ଆଜିର ଖାସ ଖବର
Sat. May 30th, 2026

ଟିସିଏସ କୋଡଭିଟା ୨୦୨୫ରେ ତାଇୱାନର ୨୪ ବର୍ଷୀୟ ଜେଫ୍ରି ହୋଙ୍କୁ ‘ବିଶ୍ୱର ଶ୍ରେଷ୍ଠ କୋଡର’ ଟାଇଟଲ

By Admin_Dainkasha Mar26,2025
24-year-old Taiwanese Student wins the title of ‘World’s Best Coder’ at TCS CodeVita 2025

ଭୁବନେଶ୍ୱର: ଆଇଟି ସେବା, କନସଲଟିଂ ଓ ବ୍ୟବସାୟ ସମାଧାନର ବିଶ୍ୱସ୍ତରୀୟ କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପକ୍ଷରୁ ଚେନ୍ନାଇର ଟିସିଏସ ସିରୁସେରି କ୍ୟାମ୍ପସରେ ଏହାର ବିଶ୍ୱସ୍ତରୀୟ କୋଡିଂ ପ୍ରତିଯୋଗିତା କୋଡଭିଟା ୨୦୨୫ର ବିଜେତା ଘୋଷଣା କରାଯାଇଛି। ତାଇୱାନର ୨୪ ବର୍ଷୀୟ ବିଦ୍ୟାର୍ଥୀ ଜେଫ୍ରି ହୋଙ୍କୁ ଟାଇଟଲ ମିଳିଛି ଏବଂ ବିଶ୍ୱର ସର୍ବବୃହତ କମ୍ପ୍ୟୁଟର ପ୍ରୋଗ୍ରାମିଂ ପ୍ରତିଯୋଗିତା ଭାବେ ଏହା ଗିନିସ ରେକର୍ଡ ବୁକରେ ସ୍ଥାନ ପାଇଛି।
‘ୟୁନାଇଟେଡ ବାଏ କୋଡ’ ବିଷୟବସ୍ତୁ ଉପରେ ଆୟୋଜିତ କୋଡଭିଟାରେ ପ୍ରୋଗ୍ରାମିଂ କ୍ଷେତ୍ରର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ପ୍ରତିଯୋଗିତାର ଏହି ୧୨ତମ ସଂସ୍କରଣରେ ୯୬ଟି ଦେଶରୁ ୫୩୭୦୦୦ରୁ ଅଧିକ ପଞ୍ଜୀକରଣ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗେମ ଜରିଆରେ କୋଡିଂର ପ୍ରସାର କରିବା କରିବା ଲକ୍ଷ୍ୟ ନେଇ ଟିସିଏସ କୋଡଭିଟା ଆୟୋଜନ କରାଯାଇଥିଲା। ବିଗତ ବର୍ଷ ଗୁଡ଼ିକରେ ଶହ ଶହ ଛାତ୍ରଛାତ୍ରୀ ଟିସିଏସରେ ଇଂଟର୍ନସିପ କରିଥିବା ବେଳେ ଶ୍ରେଷ୍ଠ ତିନି କୋଡରଙ୍କୁ ଟିସିଏସ ରିସର୍ଚ ଆଣ୍ଡ ଇନୋଭେସନ ଟିମ ସହ କାମ କରିବାର ସୁଯୋଗ ପ୍ରଦାନ କରାଯାଉଛି। କୋଡ ଭିଟାରେ ତିନିଟି ରାଉଣ୍ଡ ରହିଛି। ପ୍ରତି ବର୍ଷ ଶ୍ରେଷ୍ଠ ୨୫ ଛାତ୍ରଛାତ୍ରୀ ଫାଇନାଲରେ ପ୍ରବେଶ କରିଥାନ୍ତି। ଟିସିଏସର ଚିଫ ଟେକ୍ନୋଲୋଜି ଅଫିସର ହାରିକ ଭିନ କହିଛନ୍ତି ଯେ, ‘ଟିସିଏସ କୋଡଭିଟା ଅଂଶଗ୍ରହଣକାରୀମାନଙ୍କୁ କେବଳ ସେମାନଙ୍କ କୋଡିଂ ଦକ୍ଷତାରେ ଉନ୍ନତି ଆଣିବା ଲାଗି ଚ୍ୟାଲେଞ୍ଜ କରୁନାହିଁ, ବରଂ ବାସ୍ତବ ଦୁନିଆ ପ୍ରୟୋଗର ଅନୁସନ୍ଧାନ ଓ ଉଦୀୟମାନ ପ୍ରଯୁକ୍ତି ଧାରା ଜାଣିବାର ସୁଯୋଗ ପ୍ରଦାନ କରୁଛି। ୧୨ତମ ସଂସ୍କରଣରେ ଏହି ବିଶ୍ୱସ୍ତରୀୟ କୋଡିଂ ପ୍ରତିଯୋଗିତା ପ୍ରତିଭା ପାଇଁ ଏହାର ମାନଦଣ୍ଡ ଉଚ୍ଚା କରି ନୂତନ ଦୃଷ୍ଟିକୋଣକୁ ଅନୁପ୍ରାଣିତ ଏବଂ ଇଞ୍ଜିନିୟରିଂ ଉତ୍କର୍ଷକୁ ସମୃଦ୍ଧ କରୁଛି। ଟିସିଏସ କୋଡଭିଟା ଭଳି ପ୍ଲାଟଫର୍ମ ଜରିଆରେ କମ୍ପାନି ପରବର୍ତୀ ପିଢ଼ିର ସମସ୍ୟା ସମାଧାନକାରୀଙ୍କୁ ସଶକ୍ତ କରୁଛି ଏବଂ ଯୁବ ଲିଡରଙ୍କ ଏକ ଗୋଷ୍ଠୀ ଗଠନ କରୁଛି ଯାହା ଭବିଷ୍ୟତର ପ୍ରଯୁକ୍ତି ଦୃଶ୍ୟପଟ ଗଠନ କରିବ।’’
ଏହି ପ୍ରତିଯୋଗିତାରେ ତାଇୱାନର ଜେଫ୍ରି ହୋ, ଚିଲିର ମାର୍ଟିନ ଆଣ୍ଡ୍ରିଘେଟି ଓ ଇଗ୍ନାସିଓ ମୁନୋଜ ପ୍ରଥମ ତିନି ବିଜେତା ହୋଇଛନ୍ତି। ଜେଫ୍ରିଙ୍କୁ ୧୦,୦୦୦ ଡଲାର ପୁରସ୍କାର ମିଳିଥିବା ବେଳେ ମାର୍ଟିନଙ୍କୁ ୭୦୦୦ ଓ ମୁନୋଜଙ୍କୁ ୩୦୦୦ ଡଲାର ପୁରସ୍କାର ପ୍ରଦାନ କରାଯାଇଛି। ମାର୍ଟିନ ୨୦୨୪ରେ ଏହି ପ୍ରତିଯୋଗିତା ଜିତିଥିଲେ। ଭାରତର ଅଙ୍କିତା ବର୍ମାଙ୍କୁ ଶ୍ରେଷ୍ଠ ମହିଳା କୋଡର ଓ ଚୀନୀ ଝୋ ଜିଙ୍ଗକାଇଙ୍କୁ ଶ୍ରେଷ୍ଠ ଉଦୀୟମାନ କୋଡର ଭାବେ ଚିହ୍ନଟ କରାଯାଇଥିଲା।
ଟିସିଏସ କୋଡଭିଟା ସିଜନ-୧୨ର ବିଜେତା ଜେଫ୍ରି ହୋ କହିଛନ୍ତି ଯେ, ‘ଟିସିଏସ କୋଡଭିଟାରେ ଏହା ମୋର ଚତୁର୍ଥ ବର୍ଷ ଏବଂ ଏହି ଯାତ୍ରା ବେଶ ଚମତ୍କାର ରହିଛି। ପ୍ରତି ବର୍ଷ ନୂଆ ଆହ୍ୱାନ ଆସୁଛି, ପ୍ରତିଯୋଗିତା କଠିନ ହେଉଛି ଓ ମୂଲ୍ୟବାନ ଶିକ୍ଷା ମିଳୁଛି। ଆଜି ଏଠାରେ ବିଜେତା ଭାବେ ଠିଆ ହୋଇ ସବୁ କଠିନ ପରିଶ୍ରମ, ସଂକଳ୍ପ ଓ ନିଷ୍ଠାର ମୂଲ୍ୟ ଥିବା ଭଳି ଲାଗୁଛି।’’

Related Post