ଜନସ୍ୱାର୍ଥ ସୁରକ୍ଷା ଲକ୍ଷ୍ୟବଦ୍ଧ ସାମ୍ୱାଦିକତା ଲୋକାଭିମୁଖୀ ‘ପବ୍ଳିକ ଇଣ୍ଟରେଷ୍ଟ ଜର୍ଣ୍ଣାଲିଜମ’ ନାମିତ । ‘କୋଭିଡ଼-୧୯’ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନିଉ ନରମାଲ’ରେ ବିଶ୍ୱବ୍ୟାପୀ ପାରମ୍ପରିକ ସାମ୍ୱାଦିକତା ମଡ଼େଲଗୁଡ଼ିକ ବିଘଟନ ‘ଡ଼ିସରାପସନ’ ସମ୍ମୁଖୀନ ହେଉଥିବାସ୍ଥଳେ ଲୋକାଭିମୁଖୀ ସାମ୍ୱାଦିକତା ମୂଳସ୍ରୋତ ‘ମେଇନ ଷ୍ଟ୍ରୀମ’ ଗଣମାଧ୍ୟମର ବିଶ୍ୱସନୀୟତା ଓ ଗ୍ରହଣୀୟତା ଫେରାଇ ଆଣିବାରେ ସହାୟକ ହେଉଥିବା କେତେକ ଗବେଷଣାରେ ପ୍ରମାଣିତ ହେବାପରେ ଗୁରୁତ୍ୱଲାଭ କରିଛି । ଉପରଠାଉରିଆଭାବେ ସାମ୍ୱାଦିକତାରେ ଜନଜୀବନ ପ୍ରତିବିମ୍ୱିତ ହେଉଥିବା ଯୁକ୍ତି ଆଧାରରେ ସନ୍ତୋଷ ପରିବର୍ତ୍ତେ ସାମାଜିକ ସମସ୍ୟାଗୁଡ଼ିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା ଲୋକାଭିମୁଖୀ ସାମ୍ୱାଦିକତାର ମୂଳ ଉତ୍ସ । ଗଣମାଧ୍ୟମ ପରିବେଶରେ ବୈଷୟିକ ପ୍ରଗତି ସହ ତାଳ ରଖି ସମ୍ୱାଦ ମଞ୍ଚଗୁଡ଼ିକ ନିଜସ୍ୱ ସତ୍ତା ବଜାୟ ରଖିବା ନିମନ୍ତେ ଲୋକାଭିମୁଖୀ ସାମ୍ୱାଦିକତା ପ୍ରବର୍ତ୍ତନକୁ ଏକ ସୁଯୋଗଭାବେ ଗ୍ରହଣ କରିବା ସମୟ ଉପନୀତ ।
ଲୋକାଭିମୁଖୀ ସାମ୍ୱାଦିକତା ସ୍ୱତନ୍ତ୍ର ସମ୍ପାଦକୀୟ ଆଭିମୁଖ୍ୟର ପ୍ରତିଫଳନ । ଗଣମାଧ୍ୟମ ବିଶେଷଜ୍ଞମାନଙ୍କ ବିଚାରରେ ଜନସାଧାରଣଙ୍କ ଜିଜ୍ଞାଷା ତଥା ଜାଣିବାର ଅଧିକାର ଚରିତାର୍ଥ କରିବା ସାମ୍ୱାଦିକତାର ଧର୍ମ । ବିଭିନ୍ନ ସାମାଜିକ ସୂଚ଼ନା ସାମ୍ୱାଦିକମାନେ ଉନ୍ମୋଚନରେ ଅବହେଳା କଲେ ସେଗୁଡ଼ିକ ଅପ୍ରକାଶିତ, ଅନାଲୋଚ଼ିତ ହୋଇ ଜନଜୀବନରେ କ୍ଷତି ପହୁଞ୍ଚାଇଥାଏ । ସମ୍ୱାଦ ମଞ୍ଚ ସମ୍ୱାଦ ସହ ସର୍ବସାଧାରଣରେ ଅଭିମତ ପ୍ରକାଶନ ଜରିଆରେ ବିତର୍କଲାଗି ସୁଯୋଗ ସୃଷ୍ଟି କରିଥାଏ । ଗଣତନ୍ତ୍ରରେ ଏହି ପରିବେଶ ସମୀକ୍ଷା, ସଂଶୋଧନ ଓ ଯୋଜନା ପ୍ରଣୟନରେ ପର୍ଯ୍ୟବସିତ । ସାମ୍ୱାଦିକମାନେ ବୃତ୍ତିରେ ନିୟୋଜିତ, ଅଭିଜ୍ଞ ଓ ତାଲିମପ୍ରାପ୍ତ । ଅନ୍ୟମାନଙ୍କଠାରୁ ଏଦିଗରେ ପାରଦର୍ଶିତା ଆଶା କରାଯାଇନପାରେ ।
ସାମ୍ୱାଦିକତା ସ୍ୱଭାବତଃ ଅନୁସନ୍ଧାନଧର୍ମୀ ହୋଇଥିଲେହେଁ ବିଧିବଦ୍ଧ ଅନୁସନ୍ଧାନମୂଳକ ସମ୍ୱାଦ ରଚନା ‘ଇନଭେଷ୍ଟିଗେଟିଭ ରିପୋର୍ଟିଂ’ ଅତୀତରେ ବହୁ ଅଘଟଣର ପର୍ଦ୍ଦାଫାଶ କରିଥିବା ଉଦାହରଣ ଚର୍ଚ୍ଚିତ । ଲୋକାଭିମୁଖୀ ସାମ୍ୱାଦିକତା ଆୟୋଜନରେ ସମ୍ୱାଦ ମଞ୍ଚ ପ୍ରକାଶକ ଓ ସମ୍ପାଦକମାନେ ଅନୁସନ୍ଧାନଧର୍ମୀ ସମ୍ୱାଦ ରଚନାକୁ ଅଗ୍ରାଧିକାର ଦେଇଥାନ୍ତି । ସାମ୍ୱାଦିକମାନେ ଅନୁସନ୍ଧାନଧର୍ମୀ ସମ୍ୱାଦିକତାରେ ମାନବୀୟ ସମ୍ମାନ ‘ହ୍ୟୁମାନ ଡ଼ିଗ୍ନିଟି’ ଏବଂ ସାଂସ୍କୃତିକ ପୃଷ୍ଠଭୂମି ‘କଲଚରାଲ ରିଫେରେନ୍ସ’କୁ ପ୍ରାଧାନ୍ୟ ଦେବା ବିଧେୟ । ଏଥି ନିମନ୍ତେ ସାମ୍ୱାଦିକତାରେ ନୈତିକତା ଓ ପ୍ରଚଳିତ ଆଇନକାନୁନ ପରିଧିରେ ବିଚରଣ କରିବାକୁ ପଡ଼ିଥାଏ । ପାଠକ, ଶ୍ରୋତା ଓ ଦର୍ଶକଙ୍କ ମନୋରଞ୍ଜନ ବଦଳରେ ଜନଜୀବନର ମାନବୃଦ୍ଧି ଲୋକାଭିମୁଖୀ ସାମ୍ୱାଦିକତା ମୂଳଲକ୍ଷ୍ୟ ।
ଲୋକାଭିମୁଖୀ ସାମ୍ୱାଦିକତାର ବିଭିନ୍ନ ବିଭବ ମଧ୍ୟରେ ସମ୍ୱାଦ ବସ୍ତୁନିଷ୍ଠ ‘ଅବଜେକ୍ଟିଉଭ’, ସ୍ୱାଧୀନ ‘ଇଣ୍ଡିପେଣ୍ଡେଣ୍ଟ’, ସନ୍ତୁଳିତ ‘ଫେୟାର’, ବିଶ୍ୱସନୀୟ ‘ଟ୍ରଷ୍ଟୱାରଦି’, ସାମାଜିକ ଦାୟବଦ୍ଧ ‘ସୋସିଆଲ ରେସପନସିବଲ’ ଏବଂ ନୈତିକତା ପ୍ରଭାବ ‘ଏଥିକାଲ ସେନସିବିଲଟି’ ଇତ୍ୟାଦି ପ୍ରଧାନ । ଏହି ପରିସୀମାରେ ସାମ୍ୱାଦିକ ସାମାଜିକ ପ୍ରହରୀ ‘ୱଚ଼ଡ଼ଗ’ ଭୂମିକା ନିର୍ବାହ କରିଥାଏ । ସମ୍ୱାଦମଞ୍ଚ ପକ୍ଷରୁ ସୂଚ଼ନା ପ୍ରସାରଣରେ ସାଧାରଣ ନାଗରିକ ସାମାଜିକ ସ୍ଥିତାବସ୍ଥା ସଂପର୍କରେ ଅବଗତ ହୋଇ ନିର୍ବାଚନ ପ୍ରକ୍ରିୟାରେ ମତ ସାବ୍ୟସ୍ତ କରିବା ଦ୍ୱାରା ଗଣତାନ୍ତ୍ରିକ ଶାସନ ସୁଦୃଢ ହୁଏ । ଗୁଣାତ୍ମକ ସାମ୍ୱାଦିକତା ଅଭାବରେ ନାଗରିକମାନେ ବହୁ ବିଷୟରେ ଅଜ୍ଞ ରହିଯିବା ବା ଭୂଲ ବୁଝିବା ଯୋଗୁଁ ସାମାଜିକ ସଂସ୍କାର ଓ ନିର୍ବାଚନରେ ତୃଟିପୂର୍ଣ୍ଣ ଆଚ଼ରଣ ହେତୁ ମନୁଷ୍ୟକୃତ ଦୁର୍ଦ୍ଦଶାଗ୍ରସ୍ତ ହୋଇଥାନ୍ତି ।
ମୁଦ୍ରଣ ବୈଷୟିକ କୌଶଳ ପ୍ରସାର କାଳରେ ଆଧୁନିକ ସାମ୍ୱାଦିକତାର ପରିପ୍ରକାଶ ଘଟିଥିଲା । ଏଥି ସହ ସମତାଳରେ ବିଶ୍ୱବ୍ୟାପୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଅଭ୍ୟୁଦୟ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପକ୍ରମ । ବୈଷୟିକ ବିପ୍ଳବ, ସାମ୍ୱାଦିକତା ଓ ଗଣତନ୍ତ୍ର ବିଗତ ପାଞ୍ଚଶହ ବର୍ଷ ଧରି ବିଶ୍ୱବ୍ୟାପୀ ଜନଜୀବନର ଗୁଣାତ୍ମକ ବିକାଶର ଅନ୍ୟତମ ତ୍ରିକୋଣ ସୂତ୍ରଧର ସାଜିଛି । ବିଂଶ ଶତାଦ୍ଦୀର ଶେଷ ପାଦରେ ଇଣ୍ଟରନେଟ ବିକାଶ ଏବଂ ଏକବିଂଶ ଶତାଦ୍ଦୀ ପ୍ରଥମ ଦୁଇ ଦଶକରେ ସ୍ମାର୍ଟ ମୋବାଇଲ ଫୋନ ବ୍ୟାପ୍ତି ଆନ୍ତର୍ଜାତିକସ୍ତରରେ ସାମ୍ୱାଦିକତାକୁ ପ୍ରଭାବିତ କରିଛି ଏବଂ ଗଣତନ୍ତ୍ରର ଭିତ୍ତିଭୂମି ମଧ୍ୟ ଦୋହଲି ଯାଇଛି ।
ମୁଦ୍ରିତ ସମ୍ୱାଦ ମଞ୍ଚ ଅଷ୍ଟାଦଶ ଶତାଦ୍ଦୀ ଆରମ୍ଭରୁ ଦୁଇଶହ ବର୍ଷ ଧରି ବିଜ୍ଞାପନ ଆଶ୍ରିତ ମଡ଼େଲରେ ପରିପୁଷ୍ଟ ହୋଇଥିଲା । ପ୍ରକାଶକଗଣ ସମ୍ୱାଦ ଉତ୍ପାଦ, ଯଥା : ମୁଦ୍ରିତ ସମ୍ୱାଦପତ୍ର ଓ ପତ୍ରପତ୍ରିକା ବ୍ୟବସାୟରେ ସାଧାରଣରେ ୮୫ ପ୍ରତିଶତ, ଏପରିକି ସ୍ଥଳବିଶେଷରେ ଶତପ୍ରତିଶତରୁ ଉର୍ଦ୍ଧ୍ୱ ଆୟ ବିଜ୍ଞାପନ ଏବଂ ମାତ୍ର ପନ୍ଦର ପ୍ରତିଶତ କିମ୍ୱା ତାହାଠାରୁ କମ ବିକ୍ରୀମୂଲ୍ୟ ଗ୍ରାହକଚାନ୍ଦା ଉପରେ ନିର୍ଭର କରୁଥିଲେ । ଫଳରେ ସମ୍ୱାଦ ଉପଭୋକ୍ତାମାନେ ଉତ୍ପାଦନ ଖର୍ଚ୍ଚଠାରୁ ଢ଼େର କମ ଦରରେ ସମ୍ୱାଦପତ୍ର ଖରିଦ କରିବା ସମ୍ଭବ ହେଉଥିଲା । ଏହି ମଡ଼େଲ ବିଂଶ ଶତାଦ୍ଦୀର ପ୍ରଥମ ଭାଗରେ ବିକଶିତ ରେଡ଼ିଓ, ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଟେଲିଭିଜନ ଏପରିକି ଶେଷ ଦଶକରେ ଡିଜିଟାଲ ମଞ୍ଚ ପ୍ରକାଶନରେ ମଧ୍ୟ ବିନିଯୋଗ ହୋଇଥିଲା ।
ପାରମ୍ପରିକ ବ୍ୟାବସାୟିକ ମଡ଼େଲରେ ପ୍ରଥମତଃ, ସମ୍ପାଦକମାନେ ପାଠକ, ଶ୍ରୋତା ଓ ଦର୍ଶକଙ୍କ ଅଭିରୁଚ଼ି ଆକଳନ ଦାୟିତ୍ୱ ନିର୍ବାହ କରୁଥିଲେ । ଦ୍ୱିତୀୟତଃ, ସମ୍ପାଦନାମଣ୍ଡଳୀ ‘ନିଉଜ ରୁମ’ ମାଧ୍ୟମରେ ଘଟଣା, ‘ଫେକ୍ଟ’, ଚ଼ିତ୍ର ‘ଇମେଜେସ’, ଅଭିମତ ‘ଓପିନିୟନ’, ପୃଷ୍ଠଭୂମି ‘କନଟେକ୍ସଟ’ ଓ ଦୃଷ୍ଟିକୋଣ ‘ପ୍ରେସପେକ୍ଟିଉଭ’ ନିର୍ବାଚନ ତଥା ନିର୍ଦ୍ଧାରଣ କାର୍ଯ୍ୟାବଳୀ ସମାହିତ ହେଉଥିଲା । ତୃତୀୟତଃ, ପରିଚାଳକ ‘ମ୍ୟାନେଜର’ମାନେ ସମ୍ୱାଦ କର୍ମୀଙ୍କ ଦକ୍ଷତା ବୃଦ୍ଧି ଓ ଖର୍ଚ୍ଚକାଟ ତତ୍ତ୍ୱାବଧାନ ଏବଂ ଚ଼ତୁର୍ଥତଃ, ବିଜ୍ଞାପନ ଓ ପ୍ରସାର ଦାୟିତ୍ୱରେ ଥିବା କର୍ମଚାରୀମାନେ ବ୍ୟାବସାୟିକ ଆୟ ତଦାରଖ କରୁଥିଲେ । ବିଶ୍ୱର ସର୍ବତ୍ର ଏହି ମଡ଼େଲର ରୂପାୟନ ନିମନ୍ତେ ସୁଦୃଢ଼ ଭିତ୍ତିଭୂମି ଓ ପର୍ଯ୍ୟାପ୍ତ ସଂଖ୍ୟକ ସମ୍ୱାଦ କର୍ମ୍ମୀ ଓ ପରିଚାଳକଙ୍କୁ ନିଯୁକ୍ତ କରାଯାଇ ଆସିଛି । ଏମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଅଭିଜ୍ଞ ଏବଂ ସ୍ୱଳ୍ପ ସଂଖ୍ୟକ ତାଲିମପ୍ରାପ୍ତ । ସମ୍ୱାଦ କର୍ମ୍ମୀଙ୍କ ମଧ୍ୟରେ ଅଣ-ତାଲିମପ୍ରାପ୍ତଙ୍କୁ ଚ଼ିହ୍ନଟ କରିବାର କାରଣ ଏହିଯେ ପରିବର୍ତ୍ତିତ ପରିବେଶରେ ସାଧାରଣରେ ଅଣ-ତାଲିମପ୍ରାପ୍ତଙ୍କୁ ପୁନଃ-ତାଲିମ ପ୍ରଦାନ କଷ୍ଟସାଧ୍ୟ ।
ବିକଶିତ ରାଷ୍ଟ୍ରଗୁଡ଼ିକରେ ୧୯୯୫ ସୁଦ୍ଧା ପାରମ୍ପରିକ ସମ୍ୱାଦ ବ୍ୟବସାୟ ମଡ଼େଲ ସୁଦୃଢ଼ ଥିବା ସ୍ଥଳେ କ୍ରମଶଃ ଡିଜିଟାଲ ମଞ୍ଚର ଆବିର୍ଭାବ, ସର୍ଚ୍ଚଇଞ୍ଜିନ, ଇ-କମର୍ସ ଓ ସୋସିଆଲ ମିଡ଼ିଆର ପ୍ରସାର ତଥା ସ୍ମାର୍ଟଫୋନ ଭଳି ମୋବାଇଲ ଉପକରଣ ବ୍ୟବହାର ମୁଦ୍ରଣ ଗଣମାଧ୍ୟମରେ ଗୁରୁତର ବିଭ୍ରାଟ ସୃଷ୍ଟି କଲା । ଅନଲାଇନ ପରିବେଶରେ ଉପଭୋକ୍ତାମାନେ ଦୀର୍ଘ ସମୟ ଅତିବାହିତ କରିବା ତଥା ବିନାମୂଲ୍ୟରେ ସମ୍ୱାଦ ହାତପାଆନ୍ତାରେ ଆକର୍ଷଣୀୟ ଆଙ୍ଗିକରେ ପାଇପାରିବା ପରେ ସମ୍ୱାଦପତ୍ର ଓ ଟେଲିଭିଜନକୁ ହତାଦାର କରିବାକୁ ଲାଗିଲେ । ସମ୍ପାଦକୀୟ ନୀତି ନିର୍ଦ୍ଧାରଣରେ ଏକଚାଟିଆ ନିୟନ୍ତ୍ରଣରେ ଅତିଷ୍ଠ ସମ୍ୱାଦ ପାଠକବର୍ଗ ଭୌଗଳିକ ସୀମାପାର ସୂତ୍ର ଖୋଜି ନୂତନ ଉପତ୍ୟକାରେ ବିଚ଼ରଣକୁ ପସନ୍ଦ କଲେ । ଅନଲାଇନ ପରିଧିରେ ଅନ୍ୱେଷଣ ‘ବ୍ରାଉଜିଂ’ ଏକ ନିରନ୍ତନ ପ୍ରକ୍ରିୟା । ସର୍ବୋପରି ସୋସିଆଲ ମିଡ଼ିଆର ପ୍ରସାର ପରେ ସାଧାରଣ ଉପଭୋକ୍ତା ନିଜ ପରିବାର, ପରିଚ଼ିତବର୍ଗ ଓ ରୁଚ଼ି ଅନୁଯାୟୀ ସମ୍ୱାଦ ସୂତ୍ର ନିର୍ବାଚ଼ନକୁ ଗୁରୁତ୍ୱ ଦେଲେ । ଫଳତଃ ପାରମ୍ପରିକ ସମ୍ୱାଦ ମଞ୍ଚର ପାଠକ ଓ ଗ୍ରାହକ ହାନୀ ଅଣାୟତ୍ତ ହୋଇ ପଡ଼ିଲା ।
ବ୍ୟାବସାୟିକ କ୍ଷେତ୍ରରେ ପାରମ୍ପରିକ ମଡ଼େଲରେ ବିଜ୍ଞାପନ ଆୟ ମୂଳ ଭିତ୍ତି ପାଲଟିଥିବା ଅବସରରେ ଇ-କମର୍ସ, ସର୍ଚ୍ଚ ଇଞ୍ଜନ ଓ ସୋସିଆଲ ମିଡ଼ିଆକୁ ବିଜ୍ଞାପନ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଲା । ବିକଶିତ ରାଷ୍ଟ୍ରଗୁଡ଼ିକରେ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶନ୍ଧିରେ ପ୍ରାୟ ଅର୍ଦ୍ଧେକ ସମ୍ୱାଦ ମଞ୍ଚ ବନ୍ଦ ହୋଇଯାଇଥିବା ତଥା ସମପରିମାଣରେ ସମ୍ୱାଦକର୍ମ୍ମୀ ନିଯୁକ୍ତି ହରାଇଥିବା ସ୍ଥଳେ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହି ପରିବର୍ତ୍ତନର ପ୍ରଭାବ ଅନୁଭବ ନହେବା ବିଶ୍ୱାସରେ ମୂଳସ୍ରୋତର ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ମହାମାରୀ-ପୂର୍ବାବସ୍ଥା ଯାଏଁ ନିଶ୍ଚିନ୍ତ ରହିଥିଲେ । ତେବେ ୨୦୨୧ ମଧ୍ୟଭାଗ ସୁଦ୍ଧା ଦେଢ଼ ବର୍ଷ ଧରି ମହାମାରୀଜନିତ ସୃଷ୍ଟ ଅର୍ଥନୀତିକ ମାନ୍ଦାବସ୍ଥା ଓ ଗଣମାଧ୍ୟମ ଉପଭୋକ୍ତାଙ୍କ ପରିବର୍ତ୍ତିତ ଆଚ଼ରଣ ଅନେକଙ୍କୁ ବିସ୍ମିତ କଲା । ସମ୍ୱାଦ ମଞ୍ଚ ପରିଚାଳନାରେ ମହାମାରୀ-ପୂର୍ବାବସ୍ଥା ଫେରିବା ବିଶ୍ୱାସ ସମକାଳର ସ୍ଥିତାବସ୍ଥା ଭୂଲ ପ୍ରମାଣିତ କରିବାରେ ଲାଗିଲା ।
ବିକଶିତ ରାଷ୍ଟ୍ରଗୁଡ଼ିକରେ ସମ୍ୱାଦ ମଞ୍ଚ ପରିଚାଳନାଗତ ଅଭିଜ୍ଞତାରୁ ଜଣାଯାଉଛି ଯେ ଜନସାଧାରଣଙ୍କ ପରିବର୍ତ୍ତିତ ଗଣମାଧ୍ୟମ ଆହରଣ ଅଭ୍ୟାସ ‘ପବ୍ଳିକସ ଚ଼େଇଜିଂ ହେବିଟ୍ସ ଅଫ ମିଡ଼ିଆ କନଜମ୍ପସନ’କୁ ତାଳ ଦେଇ ସମ୍ପାଦକୀୟ ନୀତି ବଦଳି ନପାରିଲେ ପାଠକ ହରାଇବାକୁ ପଡ଼ିଥାଏ । ବିଗତ ତିନି ଦଶକରେ ବନ୍ଦ ହୋଇଯାଇଥିବା ଅଧିକାଂଶ ସମ୍ୱାଦ ମଞ୍ଚ ପାରମ୍ପରିକ ବ୍ୟାବସାୟିକ ମଡ଼େଲ ଜାବୁଡ଼ି ଧରି ବସିଥିଲେ । ପ୍ରଚଳିତ ବିଜ୍ଞାପନ-ଆଶ୍ରିତ ବ୍ୟବସାୟକୁ କିପରି କ୍ରିୟାଶୀଳ କରାଯାଇପାରିବ ସେଦିଗରେ ଅହରହ ଉଦ୍ୟମ ‘ଟ୍ରାଇ ହାର୍ଡର ଷ୍ଟାର୍ଟାଜି’ ଅନୁସରଣ କରିଥିଲେ । କିନ୍ତୁ କ୍ରମଶଃ ବିଜ୍ଞାପନ ଓ ଗ୍ରାହକ ଚାନ୍ଦା ଉଭୟ ହରାଇ ବ୍ୟବସାୟ ବନ୍ଦ କରିବାକୁ ପଡ଼ିଥିଲା ।
ଗବେଷକମାନେ ପାଶ୍ଚାତ୍ୟ ମୂଳସ୍ରୋତ ସମ୍ୱାଦ ମଞ୍ଚର ଦୁର୍ଦ୍ଦଶା ନିମନ୍ତେ ଅତ୍ୟାଧୁନିକ ବୈଷୟିକ କୌଶଳକୁ ଦାୟୀ କରିବା ପରିବର୍ତ୍ତେ ପାରମ୍ପରିକ ବ୍ୟାବସାୟିକ ମଡ଼େଲ ନବଦଳାଇବା, ଅନଲାଇନ ପରିବେଶକୁ ସାମ୍ନା କରିବା ନିମନ୍ତେ ଅଫଲାଇନ ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶରେ ପାରଦର୍ଶିତା ହାସଲ ନକରିପାରିବା ଏବଂ ସର୍ବୋପରି ନୂତନ ଆୟ ସୂତ୍ର ପ୍ରଯୋଜନାରେ ଅକ୍ଷମତା ଇତ୍ୟାଦି ଭୂଲଭଟ୍ଟକା ଚ଼ିହ୍ନଟ କରିଥାନ୍ତି । ସମ୍ୱାଦ ମଞ୍ଚରେ ସଙ୍କଟ ସୃଷ୍ଟିକାଳରେ ସାମ୍ୱାଦିକମାନଙ୍କୁ ଛଟେଇ କରିବା ଫଳରେ ସମ୍ୱାଦ ପରିବେଷଣରେ ଉତ୍କର୍ଷ ହ୍ରାସ ପାଇଥିଲା । ଫଳରେ ପାରମ୍ପରିକ ସମ୍ୱାଦ ମଞ୍ଚର ପାଠକ ସଂଖ୍ୟା ମଧ୍ୟ ସଂକୁଚିତ ହେବାରେ ଲାଗିଲା । ଅନ୍ୟପକ୍ଷରେ ଅନଲାଇନ ପରିବେଶରେ ନିର୍ଭରଯୋଗ୍ୟ ସମ୍ୱାଦ ସୂତ୍ର ଅଭାବରେ ସାଧାରଣ ପାଠକ ଅସତ୍ୟ, ଗୁଜବ, ଅତିରଞ୍ଜିତ, ଉଦ୍ଦେଶ୍ୟପ୍ରଣୋଦିତ ସମ୍ୱାଦ ଆହରଣ କରିବାକୁ ବାଧ୍ୟ ହେଲା । ସାମଗ୍ରିକଭାବେ ଏତାଦୃଶ ଘଟଣାକ୍ରମ ସାମାଜିକ ଓ ରାଜନୀତିକ ବିଶୃଙ୍ଖଳାକୁ ଇନ୍ଧନ ଯୋଗାଇଲା । ଏହା ଜାତୀୟ ବିପତ୍ତି ପର୍ଯ୍ୟାୟଭୁକ୍ତ ।
ସମ୍ୱାଦ ମଞ୍ଚ ବ୍ୟବସାୟରେ ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ବିଜ୍ଞାପନ ଆୟ ଓ ପାଠକ ସଂଖ୍ୟା ହ୍ରାସ ଅବସରରେ ଲୋକାଭିମୁଖୀ ସାମ୍ୱାଦିକତା ନୀତି ପ୍ରବର୍ତ୍ତନ ଉଭୟ କ୍ଷେତ୍ରରେ ଯଥାସଂଭବ ଉନ୍ନତି ଆଣିବା ବିଶ୍ୱାସ କରାଯାଇପାରେ । ଉତ୍ତର ଆମେରିକାର ବହୁ ସମ୍ୱାଦପତ୍ର, ରେଡ଼ିଓ ଷ୍ଟେସନ ଓ ଟେଲିଭିଜନ ଚ଼୍ୟାନେଲ ଲୋକାଭିମୁଖୀ ଆଭିମୁଖ୍ୟକୁ ଗୁରୁତ୍ୱ ଦେବା ପରେ ପାଠକ, ଶ୍ରୋତା ଓ ଦର୍ଶକ ବୃଦ୍ଧିରେ ପର୍ଯ୍ୟବସିତ ହୋଇଥିବା ଜଣାଯାଏ । ଲୋକାଭିମୁଖୀ ସାମ୍ୱାଦିକତାରେ ସମ୍ପାଦକୀୟ ନୀତି ପରିବର୍ତ୍ତନ ସହ ନିଜସ୍ୱ ପାଠକ ସମାଜକୁ ସମ୍ୱାଦ ପ୍ରଯୋଜନା, ସମ୍ୱାଦ ମଞ୍ଚରେ ଆର୍ଥିକ ନିବେଶ ଓ ବ୍ରାଣ୍ଡ ପ୍ରଚାର ପ୍ରସାର ପ୍ରତ୍ୟେକ କ୍ଷେତ୍ରରେ ସାମିଲ କରାଯାଇଥାଏ ।
କେବଳ ବିଜ୍ଞାପନ ଓ ଗ୍ରାହକ ଚାନ୍ଦା ବଦଳରେ ସମ୍ୱାଦ ମଞ୍ଚ ପାଠକବର୍ଗ ଓ ସାମାଜିକ ସଂଗଠନଗୁଡ଼ିକରୁ ସହଭାଗିତା ସୂତ୍ରରୁ ଆୟ ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ କରିବା ଆବଶ୍ୟକ । ଏହି କ୍ଷେତ୍ରରେ ପ୍ରଚଳିତ ଧାରାର ବୈଧିକରଣ କରିବା ପ୍ରାଥମିକତା ଦାବୀକରେ । ବ୍ୟାବସାୟିକ ବିଜ୍ଞାପନ ଅଭାବରେ ପ୍ରାୟୋଜିତ ସମ୍ପାଦକୀୟ ରଚ଼ନା ‘ଏଡ଼ଭୋଟୋରିଆଲ’ ଓ ସାମାଜିକ ବିଜ୍ଞାପନ ‘ସୋସିଆଲ ଏଡ଼ଭଟାଇଜିଂ’ ବିକଳ୍ପ ଆୟର ମାଧ୍ୟମରୂପେ ଗ୍ରହଣ କରାଯାଇପାରେ । ସାମ୍ୱାଦିକତା ଜନହିତକଳ୍ପେ ନିୟୋଜିତ ହେଲେ ବଦାନ୍ୟତା ଉଭୟ ଭିତ୍ତିଭୂମି ସଂପ୍ରସାରଣରେ ନିବେଶ ଓ ପରିଚାଳନା ବ୍ୟୟ ଭରଣା କରିବାରେ ଆପତ୍ତି ନଥାଏ । ଅବଶ୍ୟ ସମ୍ୱାଦ ମଞ୍ଚ ମାଲିକାନା ଅଣ-ଲାଭଜନକ ପର୍ଯ୍ୟାୟକୁ ପରିବର୍ତ୍ତିତ ହେବା ସମୀଚ଼ୀନ ।
ଲୋକାଭିମୁଖୀ ସାମ୍ୱାଦିକତାରେ ପାଠକୀୟ ଆଗ୍ରହ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ, ସମ୍ୱାଦ ମଞ୍ଚ ପକ୍ଷରୁ ଜନସାଧାରଣଙ୍କ ବ୍ୟବହାର୍ଯ୍ୟ ସୂଚନା ପରିବେଷଣ ପାଠକଙ୍କୁ ଆକର୍ଷିତ କରେ । ଦ୍ୱିତୀୟତଃ, କ୍ରମାଗତଭାବେ ଏକକ ସୂତ୍ରରୁ ଆବଶ୍ୟକୀୟ ସମ୍ୱାଦ ଆହରଣ ଫଳରେ ପାଠକ ସମ୍ୱାଦ ମଞ୍ଚ ପ୍ରତି ଅନୁଗତ ହୋଇପଡ଼େ । ତୃତୀୟତଃ, ପାଠକ ବାରମ୍ୱାର ସଂପୃକ୍ତ ସମ୍ୱାଦ ମଞ୍ଚରେ ପହଞ୍ଚିଥାଏ । ଚ଼ତୁର୍ଥତଃ, ଅନୁଗତ ପାଠକ ସମ୍ୱାଦ ମଞ୍ଚ ପରିଚାଳନା ନିମନ୍ତେ ଆର୍ଥିକ ସହଯୋଗ ଦେବାରେ ଅବହେଳା କରେନାହିଁ । ପଞ୍ଚମତଃ, ଅନୁଗତ ପାଠକମାନେ ସମ୍ୱାଦ ମଞ୍ଚର ପ୍ରଶସ୍ତି ନିଜ ପରିଚ଼ିତବର୍ଗଙ୍କ ମଧ୍ୟରେ କଥୋପକଥନ ଓ ସୋସିଆଲ ମିଡ଼ିଆଯୋଗେ ପ୍ରସାର କରନ୍ତି । ଏହା ନୂତନ ପାଠକ, ଶ୍ରୋତା ଓ ଦର୍ଶକଙ୍କୁ ସଂପୃକ୍ତ ସମ୍ୱାଦମଞ୍ଚ ପ୍ରତି ନିକଟତର କରାଇଥାଏ ।
ଲୋକଭିମୁଖୀ ସାମ୍ୱାଦିକତା ପ୍ରବର୍ତ୍ତନଲାଗି ପାଠକ ସଂପୃକ୍ତି ‘ରିଡର୍ସ ଏଙ୍ଗେଜମେଣ୍ଟ’ ପ୍ରତି ସମ୍ୱାଦ ମଞ୍ଚପକ୍ଷରୁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ ହେଲେ ପାଠକ ସହଭାଗିତା ‘ରିଡ଼ର୍ସ ପାର୍ଟିସେପସନ’ ଦ୍ୱାର ଉନ୍ମୁକ୍ତ ହୋଇଥାଏ । ପାରମ୍ପରିକ ବ୍ୟାବସାୟିକ ମଡ଼େଲ ସାମନ୍ତବାଦୀ ଚ଼ିନ୍ତାଧାରା ସମ୍ୱଳିତ ହୋଇଥିବା ସ୍ଥଳେ ଲୋକାଭିମୁଖୀ ସାମ୍ୱାଦିକତା ଗଣମାଧ୍ୟମ ଉପତ୍ୟକାରେ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରେ । ସମ୍ୱାଦ ମଞ୍ଚଗୁଡ଼ିକର ସମ୍ପାଦକୀୟ ଆଭିମୁଖ୍ୟଦ୍ୱାରା ବ୍ୟାବସାୟିକ ପରିଚାଳନା ନୀତି କ୍ରମଶଃ ପ୍ରଭାବିତ ହୁଏ । ପ୍ରତ୍ୟେକ ସମ୍ୱାଦମଞ୍ଚ ନିଜସ୍ୱ ଅନୁଗତ ପାଠକମଣ୍ଡଳୀ ‘କମ୍ୟୁନିଟି’ ଗଠନ ନକରିପାରିଲେ ବହୁମୁଖୀ ଗଣମାଧ୍ୟମ ପରିବେଶରେ ଏଣିକି ତିଷ୍ଠିବା ଅସଂଭବ ବିଚାର କରାଯାଏ ।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ରଏଟର ଇନଷ୍ଟିଟିଉଟ ଅଫ ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ ପକ୍ଷରୁ ମହାମାରୀ ପୂର୍ବାବସ୍ଥା ୨୦୧୯ରେ ବିଶ୍ୱବ୍ୟାପୀ ୪୦ ରାଷ୍ଟ୍ରର ୨୦୦ ଗୋଟି ସମ୍ୱାଦ ମଞ୍ଚ ଗହଣରେ ଆୟୋଜିତ ସର୍ବେକ୍ଷଣରେ ତତ୍କାଳୀନ ବ୍ୟାବସାୟିକ ଆୟ ସୂତ୍ର ସଂପର୍କରେ ତଥ୍ୟ ସଂଗୃହୀତ ହୋଇଥିଲା । ସେଥିରୁ ଜଣାଯାଇଥିଲା ଯେ ସମଗ୍ର ଆୟର ୫୨ ପ୍ରତିଶତ ଗ୍ରାହକ ଚାନ୍ଦା, ୨୭ ପ୍ରତିଶତ ବ୍ୟାବସାୟିକ ବା ଡ଼ିସପ୍ଳେ ବିଜ୍ଞାପନ, ୮ ପ୍ରତିଶତ ସ୍ଥାନୀୟ ବା ନେଟିଭ ବିଜ୍ଞାପନ, ୭ ପ୍ରତିଶତ ବଦାନ୍ୟତା, ୩ ପ୍ରତିଶତ ଅନ୍ୟାନ୍ୟ ବ୍ୟବସାୟ ଏବଂ ଦୁଇ ପ୍ରତିଶତ ଲେଖା ଇଲୋକ୍ଟ୍ରିନିକ କମର୍ସ ଓ ଇଭେଣ୍ଟର ଆୟ ଲକ୍ଷ୍ୟ ରଖିଥିଲେ । ଏହି ତାଲିକାରୁ ବିଜ୍ଞାପନ ସୂତ୍ରରୁ ଆୟ ହ୍ରାସ, ଗ୍ରାହକ ଚାନ୍ଦାକୁ ପ୍ରାଧାନ୍ୟ ଏବଂ ଅନ୍ୟାନ୍ୟ ପାଠକ ସଂପୃକ୍ତି ଆୟ ଗଢ଼ି ତୋଳିବା ନିମନ୍ତେ ଉଦ୍ୟମ ବେଶ ପ୍ରମାଣିତ ।
ଅତଏବ, ଲୋକାଭିମୁଖୀ ସାମ୍ୱାଦିକତା ମଡ଼େଲ ଉପଯୋଗ ଫଳରେ ସମ୍ପାଦକୀୟ ନୀତି ଏବଂ ବ୍ୟାବସାୟିକ ଢ଼ାଞ୍ଚା ପରିବର୍ତ୍ତନ ସଂପୃକ୍ତ ମଞ୍ଚ ପାଠକଙ୍କୁ ଆକର୍ଷିତ କରି ଅନୁଗତ ପାଠକ ମଣ୍ଡଳୀ ଗଠନରେ ପର୍ଯ୍ୟବସିତ । ବିଜ୍ଞାପନ-ଆଶ୍ରିତ ମଡ଼େଲରୁ ଅପସରି ଗ୍ରାହକ ଦେୟ ଓ ସାମାଜିକ ବିଜ୍ଞାପନ ଆୟ ଉପରେ ନିର୍ଭରଶୀଳ ବ୍ୟବସାୟ ସମ୍ୱାଦମଞ୍ଚକୁ ସ୍ୱାବଲମ୍ୱୀ ଗଢ଼ି ତୋଳେ । ଏହି ପରିବେଶ ଜନସ୍ୱାର୍ଥ ସାଧନରେ ସାମ୍ୱାଦିକତାର ଭୂମିକା ଚ଼ରିତାର୍ଥ କରିବା ସହ ସମକାଳୀନ ସାମ୍ୱାଦିକତାକୁ ଭାରତରେ ସ୍ୱାଧୀନତା ସଂଗ୍ରାମ କାଳର ସମ୍ମାନଜନକ ସ୍ଥିତିକୁ ଯେ ଫେରାଇ ନେବା ସଂଭବ-ଏହା ବିଶ୍ୱାସଯୋଗ୍ୟ ।
