ମନୋଜ ଦାସଙ୍କ ଯଶସ୍ୱୀ କଥାକାର ଜୀବନର ଆଢୁଆଳେ ସାମ୍ୱାଦିକତା କ୍ଷେତ୍ରରେ ତାଙ୍କରି କୃତିତ୍ୱ ବହୁ ମଞ୍ଚରେ ଆଲୋଚ଼ନାର ପରିସରକୁ ଆସିପାରେ ନାହିଁ । ଜୀବନବ୍ୟାପୀ ଓଡ଼ିଆ ଦୈନିକ ସମ୍ୱାଦପତ୍ର ସମାଜ, ଧରିତ୍ରୀ, ଅନୁପମ ଭାରତ ସାଙ୍ଗକୁ ଜାତୀୟସ୍ତରରେ ଇଂଲିଶ ଟାଇମ୍ସ ଅଫ ଇଣ୍ଡିଆ, ହିନ୍ଦୁସ୍ତାନ ଟାଇମ୍ସ, ହିନ୍ଦୁ, ଷ୍ଟେଟ୍ସମେନ ସହ କେତେକ ବିଦେଶୀ ପତ୍ରପତ୍ରିକାରେ ତାଙ୍କରି ସ୍ତମ୍ଭମାନ ପ୍ରକାଶିତ ହୋଇଥିଲା । ଚପଳମତି ସ୍କୁଲ ଜୀବନରୁ ବାର୍ଦ୍ଧକ୍ୟରେ ଶଯ୍ୟାଶାୟୀ ଅବସ୍ଥାରେ ପହଞ୍ଚିବା ଯାଏଁ ସୃଜନ ଓ ପ୍ରକାଶନ ସହ ଯୋଡ଼ି ହୋଇ ରହି ଆସିଥିଲେ ।
ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ୧୯୫୦ରେ ‘ଦିଗନ୍ତ’ ପତ୍ରିକା ସଂପାଦନା ଓ ପ୍ରକାଶନ କରିଥିଲେ । ଏଥିରୁ ସୃଜନ ଓ ପ୍ରକାଶନ ମଞ୍ଚ ପ୍ରଯୋଜନାରେ ମନୋଜ ଦାସଙ୍କ ତତ୍ପରତା ବେଶ ଲକ୍ଷ୍ୟ କରିହୁଏ । ପରବର୍ତ୍ତୀ କାଳରେ ଇଂଲିଶ ପତ୍ରିକା ‘ହେରିଟେଜ’ ସମ୍ପାଦନା ସହ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତିକସ୍ତରରେ ବହୁ ଗଣମାଧ୍ୟମ ସଂସ୍ଥା ସହ ପରାମର୍ଶଦାତା ଭାବେ ସଂପୃକ୍ତ ଥିଲେ ।
ଏତଦ୍ ବ୍ୟତୀତ ପୁଡୁଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଦୀର୍ଘ ୫୭ ବର୍ଷ ଅବସ୍ଥାନ କାଳରେ ଆଶ୍ରମର ପ୍ରକାଶନଗୁଡ଼ିକରେ ଅଂଶ ଗ୍ରହଣ କରିବା ତ ସ୍ୱାଭାବିକ । ମନୋଜ ଦାସ ସର୍ଜନଶୀଳ ଥିଲେ, ସେଥିରେ ଦ୍ୱି-ମତ ନାହିଁ । କିନ୍ତୁ ସେ ଦୀର୍ଘକାଳ ସୃଜନକ୍ଷେତ୍ରରେ ଅତିବାହିତ କରିଥିବା ହେତୁ ତାଙ୍କରି ଲେଖକ-ସାମ୍ୱାଦିକ ଜୀବନ ଯେ ତେଜଦୀପ୍ତ ହୋଇପାରିଥିଲା, ଏକଥା ସ୍ଥୁଳ ଅନୁଶୀଳନରେ ହୃଦବୋଧ ହୁଏ । ତାଙ୍କରି ଜୀବନୀରୁ ଯଦି ଆମର କିଛି ଶିଖିବାର ଅଛି, ତେବେ ପ୍ରଥମତଃ ସୃଜନରେ ଦୀର୍ଘ ସଂପୃକ୍ତି ସଫଳତାର ଅନ୍ୟତମ ରହସ୍ୟ ବୋଲି ବିଚାର କରିବାକୁ ହେବ ।
ମନୋଜ ଦାସ ୧୯୫୯ରେ କଟକ ରେଭେନ୍ସା କଲେଜରୁ ଇଂଲିଶ ସାହିତ୍ୟରେ ସ୍ନାତକୋତ୍ତର ଉପାଧି ଲାଭପରେ ଖ୍ରୀଷ୍ଟ କଲେଜରେ ଚାରିବର୍ଷ ଅଧ୍ୟାପନା କରି କେତେକ ବ୍ୟକ୍ତିଗତ କାରଣରୁ ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅଧ୍ୟାପକ ଭାବେ ଯୋଗଦେବା ନିମନ୍ତେ ୧୯୬୩ରେ ପଣ୍ଡିଚ଼େରୀ, ଅଧୁନା ପୁଡୁଚେରୀ ଯାତ୍ରା କରିଥିଲେ । ନୂଆକରି ଗଢ଼ି ଉଠିଥିବା ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅଧ୍ୟାପନା, ଗବେଷଣା ଓ ସୃଜନ ନିମନ୍ତେ ସୁବିଧା ସୁଯୋଗ ଉପଲବ୍ଧ ଥିଲା । ଷଷ୍ଠ ଓ ସପ୍ତମ ଦଶକ ସୁଦ୍ଧା ଫ୍ରେଞ୍ଚ ଉପନିବେଶରୁ ସଦ୍ୟ ମୁକ୍ତ ପୁଡୁଚେରୀରେ ଫ୍ରେଞ୍ଚ ସଂସ୍କୃତିର ଛାପ ଛୋଟିଆ ସହରଟିରେ ପହଞ୍ଚିଗଲେ ବିଦେଶର ଭ୍ରମ ସୃଷ୍ଟି କରୁଥିଲା । ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି, ସହରର ମଧ୍ୟଭାଗରେ ସୁବିସ୍ତୃତ ସେଣ୍ଟ୍ରାଲ ପାର୍କ, ଫ୍ରେଞ୍ଚ ବସତିର ଗଳିରାସ୍ତା କଳ୍ପନାବିଳାସୀ ମନୋଜ ଦାସଙ୍କ ଲେଖକ ଜୀବନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥିଲା । ପାରିପାର୍ଶ୍ୱିକ ସ୍ଥିତି ଯେ ସୃଜନକୁ ପ୍ରୋତ୍ସାହିତ କରିଥାଏ ତାହା ମନୋଜ ଦାସଙ୍କ ଜୀବନରେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଦିଗ ।
ପୁଡୁଚ଼େରୀ ମାଡ୍ରାସ, ଅଧୁନା ଚ଼େନ୍ନାଇ ସଂଲଗ୍ନ ସହର ହୋଇଥିବା ହେତୁ ଦକ୍ଷିଣ ଭାରତ ଗଣମାଧ୍ୟମ ରାଜଧାନୀର ସୁବିଧା ସୁଯୋଗର ଦ୍ୱାର ଉନ୍ମୁକ୍ତ । ଚ଼େନ୍ନାଇର ଗ୍ରନ୍ଥାଗାର, ଯାଦୁଘର, ହିନ୍ଦୁ ଓ ଚନ୍ଦାମାମା ପବ୍ଲିକେସନ୍ସ ଭଳି ପ୍ରକାଶନ ସଂସ୍ଥା ମନୋଜ ଦାସଙ୍କ ସୃଜନ ପରିସ୍ପୁଟନରେ ସହାୟକ ହୋଇଥିଲା । ସେହିପରି ଶ୍ରୀ ଅରବିନ୍ଦ ଆଶ୍ରମକୁ ବିଦେଶୀ ବୁଦ୍ଧିଜୀବୀ ଓ ପର୍ଯ୍ୟଟକଙ୍କ ଆତଯାତ ଲାଗି ରହିଥାଏ । ସେମାନଙ୍କ ସହଚ଼ର୍ଯ୍ୟରେ ମନୋଜ ଦାସଙ୍କ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ସୃଷ୍ଟିରେ ସହାୟକ ହୋଇଥିଲା । ସେ ଛାତ୍ର ଜୀବନରେ ଇଣ୍ଡୋନେଏସିଆ ଠାରୁ ପରେ ବହୁ ବିଦେଶ ରାଷ୍ଟ୍ର ଭ୍ରମଣର ସୁଯୋଗ ପାଇଥିଲେ । ଜଣେ ସଫଳ ଲେଖକ-ସାମ୍ୱାଦିକ ପକ୍ଷେ ଦେଶବିଦେଶ ଭ୍ରମଣ ଅନିର୍ବାଯ୍ୟ ନହେଲେ ସୁଦ୍ଧା ଅନିସିନ୍ଧୁତ୍ସୁ ପାଠକୀୟ ଆଗ୍ରହ ଚ଼ରିତାର୍ଥ କରିବାରେ ଉପାଦାନ ସଂଗ୍ରହରେ ସହାୟକ ହୋଇଥାଏ । ଏହା ମନୋଜ ଦାସଙ୍କ ଜୀବନରେ ତୃତୀୟ ବିଶେଷତ୍ୱ ।
ଓଡ଼ିଆ ସମ୍ୱାଦପତ୍ର ଓ ପତ୍ରପତ୍ରିକା ନିମନ୍ତେ ସ୍ତମ୍ଭ ରଚ଼ନାରେ ମନୋଜ ଦାସ ଅଗ୍ରଗଣ୍ୟ । ଷଷ୍ଠ ଓ ସପ୍ତମ ଦଶକରେ ‘ସମାଜ’ର ରବିବାର ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ନିୟମିତ ସ୍ତମ୍ଭ ‘ସନ୍ଧାନ ଓ ସମୀକ୍ଷା’ ସାଧାରଣ ପାଠକଙ୍କୁ ଝରକା ସେପାଖ ପୃଥିବୀ ସଂପର୍କରେ ପରିଚିତ କରାଇବା ସଙ୍ଗେ ଯୁବଲେଖକମାନଙ୍କୁ ସାମ୍ୱାଦିକତା ନିମନ୍ତେ ପ୍ରୋତ୍ସାହିତ କରିଥିଲା । ଶ୍ରୀ ଅରବିନ୍ଦ ଜନ୍ମ ଶତବାର୍ଷକୀ ପାଳନ ଅବସରରେ ବୃତ୍ତି ପାଇ ସ୍ୱାଧୀନତା ସଂଗ୍ରାମରେ ଶ୍ରୀ ଅରବିନ୍ଦଙ୍କ ଭୂମିକା ଗବେଷଣା ନିମନ୍ତେ ପ୍ରାୟ ବର୍ଷେକାଳ ମନୋଜ ଦାସ ଲଣ୍ଡନରେ ଅବସ୍ଥାନ କରିଥିଲେ । ଲଣ୍ଡନ ରହଣୀର ପ୍ରତିଟି ଉଲ୍ଲେଖଯୋଗ୍ୟ ଘଟଣାର ଧାରାବିବରଣୀ ନିଜ ସ୍ତମ୍ଭରେ ପ୍ରକାଶ କରିଥିଲେ । ଓଡ଼ିଆ ପାଠକ, ମୁଖ୍ୟତଃ ସେ ସମୟର ଯୁବଶ୍ରେଣୀଙ୍କୁ ପାଶ୍ଚାତ୍ୟ ସଂସ୍କୃତି ସଂପର୍କରେ ପରିଚ଼ିତ କରାଇବାରେ ମନୋଜ ଦାସଙ୍କ ଭ୍ରମଣ କାହାଣୀର ପ୍ରଭାବ ବହୁ ପାଠକ ଜୀବନବ୍ୟାପୀ ଭୁଲି ପାରିନାହାନ୍ତି । ଏହି ବର୍ଗରେ କେତେ ଦିଗନ୍ତ, ଦୂର ଦୂରାନ୍ତର, ଅଦୂର ବିଦେଶ, ଅନ୍ତରଙ୍ଗ ଭାରତ ଇତ୍ୟାଦି ସ୍ତମ୍ଭ ପ୍ରଧାନ ।
ଚତୁର୍ଥତଃ, ମନୋଜ ଦାସଙ୍କ ସାହିତ୍ୟ-ସାମ୍ୱାଦିକତାରେ ବିମୋହିତ ପାଠକବର୍ଗଙ୍କ ସହ ଦୀର୍ଘକାଳୀନ ସଂପର୍କ ସ୍ଥାପନ ବିପୁଳ ପ୍ରସଂଶକ ସୃଷ୍ଟିରେ ପର୍ଯ୍ୟବସିତ ହୋଇଥିଲା । ଛୋଟବଡ଼ ସମସ୍ତ ସାମ୍ୱାଦିକ ଗଣମାଧ୍ୟମରେ ନିଜସ୍ୱ ସୃଜନ ପ୍ରକାଶ କାଳରେ ଊଣାଅଧିକେ ପାଠକଙ୍କ ପ୍ରତିକ୍ରିୟା ପାଇଥାନ୍ତି । କିନ୍ତୁ ପଞ୍ଚାନବେ ପ୍ରତିଶତରୁ ଅଧିକ ଏହି ନୂତନ ପରିଚ଼ିତ ବର୍ଗଙ୍କୁ ବନ୍ଧୁତ୍ୱ ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ଯତ୍ନବାନ ହୁଅନ୍ତି ନାହିଁ । ମନୋଜ ଦାସଙ୍କ ସୃଜନ ଜୀବନର ଦୀର୍ଘକାଳ ମୋବାଇଲ, କମ୍ପ୍ୟୁଟର, ଇଣ୍ଟରନେଟ ଭଳି ସୁଲଭ ଯୋଗାଯୋଗର ବ୍ୟବସ୍ଥା ନଥିଲା । ସେ ଆଶ୍ରମ ପ୍ରସ୍ତୁତ ହେଣ୍ଡମେଡ଼ ପେପରର ସୁନ୍ଦର ଲେଟର ହେଡ଼ରେ ନିଜ ପାଖେ ପହଞ୍ଚୁଥିବା ପ୍ରତ୍ୟେକଟି ପତ୍ରର ହସ୍ତଲିଖିତ ଉତ୍ତର ଡ଼ାକ ଯୋଗେ ଦେଉଥିଲେ । ଏହା ହିଁ ସଂପର୍କର ସେତୁ ବାନ୍ଧୁଥିଲା ।
ମନୋଜ ଦାସଙ୍କ ପୂର୍ବପୀଢ଼ିର ଖ୍ୟାତନାମା ସାହିତ୍ୟିକ-ସାମ୍ୱାଦିକ-ସମ୍ପାଦକ ତଥା ପ୍ରସିଦ୍ଧ ସ୍ତମ୍ଭକାର ଖୁସୁବନ୍ତ ସିଂ ସମ୍ୱାଦପତ୍ର ପଢ଼ିବାପରେ ପାଠକ-ପ୍ରଶଂସକଙ୍କ ପତ୍ରର ଉତ୍ତରଲେଖାରେ ସମଗ୍ର ସକାଳବେଳାଟି ଉପଯୋଗ କରୁଥିଲେ । ସାମ୍ୱାଦିକତା କ୍ଷେତ୍ରରେ ଖ୍ୟାତିର ସଂପ୍ରସାରଣ ପାଇଁ ସମସ୍ତବର୍ଗର ସାମ୍ୱାଦିକ ପାଠକ ସଂପୃକ୍ତି ପ୍ରତି ଲକ୍ଷ୍ୟଭିତ୍ତିକ ଉଦ୍ୟମ ଦୀର୍ଘକାଳୀନ ସଫଳତା ପ୍ରଦାନ କରିଥାଏ ।
ମନୋଜ ଦାସ ଉତ୍ତର ପୀଢ଼ି ସାହିତ୍ୟିକ ସାମ୍ୱାଦିକମାନଙ୍କୁ ନିଜ ସୃଜନ ଚାତୁରୀ ସଂପର୍କରେ ଉଦାର ଚିତ୍ତରେ ପରାମର୍ଶ ଦେଉଥିଲେ । ସେ କହୁଥିଲେ କୌଣସି ବିଷୟରେ ଚ଼ିନ୍ତା ପ୍ରକଟମାତ୍ରେ ପ୍ରଥମେ ପ୍ରଗଳଭ ଭାବେ ସେ ଲେଖି ପକାନ୍ତି । କିଛି ସମୟ ବ୍ୟବଧାନରେ, ଏପରିକି ପରଦିନ ବା ବହୁଦିନ ପରେ, ସେହି ରଚ଼ନାଗୁଡ଼ିକୁ ସଂଶୋଧନ, ପୁନଃଲିଖନରେ ମନୋନିବେଶ କରନ୍ତି । ଏହି ପ୍ରକ୍ରିୟାକୁ ସେ ଗୋ-ମହିଷାଦି ପଶୁଙ୍କ ଖାଦ୍ୟ ଗ୍ରହଣଜନିତ ‘ରୋମନ୍ଥନ’ ସହ ତୁଳନା କରୁଥିଲେ ।
ପଞ୍ଚମତଃ, ମନୋଜ ଦାସଙ୍କ ଏହି ତତ୍ତ୍ୱ ଯେଉଁ ସାହିତ୍ୟିକ, ସାମ୍ୱାଦିକ ତଥା ଅନ୍ୟ ସର୍ଜନଶୀଳମାନେ ବୁଝିପାରିଥାନ୍ତି ସେମାନଙ୍କ ସୃଜନର ଉତ୍କର୍ଷ ପରିମାପ ଅନ୍ତତଃପକ୍ଷେ ୫୦ ପ୍ରତିଶତ ବଢ଼ିଥାଏ । ମନୋଜ ଦାସଙ୍କ ପରଲୋକ ଘଟିଛି ସତ, ପୁଣି ଥରେ ତାଙ୍କ ସହ ଦେଖା-ସାକ୍ଷାତ ଆଳାପ-ଆଲୋଚନା ଅସମ୍ଭବ । ତେବେ ନିଜସ୍ୱ ରଚନାର ରୋମନ୍ଥନ ପ୍ରକ୍ରିୟାରେ ସଂଶୋଧନ, ପୁନଃଲିଖନ କାଳରେ ଆକସ୍ମିକ ତାଙ୍କରି ସ୍ମୃତିଯେ ମନେପଡ଼ିଯିବ ଏଥିରେ ସନ୍ଦେହ ନାହିଁ ।
