କେବଳ ‘ସମ୍ପାଦକଙ୍କୁ ପତ୍ର’ ସ୍ତମ୍ଭ, କାଁଭାଁ ଆୟୋଜିତ ପାଠକ ସର୍ବେକ୍ଷଣ ବ୍ୟତୀତ ପାଠକମାନଙ୍କୁ ସମ୍ୱାଦପତ୍ରରେ ପ୍ରକାଶିତ ସମ୍ୱାଦ ସଂପର୍କରେ ଅଭିମତ ଉପସ୍ଥାପନ କରିବାରେ ସୁଯୋଗ ମିଳୁନଥିଲା । ପାଠକମାନେ ଯେ ସମ୍ୱାଦପତ୍ର ପ୍ରଯୋଜନାରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଏହି ଅନୁଭୂତି ପାଠକ ସହଭାଗୀ ସାମ୍ୱାଦିକତା କାର୍ଯ୍ୟସୂଚ଼ୀରେ ପ୍ରତିଫଳିତ ହୋଇଥାଏ ।
ସମ୍ୱାଦପତ୍ର ସମ୍ପାଦନାରେ ସମ୍ୱାଦ ଚ଼ୟନ ପ୍ରାଥମିକ ପଦକ୍ଷେପ । ପାଠକମାନଙ୍କୁ ସମ୍ୱାଦ ଚ଼ୟନରେ ଭାଗୀଦାର କରିବା ନିମନ୍ତେ ପାଠକ ସମାବେଶମାନ ଆୟୋଜନ ଫଳପ୍ରଦ ମନେହୁଏ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ନିର୍ଦ୍ଦିଷ୍ଟ ସମ୍ୱାଦପତ୍ରର ପାଠକମାନଙ୍କୁ ମାସିକ, ପାକ୍ଷିକ କିମ୍ୱା ସାପ୍ତାହିକଭିତ୍ତିରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ପ୍ରକାରେ ଏକତ୍ରୀତ କରାଇ ସ୍ଥାନୀୟ ସମସ୍ୟାବଳୀ ସଂପର୍କରେ ବିଚାରବିମର୍ଷକରିବା ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇପାରେ । ଏହି ଅବସରରେ ସଂପୃକ୍ତ ଅଞ୍ଚଳର କେଉଁ ସମସ୍ୟାଗୁଡ଼ିକ ସଂପର୍କରେ ସମ୍ୱାଦ ପ୍ରସ୍ତୁତ କରାଯିବା କଥା ତାହା ନିର୍ଦ୍ଧାରଣ ସଂଭବପର । ସ୍ଥାନୀୟ ସମ୍ୱାଦଦାତାଙ୍କ ଦ୍ୱାରା ସମ୍ୱାଦ ଚ଼ୟନ ତୁଳନାରେ ଏହିଭଳି ସମାବେଶଗୁଡ଼ିକରେ ସମାଜ ଅଭିମୁଖୀ ସମ୍ୱାଦ ଚୟନଲାଗି ବୃହତ୍ତର ସୁଯୋଗ ସୃଷ୍ଟି ବିଶ୍ୱାସ କରାଯାଇପାରେ ।
ପାଠକ ସମାବେଶରେ ସମ୍ୱାଦ ଚ଼ୟନ ଅବସରରେ କିଛି ସଂଖ୍ୟକ ପାଠକ ସମ୍ୱାଦ ପ୍ରଯୋଜନା ନିମନ୍ତେ ତଥ୍ୟ ସଂଗ୍ରହରେ ସହାୟତା ପ୍ରଦାନଲାଗି ଆଗ୍ରହ ପ୍ରକାଶ କରିପାରନ୍ତି । ଏହାକୁ ସାଧ୍ୟମତେ ଉତ୍ସାହିତ କରାଯିବା ଉଚ଼ିତ । ମୁଦ୍ରିତ ସମ୍ୱାଦପତ୍ରରେ ଦୁର୍ଘଟଣା ଓ ମାନବୀୟ ଭାବାବେଗ ସମ୍ୱାଦ ‘ହ୍ୟୁମାନ-ଇଣ୍ଟରେଷ୍ଟ ଷ୍ଟୋରି’ ସାଙ୍ଗକୁ ପ୍ରଶାସନିକ ତୃଟିବିଚ୍ୟୁତିକୁ ପ୍ରାଧାନ୍ୟ ଦିଆଯାଉଥିବା ଅବସରରେ ଏସବୁ କ୍ଷେତ୍ରରେ ବିସ୍ତୃତ ବିବରଣୀ ସଂଗ୍ରହରେ ପାଠକମାନଙ୍କ ଯୋଗଦାନ ସମ୍ୱାଦର ଗୁଣବତ୍ତା ବିକାଶରେ ସହାୟକ ହୋଇପାରିବ । ପ୍ରଶାସନିକ କାର୍ଯ୍ୟଦକ୍ଷତା ପରଖିବା ନିମନ୍ତେ ସୂଚ଼ନା ଅଧିକାର ଆଇନ ଉପଯୋଗରେ ସରକାରୀ ନଥିପତ୍ର ସଂଗ୍ରହରେ ପାଠକଙ୍କ ଅଂଶଗ୍ରହଣ ତଥ୍ୟଭିତ୍ତିକ ସମାଲୋଚନା ନିମନ୍ତେ ପଥ ଉନ୍ମୁକ୍ତ କରିପାରିବ ଏବଂ ଏହାର ପ୍ରଭାବରେ ପ୍ରଶାସନିକ ବିଶୃଙ୍ଖଳା ନିୟନ୍ତ୍ରିତ ହୋଇପାରିଲେ ସୁଶାସନ ପ୍ରତିଷ୍ଠାରେ ସଂପୃକ୍ତ ଅଞ୍ଚଳବାସୀ ଉପକୃତ ହୋଇପାରିବେ ।
ପାଠକ ସମାବେଶଗୁଡ଼ିକରେସମ୍ୱାଦପତ୍ରରେ ପ୍ରକାଶିତ ସମ୍ୱାଦଗୁଡ଼ିକ ସମୀକ୍ଷା ନିମନ୍ତେ ଅବକାଶ ସୃଷ୍ଟି କରାଯାଇପାରେ । ଏତଦ୍ୱାରା ପ୍ରକାଶିତ ସମ୍ୱାଦର ତୃଟିବିଚ୍ୟୁତି ଚ଼ିହ୍ନଟ ସାଙ୍ଗକୁ ଅପ୍ରକାଶିତ ତଥ୍ୟାବଳୀ ଉନ୍ମୋଚ଼ିତ ହୋଇପାରେ । ନିରପେକ୍ଷ ସମ୍ୱାଦ ପ୍ରକାଶନକୁ ଉତ୍ସାହିତ କରିବା ଦିଗରେ ପାଠକ ସମାବେଶ ପ୍ରକୃଷ୍ଟ ମଞ୍ଚ । ଏଭଳି ବୈଠକଗୁଡ଼ିକରେ ଅନାବଶ୍ୟକ ଯୁକ୍ତିତର୍କ ସଂଭବପର, ତେବେ ସ୍ଥାନୀୟ ସାମ୍ୱାଦିକମାନଙ୍କୁ ସହନଶୀଳ ହେବା ନିମନ୍ତେ ସୁଯୋଗ ସୃଷ୍ଟି କରିପାରେ ।
ଆଲୋଚ଼୍ୟ ପାଠକ ସମାବେଶଗୁଡ଼ିକରେ ସ୍ଥଳବିଶେଷରେ ‘ସାଧାରଣ ଆଲୋଚନା’, ଯେଉଁଠାରେକି ସଂପୃକ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ କିମ୍ୱା ‘ବିଷୟଭିତ୍ତିକ ଆଲୋଚ଼ନା’, ଯେଉଁଠାରେକି କେବଳ ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ସଂପର୍କରେ ବିଚାରବିମର୍ଷ କରାଯାଇପାରେ । ଏତାଦୃଶ ସମାବେଶ ସଂଚାଳନ କରିବା ନିମନ୍ତେ ସାମ୍ୱାଦିକତାରେ ଅଭିଜ୍ଞ ଓ ଲୋକସଂପର୍କରେଧୂରନ୍ଧର ସଂଚାଳକଙ୍କ ଆବଶ୍ୟକତା ପଡ଼ିବ । ପ୍ରାଥମିକସ୍ତରରେ ସମ୍ୱାଦପତ୍ର ମୁଖ୍ୟ କାର୍ଯ୍ୟାଳୟ ସହ ସଂପୃକ୍ତ ଜଣେ ବରିଷ୍ଠ ସାମ୍ୱାଦିକ ବିଭିନ୍ନ ଅଞ୍ଚଳ ଗସ୍ତ କରି କିଛି କାଳ ପାଠକ ସମାବେଶଗୁଡ଼ିକରେ ଅଧ୍ୟକ୍ଷତା କରିବା ଆବଶ୍ୟକ । ନଚେତ ପ୍ରଗଲଭ ପାଠକଙ୍କ ବ୍ୟବହାରରେ ବୈଠକଗୁଡ଼ିକ ମୂଳରୁ ବିଶୃଙ୍ଖଳିତ ହୋଇପଡ଼ି ଯୋଜନାଟିକୁ ଭଣ୍ଡୁର କରିପାରେ । ପ୍ରଥମେ ସୀମିତ ଅଞ୍ଚଳରେ ସମାବେଶ ଆୟୋଜନର ପ୍ରଥା ଆରମ୍ଭ କରାଯାଇ ପର୍ଯ୍ୟାୟକ୍ରମେ ଅନ୍ୟତ୍ର ପ୍ରସାର ସଂଭବପର ।
ପାଠକ ସମାବେଶଗୁ଼ଡ଼ିକରେ ଚ଼ିହ୍ନଟ ହୋଇଥିବା ବିଭିନ୍ନ ସମସ୍ୟା ସ୍ଥାନୀୟ ସାମ୍ୱାଦିକଙ୍କୁ ସମ୍ୱାଦ ପ୍ରଯୋଜନାରେ ସହାୟତା ଦେବ । ଜନସାଧାରଣଙ୍କ ଜିଜ୍ଞାସାରେ ସମ୍ୱାଦ ପ୍ରଯୋଜିତ ହେଲେ ଅନାବଶ୍ୟକ ରାଜନୀତିକ ଦଳ, ସାଂସ୍କୃତିକ ଅନୁଷ୍ଠାନ ଓ ପ୍ରଶାସନ ଦ୍ୱାରା ବିତରିତ ପ୍ରେସରିଲିଜଭିତ୍ତିକ ସାମ୍ୱାଦିକତାର ଅନ୍ତ ଘଟିବ । କାରଣ ସାଧାରଣ ପାଠକ ସେଭଳି ସମ୍ୱାଦ ପାଠ କରିବା ନିମନ୍ତେ ଆଗ୍ରହୀ ନଥାନ୍ତି ଏବଂ ସାମ୍ୱାଦିକମାନେ ବିଷୟବସ୍ତୁ ଅଭାବରେ ବାଧ୍ୟବାଧକତାରେ ପ୍ରେସରିଲିଜଭିତ୍ତିକ ସମ୍ୱାଦ ପରିବେଷଣରେ ଶରଣାପନ୍ନ ହୋଇଥାନ୍ତି ।
ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରେ ତତ୍କାଳ ସମ୍ୱାଦ‘ ବ୍ରେକିଂନିଉସ’ ଯୁଗ ଶେଷ ହୋଇସାରିଛି । ୨୦୨୨ ସୁଦ୍ଧା ଭାରତରେ ୯୦ କୋଟି ଜନସଂଖ୍ୟାଙ୍କ ହାତପାଆନ୍ତାରେ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ସଂଯୁକ୍ତି ଆକଳନ କରାଯାଉଥିବା ଅବସରରେ ଜନସାଧାରଣ ଘଟଣା ପ୍ରବାହର ତତ୍କାଳୀନ ବିବରଣୀ ଡ଼ିଜିଟାଲ ମଞ୍ଚରେ ପାରମ୍ପରିକ ଗଣମାଧ୍ୟମ ହେଉ କିମ୍ୱା ସୋସିଆଲ ମିଡ଼ିଆ ଯୋଗେ ପାଇପାରିବେ । ଏପରିକି ଘଟଣାର ଭିଡ଼ିଓ ଭାଇରାଲ ହୋଇସାରିଥିବ । ମୁଦ୍ରିତ ସମ୍ୱାଦପତ୍ର ଭାଗରେ ଅନୁଶୀଳନ ଓ ଅନୁସନ୍ଧାନଭାରପଡ଼ିବ । ଏହି ଭୂମିକା ନିର୍ବାହ ନିମନ୍ତେ ସୃଜନ, ସମୟ ଓ ଅର୍ଥ ବିନିଯୋଗ ବହୁ କ୍ଷେତ୍ରରେ ସଂଭବ ହୋଇ ନପାରେ ।ଏତାଦୃଶ ପରିସ୍ଥିତିରେ ପାଠକ ମହଲରୁ ଘଟଣାକେନ୍ଦ୍ରୀକ ଆଗ୍ରହୀ ବ୍ୟକ୍ତିବିଶେଷଙ୍କ ସହଯୋଗ ଗ୍ରହଣ କରାଯାଇପାରେ । ମୌଳିକଭାବେ ଏହା ସମସ୍ୟାବହୁଳ ପ୍ରତୀୟମାନ ହେଉଥିଲେ ହେଁ ଏଥି ନିମନ୍ତେ ଜଣେ ଦକ୍ଷ ସମ୍ପାଦକଙ୍କୁ ନିଯୁକ୍ତ କଲେ ସେ ଅବସ୍ଥା ସମ୍ଭାଳିପାରିବେ ।
ପାଠକ ସମାବେଶ ଆୟୋଜନ ସମ୍ୱାଦପତ୍ରର ଲୋକସଂପର୍କ ବୃଦ୍ଧିରେ ସହାୟକ ହେବା ନିଶ୍ଚିତ । ଭବିଷ୍ୟତରେ ସମ୍ୱାଦପତ୍ରଗୁଡ଼ିକ ଗ୍ରାହକଚ଼ାନ୍ଦା ଆଶ୍ରିତ ଓ ବଦାନ୍ୟତାଭିତ୍ତିକ ବ୍ୟାବସାୟିକ ମଡ଼େଲ ଅନୁସରଣ କରିବା ସମ୍ଭାବନା ପରିପ୍ରେକ୍ଷୀରେ ପାଠକ ସହଭାଗୀ ସାମ୍ୱାଦିକତା ଗୁରୁତ୍ୱ ବହନ କରିଥାଏ । ପାଠକ ସମାବେଶ ଆୟୋଜନ ଓ ଚର୍ଚ୍ଚିତ ବିଷୟବସ୍ତୁ ବିବରଣୀ ପ୍ରସାରଣରେ ସମ୍ୱାଦପତ୍ରର ସୋସିଆଲ ମିଡ଼ିଆ ମଞ୍ଚ ଉପଯୋଗ ଅବସରରେ ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣ ସମ୍ୱାଦପତ୍ର ଏକାଉଣ୍ଟ ପ୍ରତି ଆକର୍ଷିତ ହେବେ ଏବଂ ସମୟକ୍ରମେ ସଂପର୍କ ଦୃଢ଼ୀକରଣରେ ସହାୟକ ହେବା ସମ୍ଭବପର । ଅତଏବ ପାଠକ ସହଭାଗୀ ସାମ୍ୱାଦିକତା ନୀତି ପ୍ରବର୍ତ୍ତନ ଦ୍ୱାରା ସମ୍ୱାଦପତ୍ରର ସମ୍ପାଦକୀୟ ଓ ବ୍ୟାବସାୟିକ ଉଭୟ ଦିଗ ପ୍ରଭାବିତ ହେବା ସଙ୍ଗେ ଗଣତନ୍ତ୍ରର ବିକାଶରେ ଚତୁର୍ଥସ୍ତମ୍ଭର ଭୂମିକା ନିର୍ବାହରେ ଜନସାଧାରଣଙ୍କୁ ସାମିଲ କରିବାରେ ସହାୟକ ହେବା ଆଶା କରାଯାଇପାରେ ।
