ମୁଦ୍ରଣ କଳାକୌଶଳ ଉଦ୍ଭାବନ ପୂର୍ବରୁ ଜନବସତିରେ ଉଚ୍ଚ ସ୍ୱରରେ ମୌଖିକ ସୂଚ଼ନା ପ୍ରଦାନକାରୀଙ୍କୁ ‘ଘୋଷକ’ ତଥା ଲିଖିତ ସୂଚନା ପ୍ରେରଣକାରୀଙ୍କୁ ‘ପତ୍ର ଲେଖକ’ କୁହାଯାଏ । ମୁଦ୍ରିତ ସମ୍ୱାଦପତ୍ର ଲୋକପ୍ରିୟତା ହାସଲ କରିବାପରେ ବହୁ ସଂଖ୍ୟକ ବ୍ୟକ୍ତି ସମ୍ୱାଦ ରଚନା ଓ ସମ୍ପାଦନାରେ ସଂପୃକ୍ତ ହୋଇ ‘ସାମ୍ୱାଦିକ’ ନାମିତ ହେଲେ । ରେଡ଼ିଓ, ଟେଲିଭିଜନ ଓ ୱେବ-ସମ୍ୱାଦ ମଞ୍ଚ ଆତ୍ମପ୍ରକାଶରେ ସମ୍ୱାଦ ପ୍ରଯୋଜନା କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିବିଶେଷ ‘ସାମ୍ୱାଦିକ’ ଭାବେ ହିଁ ପରିଚ଼ିତ ହେଲେ । ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକ ମଧ୍ୟଭାଗରୁ ସାମାଜିକ ଗଣମାଧ୍ୟମ ପ୍ରସାରପରେ ପ୍ରତ୍ୟେକ ଉପଭୋକ୍ତା ଡ଼ିଜିଟାଲ ମଞ୍ଚଗୁଡ଼ିକରେ ସମ୍ୱାଦ ଆହରଣ ସହ ସମ୍ୱାଦ ପ୍ରସାରଣର ସୁଯୋଗ ପାଇଲେ । ଏହି ପରିବେଶରେ କେତେକଙ୍କ ସୃଜନ ବହୁସଂଖ୍ୟକ ପାଠକ, ଶ୍ରୋତା ଓ ଦର୍ଶକଙ୍କୁ ଆକର୍ଷିତ କରୁଥିବା ପରିଦୃଷ୍ଟ ହେଲା । ତେବେ ସେମାନଙ୍କୁ ‘ସାମ୍ୱାଦିକ’ ବଦଳରେ ସାମାଜିକ ଗଣମାଧ୍ୟମ ପ୍ରସାରକ ‘ସୋସିଆଲ ମିଡ଼ିଆ ଇନଫ୍ଳୁଏନସର’ କୁହାଗଲା ।
ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ଦୁଇଶହ ବର୍ଷ ଧରି ସମ୍ୱାଦ ଓ ଅଭିମତ ପ୍ରସାରଣ ସହ ବିଜ୍ଞାପକଭାବେ ଗଢ଼ି ଉଠିଥିବା ସ୍ଥଳେ ଇନଫ୍ଳୁଏନସରମାନେ ଉଭୟକ୍ଷେତ୍ରରେ ସଂପୃକ୍ତ ରହିଲେ । ଇନଫ୍ଳୁଏନସରଙ୍କ ଅନୁଗାମୀ ‘ଫାଲୋୟର୍ସ’ ଗଣତିରେ କାଟତି ବଢ଼ିଲା । ଇନଫ୍ଳୁଏନସର ଗୋଷ୍ଠୀରେ ମୂଳସ୍ରୋତର ସାମ୍ୱାଦିକଙ୍କ ସଂଖ୍ୟା କମ ଥିବା ସ୍ଥଳେ ମୌଳିକ ଭାବେ ଗଢ଼ି ଉଠିଥିବା ଡ଼ିଜିଟାଲ ମଞ୍ଚ କର୍ମୀ ‘ନେଟିଭ ଡ଼ିଜିଟାଲ ଟ୍ରାଇବ’ଙ୍କ ସଂଖ୍ୟା ଅଧିକ । ଡ଼ିଜିଟାଲ ମଞ୍ଚ ସହ ପରିଚ଼ିତ ଉଦୀୟମାନ ସୃଜନ ପ୍ରତିଭା ବିବିଧ ଗଣଯୋଗାଯୋଗ ମଞ୍ଚ ବ୍ୟବହାରରେ ନିଜ ପରାକାଷ୍ଠା ପ୍ରମାଣିତ କରିବାରେ ଲାଗିପଡ଼ିଲେ । ପରିବର୍ତ୍ତନର ସ୍ରୋତରେ ପାରମ୍ପରିକ ଗଣଯୋଗାଯୋଗ ତୁଳନାରେ ସାମାଜିକ ଗଣମାଧ୍ୟମର ପ୍ରଶସ୍ତି, ଉପଭୋକ୍ତା ବୃଦ୍ଧି ଓ ଗଣତାନ୍ତ୍ରିକ ପରିବେଶ ଇନଫ୍ଳୁଏନସରମାନଙ୍କୁ ଉଭୟ ବିଜ୍ଞାପନ ଓ ସମ୍ୱାଦ ପ୍ରସାରଣରେ ଅଗ୍ରଣୀ ଗଢ଼ି ତୋଳିଲା । ସାମାଜିକ ଗଣମାଧ୍ୟମରେ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ସଂଯୋଜନା ଏବଂ ସ୍ୱଳ୍ପ ଖର୍ଚ୍ଚରେ ସ୍ମାର୍ଟଫୋନ ଯୋଗେ ଆହରଣ ଉପଭୋକ୍ତାଙ୍କୁ ଆକର୍ଷିତ କରିଥିବା ସ୍ଥଳେ ଭବିଷ୍ୟତ ଉଜ୍ଜଳ ପ୍ରତୀୟମାନ ହୁଏ ।
ସାମାଜିକ ଗଣମାଧ୍ୟମରେ ଇନଫ୍ଳୁଏନସର ଅର୍ଥନୀତି ଅନୁଧ୍ୟାନ କରି ଆନ୍ତର୍ଜାତିକ ଗବେଷଣା ପ୍ରତିଷ୍ଠାନ ‘ଦେନ୍ତେସୁ ଇଣ୍ଡିଆ’ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ଇଣ୍ଡିଆନ ଇନଷ୍ଟିଟିଉଟ ଅଫ ଟେକନୋଲଜି, ନୂଆଦିଲ୍ଲୀ’ ସହଯୋଗକ୍ରମେ ଏକ ରିପୋର୍ଟ ‘ଇମ୍ପାକ୍ଟ ଅଫ ଇନଫ୍ଳୁଏନସର ମାର୍କେଟିଂ ଇନ ଇଣ୍ଡିଆ’ ଜୁନ ୨୦୨୩ରେ ପ୍ରକାଶ କରିଥିଲା । ପ୍ରଥମତଃ, ଭାରତରେ ଇନଷ୍ଟାଗ୍ରାମ, ଫେସବୁକ, ୟୁଟ୍ୟୁବ, ଲିଙ୍କଡ଼-ଇନ ଏବଂ ଟୁଇଟର ମଞ୍ଚରେ ଇନଫ୍ଳୁଏନସର ମାନେ ସକ୍ରିୟ । ଦ୍ୱିତୀୟତଃ, ଦ୍ରବ୍ୟ ଓ ସେବା ବିଜ୍ଞାପନ କ୍ଷେତ୍ରରେ ବିୟୁଟି, ଫେସନ, ଲାଇଫଷ୍ଟାଇଲ, ଆସବାବପତ୍ର, ଖାଦ୍ୟ ଓ ପର୍ଯ୍ୟଟନ ଭଳି ବ୍ୟାବସାୟିକ ସଂସ୍ଥା ବିଗତ ପାଞ୍ଚ ବର୍ଷରୁ କ୍ରମଶଃ ଇନଫ୍ଳୁଏନସର ବିଜ୍ଞାପନରେ ଅର୍ଥ ବିନିଯୋଗ କରୁଛନ୍ତି ।
ତୃତୀୟତଃ, ଇନଫ୍ଳୁଏନସର ମାର୍କେଟିଂ ପର୍ଯ୍ୟାଲୋଚ଼ନା ନିମନ୍ତେ ଅନୁଗାମୀଙ୍କୁ ଚାରିଗୋଟି ବର୍ଗରେ ବିଭକ୍ତ କରାଯାଇଥାଏ । ସାଧାରଣରେ ୧୮ରୁ ୨୩ ବର୍ଷ ବୟସ୍କ ‘ଜେନେରେସନ-ଜେଡ଼’, ୨୪ ବର୍ଷରୁ ୩୭ ବର୍ଷ ବୟସ୍କ ‘ମିଲାନିଆଲସ’, ୩୮ ବର୍ଷରୁ ୫୬ ବର୍ଷ ବୟସ୍କ ‘ଜେନେରେସନ-ଏକ୍ସ’ ଏବଂ ୫୭ ବର୍ଷରୁ ୬୪ ବର୍ଷ ବର୍ଷ ବୟସ୍କ ‘ବୁମରର୍ସ’ ନାମିତ । ‘ଜେନ-ଜେଡ଼’ ଓ ‘ମିଲାନିଆଲସ’ ଇନଫ୍ଳୁଏନସର ମାର୍କେଟିଂ ଦ୍ୱାରା ପ୍ରଭାବିତ । ପାରମ୍ପରିକ ବ୍ରାଣ୍ଡ ବିଜ୍ଞାପନରେ ‘ଜେନେରେସନ-ଜେଡ଼’ର ୨୮ ପ୍ରତିଶତ ପ୍ରଭାବିତ ହେଉଥିବା ସ୍ଥଳେ ‘ଇନଫ୍ଳୁଏନସର’ ବିଜ୍ଞାପନରେ ୩୩ ପ୍ରତିଶତ ପ୍ରଭାବିତ । ସେହିପରି ‘ମିଲାନିଆଲସ’ ବର୍ଗରେ ୨୪ ପ୍ରତିଶତ ବ୍ରାଣ୍ଡ ବିଜ୍ଞାପନ ଓ ୩୬ ପ୍ରତିଶତ ଇନଫ୍ଳୁଏନସର ବିଜ୍ଞାପନରେ ପ୍ରଭାବିତ । ଅପରପକ୍ଷେ ‘ଜେନେରେସନ-ଏକ୍ସ’ କ୍ଷେତ୍ରରେ ବ୍ରାଣ୍ଡ ବିଜ୍ଞାପନ ୩୭ ପ୍ରତିଶତଙ୍କୁ ପ୍ରଭାବିତ କରୁଥିବା ବେଳେ ଇନଫ୍ଳୁଏନସର ବିଜ୍ଞାପନର ପ୍ରଭାବ ମାତ୍ର ୧୨ ପ୍ରତିଶତ । ‘ବୁମରର୍ସ’ ବର୍ଗରେ ବ୍ରାଣ୍ଡ ବିଜ୍ଞାପନ ୬୩ ପ୍ରତିଶତ ଓ ‘ଇନଫ୍ଳୁଏନସର’ ବିଜ୍ଞାପନ ୩୮ ପ୍ରତିଶତଙ୍କୁ ପ୍ରଭାବିତ କରେ ।
ଚ଼ତୁର୍ଥତଃ, ସଫଳ ଇନଫ୍ଳୁଏନସରମାନେ ବିଜ୍ଞାପନ ବାବଦରେ ବେଶ ମୋଟା ଅଙ୍କର ଅର୍ଥ ଆୟ କରନ୍ତି । ଉଦାହରଣରେ ବ୍ୟାଙ୍କ, ବୀମା, ମ୍ୟୁଚଲଫଣ୍ଡ, ଷ୍ଟକ ଭଳି ଅର୍ଥନୀତିକ ବିଜ୍ଞାପନ ପାଇଁ ପୋଷ୍ଟ ପିଛା ଇନଫ୍ଳୁଏନସରମାନେ ଦଶ ହଜାରରୁ ସାତ ଲକ୍ଷ ୫୦ ହଜାର ଟଙ୍କା ଯାଏଁ ପାରିଶ୍ରମିକ ପାଇଥାନ୍ତି । ଇନଫ୍ଳୁଏନସରମାନଙ୍କୁ ନିୟୋଜନ ଏବଂ କାର୍ଯ୍ୟ ତଦାରଖ କରୁଥିବା ଇନଫ୍ଳୁଏନସର ଏଜେନ୍ସିମାନେ ଏକ ବିଜ୍ଞାପନ ଅଭିଯାନ ‘ଏଡ଼ଭାଟାଇଜମେଣ୍ଟ କ୍ୟାମ୍ପେନ’ ପିଛା ୨୦ ଲକ୍ଷ ଟଙ୍କା ଦାବୀ କରନ୍ତି ।
ପଞ୍ଚମତଃ, ଆମ ଦେଶରେ ମହାମାରୀ-ପର ପରିବେଶରେ ଇଣ୍ଟରନେଟ ପ୍ରସାର ଓ ସ୍ମାର୍ଟଫୋନ ଯୋଗେ ସାମାଜିକ ଗଣମାଧ୍ୟମ ବ୍ୟବହାର ଦୃତ ବୃଦ୍ଧି ଘଟୁଥିବା ସ୍ଥଳେ ଇନଫ୍ଳୁଏସନରମାନଙ୍କ ଗୁରୁତ୍ୱ ମଧ୍ୟ ବଢ଼ିଛି । ନାମୀ ଇନଷ୍ଟାଗ୍ରାମ ଇନଫ୍ଳୁଏନସରଙ୍କ ଅନୁଗାମୀ ସଂଖ୍ୟା ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ହିସାବ କରାଯାଉଛି । ସହରାଞ୍ଚଳରେ ଇନଫ୍ଳୁଏନସରଙ୍କ ପ୍ରଭାବ କ୍ରମଶଃ ଗ୍ରାମାଞ୍ଚଳକୁ ସଂପ୍ରସାରିତ ହୋଇଛି ଏବଂ ଇଂଲିଶ, ହିନ୍ଦି ସାଙ୍ଗକୁ ଆଞ୍ଚଳିକ ଭାଷାଗୁଡ଼ିକରେ ମଧ୍ୟ ଇନଫ୍ଳୁଏନସରମାନଙ୍କୁ ବ୍ୟାବସାୟିକ ବିଜ୍ଞାପନ ନିମନ୍ତେ ନିୟୋଜିତ କରାଯାଉଛି ।
‘ଏଡ଼ଭାଟାଇଜିଂ ଷ୍ଟାଣ୍ଡାର୍ଡସ କାଉନସିଲ ଅଫ ଇଣ୍ଡିଆ’ ପକ୍ଷରୁ ସୋସିଆଲ ମିଡ଼ିଆ ଇନଫ୍ଳୁଏନସରଙ୍କ ତିନିଗୋଟି କ୍ଷେତ୍ରରେ ଦକ୍ଷତାକୁ ଗୁରୁତ୍ୱ ଦିଆଯାଇଥାଏ । ଇନଫ୍ଳୁଏନସରମାନେ କେତେ ସଂଖ୍ୟକ ଅନୁଗାମୀଙ୍କଠାରେ ପହଞ୍ଚି ପାରୁଛନ୍ତି, କେତେ ମାତ୍ରାରେ କୌଣସି ଦ୍ରବ୍ୟ ବା ସେବା ବ୍ୟବହାର ଲାଗି ପ୍ରଭାବିତ କରିପାରୁଛନ୍ତି ଏବଂ ଇନଫ୍ଳୁଏନସରଙ୍କ ଜ୍ଞାନ, ପଦବୀ ତଥା ଅନୁଗାମୀଙ୍କ ସହ ସଂପର୍କ କେତେ ଗଭୀର ତାହା ବିଚାରକୁ ନିଆଯାଇଥାଏ । ଆମ ଦେଶର ପ୍ରମୁଖ ବିଜ୍ଞାପକଙ୍କ ମଧ୍ୟରେ ହିନ୍ଦୁସ୍ଥାନ ୟୁନିଲିଭର, ମାରିକୋ ଓ ବିକାନେରୱାଲା ଭଳି ବିଜ୍ଞାପକମାନେ ସୋସିଆଲ ମିଡ଼ିଆ ଇନଫ୍ଳୁଏନସର ବିଜ୍ଞାପନ ପ୍ରଚାରରେ ଅଗ୍ରଣୀ ।
ଉଦାହରଣରେ ‘ମେରିକୋ’ ପ୍ରତିଷ୍ଠାନ ପକ୍ଷରୁ କେଶ ପ୍ରସାଧାନ ଉତ୍ପାଦ ‘ଲିଭନ’ର ଏକ ସୋସିଆଲ ମିଡ଼ିଆ ଇନଫ୍ଳୁଏନସର ବିଜ୍ଞାପନ ଅଭିଯାନ ୩୮ କୋଟି ଦର୍ଶକଙ୍କ ନିକଟରେ ପହଞ୍ଚିପାରିଥିଲା ଏବଂ ଏଥିରେ ପ୍ରଭାବିତ ହୋଇ ଏକ ହଜାର ଦର୍ଶକଙ୍କ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ପୋଷ୍ଟ କରାଯାଇଥିଲା । ଏହାର ଅନ୍ୟତମ ଉତ୍ପାଦ ‘ପାରାଚୁଟ’ ନଡ଼ିଆ ତେଲର ବିଜ୍ଞାପନ ନିମନ୍ତେ ୪୦ ଜଣ ୪୦ ବର୍ଷରୁ କମ ବୟସ୍କ ସୋସିଆଲ ମିଡିଆ ଇନଫ୍ଳୁଏନସରଙ୍କୁ ନିଯୁକ୍ତ କରାଯାଇଥିଲା ।
ଇନଫ୍ଳୁଏନସର ବିଜ୍ଞାପନ ମୁଖ୍ୟତଃ ‘ଜେନ-ଜେଡ଼’ ଓ ‘ମିଲାନିଆଲସ’ ମିଳିତ ଭାବେ ୧୮ ବର୍ଷରୁ ୩୭ ବର୍ଷ ବୟସ୍କଙ୍କ ମଧ୍ୟରେ ଲୋକପ୍ରିୟ ଥିବା ସ୍ଥଳେ ସମଭାବେ ସମ୍ୱାଦ ପରିବେଷଣ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ କୁହାଯାଇପାରେ । ଅର୍ଥାତ, ଏହି ବୟସ ବର୍ଗ ସୋସିଆଲ ମିଡ଼ିଆରୁ ଅପେକ୍ଷାକୃତଭାବେ ଅନ୍ୟ ବୟସ ବର୍ଗ ତୁଳନାରେ ସଂବାଦ ଆହରଣ କରୁଥିବା ଏବଂ ଇନଫ୍ଳୁଏନସର ଅନୁଗାମୀ ଥିବା ବିଶ୍ୱାସ କରାଯାଇପାରେ ।
‘ଫୋବର୍ସ ଆଡ଼ଭାଇଜର’ ହିସାବ ଅନୁଯାୟୀ ୨୦୨୩ ଆରମ୍ଭ ସୁଦ୍ଧା ଭାରତରେ ୬୭.୫ ପ୍ରତିଶତ ଇଣ୍ଟରନେଟ ଉପଭୋକ୍ତା ସୋସିଆଲ ମିଡ଼ିଆ ବ୍ୟବହାର କରୁଥିଲେ । ପ୍ରତ୍ୟେକ ଉପଭୋକ୍ତା ହାରାହାରି ଦୈନିକ ୧୪୧.୬ ମିନଟ ସୋସିଆଲ ମିଡ଼ିଆ ମଞ୍ଚରେ ଉପସ୍ଥିତ ରହୁଥିଲେ । କୁହାଯାଏ ଯେ ଏହି ପ୍ରବାହ ଅବ୍ୟାହତ ରହିଲେ ଏବଂ ‘ଜେନ-ଜେଡ଼’ର ହାରାହାରି ଜୀବଦ୍ଦଶା ୭୩ ବର୍ଷ ନିର୍ଦ୍ଧାରଣ କରାଗଲେ ଜଣେ ବ୍ୟକ୍ତି ଜୀବନ କାଳ ମଧ୍ୟରେ ୫ ବର୍ଷ ୭ ମାସରୁ ଉର୍ଦ୍ଧ୍ୱ ସମୟ ସୋସିଆଲ ମିଡ଼ିଆରେ ବିତାଇବ । ଏହିଭଳି ପରିସଂଖ୍ୟାନରୁ ସୋସିଆଲ ମିଡ଼ିଆ ଭବିଷ୍ୟତରେ ଇନଫ୍ଳୁଏନସର ପ୍ରଭାବ ବେଶ ଆକଳନ କରାଯାଇପାରେ ।
