ଆଜିର ଖାସ ଖବର
Sat. May 30th, 2026

ଓଡ଼ିଶାରେ ସାମ୍ୱାଦିକଙ୍କୁ ଆକ୍ରମଣ ୨୦୨୨

By Dainikasha Jul12,2024

ସର୍ବଭାରତୀୟସ୍ତରରେ ୨୦୨୨ରେ ସାମ୍ୱାଦିକଙ୍କୁ ଆକ୍ରମଣ ତାଲିକାରେ ଓଡ଼ିଶା ତୃତୀୟ ସ୍ଥାନ ଅଧିକାର କରିଥିବା ବିବରଣୀ ଉଦବେଗର କାରଣ । ନୂଆଦିଲ୍ଲୀର ଏକ ଚ଼ିନ୍ତନ ମଞ୍ଚ ‘ରାଇଟସ ଏଣ୍ଡ ରିକ୍ସସ ଏନାଲିସିସ ଗୃପ’ ପକ୍ଷରୁ ୨୦୨୩ ଜୁନ ଶେଷ ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟରେ ୨୦୨୨ରେ ଦେଶର ବିଭିନ୍ନ ପ୍ରାନ୍ତରେ ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାବଳୀର ତଥ୍ୟ ଉପସ୍ଥାପନ କରାଯାଇଛି । ବର୍ଷକ ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ୪୮ ଗୋଟି ଓ ତେଲଙ୍ଗନାରେ ୪୦ ଗୋଟି ଘଟଣା ସୂଚ଼ିତ ହୋଇଥିବା ସ୍ଥଳେ ଓଡ଼ିଶାରେ ୧୪ ଗୋଟି ଘଟଣା ସଂପର୍କରେ ଉଲ୍ଲେଖ କରାଯାଇଛି । ଓଡ଼ିଶା ତଳକୁ ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ପଶ୍ଚିମ ବଙ୍ଗର ସ୍ଥାନ ।

ଆମ ରାଜ୍ୟରେ ରୋହିତ ବିଶ୍ୱାଳ ନାମକ ଜଣେ ସାମ୍ୱାଦିକ ସନ୍ଦିଗ୍ଧ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ବୋମା ବିସ୍ପୋରଣରେ ପ୍ରାଣ ହରାଇଥିଲେ । ଶୈଳେନ୍ଦ୍ର ନାଥ ଜେନା ଅଜ୍ଞାତ ଆତତାୟୀଙ୍କ ଦ୍ୱାରା ନିହତ ହୋଇଥିଲେ । ଲୋକନାଥ ଦଳେଇ, ଅଚ୍ୟୁତ ମହାନ୍ତି, ରାକେଶ ରାଉଳ ଓ ପ୍ରବୀଣ କୁମାରଙ୍କ ସହ ଅନ୍ୟ ଦୁଇ ଜଣ ମୋଟ ଛଅ ଜଣ ସାମ୍ୱାଦିକ ପୋଲିସ ଆକ୍ରୋଶର ଶୀକାର ହୋଇଥିବା ଅଭିଯୋଗ ହୋଇଥିଲା । ସେହିପରି କାଳୁ ଚ଼ରଣ ସାହୁ, ପ୍ରଭାତ କୁମାର ଲେଙ୍କା ଓ ଅନ୍ୟ ଚାରି ଜଣ ମୋଟ ଛଅ ଜଣ ସାମ୍ୱାଦିକ ଅଜଣା ଆତତାୟୀଙ୍କ ଦ୍ୱାରା ଆକ୍ରମଣ ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଥିଲେ ।

ସାଧାରଣରେ କ୍ଷମତାସୀନ ଓ ପୋଲିସଙ୍କ ଦ୍ୱାରା ସାମ୍ୱାଦିକମାନଙ୍କୁ ସରକାର ବିରୋଧୀ ସମ୍ୱାଦ ପରିବେଷଣରୁ କ୍ଷାନ୍ତ ରଖିବାଲାଗି ବଳ ପ୍ରୟୋଗ କରାଯାଉଥିବା ବିଶ୍ୱାସ କରାଯାଏ । କିନ୍ତୁ ଓଡ଼ିଶାରେ ପୋଲିସ ଦ୍ୱାରା ଛଅ ଜଣ ଉତ୍ପୀଡ଼ିତ ହୋଇଥିବା ସ୍ଥଳେ ବେସରକାରୀସ୍ତରରେ ଆଠ ଜଣ ଅକ୍ରମଣର ଶୀକାର ହୋଇଥିଲେ । ଜଣେ ଉଗ୍ରବାଦୀ ଓ ଜଣେ ଅପରାଧୀଙ୍କ ହାତରେ ପ୍ରାଣ ହରାଇଥିଲେ । ସମ୍ୱାଦିକଙ୍କ ନିରପତ୍ତା ଦିଗରେ ଏହିଭଳି ତଥ୍ୟ ଚ଼ିନ୍ତାର ବିଷୟ ।

ସର୍ବଭାରତୀୟସ୍ତରରେ ମୋଟ ୯୧ ଜଣ ସାମ୍ୱାଦିକ ରାଜନୀତିକ ନେତୃବର୍ଗ ଓ ଅପରାଧୀଙ୍କ ଦ୍ୱାରା ଆକ୍ରମଣ ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଥିଲା । ସେଥିମଧ୍ୟରେ ସର୍ବାଧିକ ଓଡ଼ିଶା ଓ ଉତ୍ତରପ୍ରଦେଶରେ ପାଞ୍ଚ ଜଣ ଲେଖା ସାମିଲ ହୋଇଥିଲେ । ଜାତୀୟସ୍ତରରେ ବର୍ଷକ ମଧ୍ୟରେ ୧୫ ଜଣ ସାମ୍ୱାଦିକଙ୍କୁ ପୋଲିସ ଦ୍ୱାରା ମାରପିଟ ଘଟଣା ପ୍ରକାଶିତ ହୋଇଥିବା ସ୍ଥଳେ ଓଡ଼ିଶାରେ ଚାରିଜଣ ପୋଲିସଠାରୁ ମାଡ଼ ଖାଇଥିବା ଅଭିଯୋଗ କରିଥିଲେ । ତେଲଙ୍ଗନାରେ ୪୦ ଜଣ, ଉତ୍ତର ପ୍ରଦେଶରେ ଛଅ ଜଣ, ଜାମ୍ମୁ ଓ କାଶ୍ମୀରରେ ଚାରିଜଣ, ମଧ୍ୟ ପ୍ରଦେଶରେ ତିନି ଜଣ, ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଣିପୁର ଓ ଓଡ଼ିଶାରେ ଦୁଇ ଜଣ ଲେଖା ଏବଂ ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ତାମିଲନାଡୁ, ଉତ୍ତରାଖଣ୍ଡ ଓ ପଶ୍ଚିମ ବଙ୍ଗରେ ଜଣେ ଲେଖା ସାମ୍ୱାଦିକ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ।

ଓଡ଼ିଶାରେ ସାମ୍ୱାଦିକଙ୍କୁ ଆକ୍ରମଣର ଉଲ୍ଲେଖନୀୟ ଉଦାହରଣରେ ୨୦୨୨ ଫେବୃୟାରୀ ମାସରେ ଗ୍ରାମପଞ୍ଚାୟତ ନିର୍ବାଚନ ଅବସରରେ ଯାଜପୁର ଜିଲ୍ଲାରେ ତିନି ଜଣ ସାମ୍ୱାଦିକ ବିଂଝାରପୁର ବ୍ଳକର ବାଚଲା ପଞ୍ଚାୟତରେ ଦୁଇ ଭୋଟଗ୍ରହଣ ବୁଥ ଜବରଦଖଲ ଅଭିଯୋଗର ସତ୍ୟାସତ୍ୟ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଯିବାବେଳେ କେତେକ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଆହତ ହୋଇଥିବା ଘଟଣା ସମଗ୍ର ରାଜ୍ୟରେ ଚହଳ ପକାଇଥିଲା । ଦେବାଶିଷ ସାହୁ, ଗୁଲଶନ ଅଲ୍ଲି ନୱାଜ ଓ ବିଜୟ ସାହୁ ଏସଂପର୍କରେ ରାଜ୍ୟ ନିର୍ବାଚ଼ନ କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ସାମ୍ୱାଦିକଙ୍କୁ ଆକ୍ରମଣର ଭିଡ଼ିଓ ସେମାନଙ୍କ ଗହଣରେ ଥିବା କ୍ୟାମରାମେନ ଆକ୍ରମଣକାରୀଙ୍କ ଅଲକ୍ଷ୍ୟରେ ଗାଡ଼ିଭିତରେ ବସି ରେକର୍ଡ଼ କରିପାରିଥିବା ହେତୁ ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ପ୍ରଦର୍ଶିତ ହୋଇଥିଲା । ଏଥି ପୂର୍ବରୁ ପୁରୀ ଜିଲ୍ଲା କଣାସ ବ୍ଳକ ବାଦଲ ପଞ୍ଚାୟତରେ ମଧ୍ୟ ଚାରି ଜଣ ସାମ୍ୱାଦିକ ଅକ୍ରମଣ ଶୀକାର ହୋଇଥିବା ଅଭିଯୋଗ ଆସିଥିଲା ।

ଅନ୍ୟ ଏକ ଘଟଣାକ୍ରମରେ ଏପ୍ରିଲ ମାସରେ ବାଲେଶ୍ୱରରେ ଅବସ୍ଥାପିତ ଏକ ଟେଲିଭିଜନ ଚ୍ୟାନେଲର ସାମ୍ୱାଦିକ ଲୋକନାଥ ଦଳେଇ ନୀଳଗିରି ପୋଲିସ ଥାନାରେ ଏକ ସାମାନ୍ୟ ମଟର ସାଇକେଲ ଦୁର୍ଘଟଣା ପଚ଼ରାଉଚୁରା ପାଇଁ ପହଞ୍ଚିଥିବା ଅବସରରେ ର୍ଦୁବ୍ୟବହାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଥିଲା । ପୋଲିସ ମାଡ଼ ମାରିଥିବା ଏବଂ ସାମ୍ୱାଦିକ ଜଣକ ଧକ୍କାଖାଇ ଚ଼ଟାଣରେ ପଡ଼ି ସଂଜ୍ଞାହୀନ ହେବାପରେ ବାଲେଶ୍ୱର ହସପିଟାଲରେ ଚ଼ିକିତ୍ସା ସମୟରେ ଗୋଡ଼କୁ ଖଟିଆ ସହ ଚ଼େନ ବନ୍ଧା ହୋଇଥିବା ବର୍ଣ୍ଣନା ସମ୍ୱେଦନଶୀଳ ଘଟଣା ପାଲଟିଥିବା । ବିଶେଷକରି ଏହି ସଂପର୍କୀତ ଭିଡ଼ିଓ ଭାଇରଲ ହେବାପରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।

‘ରାଇଟସ ଏଣ୍ଡ ରିକ୍ସସ ଏନାଲିସିସ ଗୃପ’ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଏହାର ପ୍ରକାଶିତ ରିପୋର୍ଟ ମୁଖ୍ୟତଃ ପ୍ରଭାବିତ ସାମ୍ୱାଦିକଙ୍କ ଅଭିଯୋଗ ଓ ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଆଧାରିତ ହେବା ସ୍ୱାଭାବିକ । ଏହି କାରଣରୁ ଅଭିଯୋଗ ଦାଖଲ ହୋଇପାରିନଥିବା ବହୁ ଘଟଣା ଲୁକାୟିତ ରହିଯାଇଥାଇପାରେ କିମ୍ୱା ମିଥ୍ୟା ଅଭିଯୋଗର ଅବକାଶ ମଧ୍ୟ ସମ୍ଭବ । ସରକାରୀସ୍ତରରେ ଏହି ତଥ୍ୟାବଳୀ ସମର୍ଥିତ ନହୋଇପାରେ । ତେବେ ମୋଟାମୋଟି ଭାବେ ସମକାଳୀନ ସାମାଜିକ ବ୍ୟବସ୍ଥାରେ ସାମ୍ୱାଦିକଙ୍କ ସୁରକ୍ଷା ସଂପର୍କରେ ଚ଼ିତ୍ର ପ୍ରଦାନ କରୁଥିବା ବିଶ୍ୱାସ କରାଯାଇପାରେ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସହ ଅନଲାଇନ ଓ ସୋସିଆଲ ମିଡ଼ିଆରେ ସମ୍ୱାଦ ପ୍ରସାରଣ ବ୍ୟାପ୍ତ ପରେ ସାମ୍ୱାଦିକ କିଏ ? ସାମ୍ୱାଦିକତା ନିମନ୍ତେ ସର୍ବନିମ୍ନ ଯୋଗ୍ୟତା କିମ୍ୱା ପ୍ରକାଶନ ମଞ୍ଚର ଆଭିମୁଖ୍ୟ ନିର୍ଦ୍ଧାରଣର ବ୍ୟବସ୍ଥା ତ ନାହିଁ । ଭାରତୀୟ ସମ୍ୱିଧାନରେ ଅଭିବ୍ୟକ୍ତିର ସ୍ୱାଧୀନତା ଉପଭୋଗ କରିବା ନିମନ୍ତେ ସାଧାରଣ ନାଗରିକ ଓ ସାମ୍ୱାଦିକଙ୍କ ମଧ୍ୟରେ କୌଣସି ତାରତମ୍ୟ ଉଲ୍ଲେଖ ନାହିଁ । ସେହି କାରଣରୁ ଆଇନତଃ ସାମ୍ୱାଦିକ ଏକ ସାଧାରଣ ନାଗରିକଭାବେ ପରିଗଣିତ । ଏହି ପରିବେଶରେ ସାମ୍ୱାଦିକଙ୍କୁ ଆକ୍ରମଣଜନିତ ଅପରାଧିକ ବର୍ଗୀକରଣ କେତେଦୂର ଯୁକ୍ତିଯୁକ୍ତ ?

‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟସ’ ନାମକ ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଡ଼ିସେମ୍ୱର ପହିଲା ୨୦୨୨ ସୁଦ୍ଧା ବର୍ଷକ ମଧ୍ୟରେ ଭାରତରେ ୩୬୩ ଜଣ ସାମ୍ୱାଦିକ ଅଭିବ୍ୟକ୍ତିରେ ସ୍ୱାଧୀନତା ହରାଇଥିବା ଅଭିଯୋଗ କରିଥିବା ଉଲ୍ଲେଖ କରାଯାଇଥିଲା । ପୂର୍ବ ବର୍ଷ ତୁଳନାରେ ଅଭିଯୋଗ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇଥିବା ଦର୍ଶାଯାଇଥିଲା । ‘ରିପୋର୍ଟସ ଉଇଥ ଆଉଟ ବୋଡ଼ର୍ସ’ର ରିପୋର୍ଟ ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ୨୦୨୨ରେ ବନ୍ଦୀ ସାମ୍ୱାଦିକଙ୍କ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇଥିଲା । ମୋଟ ୫୩୩ ବନ୍ଦୀ ସାମ୍ୱାଦିକଙ୍କ ମଧ୍ୟରେ ୭୮ ଜଣ ମହିଳା ସାମ୍ୱାଦିକ ଅନ୍ତର୍ଭୁକ୍ତ । ୨୦୨୨ରେ ୫୭ ଜଣ ସାମ୍ୱାଦିକ ବୃତ୍ତି କରଣରୁ ହତ୍ୟାର ଶୀକାର ହୋଇଥିବା ସ୍ଥଳେ ୨୦୨୧ ତୁଳନାରେ ୧୮ ପ୍ରତିଶତ ବୃଦ୍ଧି ପାଇଥିଲା ।

‘ୟୁନେସ୍କୋ’ ପକ୍ଷରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି ଯେ ୨୦୨୧-୨୨ ସୁଦ୍ଧା ସମଗ୍ର ବିଶ୍ୱରେ ସାମ୍ୱାଦିକତା ଏକ ବିପଦପୂର୍ଣ୍ଣ ବୃତ୍ତି ରୂପେ ପରିଗଣିତ । ଦଶ ଜଣ ସାମ୍ୱାଦିକ ହତ୍ୟାର ଶୀକାର ହେଲେ ନଅ ଜଣଙ୍କ କ୍ଷେତ୍ରରେ ଅପରାଧ ବିଭିନ୍ନ କାରଣରୁ ପ୍ରମାଣିତ ହୋଇପାରେ ନାହିଁ । ଏହି ଉପପାଦ୍ୟ ସାମ୍ୱାଦିକଙ୍କୁ ଆକ୍ରମଣରେ କ୍ଷେତ୍ରରେ ମଧ୍ୟ ସମଭାବେ ପ୍ରତିଫଳିତ ବିଚାର କରାଯାଇପାରେ । ସାଂବାଦିକଙ୍କ ଆକ୍ରମଣକାରୀ ସଂଖ୍ୟାଧିକସ୍ତରରେ ଦଣ୍ଡିତ ହୋଇପାରନ୍ତି ନାହିଁ । ସମ୍ୱାଦ ମଞ୍ଚର ବ୍ୟାପ୍ତି ଓ ନାଗରିକ ସାମ୍ୱାଦିକମାନଙ୍କ ଆବିର୍ଭାବ ଏହି ପରିବେଶକୁ ଆହୁରି ବିଷାକ୍ତ ଗଢ଼ି ତୋଳିବା ଆଶଙ୍କା ଅମୂଳକ ନୁହେଁ । 

Related Post