ଗଣମାଧ୍ୟମର ବ୍ୟାପ୍ତି ଓ ଉପଭୋକ୍ତାଙ୍କ ସଂପୃକ୍ତି ସହ ବିଜ୍ଞାପନର ଗୁରୁତ୍ୱ ମଧ୍ୟ ସମତାଳରେ ବୃଦ୍ଧିପାଇବାରେ ଲାଗିଛି । ପାଶ୍ଚାତ୍ୟ ଭୂଖଣ୍ଡରେ ସପ୍ତଦଶ ଶତାଦ୍ଦୀରେ ମୁଦ୍ରିତ ଗଣମାଧ୍ୟମ ପ୍ରସାର କାଳରେ ପତ୍ରପତ୍ରିକାରେ ସମ୍ୱାଦ, ଅଭିମତ, ସୂଚ଼ନା, କ୍ରୀଡ଼ା-କୌତୁକ ଓ ସାହିତ୍ୟ ସଙ୍ଗେ ବିଭିନ୍ନ ଉତ୍ପାଦ, ସେବା ଓ ମତବାଦ ପ୍ରଚାର ନିମନ୍ତେ ବିଜ୍ଞାପନ ପ୍ରକାଶନ ଧାରା ଆରମ୍ଭ ହୋଇଥିଲା । ଏକବିଂଶ ଶତାଦ୍ଦୀରେ ସୋସିଆଲ ମିଡ଼ିଆର ଲୋକପ୍ରିୟତା, ବିକଶିତ ରାଷ୍ଟ୍ରଗୁଡ଼ିକରେ ଦୈନିକ ୧୨ ଘଣ୍ଟା ଯାଏଁ ଉପଭୋକ୍ତାଙ୍କ ଗଣମାଧ୍ୟମ ମଞ୍ଚମାନଙ୍କରେ ଉପସ୍ଥିତି ଏବଂ ଡ଼ିଜିଟାଲ ପରିବେଶରେ ଭୌଗଳିକ ସୀମାପାର ଅନୁଭୂତି ବିଜ୍ଞାପନ ପ୍ରକାଶନ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।
ପିଲାଙ୍କ ମିଠେଇଠାରୁ ପରିଣତ ବୟସରେ ଶୋକ ପ୍ରଶମନ, ଜନସ୍ୱାସ୍ଥ୍ୟ ସୁରକ୍ଷାରୁ ଉଗ୍ରବାଦ ପ୍ରସାର ଯାଏଁ ବିଭିନ୍ନ ସ୍ତରରେ ବୈଧ ଓ ଅବୈଧ ଉଭୟ ଉପାୟ ଅବଲମ୍ୱନରେ ବିଜ୍ଞପିତ କରିବା ଉଦ୍ୟମ ଅବ୍ୟାହତ ରହିଛି । ବିଜ୍ଞାପନ ନିୟନ୍ତ୍ରଣ ଏକ ସାମାଜିକ ଆବଶ୍ୟକତାରେ ପରିଣତ ହୋଇ ସାରିଥିବା ସ୍ଥଳେ ବିଳମ୍ୱରେ ହେଲେ ସୁଦ୍ଧା ଭାରତରେ ବିଭ୍ରାନ୍ତିକର ବିଜ୍ଞାପନରେ ଅଙ୍କୁଶ ନିମନ୍ତେ ମାର୍ଗଦର୍ଶିକା ପ୍ରଣୟନଜନିତ ପ୍ରଶାସନିକ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଅଧୀନସ୍ଥ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ‘ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକସନ ଆଥାରିଟି’ ପକ୍ଷରୁ ୨୦୨୨ ଜୁନ ୧୦ ତାରିଖ ଦିନ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷାର୍ଥେ ବିଭ୍ରାନ୍ତିକର ବିଜ୍ଞାପନ ଓ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କ ଅନୁମୋଦିତ ଭ୍ରମାନ୍ତକ ବିଜ୍ଞାପନ ନିରାକରଣ ମାର୍ଗଦର୍ଶିକା ୨୦୨୨ ‘ଗାଇଡ଼ଲାଇନ୍ସ ଅନ ପ୍ରିଭେନସନ ଅଫ ମିସଲିଡ଼ିଙ୍ଗ ଏଡ଼ଭାଟାଇଜମେଣ୍ଟସ ଏଣ୍ଡ ଏଣ୍ଡୋର୍ସମେଣ୍ଟ ଫର ମିସଲିଡ଼ିଙ୍ଗ ଏଡ଼ଭାଟାଇଜମେଣ୍ଟସ’ ଜାରୀ କରିଛି ।
ଏଥିରେ ଏକପକ୍ଷରେ ବିଜ୍ଞାପକଙ୍କ ପକ୍ଷରୁ ଆଧାରହୀନ ପ୍ରତିଶୃତି, ଅତିରଞ୍ଜିତ ଓ ଅବାନ୍ତର ଦାବି, ମିଥ୍ୟା ସୂଚନା ଇତ୍ୟାଦି ବିଜ୍ଞପିତ କରିବା ବାରଣ କରାଯାଇଥିବା ସ୍ଥଳେ ଅପରପକ୍ଷେ ଉପଭୋକ୍ତାଙ୍କ ସୂଚ଼ନା ପ୍ରାପ୍ତି ଓ ଚୟନ ତଥା ସମ୍ଭାବ୍ୟ ଅସୁରକ୍ଷିତ ଉତ୍ପାଦ ଓ ସେବା ବିରୋଧରେ ସୁରକ୍ଷା ଅଧିକାର ନିଶ୍ଚିତ କରିବା ନିମନ୍ତେ ଉଦ୍ୟମ ହୋଇଛି । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ମାର୍ଗଦର୍ଶିକା ଅନୁପାଳନରେ ଅବହେଳା ନିମନ୍ତେ ମୋଟା ଅର୍ଥ ଜରିମାନା ଆଦାୟ ପ୍ରାବଧାନ କରାଯାଇଛି ।
ଭାରତୀୟ ବିଜ୍ଞାପନ ପରିଧିରେ ମୁଖ୍ୟତଃ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କ ଅନୁମୋଦନ ‘ଏଣ୍ଡୋର୍ସମେଣ୍ଟ’ ଏବଂ ଛାୟା ବିଜ୍ଞାପନ ‘ସାରୋଗେଟ’ ଅବୈଧ ବାତାବରଣ ସୃଷ୍ଟି କରିଥାଏ । ବିଶେଷଜ୍ଞଙ୍କ ମତରେ ଏଣ୍ଡୋର୍ସମେଣ୍ଟ ବିଜ୍ଞାପନ ଆମ ଦେଶରେ ‘କୋଭିଡ଼-୧୯’ ମହାମାରୀ କାଳରେ ବ୍ୟାପକ ମାତ୍ରାରେ ବୃଦ୍ଧି ହିସାବ କରାଯାଇଥିଲା । ‘ଟିଏଏମ ଇଣ୍ଡିଆ’ ରିପୋର୍ଟ ଅନୁଯାୟୀ ୨୦୨୦ ତୁଳନାରେ ୨୦୨୧ରେ ଏହି କ୍ଷେତ୍ରରେ ୪୪ ପ୍ରତିଶତ ବୃଦ୍ଧି ପାଇଥିଲା । ଆଲୋଚ୍ୟ ବର୍ଷ ଟେଲିଭିଜନରେ ପ୍ରଦର୍ଶିତ ବିଜ୍ଞାପନଗୁଡ଼ିକ ମଧ୍ୟରୁ ୨୭ ପ୍ରତିଶତ ଏଣ୍ଡୋର୍ସମେଣ୍ଟ ପର୍ଯ୍ୟାୟଭୁକ୍ତ ।
ଏହି ବର୍ଗର ବିଜ୍ଞାପନରେ ୮୦ ପ୍ରତିଶତ ଚଳଚ଼ିତ୍ର ଅଭିନେତା ଓ ୧୩ ପ୍ରତିଶତ କ୍ରୀଡ଼ାବିତ ସାମିଲ ଥିଲେ । ଚଳଚ଼ିତ୍ର ଅଭିନେତା ଓ କ୍ରୀଡ଼ାବିତମାନେ ସାମାଜିକସ୍ତରରେ ଚର୍ଚ୍ଚିତ ଚ଼ରିତ୍ର ଥିବା ହେତୁ ବିଜ୍ଞାପକମାନେ ସେମାନଙ୍କ ଅନୁମୋଦିତ ବିଜ୍ଞାପନରେ ଆଧାରହୀନ ପ୍ରତିଶୃତି, ଅତିରଞ୍ଜିତ ଦାବି ଓ ମିଥ୍ୟା ସୂଚ଼ନା ପ୍ରସାରଣରେ ସମର୍ଥ ହେଉଥିବା ଅଭିଯୋଗ ହୋଇଥାଏ । ନୂତନ ମାର୍ଗଦର୍ଶିକା ଅନୁଯାୟୀ ପ୍ରକାଶିତ ବିଜ୍ଞାପନରେ ଅଂଶଗ୍ରହଣ କରୁଥିବା ପ୍ରସିଦ୍ଧ ବ୍ୟକ୍ତିବିଶେଷ ‘ସେଲିବ୍ରିଟି’ ବିଜ୍ଞାପନରେ ପ୍ରସାରିତ ବାର୍ତ୍ତା ନିମନ୍ତେ ଦାୟୀ ରହିବେ ଏବଂ ଆଇନ ଉଲଂଘନରେ ଜରିମାନାରେ ଦଣ୍ଡିତ ହେବେ ।
ଆମ ଦେଶରେ ମଦ୍ୟ ଓ ତମାଖୁଯାତ ଦ୍ରବ୍ୟର ବିଜ୍ଞାପନ ପ୍ରଦର୍ଶନ ବାରଣ ଥିବା ସ୍ଥଳେ ଏହି ଦୁଇ କ୍ଷେତ୍ରରେ ଛାୟା ବିଜ୍ଞାପନ ‘ସରୋଗେଟ’ ବିଜ୍ଞାପନର ପ୍ରାଦୁର୍ଭାବ ଲାଗି ରହିଆସିଛି । ମଦ୍ୟ ବ୍ରାଣ୍ଡର ପ୍ରଚାର ନିମନ୍ତେ ସୋଡ଼ା, ପାନୀୟଜଳ ବୋତଲ, ସଙ୍ଗୀତ ଲେବଲ ଭଳି ଛାୟା ବିଜ୍ଞାପନ ପ୍ରଚଳିତ । ସେହିପରି ତମାଖୁଯୁକ୍ତ ଜର୍ଦ୍ଦା ଓ ପାନମସଲା ବ୍ରାଣ୍ଡ ବିଜ୍ଞପିତ କରିବା ନିମନ୍ତେ ସାଦା ପାନ ମସଲା, ଅଳାଇଚ ଭଳି ନକଲ ବିଜ୍ଞାପନ ପ୍ରଚାରିତ ।
ନିକଟ ଅତୀତରେ ବହୁ ପ୍ରସିଦ୍ଧ ଚଳଚ଼ିତ୍ର ତାରକା ଏଭଳି ଛାୟା ବିଜ୍ଞାପନ ପ୍ରଦର୍ଶନରେ ଅଂଶଗ୍ରହଣ କରି ନିନ୍ଦିତ ହୋଇଥିଲେ । ଅମିତାଭ ବଚ୍ଚନ ଓ ରଣବୀର ସିଂ ଗୋଟିଏ ବ୍ରାଣ୍ଡର ପାନମସଲା ଏବଂ ଶାହରୁଖ ଖାନ, ଅଜୟ ଦେବଗାନ ଓ ଅକ୍ଷୟ କୁମାର ଅନ୍ୟ ଏକ ବ୍ରାଣ୍ଡର ପାନମସଲା ବିଜ୍ଞାପନରେ ଅବତୀର୍ଣ୍ଣ ହେବା ଉଲ୍ଲେଖଯୋଗ୍ୟ ଘଟଣା । ସଞ୍ଜୟ ଦତ୍ତ ଏକ ବ୍ରାଣ୍ଡ ସୋଡ଼ାର ବିଜ୍ଞାପନ ଅନୁମୋଦନ କରିଥାନ୍ତି ।
ଆଇନତଃ ବିଜ୍ଞାପନ ନିଷିଦ୍ଧ ଥିବା ଦ୍ରବ୍ୟସମୂହ ମୁଖ୍ୟତଃ ମଦ୍ୟ ଓ ତମାଖୁଯାତ ଉତ୍ପାଦର ବିଜ୍ଞାପନ ବାରଣ ନିମନ୍ତେ ଦେଶରେ ପର୍ଯ୍ୟାପ୍ତ ଆଇନ ପ୍ରଚଳିତ । ‘ଦି କେବଲ ଟେଲିଭିଜନ ନେଟୱାର୍କସ (ରେଗୁଲେସନ) ଆକ୍ଟ ୧୯୯୫’ରେ ଏହି ସବୁ ସାମଗ୍ରୀର ପ୍ରଚାର ନିଷିଦ୍ଧ । ଫଳରେ ପ୍ରଶାସନର ତୃଣମୂଳ ସ୍ତରରୁ ବାରଣ ସଂଭବ । ସେହିପରି ବିଜ୍ଞାପନ ବ୍ୟବସାୟରେ ସଂପୃକ୍ତ ସଂସ୍ଥାଗୁଡ଼ିକର ଶୀର୍ଷ ସଂଗଠନ ‘ଆଡ଼ଭାଟାଇଜିଂ ଷ୍ଟାଣ୍ଡର୍ଡସ କାଉନସିଲ ଅଫ ଇଣ୍ଡିଆ’ ପକ୍ଷରୁ ଆତ୍ମ-ନିୟନ୍ତ୍ରଣ ଧାରାରେ ମାର୍ଗଦର୍ଶିକା ଲାଗୁ କରାଯାଇଥାଏ । ତେବେ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ସନ୍ତୋଷଜନକ ଫଳାଫଳ ଦେଖିବାକୁ ମିଳେନାହିଁ ।
‘ଲୋକାଲ ସର୍କଲ’ ନାମକ ଏକ ବିଜ୍ଞାପନ ଗବେଷଣା ସଂସ୍ଥା ପକ୍ଷରୁ ମହାମାରୀ କାଳରେ ବିଜ୍ଞାପନର ଗୁଣବତ୍ତା ଯାଞ୍ଚ କରିବା ନିମନ୍ତେ ଦେଶର ୩୧୨ ଗୋଟି ଜିଲ୍ଲାରେ ୩୩ ହଜାର ଉପଭୋକ୍ତାଙ୍କୁ ନମୂନାଭାବେ ଗ୍ରହଣ କରି ମତାମତ ସଂଗ୍ରହ କରାଯାଇଥିଲା । ପ୍ରାୟ ୭୦ ପ୍ରତିଶତ ସର୍ବେକ୍ଷଣ ଅଂଶଗ୍ରହଣକାରୀ ବିଗତ ଦୁଇ ବର୍ଷ ମଧ୍ୟରେ ଭ୍ରାମାନ୍ତକ ବିଜ୍ଞାପନ ସଂସ୍ପର୍ଶରେ ଆସିଥିବା ସୂଚିତ କରିଥିଲେ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ୨୦୧୯ରେ ଉପଭୋକ୍ତା ସୁରକ୍ଷା ଆଇନ ‘କନଜ୍ୟୁମର ପ୍ରୋଟେକସନ ଆକ୍ଟ’ରେ ଉଭୟ ‘ଏଣ୍ଡୋର୍ସମେଣ୍ଟ’ ଓ ‘ସାରୋଗୋଟ’ ବିଜ୍ଞାପନ ନିୟନ୍ତ୍ରଣ ନିମନ୍ତେ କଟକଣା ଉଲ୍ଲେଖଥିଲା । ‘ଏଣ୍ଡୋର୍ସମେଣ୍ଟ’ କ୍ଷେତ୍ରରେ ମିଥ୍ୟା ସୂଚ଼ନା ନିମନ୍ତେ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କୁ ଦାୟୀ କରାଯିବା ପ୍ରାବଧାନ ରହିଥିଲା । ଆଲୋଚ୍ୟ ଆଇନର ଧାରା ୧୦ ଅନୁଯାୟୀ ପ୍ରାଧିକରଣ ଗଠିତ ହୋଇ ଧାରା ୧୮ ବଳରେ ମାର୍ଗଦର୍ଶିକା ଘୋଷିତ ହୋଇଛି ।
ପ୍ରାଧିକରଣ ପକ୍ଷରୁ ଆଇନ କାର୍ଯ୍ୟକାରିତା ପ୍ରତି ପଦକ୍ଷେପ ଗ୍ରହଣ କରାଯିବ । ଆଇନ ଉଲଂଘନରେ ବିଜ୍ଞପିତ ଦ୍ରବ୍ୟର ଉତ୍ପାଦକ, ବିଜ୍ଞାପନ ପ୍ରସାରକ ଏବଂ ବିଜ୍ଞାପନରେ ଅବତୀର୍ଣ୍ଣ ଅନୁମୋଦକଙ୍କୁ ଦଶ ଲକ୍ଷ ଟଙ୍କା ଜରିମାନାର ପ୍ରାବଧାନ ରହିଛି । ପୁନର୍ବାର ଉଲଂଘନରେ ୫୦ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇପାରିବ । ସେହିପରି ଅନୁମୋଦକଙ୍କୁ ପ୍ରଥମ ଅପରାଧ ନିମନ୍ତେ ବର୍ଷେ ଏବଂ ପରବର୍ତ୍ତୀ ଅପରାଧ ନିମନ୍ତେ ତିନି ବର୍ଷ ଯାଏଁ ବିଜ୍ଞାପନ ଅନୁମୋଦନରୁ କ୍ଷାନ୍ତ ରହିବାଲାଗି ବାଧ୍ୟ କରାଯାଇପାରିବ ।
ଦେଶରେ ଯେଉଁ ଦ୍ରବ୍ୟସମୂହର ବିଜ୍ଞାପନ ପ୍ରଦର୍ଶନ ଆଇନତଃ ବାରଣ କରାଯାଇଛି ସେଗୁଡ଼ିକ କ୍ଷେତ୍ରରେ ‘ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକସନ ଅଥାରିଟି’ ଦ୍ୱାରା ୨୦୨୨ରେ ଜାରୀ କରାଯାଇଥିବା ମାର୍ଗଦର୍ଶିକା ଲାଗୁ ହେବ । ତେବେ ମଦ୍ୟ ଓ ତମାଖୁଯାତ ଦ୍ରବ୍ୟ ବିକ୍ରୀ ଓ ଟିକସ ଆଦାୟ ବଳବତ୍ତର ରହିଥିବା ସ୍ଥଳେ ଏବଂ ଯେକୌଣସି ବ୍ୟବସାୟ ପ୍ରସାର ନିମନ୍ତେ ବିଜ୍ଞାପନ ଏକ ପ୍ରମୁଖ ସାଧନ ଥିବା ପରିପ୍ରେକ୍ଷୀରେ ବିଜ୍ଞାପନ ବାରଣ କରାଯିବା ବିରୋଧରେ ଏକ ଗୋଷ୍ଠୀ ମତ ପୋଷଣ କରିଥାନ୍ତି । ସେହିପରି ବିଜ୍ଞାପନ ଅନୁମୋଦନ ‘ଏଣ୍ଡୋର୍ସମେଣ୍ଟ’ ଲାଗି ଅନୁମୋଦକଙ୍କୁ ଦାୟୀ ଓ ଦଣ୍ଡିତ କରାଯିବା ଅସଙ୍ଗତ ବୋଲି ଅନ୍ୟ ଏକ ଗୋଷ୍ଠୀ ଯୁକ୍ତି ବାଢ଼ିଥାନ୍ତି । ପ୍ରସ୍ତୁତକର୍ତ୍ତା ଓ ବିଜ୍ଞାପନ ପ୍ରସାରକ ନିର୍ଦ୍ଦେଶରେ ଅନୁମୋଦକ ବିଜ୍ଞାପନରେ ଅବତୀର୍ଣ୍ଣ ହେଉଥିବା ସ୍ଥଳେ ତାଙ୍କୁ ଦାୟୀ କରାଯିବା ଅସଙ୍ଗତ ବୋଲି ମତ ପ୍ରକାଶ କରିଥାନ୍ତି ।
ମାର୍ଗଦର୍ଶିକାରେ ବିଜ୍ଞାପନ ପ୍ରସାରଣର ବିଭିନ୍ନ ଦିଗ ଉଲ୍ଲେଖ ରହିଛି । ପ୍ରଲୋଭନ ବିଜ୍ଞାପନ ‘ବିଟ୍ ଏଡ଼ଭାଟାଇଜମେଣ୍ଟ’, ଉପହାର ବିଜ୍ଞାପନ ‘ଫ୍ରି କ୍ଳେମ ଏଡ଼ଭାଟାଇଜମେଣ୍ଟ’, ବୈଧାନିକ ଘୋଷଣା ‘ଡ଼ିସକ୍ଳେମରସ’ ତଥା ଶିଶୁ-ଅନୁକୂଳ ବିଜ୍ଞାପନ ପ୍ରଦର୍ଶନ ଇତ୍ୟାଦି ନୀତି ନିର୍ଦ୍ଧାରଣ ପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଛି ।
ଭାରତରେ ବିଜ୍ଞାପନ ନିଷିଦ୍ଧ ହୋଇଥିବା କେତେକ ସାମଗ୍ରୀର ଉତ୍ପାଦନ ଓ ବଜାର ଦୃତଗତିରେ ବୃଦ୍ଧି ପାଉଥିବା ହେତୁ ବିଜ୍ଞାପନ ବାରଣ ବାରମ୍ୱାର ଉଲଂଘନ ହୋଇଥାଏ । ଉଦାହରଣରେ ବଜାର ଗବେଷଣା ପ୍ରତିଷ୍ଠାନ ‘ଆଇଏମଏଆରସି’ର ବିବରଣୀ ଅନୁଯାୟୀ ପାନମସଲା ବ୍ୟବସାୟ ୨୦୨୧ରେ ପ୍ରାୟ ୪୨ ହଜାର କୋଟି ଟଙ୍କା ହିସାବ କରାଯାଇଥିବା ସ୍ଥଳେ ୨୦୨୭ରେ ୫୩ ହଜାର କୋଟି ଟଙ୍କାରେ ପହଞ୍ଚିବା ଆକଳନ କରାଯାଏ । ଏଭଳି ବିପୁଳ ଅର୍ଥ ସମୃଦ୍ଧ ବ୍ୟବସାୟରେ ପ୍ରତିଯୋଗୀମାନଙ୍କୁ ବିଜ୍ଞାପନ ପ୍ରଦର୍ଶନରୁ କ୍ଷାନ୍ତ ରଖିବା କାଠିକର ପାଠ । ଅବଶ୍ୟ ନୀତିନିୟମ ବିରୁଦ୍ଧାଚ଼ରଣ ରୋକିବା ନିମନ୍ତେ ସ୍ୱତନ୍ତ୍ର ପ୍ରାଧିକରଣ ଗଠନ ଓ ଜରିମାନା ବ୍ୟବସ୍ଥା ଆଶା ସଂଚାର କରେ । ବିଜ୍ଞାପନ ବୃତ୍ତିଗତ ଶୀର୍ଷ ଅନୁଷ୍ଠାନ ‘ଏଡ଼ଭାଟାଇଜିଂ ଷ୍ଟାଣ୍ଡାର୍ଡସ କାଉନସିଲ ଅଫ ଇଣ୍ଡିଆ’ ପକ୍ଷରୁ ମଧ୍ୟ ମାର୍ଗଦର୍ଶିକା ଜାରିକୁ ସ୍ୱାଗତ କରାଯାଇଛି ।
