ପ୍ରତିଯୋଗିତାମୂଳକ ପରିବେଶରେ ଗଣମାଧ୍ୟମ ମଞ୍ଚଗୁଡ଼ିକ ପକ୍ଷରୁ ପାଠକ, ଶ୍ରୋତା ଓ ଦର୍ଶକଙ୍କୁ ଦୀର୍ଘକାଳ ବ୍ୟାପୀ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଉଦ୍ୟମ ଆବଶ୍ୟକ ପଡ଼ିଥାଏ । ସାଧାରଣତଃ ବୃହତ ସମ୍ୱାଦପତ୍ରମାନଙ୍କ ଦ୍ୱାରା ଏଦିଗରେ ସୁପରିକଳ୍ପିତ ଯୋଜନାମାନ ପ୍ରଣୟନ ହେଉଥିବା ଦେଖିବାକୁ ମିଳେ । ଏଥିଲାଗି ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ ହୋଇଥାନ୍ତି କିମ୍ୱା ଆବଶ୍ୟକମତେ ବାହ୍ୟ ସଂସ୍ଥାକୁ ନିଯୁକ୍ତ କରାଯାଇଥାଏ ।
ମୁଦ୍ରିତ ସମ୍ୱାଦପତ୍ରରେ ‘ସମ୍ପାଦକଙ୍କୁ ପତ୍ର’ ସର୍ବପୁରାତନ ପାଠକ ସଂପୃକ୍ତି ‘ରିଡ଼ର୍ସ ଏଙ୍ଗେଜମେଣ୍ଟ’ ବିଭବ । ସମକାଳରେ ଏହି ସ୍ତମ୍ଭର ଗୁରୁତ୍ୱ ହ୍ରାସ ପାଇ ଆସିଥିଲେହେଁ ଗଭୀର ଆଞ୍ଚଳିକସ୍ତରର ଖବରଅନ୍ତର, ଅଭାବଅଭିଯୋଗ, ଚଳନ୍ତି ଘଟଣାକ୍ରମ ସଂପର୍କରେ ଅଭିମତ ତଥା ବିଭିନ୍ନ ସାର୍ବଜନୀନ ଘୋଷଣା ସମ୍ୱଳିତ ପାଠକମାନଙ୍କ ଦ୍ୱାରା ପ୍ରେରିତ ପତ୍ର ପ୍ରକାଶନରେ ସମ୍ୱାଦପତ୍ରର ବିଶ୍ୱାସନୀୟତା ବୃଦ୍ଧି ପାଇଥାଏ । ମୂଲ୍ୟବୋଧଭିତ୍ତିକ ଗଣତାନ୍ତ୍ରିକ ଶାସନ ବିକାଶରେ ଜନସାଧାରଣଙ୍କ ଯୋଗଦାନ ନିମନ୍ତେ ଏହିଭଳି ସ୍ତମ୍ଭ ମଞ୍ଚ ପ୍ରସ୍ତୁତ କରିପାରେ । ଅତୀତରେ ସାମ୍ୟବାଦୀ ସୋଭିଏତ ଋଷ ପରିଚାଳନାଧୀନ ‘ପ୍ରଭଦା’ ସମ୍ୱାଦପତ୍ରର ପ୍ରମୁଖ ଅଂଶ ‘ସଂପାଦକଙ୍କୁ ପତ୍ର’ ସ୍ତମ୍ଭକୁ ସମର୍ପିତ ଥିବା ଉଦାହରଣର ଅଭାବ ନାହିଁ ।
ପାଶ୍ଚାତ୍ୟ ଭୂଖଣ୍ଡ, ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାରେ ସମ୍ୱାଦପତ୍ରକୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ‘ଫାଷ୍ଟ ମୁଭିଙ୍ଗ କନଜ୍ୟୁମର ଗୁଡ଼ସ’ ରୂପେ ପାଠକଙ୍କ ନିକଟରେ ପହୁଞ୍ଚାଇବା ନିମନ୍ତେ ବ୍ୟାବସାୟିକ ରଣନୀତି ‘ଷ୍ଟ୍ରାଟାଜି’ ଧାରାରେ ନିର୍ଦ୍ଦିଷ୍ଟ ବର୍ଗର ଉପଭୋକ୍ତାଙ୍କୁ ପ୍ରଭାବିତ କରିବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା । ଉଦାହରଣରେ ମହିଳା ପାଠିକାମାନଙ୍କ ନିମନ୍ତେ ଦୈନିକ ସଂସ୍କରଣରେ ସ୍ୱତନ୍ତ୍ର ପୃଷ୍ଠା ସଂଯୋଜନା, କିଶୋରକିଶୋରୀଙ୍କ ନିକଟରେ ପହଞ୍ଚିବା ପାଇଁ ବିଦ୍ୟାଳୟରେ ସମ୍ୱାଦପତ୍ର ପକ୍ଷରୁ କାର୍ଯ୍ୟକ୍ରମ ଇତ୍ୟାଦି ଉଲ୍ଲେଖ କରାଯାଇପାରେ । ସମ୍ୱାଦ ଓ ଅଭିମତ ପରିବେଷଣ ସମ୍ୱାଦପତ୍ରର ଧର୍ମ ବିବେଚିତ ହେଉଥିଲେହେଁ ଅନ୍ୟ ପ୍ରତିଯୋଗୀ ଉତ୍ପାଦଗୁଡ଼ିକ ତୁଳନାରେ ନିଜ ଲୋକପ୍ରିୟତା ବଢ଼ାଇବା ନିମନ୍ତେ ପାଠକ ମଞ୍ଚ ଗଠନ, ପ୍ରତିଯୋଗିତା ଓ ଉତ୍ସବାନୁଷ୍ଠାନ ଆୟୋଜନ ସମ୍ୱାଦପତ୍ର ପ୍ରକାଶନ ବ୍ୟବସାୟର ଅଂଶବିଶେଷ ପାଲଟି ଯାଇଥିଲା ।
‘କୋଭିଡ଼-୧୯’ ମହାମାରୀ କାଳରେ ବିଶ୍ୱବ୍ୟାପୀ ଜନପଦ ବନ୍ଦ ‘ଲକ ଡ଼ାଉନ’ ଓ ‘ସଟ ଡ଼ାଉନ’ ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ବିଗତ ଶହେ ବର୍ଷ ମଧ୍ୟରେ ସର୍ବାପେକ୍ଷା ବିଷମ ପରିସ୍ଥିତି ସୃଷ୍ଟି କରିଥିବା ଚର୍ଚ୍ଚା ହୁଏ । ଏକପକ୍ଷରେ ସ୍ୱାଭାବିକ ଜୀବନଯାତ୍ରାରେ କଟକଣା, ଯାନବାହାନ ଚଳାଚଳ ନିଷେଧ ଓ ସଂକ୍ରମଣ ଭୟରେ ସମ୍ୱାଦପତ୍ର ବିତରକଙ୍କ ଅସହଯୋଗ ହେତୁ ମୁଦ୍ରିତ ସମ୍ୱାଦପତ୍ର ପ୍ରସାର ବାଧାପ୍ରାପ୍ତ ହୋଇଥିବା ସ୍ଥଳେ ଅପରପକ୍ଷେ ବାଣିଜ୍ୟ ବ୍ୟବସାୟ ବନ୍ଦ ଅବସ୍ଥାରେ ବିକ୍ରେତାଙ୍କ ପକ୍ଷରୁ ଗଣମାଧ୍ୟମରେ ବିଜ୍ଞାପନ ବନ୍ଦ ତଥା ନିର୍ଦ୍ଦିଷ୍ଟଭାବେ ପ୍ରସାର ସଂଖ୍ୟା ହ୍ରାସ କାରଣରୁ ମୁଦ୍ରିତ ସମ୍ୱାଦପତ୍ରରେ ବିଜ୍ଞାପନ ବ୍ୟୟ ଗଭୀର ପ୍ରଭାବିତ ହୋଇଥିଲା ।
ଉତ୍ସବାନୁଷ୍ଠାନ ଆୟୋଜନ ବନ୍ଦ ରହିବା ହେତୁ ସେଗୁଡ଼ିକର ବିବରଣୀ ମୁଦ୍ରିତ ସମ୍ୱାଦପତ୍ରରେ ପ୍ରମୁଖ ସ୍ଥାନ ଅଧିକାର କରୁଥିବା ସ୍ଥଳେ ପାଠ୍ୟ ଅଭାବ ସାଙ୍ଗକୁ ଚଳାଚଳନ ବନ୍ଦ କାରଣରୁ ସାମ୍ୱାଦିକମାନେ ସଂବାଦ ସଂଗ୍ରହରେ ମଧ୍ୟ ଉତ୍କର୍ଷତା ହରାଇବାକୁ ବାଧ୍ୟ ହୋଇଥିଲେ । ସଂକ୍ରମଣ ଭୟରେ ସମ୍ୱାଦପତ୍ର କାର୍ଯ୍ୟାଳୟରେ ସମବେତ ବଦଳରେ ଘରୋଇ ପରିବେଶରେ କାର୍ଯ୍ୟ ସମ୍ପାଦନ ‘ୱାର୍କ ଫ୍ରମ ହୋମ’ ତଥା ସ୍ଥଳବିଶେଷରେ ସମ୍ୱାଦପତ୍ର ମୁଦ୍ରଣ କର୍ମଚାରୀଙ୍କ ଅନୁପସ୍ଥିତି ମୁଦ୍ରଣ ସମ୍ୱାଦପତ୍ରଲାଗି ବିପଦ ସୃଷ୍ଟି କରିଥିଲା ।
ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଅନ-ଲାଇନ ସମ୍ୱାଦ ମଞ୍ଚଗୁଡ଼ିକ ଗୁରୁତ୍ୱ ହାସଲ କରିଥିଲେହେଁ ଦ୍ୱିତୀୟ ଦଶକ ଆରମ୍ଭରୁ ସ୍ମାର୍ଟଫୋନ ଆପ୍ଲିକେସନ ଯୋଗେ ସମ୍ୱାଦ ପରିବେଷଣ ଧାରା ପ୍ରଚଳନ ପରେ ବିଶ୍ୱବ୍ୟାପୀ ଲୋକପ୍ରିୟତା ହାସଲ କରିବାରେ ଲାଗିଥିଲା । ଭାରତର ଅଗ୍ରଣୀ ଆଞ୍ଚଳିକ ଭାଷା ସମୂହରେ ମୁଦ୍ରିତ ସମ୍ୱାଦପତ୍ର, ଟେଲିଭିଜନ ଚ୍ୟାନେଲ ଓ ମୌଳିକ ଅନଲାଇନ ସମ୍ୱାଦ ମଞ୍ଚ ‘ଡ଼ିଜିଟାଲ ନେଟିଭ’ଗୁଡ଼ିକ ୨୦୨୦ ସୁଦ୍ଧା କିପରି ସ୍ମାର୍ଟଫୋନ ପର୍ଦ୍ଦାରେ ଚଳନ୍ତି ସମ୍ୱାଦ ‘ବ୍ରେକିଙ୍ଗ ନିଉଜ’ ପରିବେଷଣ କରିବେ ସେଥିଲାଗି ‘ମୋବାଇଲ ଫାଷ୍ଟ’ ନୀତି ଅବଲମ୍ୱନ କରିଥିଲେ । ଫଳତଃ ସଂଖ୍ୟାଧିକ ମୁଦ୍ରିତ ସମ୍ୱାଦପତ୍ର ନିଜର ଅନଲାଇନ ଉପସ୍ଥିତି ଜାହିର କରି ସାରିଥିଲେ ଏବଂ ସମ୍ୱାଦ ସଂଗ୍ରହ ଓ ବିତରଣ କ୍ଷେତ୍ରରେ ସେମାନଙ୍କ ଦୀର୍ଘ ଅଭିଜ୍ଞତା ସ୍ୱାଭାବିକଭାବେ ଅନଲାଇନରେ ସେମାନଙ୍କ ଉତ୍କର୍ଷତା ପ୍ରତିପାଦନରେ ସହାୟକ ହୋଇଥିଲା ।
ମହାମାରୀରେ ମୁଦ୍ରିତ ସମ୍ୱାଦପତ୍ର ବିତରଣ ଓ ପ୍ରଯୋଜନା ସମସ୍ୟାର ମୁକାବିଲା କରି ନିଜସ୍ୱ ପାଠକଶ୍ରେଣୀ ସଂରକ୍ଷିତ କରିବା ଦିଗରେ ଅନଲାଇନ ଉପସ୍ଥିତି ଅନ୍ତତଃ ପକ୍ଷେ ପାଠକୀୟ ସଂପୃକ୍ତି ବଜାୟ ରଖିବା ଭିତ୍ତିଭୂମି ପ୍ରସ୍ତୁତ କରିପାରିଥିଲା । ମହାମାରୀର ପ୍ରତିକୂଳ ପରିବେଶରେ ପାଠକମାନେ ମୁଦ୍ରିତ ସଂସ୍କରଣ ପାଇପାରୁ ନଥିବା ତଥା ସେମାନଙ୍କ ନିମନ୍ତେ ଅନଲାଇନ ମଞ୍ଚରେ ବିଭିନ୍ନ କଟକଣା ହେତୁ ପର୍ଯ୍ୟାପ୍ତ ସମ୍ୱାଦ ପ୍ରଯୋଜନା ସମ୍ଭବପର ନ ହୋଇପାରୁଥିବା ସ୍ଥଳେ ପାଠକୀୟ ସଂପୃକ୍ତି ବୃଦ୍ଧି ନିମନ୍ତେ ସମ୍ୱାଦମଞ୍ଚଗୁଡ଼ିକ ପକ୍ଷରୁ ଆୟୋଜିତ କେତେକ କାର୍ଯ୍ୟକ୍ରମର ଉଦାହରଣ ଦୃଷ୍ଟି ଆକର୍ଷଣ କରିଥାଏ ।
ପଡ଼ୋଶୀ ବାଂଲାଦେଶର ଇଂଲିଶ ଦୈନିକ ‘ଦି ଡ଼େଲି ଷ୍ଟାର’ ଏକ ଅଗ୍ରଣୀ ସମ୍ୱାଦପତ୍ର ରୂପେ ସ୍ୱୀକୃତ । ସାମରିକ ଶାସନର ଅନ୍ତେ ଗଣତାନ୍ତ୍ରିକ ଶାସନ ଆରମ୍ଭ କାଳରେ ୧୯୯୧ରେ ଢ଼ାକାରୁ ପ୍ରକାଶିତ ଏହି ସମ୍ୱାଦପତ୍ରରେ ପ୍ରାୟ ତିନି ଶହ କର୍ମଚାରୀ କାର୍ଯ୍ୟରତ । ମୁଦ୍ରିତ ସମ୍ୱାଦପତ୍ର ସଙ୍ଗେ ଏହାର ଅନଲାଇନ ପୋର୍ଟାଲ ଲୋକପ୍ରିୟ । ଯୁବବର୍ଗର ପାଠକପାଠିକାମାନଙ୍କ ସଂପୃକ୍ତି ବୃଦ୍ଧି ଲକ୍ଷ୍ୟରେ ମହାମାରୀରେ ଆନ୍ତର୍ଜାତିକ ବନ୍ଧୁତ୍ୱ ଦିବସ, ଆନ୍ତର୍ଜାତିକ ପିତୃ ଦିବସ ଓ ଆନ୍ତର୍ଜାତିକ ଯୁବ ଦକ୍ଷତା ଦିବସରେ ସୋସିଆଲ ମିଡ଼ିଆ ଉପଯୋଗରେ ସ୍ୱତନ୍ତ୍ର ଅନଲାଇନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବା ଏବଂ ପାଠକୀୟ ସ୍ୱୀକୃତି ହାସଲ କରିଥିବା ପ୍ରକାଶ ।
ପ୍ରତିବର୍ଷ ଜୁନ ୨୧କୁ ଆନ୍ତର୍ଜାତିକ ପିତୃ ଦିବସ ରୂପେ ପାଳନ କରାଯାଏ । ସୋସିଆଲ ମିଡ଼ିଆର ପ୍ରସାର ପରବର୍ତ୍ତୀ ଅବସ୍ଥାରେ ଯୁବବର୍ଗରେ ଏହିଭଳି ଉତ୍ସବଗୁଡ଼ିକର ଗୁରୁତ୍ୱ ବୃଦ୍ଧି ପାଇଛି । ‘ଦି ଡେଲି ଷ୍ଟାର’ ପକ୍ଷରୁ ଏହି ଅବସରରେ ‘ବାବାର ଆଦର୍ଶେ ଆମି’ ଶୀର୍ଷକ ଏକ ଅନଲାଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପାଠକମାନେ ନିଜ ପିତାଙ୍କ ଏକ ଫୋଟ ଚିତ୍ର ସହ ତାଙ୍କରି କେଉଁ ସ୍ୱଭାବ ଓ ଆଦର୍ଶ ସେମାନଙ୍କ ଜୀବନକୁ ପ୍ରଭାବିତ କରିଛି ତାହାର ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବାକୁ ଉତ୍ସାହିତ କରାଯାଇଥିଲା । ସମ୍ୱାଦପତ୍ରର ଫେସବୁକ ପେଜରେ ଜୁନ ୧୮ ରୁ ଛଅଦିନ ବ୍ୟାପୀ ଉପସ୍ଥାପିତ ଏହି ପ୍ରକଳ୍ପରେ ବ୍ରାଣ୍ଡ ଆମ୍ୱାସଡ଼ରଭାବେ ’୧୦ ମିନଟ ବିଦ୍ୟାଳୟ’ର ପ୍ରତିଷ୍ଠାତା ଓ ଜଣେ ଟେଲିଭିଜନ ତାରକାଙ୍କ ଦ୍ୱାରା ନିଜ ଜୀବନରେ ପିତାଙ୍କ ପ୍ରଭାବ ସଂପର୍କରେ ଭିଡ଼ିଓ ପୋଷ୍ଟ ପ୍ରକାଶିତ ହେବାପରେ ୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ପାଠକପାଠିକାଙ୍କ ଭୋଟ ଅନୁଯାୟୀ ୧୦ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
‘ଆନ୍ତର୍ଜାତିକ ଯୁବ ଦକ୍ଷତା ଦିବସ’ ପାଳନ ଅବସରରେ ଜୁଲାଇ ୧୫ ତାରିଖରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୬୦ ଜଣ ପ୍ରତିଭାଧରଙ୍କ ଗହଣରେ ଅନଲାଇନରେ ‘ଯୁବ ଦକ୍ଷତା ସମ୍ମେଳନ ୨୦୨୦’ ଆୟୋଜନ କରାଯାଇଥିଲା । ମହାମାରୀ-ପର ଅବସ୍ଥାରେ କାରିଗରୀ କୌଶଳ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ନିଯୁକ୍ତିକୁ ପ୍ରଭାବିତ କରିବା ଆଶା କରାଯାଉଥିବା ସ୍ଥଳେ ଯୁବବର୍ଗ କିପରି ନିଜକୁ ସ୍ୱତନ୍ତ୍ର ତାଲିମ ମାଧ୍ୟମରେ ନିଯୁକ୍ତି-ଯୋଗ୍ୟ କରିପାରିବେ ସେ ଦିଗରେ ଦିନ ତମାମ ବିଚାରବିମର୍ଷ ହୋଇଥିଲା ।
ସେହିପରି ବାଂଲାଦେଶରେ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳିତ ‘ଆନ୍ତର୍ଜାତିକ ବନ୍ଧୁତ୍ୱ ଦିବସ’ ଅବସରରେ ମହାମାରୀରେ ପାଠକପାଠିକାମାନେ କିପରି ନିଜ ବନ୍ଧୁବର୍ଗଙ୍କ ସହ ଯୋଗାଯୋଗ ସ୍ଥାପନ କରିପାରିଥିଲେ ତତ୍ ସଂପର୍କୀତ ସ୍ମରଣୀୟ ଘଟଣାଗୁଡ଼ିକ ବର୍ଣ୍ଣନା କରିବା ନିମନ୍ତେ ‘ବନ୍ଧୁତେ ବନ୍ଦୀ’ ଶୀର୍ଷକ ଏକ ଅନଲାଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉପସ୍ଥାପିତ ସଚ଼ିତ୍ର ବିବରଣୀଗୁଡ଼ିକ ମଧ୍ୟରୁ ପାଠକପାଠିକାଙ୍କ ଭୋଟକ୍ରମେ ଦଶଜଣଙ୍କୁ ପୁରସ୍କୃତ କରାଯାଇଥିଲା ।
ମହାମାରୀରେ ସମ୍ୱାଦ ମଞ୍ଚ ଗୁଡ଼ିକରେ ଦୃଷ୍ଟି-ଆକର୍ଷକ ସମ୍ୱାଦ ପ୍ରକାଶନ ଦୁର୍ବଳ ସ୍ଥିତିରେ ରହିଥିବା ସ୍ଥଳେ ସାମୟିକ ଭାବେ ପାଠକମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଷୟରେ ଅଭିଜ୍ଞତା ‘ୟୁଜର ଜେନେରେଟେଡ଼ କଣ୍ଟେଣ୍ଟ’ ପ୍ରକାଶନ ପାଠକୀୟ ଆଗ୍ରହ ଉଦ୍ରେକରେ ସହାୟକ ହେବା ବିଶ୍ୱାସ କରାଯାଇପାରେ । ଏହିଭଳି ଉଦ୍ଦେଶ୍ୟ ଚରିତାର୍ଥ ସାଙ୍ଗକୁ ସମ୍ୱାଦ ମଞ୍ଚରେ ପାଠକୀୟ ସଂପୃକ୍ତି ବଜାୟ ରଖିବା ଲାଗି ‘ଦି ଡ଼େଲି ଷ୍ଟାର’ର ଉଦ୍ୟମ ପ୍ରଶଂସନୀୟ । ମହାମାରୀ ସୃଜନଶୀଳତା ବିକାଶ ସକାଶେ ପଥ ଉନ୍ମୁକ୍ତ କରିଥିବା ସ୍ଥଳେ ପାରମ୍ପରିକ ରୀତିନୀତିରେ ସନ୍ତୁଷ୍ଟ ରହି ମୁଦ୍ରିତ ସମ୍ୱାଦପତ୍ରର ସଂପାଦକୀୟ ନୀତି ଅମଳାତାନ୍ତ୍ରିକ ମନୋଭାବର ଶରଣାପନ୍ନ ହୋଇ ନୂତନତ୍ୱ ପରିପ୍ରକାଶରେ ଅବହେଳା କଲେ ଭବିଷ୍ୟତ ଅବରୁଦ୍ଧ ହେବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ।
