ହଲିଉଡ଼ଭିତ୍ତିକ ‘ଏକାଡ଼େମୀ ଅଫ ମୋସନ ପିକଚର ଆର୍ଟ୍ସ ଏଣ୍ଡ ସାଇନସେସ’ର ୯୪ତମ ବାର୍ଷିକ ଚଳଚ଼ିତ୍ର ପୁରସ୍କାର ୨୦୨୨ ପ୍ରତିଯୋଗିତାରେ ‘ଡକ୍ୟୁମେଣ୍ଟରୀ ଫିଚ଼ର’ ବର୍ଗରେ ଭାରତ ନିର୍ମିତ ଚଳଚ଼ିତ୍ର ‘ରାଇଟିଂ ଉଇଥ ଫାଏର’ ମନୋନୀତ ‘ନୋମିନେଟ’ ହୋଇଛି । ସାଧାରଣରେ ‘ଓସ୍କାର’ ପୁରସ୍କାର ରୂପେ ପରିଚିତ ପ୍ରତିଯୋଗିତାରେ ପ୍ରାମାଣିକ ଚଳଚ଼ିତ୍ର ଭାବେ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବା ଏହା ପ୍ରଥମ ଭାରତୀୟ ଚଳଚ଼ିତ୍ର । ଓସ୍କାର ପୁରସ୍କୃତ ସଙ୍ଗେ ଶେଷ ପର୍ଯ୍ୟାୟ ମନୋନୟନକୁ ମଧ୍ୟ ସମ୍ମାନଜନକ ବିଚାର କରାଯାଏ । ବିଗତ ୯୩ ବର୍ଷର ଇତିହାସରେ ତେର ଜଣ ଭାରତୀୟ ବିଭିନ୍ନ ବର୍ଗରେ ଚୂଡ଼ାନ୍ତ ପ୍ରତିଯୋଗିତାକୁ ମନୋନୀତ ହୋଇଥିବା ସ୍ଥଳେ ଆଠଜଣ ପୁରସ୍କୃତ ହୋଇଛନ୍ତି ।
ଆନ୍ତର୍ଜାତିକସ୍ତରରେ ‘ଏକାଡ଼େମୀ ଅଫ ମୋସନ ପିକଚ଼ର ଆର୍ଟ୍ସ ଏଣ୍ଡ ସାଇନସେସ’ ଗୁଣାତ୍ମକ ଚଳଚ଼ିତ୍ର ଚୟନ କ୍ଷେତ୍ରରେ ପ୍ରସିଦ୍ଧ । କ୍ରମାଗତଭାବେ ୧୯୨୯ ମସିହାରୁ ଦୀର୍ଘ ନଅ ଦଶନ୍ଧିରୁ ଅଧିକ ସମୟ ଧରି ଏହାର ବାର୍ଷିକ ପୁରସ୍କାର ସର୍ବତ୍ର ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥାଏ । ଏକାଡ଼େମୀ ପୁରସ୍କାର ଅନୁଷ୍ଠାନର ସଦସ୍ୟମାନଙ୍କ ଭୋଟ ଦ୍ୱାରା ନିର୍ବାଚନ କରାଯାଏ । ସେମାନଙ୍କ ପାଇଁ ସମସ୍ତ ଚଳଚ଼ିତ୍ର ପ୍ରଦର୍ଶନର ବ୍ୟବସ୍ଥା ହୋଇଥାଏ । ପ୍ରେକ୍ଷାଳୟ ପ୍ରଦର୍ଶନ ବ୍ୟତୀତ ମହାମାରୀରୁ ଡିଜିଟାଲ ଷ୍ଟ୍ରୀମିଂର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏକାଡ଼େମୀରେ ୨୦୧୮ ସୁଦ୍ଧା ସାତ ହଜାର ସଦସ୍ୟ ରହିଥିଲେ । ଚଳଚ଼ିତ୍ର ଶିଳ୍ପର ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏକାଡ଼େମୀ ପକ୍ଷରୁ ସଦସ୍ୟ ପଦ ଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ କରାଯାଇଥାଏ । ପ୍ରତିବର୍ଷ କିଛି ନୂତନ ସଦସ୍ୟ ସାମିଲ ହୋଇଥାନ୍ତି ।
ଓସ୍କାର ପୁରସ୍କାର ନିମନ୍ତେ ଡକ୍ୟୁମେଣ୍ଟରୀ ଫିଚ଼ର ବର୍ଗରେ ‘ରାଇଟିଂ ଉଇଥ ଫାଏର’ ଅନ୍ୟ ଚାରିଗୋଟି ଚଳଚ଼ିତ୍ର ସହ ମୁକାବିଲା କରିବ । ‘ରାଇଟିଂ ଉଇଥ ଫାୟର’ ଭାରତର ଉତ୍ତର ପ୍ରଦେଶ ତଥା ପଡ଼ୋଶୀ ରାଜ୍ୟଗୁଡ଼ିକରେ ପ୍ରସାରିତ ‘ଖବର ଲହେରିୟା’ ସମ୍ୱାଦପତ୍ରର ବିବରଣୀ ଲିପିବଦ୍ଧ ହୋଇଥିବା ସ୍ଥଳେ ଅନ୍ୟ ତିନିଗୋଟି ମଧ୍ୟରୁ ଚୀନରେ ପ୍ରଯୋଜିତ ‘ଆସେନସନ’ ସେଠାକାର ଜନଜୀବନରେ କର୍ମ ସଂସ୍କୃତି ଆଲୋଚ଼ିତ । ସେହିପରି ଯୁକ୍ତରାଷ୍ଟ୍ର ଆମେରିକାର ‘ଆଟିକା’ ଚଳଚ଼ିତ୍ରରେ ୧୯୭୧ରେ ଏକ କାରାଗାରରେ ସଂଘର୍ଷର କାହାଣୀ ଓ ‘ସମର ଅଫ ସୋଲ’ ମାର୍କିନ କୃଷ୍ଣକାୟ ବସତିରେ ଆୟୋଜିତ ୧୯୬୯ ‘ହେରଲମ କଲଚ଼ରାଲ ଫେଷ୍ଟିଭାଲ’ର ବିବରଣୀ ଉପସ୍ଥାପିତ । ଡ଼େନମାର୍କର ‘ଫ୍ଳି’ରେ ଜଣେ ବ୍ୟକ୍ତି ବିବାହ ବେଳେ ଶୈଶବରେ ଜଣେ ଶାରଣାର୍ଥୀ ରୂପେ ଦେଶକୁ ପହଞ୍ଚି ଥିବା ଜାଣିବାକୁ ପାଇବାପର ନାଟକୀୟ ଘଟଣାକ୍ରମ ଏନିମେସନ ମାଧ୍ୟମରେ ପ୍ରଦର୍ଶିତ ।
‘ରାଇଟିଂ ଉଇଥ ଫାଏର’ ସୁସ୍ମିତ ଘୋଷ ଓ ରିଣ୍ଟୁ ଥୋମାସଙ୍କ ଦ୍ୱାରା ପ୍ରଯୋଜିତ ଓ ନିର୍ଦ୍ଦେଶିତ । ଉଭୟ କେରଳଭିତ୍ତିକ ଏବଂ ନୂଆଦିଲ୍ଲୀରେ ବସବାସ କରନ୍ତି । ହିନ୍ଦୀ ଭାଷାରେ ୯୪ ମିନଟ ଅବଧିର ପ୍ରାମାଣିକ ଚ଼ିତ୍ରଟି ‘ସନଡ଼େନ୍ସ’ ଚଳଚ଼ିତ୍ର ଉତ୍ସବରେ ୩୦ ଜାନୁୟାରୀ ୨୦୧୧ରେ ପ୍ରଦର୍ଶିତ ହୋଇ ‘ସ୍ପେଶାଲ ଜୁରି’ ଓ ‘ଅଡ଼ିଏନ୍ସ ଏୱାଡ଼’ ଦୁଇଗୋଟି ପୁରସ୍କାର ପାଇଥିଲା । ପରବର୍ତ୍ତୀ ବର୍ଷକ ମଧ୍ୟରେ ବିଶ୍ୱବ୍ୟାପୀ ଆୟୋଜିତ ୧୨୦ ଗୋଟି ଚଳଚ଼ିତ୍ର ଉତ୍ସବରେ ଅଂଶଗ୍ରହଣ କରିଥିଲା ।
‘ରାଇଟିଂ ଉଇଥ ଫାୟର’ ଅନୁଶୀଳନ ତିନିଗୋଟି ଦିଗରୁ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ, ପ୍ରାମାଣିକ ଚଳଚ଼ିତ୍ରଟି ଓସ୍କାର ପୁରସ୍କାର ନିମନ୍ତେ ମନୋନୀତ ହୋଇଛି । ଦ୍ୱିତୀୟତଃ, ବିଶ୍ୱବ୍ୟାପୀ ସାମ୍ୱାଦିକତାର ଭୂମିକାକୁ ନେଇ ଚର୍ଚ୍ଚା ଚାଲିଥିବା ଅବସରରେ ଭାରତୀୟ ସମାଜରେ ଅବହେଳିତ ବର୍ଗ ମହିଳାମାନଙ୍କ ଦ୍ୱାରା ଗୁଣାତ୍ମକ ସାମ୍ୱାଦିକତା ବିକାଶଲାଗି ଉଦ୍ୟମ ଚଳଚ଼ିତ୍ରଟିର ବିଷୟବସ୍ତୁ । ତୃତୀୟତଃ, ସମ୍ୱାଦ ମଞ୍ଚଗୁଡ଼ିକ ପାରମ୍ପରିକ ଆଙ୍ଗିକ ପରିବର୍ତ୍ତନ କରି ଡିଜିଟାଲ ମୁହାଁ ହେଉଥିବା ସମୟରେ ସେଥିରେ ଗ୍ରାମୀଣ ପରିବେଶରେ ନୂତନ ମାଧ୍ୟମ ପ୍ରଯୋଜନା, ପ୍ରସାରଣ ଓ ଉପଭୋକ୍ତାଙ୍କ ଗ୍ରହଣୀୟତାର ମୂଲ୍ୟାୟନ ସମୟ ଉପଯୋଗୀ ମନେ ହୁଏ ।
ଦିଲ୍ଲୀର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନିରନ୍ତର ଟ୍ରଷ୍ଟ’ ପ୍ରୋତ୍ସାହନରେ ଉତ୍ତର ପ୍ରଦେଶ ବୁଲେନ୍ଦଖଣ୍ଡ ଅଞ୍ଚଳର ଚ଼ିତ୍ରକୂଟଠାରେ ଦଳିତ ମହିଳାମାନଙ୍କ ଦ୍ୱାରା ୨୦୦୨ରୁ ଏକ ମୁଦ୍ରିତ ଗ୍ରାମ୍ୟ ସମ୍ୱାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା । ଅଭିଜ୍ଞ ସାମ୍ୱାଦିକମାନଙ୍କ ତତ୍ତ୍ୱାବଧାନ ‘ମେନଟରସିପ’ରେ ସ୍ଥାନୀୟ ମହିଳାମାନେ ସମ୍ୱାଦ ସଂଗ୍ରହ, ସମ୍ପାଦନା, ପୃଷ୍ଠାସଜ୍ଜା, ମୁଦ୍ରଣ ତତ୍ତ୍ୱାବଧାନ ଓ ପ୍ରସାରଣ ଦାୟିତ୍ୱ ସଂଭାଳିଥାନ୍ତି । ସମ୍ପାଦନା ଓ ପ୍ରକାଶନ କାର୍ଯ୍ୟ ଛଅ ଜଣ ମହିଳା ତୁଲାଉଥିବା ବେଳେ ପ୍ରାୟ ୨୫ ଜଣ ମହିଳା ସମ୍ୱାଦଦାତା ସମ୍ୱାଦ ସଂଗ୍ରହ କରିଥାନ୍ତି । ମୁଦ୍ରିତ ସାପ୍ତାହିକୀର ପାଞ୍ଚ ହଜାର ଏବଂ ଡିଜିଟାଲ ମଞ୍ଚରେ ୟୁଟ୍ୟୁବ ଚ୍ୟାନେଲର ପାଞ୍ଚ ଲକ୍ଷ ଗ୍ରାହକ ହିସାବ କରାଯାଏ ।
‘ଖବର ଲହେରିୟା’ ୧୪ ବର୍ଷ ଧରି ମୁଦ୍ରିତ ସମ୍ୱାଦପତ୍ର ଆକାରରେ ପ୍ରକାଶିତ ହେବା ପରେ ଉନ୍ନତ ସାମ୍ୱାଦିକତା ପରିବେଶରେ ଡିଜିଟାଲ ପରିବର୍ତ୍ତନକୁ ଆଧାର କରି ୨୦୧୩ରେ ନିଜର ୱେବସାଇଟ ଏବଂ ୨୦୧୬ରୁ ଡିଜିଟାଲ ସଂସ୍କରଣ ଆରମ୍ଭ କରିଥିଲା । ମୁଦ୍ରିତ ସମ୍ୱାଦପତ୍ରରୁ ସ୍ମାର୍ଟଫୋନଭିତ୍ତିକ ଡିଜିଟାଲ ମଞ୍ଚ ପ୍ରଯୋଜନାର କାହାଣୀ ‘ରାଇଟିଂ ଉଇଥ ଫାଏର’ ପ୍ରମାଣିକ ଚ଼ିତ୍ରରେ ଲିପିବଦ୍ଧ ହୋଇଛି । ‘ଖବର ଲହେରିୟା’ର ମୁଖ୍ୟ ମୀରା ଓ ଦୁଇଜଣ ସହଯୋଗୀ ସୁନୀତା, ଶ୍ୟାମକାଳୀଙ୍କ ସାମ୍ୱାଦିକତା ଅନୁଭୂତି ବୃତ୍ତଚ଼ିତ୍ରଟିର ମୂଳ ଭିତ୍ତି । ଗ୍ରାମୀଣ ପରିବେଶରେ ଅଳ୍ପ ଶିକ୍ଷିତ ମହିଳାମାନଙ୍କ ଦ୍ୱାରା ସମ୍ୱାଦ ମଞ୍ଚ ପରିଚାଳନା ତଥା ଦୃତ ପରିବର୍ତ୍ତନଶୀଳ ବୈଷୟିକ ପ୍ରଗତି ସହ ସମତାଳ ଦେଇ ଗତିର ଧାରାବିବରଣୀ ବର୍ଣ୍ଣିତ ।
ଭାରତ ଗ୍ରାମବହୁଳ ଏବଂ ଓଡ଼ିଶାରେ ଅଶୀ ପ୍ରତିଶତରୁ ଅଧିକ ପରିବାର ଗ୍ରାମାଞ୍ଚଳ ବାସିନ୍ଦା । ପାରମ୍ପରିକଭାବେ ମୁଦ୍ରଣ ସମ୍ୱାଦ ମଞ୍ଚ ଗ୍ରାମାଞ୍ଚଳ ସମ୍ୱାଦ ପରିବେଷଣ ଓ ପ୍ରସାରରେ ଆଶା ଅନୁରୂପକ ସଫଳତା ହାସଲ କରିପାରି ନଥିବା ସ୍ଥଳେ ଡିଜିଟାଲ ମଞ୍ଚ ନୂତନ ପ୍ରତିଶୃତି ବହନ କରେ । ସମ୍ୱାଦ ଆହରଣ ଓ ପ୍ରସାରଣ କ୍ଷେତ୍ରରେ ସମସ୍ତ ନାଗରିକଙ୍କୁ ସାମିଲ ହେବା ସୁଯୋଗ ସୃଷ୍ଟି ଲାଗି ଡିଜିଟାଲ ମଞ୍ଚରେ ବିଶ୍ୱବ୍ୟାପୀ ପରୀକ୍ଷାନିରୀକ୍ଷା ଚାଲିଛି । ଏହି ପରିବେଶରେ ‘ଖବର ଲହେରିୟା’ର କାର୍ଯ୍ୟଧାରା ବୃହତ ଦର୍ଶକଙ୍କଠାରେ ଉପଲବ୍ଧ କରାଇବାରେ ‘ରାଇଟିଂ ଉଇଥ ଫାଏର’ ଏକ ଉଲ୍ଲେଖନୀୟ ଭୂମିକା ବହନ କରିବା ସୁନିଶ୍ଚିତ । ବୃତ୍ତଚ଼ିତ୍ରଟି ‘ଓସ୍କାର’ ପୁରସ୍କାର ମନୋନୟନ ସୋପାନକୁ ଉନ୍ନୀତ ହେବାପରେ ଏହା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିବା ସମ୍ଭବ । ଗୁଣାତ୍ମକ ଗ୍ରାମୀଣ ସାମ୍ୱାଦିକତା ବିକାଶ ପଥରେ ଏହି ଉପକ୍ରମ ସ୍ୱାଗତଯୋଗ୍ୟ ।
ସୁସ୍ମିତ ଘୋଷ ଓ ରିଣ୍ଟୁ ଥୋମାସ ‘ରାଇଟିଂ ଉଇଥ ଫାଏର’ ଚିତ୍ର ଉତ୍ତୋଳନ ନିମନ୍ତେ ୨୦୧୬ରୁ ୨୦ ପାଞ୍ଚ ବର୍ଷ ବିନିଯୋଗ କରି ବାସ୍ତବ ସ୍ଥିତି ଲିପିବଦ୍ଧ କରିଥିଲେ । ତାଙ୍କରି ଟିମରେ ମାତ୍ର ତିନିଜଣ ସାମିଲ ହେଉଥିଲେ ଏବଂ ସୁଟିଂ ପାଇଁ ଏସଏଲଆର କ୍ୟାମେରା ବ୍ୟବହାର କରୁଥିଲେ । ସୁସ୍ମିତ ଓ ରିଣ୍ଟୁଙ୍କ ଡକ୍ୟୁମେଣ୍ଟରୀ ନିର୍ମାଣ ଅଭିଜ୍ଞତାରୁ ଆମ ରାଜ୍ୟର ଉଦୀୟମାନ ଚଳଚ଼ିତ୍ର ନିର୍ମାତାମାନେ କେତେକ ବିଷୟରେ ସ୍ପଷ୍ଟ ହୋଇ ପାରିବେ । ପ୍ରଥମତଃ, ଦୀର୍ଘ ସମୟ ଅବଧିରେ ଡ଼କ୍ୟୁମେଣ୍ଟରୀ ନିମନ୍ତେ ଚ଼ିତ୍ର ଉତ୍ତୋଳନ କଲେ ଆକର୍ଷଣୀୟ ଓ ନାଟକୀୟ ଦୃଶ୍ୟାବଳୀ ‘ଫୁଟେଜ’ ସଂଗ୍ରହ ସମ୍ଭବ । ଗୁଣାତ୍ମକ ଓ ବିଶ୍ୱସନୀୟ ଡକ୍ୟୁମେଣ୍ଟରୀ ନିମନ୍ତେ ଘଟଣାର ପ୍ରାମାଣିକ ତଥ୍ୟ ଉପସ୍ଥାପନ ପ୍ରାଥମିକତା ଦାବୀ କରିଥାଏ ।
ଦ୍ୱିତୀୟତଃ, ଡକ୍ୟୁମେଣ୍ଟରୀ ନିର୍ମାଣ ନିମନ୍ତେ ଖର୍ଚ୍ଚ ବହୁଳ ବଜେଟ ବଦଳରେ ଆଧୁନିକ କାରିଗରୀ କୌଶଳ ବ୍ୟବହାର ଯୁକ୍ତିଯୁକ୍ତ । ସୁସ୍ମିତ ପ୍ରଯୋଜନା ଓ ନିର୍ଦ୍ଦେଶନା ସହ ଚ଼ିତ୍ର ଉତ୍ତୋଳନ ଓ ସମ୍ପାଦନା ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ । ଡ଼କ୍ୟୁମେଣ୍ଟରୀ ନିର୍ମାତା ବହୁମୁଖୀ କଳା-କୌଶଳ ଆୟତ୍ତ କରିପାରିଲେ ଖର୍ଚ୍ଚ କାଟ ଓ ଗୁଣବତ୍ତା ବିକାଶ ସଂଭବ ।
ତୃତୀୟତଃ, ସର୍ଜନଶୀଳ ଡକ୍ୟୁମେଣ୍ଟରୀ ନିର୍ମାଣ ନିମନ୍ତେ ଓଡ଼ିଶାକେନ୍ଦ୍ରୀକ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ସ୍ୱାବଲମ୍ୱୀ ‘ସଷ୍ଟେନବଲ ମଡ଼େଲ’ ପ୍ରଣୟନ କରିବାକୁ ପଡ଼ିବ । ଉଦାହରଣରେ କୌଣସି ଶିଳ୍ପାୟନ ନିମନ୍ତେ ଅଞ୍ଚଳବାସୀ ପ୍ରତିରୋଧ କରୁଛନ୍ତି । ଏହି ସଂଗ୍ରାମ ଦୀର୍ଘ କାଳ ଚାଲିପାରେ । ଶେଷରେ ଫଳାଫଳ କ’ଣ ହେବ ଅଜଣା । ଏହି ବିଷୟବସ୍ତୁକୁ ନେଇ ଡକ୍ୟୁମେଣ୍ଟରୀ ପାଇଁ ଅର୍ଥ ନିବେଶ କରିବ କିଏ ? ନିର୍ଦ୍ଦେଶକ କେବଳ ବୃତ୍ତଚ଼ିତ୍ର ନିର୍ମାଣରେ ବ୍ୟସ୍ତ ରହିଲେ ଗୁଜାରଣ ମେଣ୍ଟାଇବେ କିପରି ?
ସରଳ ବିଚାରରେ ଦୁଇଗୋଟି ଉପାୟ ଉପଲବ୍ଧ । ଏକ ନ୍ୟାସ ସଂସ୍ଥା ଗଠନ କରି ନିର୍ଦ୍ଧାରିତ ବିଷୟରେ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ସହାୟତାଲାଗି ସାମୂହିକ ପାଣ୍ଠି ‘କ୍ରାଉଡ଼ ଫଣ୍ଡ’ ସଂଗ୍ରହ କିମ୍ୱା ପ୍ରଯୋଜକ ବାହାଘର ଭିଡ଼ିଓ ଫଟୋସୁଟ ଭଳି ବର୍ତ୍ତମାନ ପାଇଁ ଅର୍ଥକାରୀ ବ୍ୟବସାୟରେ କିଛି ସମୟ ବିନିଯୋଗ କରି ଉପାର୍ଜନରେ ନିଜ ସୃଜନ ଜୀବନକୁ ପରିପୃଷ୍ଟ କରିପାରିବେ । ଏହା ଅପ୍ରୀତିକର ବୋଧ ହେଉଥିଲେ ହେଁ ଏହାହିଁ ସ୍ଥାନୀୟ ବାସ୍ତବତା । ପବ୍ଳିକ ରିଲେସନ, ଏଜୁକେସନନାଲ ଓ କର୍ପୋରେଟ ଭିଡ଼ିଓ ନିର୍ମାଣରେ ରୋଜଗାର ସମ୍ଭବ ଥିଲେ ହେଁ ଏଥିରେ ସୃଜନ ଅପେକ୍ଷା ମାର୍କେଟିଂରେ ଉଭୟ ସମୟ ଓ ଦକ୍ଷତା ବିନିଯୋଗ କରିବାକୁ ପଡ଼ିଥାଏ । ଚଳଚ଼ିତ୍ରରେ ସରକାରୀ ନିବେଶର ଧାରା ନାହିଁ ଏବଂ ଯଦିବା ଆସେ ତାହା ପ୍ରକୃତ ସୃଜନଶିଳ୍ପୀଙ୍କ ଭାଗରେ ପଡ଼ିବ ନାହିଁ ।
‘ରାଇଟିଂ ଉଇଥ ଫାଏର’ ଦେଶ ଓ ରାଜ୍ୟରେ ଡକ୍ୟୁମେଣ୍ଟରୀ ଚଳଚ଼ିତ୍ର ନିର୍ମାଣଲାଗି ପ୍ରୋତ୍ସାହନର ବାତାବରଣ ସୃଷ୍ଟି କରିବା ଆଶା କରାଯାଇପାରେ । ଡକ୍ୟୁମେଣ୍ଟରୀ ଚଳଚ଼ିତ୍ର ସାମାଜିକ ପରିବର୍ତ୍ତନରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରେ । ବହୁ ସଂଖ୍ୟକ ପ୍ରଯୋଜକ ଓ ନିର୍ଦ୍ଦେଶକ ଦୀର୍ଘକାଳ ନିମନ୍ତେ ଡ଼କ୍ୟୁମେଣ୍ଟରୀ ଚଳଚ଼ିତ୍ରରେ ସଂପୃକ୍ତ ରହିଲେ ଏବଂ ଗୁଣାତ୍ମକ ବିକାଶ ନିମନ୍ତେ ଉଚ଼ିତ ମଞ୍ଚରେ ପଦକ୍ଷେପ ଗ୍ରହଣ କରାଗଲେ ରାଜ୍ୟ ସାଂସ୍କୃତିକ, ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ସୁଫଳ ମିଳିବା ସମ୍ଭବପର । ଅନଲାଇନ ପରିବେଶରେ ପାଠ୍ୟ ବଦଳରେ ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମପ୍ରତି ଗଣମାଧ୍ୟମ ଉପଭୋକ୍ତା ଆକର୍ଷିତ ହେଉଥିବା ହେତୁ ସାମ୍ୱାଦିକତା ଓ ସାହିତ୍ୟରେ ରୁଚି ରଖୁଥିବା ପ୍ରତିଭାଧରମାନେ ଡକ୍ୟୁମେଣ୍ଟରୀ ନିର୍ମାଣ ପ୍ରତି ସୃଜନ ମୋଡ଼ ବଦଳାଇବା ସମୟର ଆହ୍ୱାନ ।
