ଆଜିର ଖାସ ଖବର
Mon. Jul 27th, 2026

ସାମାଜିକ ଗଣମାଧ୍ୟମର ମାଦକତା

By Dainikasha Jul11,2024

ମାନବ ସଭ୍ୟତାର ଇତିହାସରେ ଭୌଗଳିକ ସୀମାରେ ଉପସ୍ଥିତି ବିନା ବହୁସଂଖ୍ୟକ ଲୋକଙ୍କ ମଧ୍ୟରେ ବାସ୍ତବ ସମୟରେ ପାଠ୍ୟ ଓ ଦୃଶ୍ୟ ବିନିମୟ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମ ଏକ ନୂତନ ପରମ୍ପରା ସୃଷ୍ଟି କରିଛି । ଚ଼ିତ୍ର, ଲିପି, ମୁଦ୍ରଣ, ଟେଲିଫୋନ ଓ ଟେଲିଭିଜନ ମାଧ୍ୟମରେ ଯୋଗାଯୋଗ ନିମନ୍ତେ ଉପଲବ୍ଧ ସୀମିତ ସୁବିଧା ସୁଯୋଗ ପରବର୍ତ୍ତୀ ଉଦ୍ଭାବନରେ ସୁବିସ୍ତୃତ ହୋଇପାରିଛି । ଭର୍ଚୁଆଲ ରିଆଲିଟି ଓ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଭଳି ପ୍ରଯୁକ୍ତି କୌଶଳ ଉପଯୋଗ ନିକଟ ଭବିଷ୍ୟତରେ ମାନବୀୟ ଯୋଗାଯୋଗ ଜୀବନର ସଂଜ୍ଞା ବଦଳାଇ ଦେବାରେ ସମର୍ଥ ହୋଇପାରିବ ବୋଲି ଦୂରଦ୍ରଷ୍ଟାମାନେ ଦାବୀ କରୁଛନ୍ତି ।

ଏ ଯାଏଁ ସାମାଜିକ ବା ବୃତ୍ତିଗତ ଜୀବନରେ ଅପର ସହ ସଂପର୍କ ଯୋଡ଼ିବା ନିମନ୍ତେ ବ୍ୟକ୍ତିଗତସ୍ତରରେ ଯେଉଁ ଉଦ୍ୟମ ଆବଶ୍ୟକ ପଡୁଥିଲା ତାହା କ୍ରମଶଃ ଯାନ୍ତ୍ରିକ ସହାୟତାରେ ସମ୍ଭବପର ହୋଇପାରୁଛି । ଉଦାହରଣ ସ୍ୱରୂପ ଫେସବୁକ ତାହାର ଉପଭୋକ୍ତାଙ୍କୁ ଭୂଲି ଆସିଥିବା ବନ୍ଧୁଙ୍କୁ ପୁନଃ ପରିଚ଼ିତ କରାଉଥିବାବେଳେ ଲିଙ୍କଡ଼-ଇନ ଜଣେ କେଉଁଭଳି କର୍ମନିଯୁକ୍ତି ପାଇଁ ଉପଯୁକ୍ତ ସେ ସଂପର୍କରେ ପରାମର୍ଶ ଉଭୟ ପ୍ରାର୍ଥୀ ଓ ନିଯୁକ୍ତିଦାତାଙ୍କୁ ଜଣାଇପାରୁଛି । ଅନେକ ଆପ୍ଲିକେସନ ବା ‘ଆପ’ ଏହାର ଉପଭୋକ୍ତାଙ୍କ ଡ଼ିଜିଟାଲ ଜୀବନ ଅର୍ଥାତ ଇଣ୍ଟରନେଟରେ ସେମାନେ କିଭଳି ପାଠ୍ୟ ଓ ଦୃଶ୍ୟ ଖୋଜୁଛନ୍ତି ଓ ଦେଖୁଛନ୍ତି ତାହାରି ଆଧାରରେ ଦ୍ରବ୍ୟ ଓ ସେବାପ୍ରାପ୍ତିର ଉତ୍ସ ସଂପର୍କରେ ବିଜ୍ଞାପିତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବିକଶିତ ଇ-ବାଣିଜ୍ୟ ସାଙ୍ଗକୁ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଶାସନ ଇତ୍ୟାଦି କ୍ଷେତ୍ରରେ ଏଭଳି ଧାରାର ଉପଯୋଗ ନିକଟ ଭବିଷ୍ୟତରେ ବାସ୍ତବତାରୂପେ ଧରି ନିଆଯାଇ ପାରେ ।

ସମକାଳରେ ଇଣ୍ଟରନେଟର ବ୍ୟାପ୍ତି ସାମାଜିକ ଗଣମାଧ୍ୟମର ଲୋକପ୍ରିୟତାରେ ପର୍ଯ୍ୟବସିତ ହୋଇଛି ଏବଂ ଇଣ୍ଟରନେଟରେ ସାମାଜିକ ଗଣମାଧ୍ୟମ ମଞ୍ଚରେ ଉପସ୍ଥିତି ନିମନ୍ତେ ଉପଭୋକ୍ତାମାନେ ସ୍ମାର୍ଟଫୋନ ବହୁଳଭାବେ ବ୍ୟବହାର କରୁଛନ୍ତି । ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ ଓ ସ୍ମାର୍ଟଫୋନ ଉପଯୋଗ କ୍ରମଶଃ ଏକ ରକମ ମାଦକତାରେ ପରିବର୍ତ୍ତିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏଭଳି ଯୁକ୍ତିର ସତ୍ୟାସତ୍ୟ ପରୀକ୍ଷା ନିମନ୍ତେ ବହୁ ଗବେଷଣା କାର୍ଯ୍ୟକ୍ଷମ ଥିବାସ୍ଥଳେ ପ୍ରାଥମିକ ପର୍ଯ୍ୟାୟର ହାତଗଣତି ଗବେଷଣା ସ୍ମାର୍ଟଫୋନ ଓ ସାମାଜିକ ଗଣମାଧ୍ୟମ ବ୍ୟବହାରରେ ମାଦକତା ଉପାଦାନକୁ ପରୋକ୍ଷରେ ସୂଚ଼ିତ କରାଇଛି ।

ମନୋବିଜ୍ଞାନୀ ଡ଼ାରିଆ କୁଶ ଓ ମାର୍କ ଗ୍ରିଫିଥସ ୨୦୧୧ରେ ପ୍ରକାଶିତ ଗବେଷଣା ନିବନ୍ଧରେ ସାମାଜିକ ଗଣମାଧ୍ୟମ ବ୍ୟବହାରର କେତେକ ନକାରତ୍ମକ ପ୍ରଭାବ ଜଣାଇଥିଲେ । ତାଙ୍କରି ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ସାମାଜିକ ଗଣମାଧ୍ୟମ ବହୁଳ ବ୍ୟବହାରକାରୀ ଉପଭୋକ୍ତାଙ୍କୁ ସାମାଜିକ ବାସ୍ତବତାରୁ ଦୂରେଇ ଦେଇଥାଏ, ଆତ୍ମୀୟସ୍ୱଜନ ଓ ବନ୍ଧୁବର୍ଗଙ୍କ ମଧ୍ୟରେ ସଂପର୍କକୁ ଶୀଥିଳ କରିପକାଏ, ଅଧ୍ୟୟନରେ ପାରଦର୍ଶିତା ଲାଭରେ ପ୍ରତିବନ୍ଧକ ସୃଷ୍ଟି ସାଙ୍ଗକୁ ଏକ ରକମ ନିଶାଖୋର ପରିସ୍ଥିତିକୁ ଟାଣି ନେଇଥାଏ ।

ପରବର୍ତ୍ତୀ ପର୍ଯ୍ୟାୟରେ ଆୟୋଜିତ ଅନେକ ଗବେଷଣାରେ ତମାଖୁ, ଅଫିମ ଭଳି ନିଶା ସେବନ ସହ ସାମାଜିକ ଗଣମାଧ୍ୟମରେ ସଂପୃକ୍ତିଗତ ଅଭ୍ୟାସର ତୁଳନା କରାଯାଇଛି । ଯୁବବର୍ଗଙ୍କ ମଧ୍ୟରେ କୌଣସି କାରଣରୁ ସ୍ମାର୍ଟଫୋନ ବ୍ୟବହାର ନିବୃତ୍ତ ଅବସ୍ଥାରେ ନିଶା ସେବନ ବନ୍ଦ ପରବର୍ତ୍ତୀ ଅପସାରଣ ଆଚ଼ରଣ ‘ଡ୍ରଗ ଉଇଥଡ୍ରଲ ସିମ୍ପଟମସ’ ଦେଖିବାକୁ ମିଳୁଥିବା ତଥ୍ୟ ସଂଗୃହୀତ ହୋଇଛି ।

ସ୍ମାର୍ଟଫୋନ ନିର୍ମାତା ‘ମୋଟରୋଲା’ଙ୍କ ପକ୍ଷରୁ ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ ଓ ବ୍ରାଜିଲରେ ୪,୪୧୮ ଜଣ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ନେଇ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ୨୦୧୮ ପ୍ରାରମ୍ଭରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ୬୫ ପ୍ରତିଶତ ଭାରତୀୟ ଉପଭୋକ୍ତା ନିଜ ଫୋନକୁ ସର୍ବପ୍ରଧାନ ବନ୍ଧୁ ରୂପେ ଗ୍ରହଣ କରିଥାନ୍ତି, ୪୭ ପ୍ରତିଶତ ନିଜ ଆତ୍ମୀୟଙ୍କ ତୁଳନାରେ ଫୋନକୁ ଅଧିକ ଗୁରୁତ୍ୱ ଦିଅନ୍ତି ଏବଂ ୭୭ ପ୍ରତିଶତ ଫୋନ ହଜିଗଲେ ହତବାକ ଅବସ୍ଥାକୁ ଆସି ଯାଆନ୍ତି । ଆନ୍ତର୍ଜାତିକସ୍ତରରେ ଏହିସବୁ ପର୍ଯ୍ୟାୟରେ ପରିସଂଖ୍ୟାନ ଯଥାକ୍ରମେ ୫୩ ପ୍ରତିଶତ, ୪୭ ପ୍ରତିଶତ ଓ ୬୫ ପ୍ରତିଶତ । ଅର୍ଥାତ ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ସ୍ମାର୍ଟଫୋନର ଆକର୍ଷଣ ଅଧିକ । ସ୍ମାର୍ଟଫୋନର ବ୍ୟବହାର ଅନେକାଂଶରେ ସାମାଜିକ ଗଣମାଧ୍ୟମରେ ଉପସ୍ଥିତିକୁ ବୁଝାଇଥାଏ ।

ଏହି ସର୍ବେକ୍ଷଣରୁ ଆହୁରି ଜଣାଯାଇଛି ଯେ ୫୭ ପ୍ରତିଶତ ଭାରତୀୟ ସ୍ମାର୍ଟଫୋନ ଉପଭୋକ୍ତା ଅନବରତ ନିଜ ଫୋନ ତନଖି ‘ଚେକ’ କରିଥାନ୍ତି ଏବଂ ୪୮ ପ୍ରତିଶତ ସ୍ୱୀକାର କରନ୍ତି ଯେ ନିଜ ଫୋନରେ ଆବଶ୍ୟକତାଠାରୁ ଅଧିକ ସମୟ ବିନିଯୋଗ କରୁଛନ୍ତି । ଆନ୍ତର୍ଜାତିକସ୍ତରରେ ଏହି ପର୍ଯ୍ୟାୟରେ ପରିସଂଖ୍ୟାନ ଯଥାକ୍ରମେ ୪୪ ପ୍ରତିଶତ ଓ ୩୫ ପ୍ରତିଶତ ଗଣନା କରାଯାଇଛି । ଏହି ଗବେଷଣାଲବ୍ଧ ତଥ୍ୟାବଳୀମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ୬୪ ପ୍ରତିଶତ ଭାରତୀୟ ସ୍ମାର୍ଟଫୋନ ଉପଭୋକ୍ତା ନିଜ ଫୋନ ବ୍ୟବହାରଜନିତ ଅଭ୍ୟାସ ବଦଳାଇବା ନିମନ୍ତେ ବାହ୍ୟ ସହଯୋଗ ଆଶା କରୁଛନ୍ତି ।

୨୦୧୮ ପ୍ରାରମ୍ଭ ସୁଦ୍ଧା ଇଣ୍ଟରନେଟରେ ପ୍ରାୟ ୫୦ କୋଟି ଭାରତୀୟଙ୍କ ସଂଯୁକ୍ତି, ସେମାନଙ୍କ ମଧ୍ୟରୁ ୪୫ କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ତଥା କେବଳ ଫେସବୁକ ମଞ୍ଚରେ ୨୫ କୋଟି ଭାରତୀୟଙ୍କ ଉପସ୍ଥିତି ସହ ୬୪ ପ୍ରତିଶତ ଉପଭୋକ୍ତା ସ୍ମାର୍ଟଫୋନ ଓ ସାମାଜିକ ଗଣମାଧ୍ୟମ ବ୍ୟବହାରଜନିତ ଅଭ୍ୟାସ ବଦଳାଇବା ନିମନ୍ତେ ସ୍ୱୀକାରୋକ୍ତି ଏଭଳି ଏକ ଲୋକପ୍ରିୟ ସାମାଜିକ ପ୍ରବାହର ଗତିପ୍ରକୃତି ନିୟନ୍ତ୍ରଣ ଲାଗି ପଦକ୍ଷେପ ଆବଶ୍ୟକ କରିଥାଏ ।

ପ୍ରଶ୍ନ ଉଠୁଛି ଉପଭୋକ୍ତାମାନେ ସାମାଜିକ ଗଣମାଧ୍ୟମରେ ଦୀର୍ଘ ସମୟ ଅତିବାହିତ କରୁଥିବା ପରିପ୍ରେକ୍ଷୀରେ ଜାତୀୟ ଉତ୍ପାଦ ସୂଚ଼ୀ‘ଜିଡିପି’କୁ ଯଦି ପ୍ରଭାବିତ କରୁଥିବା ପ୍ରମାଣିତ ହୁଏ ତେବେ ଏହାର ନିୟନ୍ତ୍ରଣ ଦିଗରେ ସରକାରୀ ନୀତି ନିୟମ ଆବଶ୍ୟକ କି ?

ଭାରତରେ ଇଣ୍ଟରନେଟ, ସ୍ମାର୍ଟଫୋନ ଓ ସାମାଜିକ ଗଣମାଧ୍ୟମ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦୃଢ଼ ପ୍ରସାର ଲାଭ କରିଥିବା ତଥା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅନ୍ତତଃପକ୍ଷେ ଦୁଇରୁ ଅଢ଼େଇଗୁଣ ବୃଦ୍ଧି ଆକଳନ କରାଯାଉଥିବା ସ୍ଥଳେ ଏହାର ପ୍ରତିକୂଳ ପ୍ରଭାବ ପ୍ରତିହତ କରିବା ନିମନ୍ତେ ଉପଭୋକ୍ତାଙ୍କ ମଧ୍ୟରେ ବ୍ୟାବହାରିକ ସଚ଼େତନତା ପ୍ରସାର ଜରୁରୀ ହୋଇ ପଡ଼ିଲାଣି ।

ବିଡ଼ମ୍ୱନାର ବିଷୟ ଏହି ଯେ ସାମାଜିକ ପ୍ରଗତି ନିମନ୍ତେ ଇଣ୍ଟରନେଟର ବିସ୍ତୃତିକୁ ଉତ୍ସାହିତ କରିବା ନିମନ୍ତେ ଜାତୀୟ ନୀତି ପ୍ରସ୍ତୁତ ହୋଇଥିବା ତଥା ତାହାର ଉପଯୋଗ ନିମନ୍ତେ ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ଅବସରରେ ଜନସାଧାରଣରେ ଏହାର ଉଚ଼ିତ ବ୍ୟବହାର ସଂପର୍କରେ ମଧ୍ୟ ସରକାରୀ ଓ ବେସରକାରୀସ୍ତରରେ ପଦକ୍ଷେପ ଗ୍ରହଣ ଅପରିହାର୍ଯ୍ୟ ହୋଇପଡ଼ିଛି । ଅତୀତରେ ପ୍ରଯୁକ୍ତି ବିଜ୍ଞାନ ପ୍ରସୂତ କୌଣସି ଉତ୍ପାଦ ବ୍ୟବହାରଜନିତ ନକାରତ୍ମକ ଦିଗପ୍ରତି ମୂଳରୁ ଏତେଟା ସାବଧାନତାର ଆବଶ୍ୟକତା ପଡ଼ି ନଥିଲା । ସ୍ମାର୍ଟଫୋନ ଓ ଇଣ୍ଟରନେଟ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ବେସରକାରୀ ସଂଗଠନଗୁଡ଼ିକ ଜରିଆରେ ସାମାଜିକ ଗଣମାଧ୍ୟମ ସାକ୍ଷରତା ପ୍ରସାରକୁ ହିଁ ଏକମାତ୍ର ସମାଧାନର ପନ୍ଥାରୂପେ ନିର୍ଦ୍ଧାରଣ କରାଯାଇପାରେ । 

Related Post