ଇଣ୍ଟରନେଟ ମଞ୍ଚରେ ସାଧାରଣ ଉପଭୋକ୍ତାଙ୍କୁ ନିଜ ପ୍ରିୟ ଓ ପରିଚ଼ିତ ବ୍ୟକ୍ତି କିମ୍ୱା ଗୋଷ୍ଠୀ ସହ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ‘ଟେକ୍ସଟ, ଅଡ଼ିଓ, ଭିଡ଼ିଓ’ ମାଧ୍ୟମରେ ଭାବଗତ ସଂଯୋଗ ସ୍ଥାପନ ପ୍ରକ୍ରିୟାକୁ ସାମାଜିକ ଗଣମାଧ୍ୟମ ‘ସୋସିଆଲ ମିଡ଼ିଆ’ ବୁଝାଯାଇଥାଏ । ଏହା ଦେୟମୁକ୍ତ ସେବା ହିସାବରେ ବିଂଶ ଶତାଦ୍ଦୀର ଶେଷ ଦଶକରୁ ବିକଶିତ ହୋଇ ଆସିଛି । ବହୁଳ ଚର୍ଚ୍ଚିତ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ମଧ୍ୟରେ ଜିଓସିଟିସ (୧୯୯୪), କ୍ଳାସମେଟସ (୧୯୯୫) ଓ ସିକ୍ସ ଡ଼ିଗ୍ରୀସ (୧୯୯୭) ପ୍ରାରମ୍ଭିକ ପର୍ଯ୍ୟାୟରେ ସାର୍ବଜନୀନ ଯୋଗାଯୋଗ କ୍ଷେତ୍ରରେ ନୂତନ ଧାରା ‘ଟ୍ରେଣ୍ଡ’ ପ୍ରଚଳନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକରେ ଲିଙ୍କଡ଼ଇନ (୨୦୦୩), ଓର୍କୁଟ (୨୦୦୪), ଫେସବୁକ (୨୦୦୪), ୟୁଟ୍ୟୁବ (୨୦୦୫), ଟୁଇଟର (୨୦୦୬), ଟମ୍ୱଲର (୨୦୦୭) ଓ ଇନଷ୍ଟାଗ୍ରାମ (୨୦୧୦) ଇତ୍ୟାଦି ଟ୍ରେଣ୍ଡର ଆନ୍ତର୍ଜାତିକସ୍ତରରେ ପରିବ୍ୟାପ୍ତରେ ସମର୍ଥ ହୋଇଥିଲେ ।
ଅନ୍ୟୂନ ଦଶ କୋଟି ପଞ୍ଜୀକୃତ ଉପଭୋକ୍ତାକୁ ନେଇ ଗଢ଼ି ଉଠିଥିବା ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ମଧ୍ୟରେ ଫେସବୁକ, ଟିକଟକ, ଉଇଚାଟ, ଇନଷ୍ଟାଗ୍ରାମ, କ୍ୟୂଜୋନ, ୱିବୋ, ଟୁଇଟର, ଟମ୍ୱଲର, ବାଇଦୁ ଓ ଲିଙ୍କଡ଼ଇନ ଇତ୍ୟାଦିର ନାମ ସର୍ବାଗ୍ରେ ସ୍ଥାନିତ । ସେହିପରି ମେସେଞ୍ଜର ଓ ଷ୍ଟ୍ରୀମିଂ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ମଧ୍ୟରେ ୟୁଟ୍ୟୁବ, ମେସେଞ୍ଜର, କ୍ୟୂକ୍ୟୂ, କ୍ୱାରା, ଟେଲିଗ୍ରାମ, ହ୍ୱାଟସଆପ, ଲାଇନ, ସ୍ନାପଚାଟ, ପ୍ରିଣ୍ଟରେଷ୍ଟ, ଭାଇବର, ରିଡ଼ିଟ, ଡିସକର୍ଡ, ଭିକେ, ମାଇକ୍ରୋସଫ୍ଟ ଟିମସ ଓ ୱିକିସ ଇତ୍ୟାଦି ପ୍ରଧାନ ।
ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭରେ ବିଶ୍ୱବ୍ୟାପୀ ସୋସିଆଲ ମିଡ଼ିଆ ପାରମ୍ପରିକ ଗଣମାଧ୍ୟମର ମୁଖ୍ୟ ପ୍ରତିଦ୍ୱନ୍ଦୀଭାବେ ଦଣ୍ଡାୟମାନ ହୋଇଛି । ଏକ ହିସାବ ଅନୁଯାୟୀ ଜୁଲାଇ ୨୦୨୦ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ୫୧ ପ୍ରତିଶତ ଜନସାଧାରଣ ସୋସିଆଲ ମିଡ଼ିଆ ମଞ୍ଚ ଗୁଡ଼ିକରେ ଉପନୀତ ହୋଇଥିଲେ । ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକରେ ୭୧ ପ୍ରତିଶତ ସୋସିଆଲ ମିଡ଼ିଆ ଉପଭୋକ୍ତା ଭାବେ ସାମିଲ ହୋଇଥିବା ସ୍ଥଳେ ଉତ୍ତର ଆମେରିକାରେ ୬୯ ପ୍ରତିଶତ ଓ ଦକ୍ଷିଣ ଆମେରିକାରେ ୬୮ ପ୍ରତିଶତ । ସର୍ବାଧିକ ଲୋକପ୍ରିୟ ମଞ୍ଚ ଫେସବୁକରେ ୨୪୦ କୋଟି ପଞ୍ଜୀକୃତ ।
କେତେକ ବିଶ୍ଳେଷକଙ୍କ ମତରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଅଂଶଗ୍ରହଣ କରିବା ନିମନ୍ତେ ଉପଭୋକ୍ତାଙ୍କ ବୟସ ସର୍ବନିମ୍ନ ୧୩ ବର୍ଷ ନିର୍ଦ୍ଧାରିତ ହୋଇଥିବା ହେତୁ ବିଶ୍ୱ ଜନସଂଖ୍ୟାରୁ ୧୩ ବର୍ଷରୁ କମ ବୟସ୍କଙ୍କୁ ବାଦ ଦେଲେ ୧୩ ବର୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟାର ପ୍ରାୟ ୬୫ ପ୍ରତିଶତ ସୋସିଆଲ ମିଡ଼ିଆର ଉପଭୋକ୍ତା । ସେମାନଙ୍କ ସଂଖ୍ୟା ଗତ କିଛି ବର୍ଷରୁ ବାର୍ଷିକଭିତ୍ତିରେ ୧୦ ପ୍ରତିଶତ ବୃଦ୍ଧି ପାଇଚାଲିଛି । ଦୈନିକ ଦଶ ଲକ୍ଷରୁ ଉର୍ଦ୍ଧ୍ୱ ନୂତନ ଉପଭୋକ୍ତା ଯୋଗ ଦେଉଛନ୍ତି ।
ଗବେଷଣାଲବ୍ଧ ହିସାବ ଅନୁଯାୟୀ ୨୦୧୯ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ଉପଭୋକ୍ତା ହାରାହାରି ଦୁଇଘଣ୍ଟା ୨୪ ମିନିଟ ସୋସିଆଲ ମିଡ଼ିଆ ବ୍ୟବହାର କରୁଥିଲେ । ଏହି ହାର ୨୦୧୮ରେ ୨ ଘଣ୍ଟା ୨୨ ମିନଟ ରହିଥିଲା । ସର୍ବାଧିକ ଫିଲିପାଇନ୍ସରେ ବ୍ୟବହାର ସମୟସୀମା ତିନିଘଣ୍ଟା ୫୩ ମିନଟ ଥିବା ଜଣାଯାଇଥିଲା । ସୋସିଆଲ ମିଡ଼ିଆ ପ୍ରସାର ଲାଭ କାଳରେ ପ୍ରଥମେ ଯୁବବର୍ଗ ଅଧିକ ପରିମାଣରେ ବ୍ୟବହାର କରୁଥିବା ସ୍ଥଳେ କ୍ରମଶଃ ବୟସ୍କମାନେ ମଧ୍ୟ ସାମିଲ ହୋଇଛନ୍ତି । ଯୁବବର୍ଗରେ ୧୬ରୁ ୨୯ ବର୍ଷ ବୟସ୍କ ହାରାହାରି ଦୈନିକ ତିନିଘଣ୍ଟା ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବା ବେଳେ ୪୫ ରୁ ୫୪ ବର୍ଷ ବୟସ୍କମାନଙ୍କ କ୍ଷେତ୍ରରେ ଏକ ଘଣ୍ଟା ୩୯ ମିନଟ ।
ଉପଭୋକ୍ତାଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ବ୍ୟବହାର ମୁଖ୍ୟତଃ କୌତୁହଳ ଉଦ୍ଦୀପକ ଓ ମନୋରଞ୍ଜନଧର୍ମୀ ଟେକ୍ସଟ, ଅଡ଼ିଓ ଓ ଭିଡ଼ିଓ ପ୍ରକାଶନ ଓ ଆହରଣରେ ପର୍ଯ୍ୟବସିତ । ପ୍ରକାଶିତ ବିଷୟବସ୍ତୁକୁ ପସନ୍ଦ ‘ଲାଇକ’, ମନ୍ତବ୍ୟ ପ୍ରଦାନ ‘କମେଣ୍ଟ’ ଓ ନିଜ ବନ୍ଧୁମାନଙ୍କ ଗହଣରେ ବିତରଣ ‘ସେୟାର’ ଫେସବୁକ ଭଳି ମଞ୍ଚରେ ଗୁରୁତ୍ୱ ହାସଲ କରିଥାଏ । ସେହିପରି ହ୍ୱାଟସଆପରେ ଗୋପନୀୟତା ରକ୍ଷାକରି ପାଠ୍ୟ, ଅଡ଼ିଓ ଓ ଭିଡ଼ିଓ ବିତରଣ ସଂଭବପର । ୟୁଟ୍ୟୁବ ମଞ୍ଚରେ ଭିଡ଼ିଓ ପ୍ରକାଶରେ ସାର୍ବଜନୀନ ପ୍ରଦର୍ଶନର ସୁଯୋଗ ସୃଷ୍ଟି ହୋଇଥାଏ । ବନ୍ଧୁବର୍ଗଙ୍କ ଗହଣରେ ସମୟ ବିତାଇବା ନିମନ୍ତେ ସୋସିଆଲ ମିଡ଼ିଆ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରୁଥିବା ହେତୁ ୪୦ ପ୍ରତିଶତ ଯାଏଁ ଉପଭୋକ୍ତା ଆକର୍ଷିତ ହୋଇଥାନ୍ତି ।
ଏକପକ୍ଷରେ ସୋସିଆଲ ମିଡ଼ିଆରେ ସଂପୃକ୍ତି ଅଭିବ୍ୟକ୍ତିରେ ସ୍ୱାଧୀନତା ବୃଦ୍ଧି ଘଟିଥିବା ସ୍ଥଳେ ଅପରପକ୍ଷରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ହ୍ରାସ ଓ ନିର୍ଦ୍ଦିଷ୍ଟ ମତବାଦ, ରାଜନୀତିକ ଆଦର୍ଶ ପ୍ରତି ଅନୁଗତ୍ୟ ବୃଦ୍ଧି ଘଟୁଥିବା ବିଭିନ୍ନ ଗବେଷଣାରୁ ଜଣାଯାଏ । ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଦୀର୍ଘ ସମୟ ବିନିଯୋଗ କାରଣରୁ ଦୈନନ୍ଦିନ ଜୀବନଯାତ୍ରା ବିଶୃଙ୍ଖଳିତ ହୋଇ ପଡୁଥିବା ଅଭିଯୋଗ ମଧ୍ୟ ହୁଏ ।
ସୋସିଆଲ ମିଡ଼ିଆର ଲୋକପ୍ରିୟତା ବୃଦ୍ଧିରେ ମୋବାଇଲ ଓ କ୍ୟାମରା ଫୋନର ଯୋଗଦାନକୁ ସଭିଏଁ ସ୍ୱୀକାର କରନ୍ତି । ସ୍ମାର୍ଟଫୋନ ୧୯୯୬ରେ ପ୍ରଚଳିତ ହେବା ଦିନୁ ଇଣ୍ଟରନେଟ ବ୍ୟବହାର ନିମନ୍ତେ ଡ଼େସ୍କଟପ ବଦଳରେ ସ୍ମାର୍ଟଫୋନକୁ ବହୁ ସଂଖ୍ୟକ ପସନ୍ଦ କଲେ । ବିଗତ ଚ଼ଉଠ ଶତାଦ୍ଦୀ ମଧ୍ୟରେ ଡ଼େସ୍କଟପ, ଲ୍ୟାପଟପ, ଟେବଲଟର ବ୍ୟବହାର ସତ୍ତ୍ୱେ ମୋବାଇଲ ସ୍ମାର୍ଟଫୋନକୁ ସବୁବର୍ଗର ଉପଭୋକ୍ତା ଆଦରି ନେଇଥାନ୍ତି । କୁହାଯାଏ ଯେ ଆନ୍ତର୍ଜାତିକସ୍ତରରେ ୮୦ ପ୍ରତିଶତ ଇଣ୍ଟରନେଟ ସେବା ମୋବାଇଲ ସ୍ମାର୍ଟଫୋନକୁ ମାଧ୍ୟମରୂପେ ଗ୍ରହଣ କରାଯାଇଥାଏ । ସେହିପରି ସ୍ମାର୍ଟଫୋନରେ କ୍ୟାମରା ଖଚ଼ିତ ହେବା ଯୋଗୁଁ ସୋସିଆଲ ମିଡ଼ିଆରେ ଫୋଟ ଓ ଭିଡ଼ିଓ ପ୍ରସାରଣ ସରଳ ଓ ସହଜସାଧ୍ୟ ହୋଇପାରିଲା ।
ପ୍ରତ୍ୟେକ ସ୍ମାର୍ଟଫୋନ ଉପଭୋକ୍ତା ଦୈନିକ ହାରାହାରି ୨,୬୧୭ ଥର ଫୋନ ସ୍କ୍ରିନକୁ ସ୍ପର୍ଶ କରିଥାନ୍ତି । ଅତିଶୟ ବ୍ୟବହାରକାରୀମାନଙ୍କ କ୍ଷେତ୍ରରେ ୫,୪୨୭ ଥର ଯାଏଁ ସ୍ପର୍ଶ ବୃଦ୍ଧି ପାଇଥାଏ । ଜଣକା ୧୫୦ ଥର ଯାଏଁ ମୋବାଇଲ ଯୋଗେ ବିଭିନ୍ନ କାର୍ଯ୍ୟ ‘ମୋବାଇଲ ସେସନ’ରେ ସଂପୃକ୍ତ ହୋଇଥାନ୍ତି । ସେହିପରି ସ୍ମାର୍ଟଫୋନର ସ୍କ୍ରିନରେ ଆଙ୍ଗୁଠି ଅତିକମରେ ୩୦୦ ଫୁଟ ଯାଏଁ ଚଳନ ‘ସ୍କ୍ରୋଲିଂ’ କରାଯାଇଥାଏ । ମାର୍କିନ ପରିସଂଖ୍ୟାନ ସଂସ୍ଥା ‘ଷ୍ଟାଟିଷ୍ଟା’ର ହିସାବ ଅନୁଯାୟୀ ଭାରତରେ ସୋସିଆଲ ମିଡ଼ିଆ ଉପଭୋକ୍ତାଙ୍କ ସଂଖ୍ୟା ୨୦୨୦ରେ ୩୭ କୋଟି ୬୧ ଲକ୍ଷ ଥିବା ସ୍ଥଳେ ୨୦୨୧ରେ ପ୍ରାୟ ୪୦ କୋଟିକୁ ବୃଦ୍ଧି ପାଇବା ଆକଳନ କରାଯାଇଥିଲା । ଅର୍ଥାତ ପ୍ରାୟ ୩୦ ପ୍ରତିଶତ ଜନସଂଖ୍ୟା ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ସଂପୃକ୍ତ ।
