ଭାରତରେ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ଅଗଷ୍ଟ ୨୦୨୩ ସୁଦ୍ଧା ୮୫ କୋଟି ଟପିଥିଲା । ‘ଟେଲକମ ରେଗୁଲେଟରୀ ଅଥାରିଟୀ ଅଫ ଇଣ୍ଡିଆ’ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ଟେଲକମ ସର୍ଭିସ ପେରଫରମାନ୍ସ ଇଣ୍ଡିକେଟରର୍ସ, ଜାନୁୟାରୀ-ମାର୍ଚ୍ଚ ୨୦୨୩’ ତଥ୍ୟ ଅନୁଯାୟୀ ୮୫ କୋଟି ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତାଙ୍କ ମଧ୍ୟରେ ୮୨ କୋଟି ୱାଏରଲେସ ବ୍ରଡ଼ବ୍ୟାଣ୍ଡ ବା ମୁଖ୍ୟତଃ ସ୍ମାର୍ଟଫୋନ ବ୍ୟବହାରକାରୀ ।
ଦିଲ୍ଲୀକେନ୍ଦ୍ରୀକ ଇଣ୍ଟରନେଟ ଚ଼ିନ୍ତନ ମଞ୍ଚ ଇସ୍ୟା ସେଣ୍ଟର ଓ ଅହମ୍ମଦାବାଦ ଇଣ୍ଡିଆନ ଇନିଷ୍ଟିଟିଉଟ ଅଫ ମ୍ୟାନେଜମେଣ୍ଟ ଆନୁକୂଲ୍ୟରେ ଅଗଷ୍ଟ ୨୦୨୩ରେ ପ୍ରକାଶିତ ‘ନ୍ୟୂ ଏଜ ଡିଜିଟାଲ ମିଡ଼ିଆ କନଜମ୍ପସନ : ଏ ସର୍ଭେ ଅଫ ସୋସିଆଲ ମିଡ଼ିଆ, ଓଟିଟି କଣ୍ଟେଣ୍ଟ, ଅନଲାଇନ ଗେମିଂ’ରେ ଦର୍ଶାଯାଇଥିଲା ଯେ ଭାରତୀୟମାନେ ଦୈନିକ ହାରାହାରି ୧୯୪ ମିନଟ ସୋସିଆଲ ମିଡ଼ିଆ ମଞ୍ଚରେ ଅତିବାହିତ କରିଥାନ୍ତି । ଏତଦ୍ ବ୍ୟତୀତ ୪୬ ମିନଟ ଅନଲାଇନ ଗେମିଂ ଓ ୪୪ ମିନଟ ଓଭର-ଦି-ଟପ ‘ଓଟିଟି’ ମଞ୍ଚରେ ଉପସ୍ଥିତ ରହନ୍ତି । ଏହି ସର୍ବେକ୍ଷଣରେ ଜାତୀୟସ୍ତରରେ ଦୁଇ ହଜାର ଇଣ୍ଟରନେଟ ଉପଭୋକ୍ତାଙ୍କ ସହ ସାକ୍ଷାତକାର ସଙ୍ଗେ ସ୍ମାର୍ଟଫୋନରେ ବ୍ୟବହୃତ ୧୩୪ ଗୋଟି ମୋବାଇଲ ଆପରେ କୋଡ଼ିଏ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟବହାରକାରୀଙ୍କ ଗତିବିଧି ଅନୁଶୀଳନ କରାଯାଇଥିଲା ।
ରିପୋର୍ଟରେ ଆହୁରି ସୂଚ଼ିତ ହୋଇଥିଲା ଯେ ସମଗ୍ର ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରୁ ୮୯ ପ୍ରତିଶତ ପ୍ରତିଦିନ ସୋସିଆଲ ମିଡ଼ିଆ ମଞ୍ଚ ପରିଦର୍ଶନ କରନ୍ତି । ସେହିପରି ୨୨ ପ୍ରତିଶତ ଓଟିଟି ମଞ୍ଚ ଓ ୧୨ ପ୍ରତିଶତ ଅନଲାଇନ ଗେମିଂ ଆପ ଦୈନିକ ବ୍ୟବହାର କରନ୍ତି । ସୋସିଆଲ ମିଡ଼ିଆରେ ଉପସ୍ଥିତି ଲାଗି ଶତ ପ୍ରତିଶତ ସ୍ମାର୍ଟଫୋନକୁ ମାଧ୍ୟମ ରୂପେ ଗ୍ରହଣ କରାଯାଏ । ଅର୍ଥାତ, ଭାରତରେ ୨୦୨୩ ମଧ୍ୟଭାଗ ସୁଦ୍ଧା ୮୨ କୋଟି ଇଣ୍ଟରନେଟ ଉପଭୋକ୍ତଙ୍କ ମଧ୍ୟରୁ ୭୪ କୋଟି ଦୈନିକ ହାରାହାରି ଚାରିଘଣ୍ଟା ଯାଏଁ ସ୍ମାର୍ଟଫୋନରେ ବିତାଇଥାନ୍ତି । ଜଣେ ସ୍ମାର୍ଟଫୋନଧାରୀ ଯଦି ଦୈନିକ ଆଠ ଘଣ୍ଟା ନିଦ୍ରା ଯାଉଛି, ତେବେ ସଚ଼େତ ଥିବା ୧୬ ଘଣ୍ଟାରୁ ଚାରି ଘଣ୍ଟା ଅର୍ଥାତ ଏକ ଚତୁର୍ଥାଂଶ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଛି ।
ସମକାଳୀନ ଭାରତୀୟ ସମାଜରେ ପ୍ରାୟ ୬୦ ପ୍ରତିଶତ ନାଗରିକ ଦୈନନ୍ଦିନ ଦୀର୍ଘ ସମୟ ସ୍ମାର୍ଟଫୋନ ପରିବେଶରେ ଯୋଗାଯୋଗ, ବଜାରସଉଦା, ବ୍ୟାଙ୍କି, ଶିକ୍ଷା, ମନୋରଞ୍ଜନ ମଞ୍ଚରେ ସଂପୃକ୍ତ ରହୁଥିବା ସ୍ଥଳେ ବିଭିନ୍ନ ସୁବିଧାସୁଯୋଗ ସାଙ୍ଗକୁ ନକାରାତ୍ମକ ପ୍ରଭାବରେ ମଧ୍ୟ ଆକ୍ରାନ୍ତ ହୋଇପଡ଼ନ୍ତି । ମୁଖ୍ୟତଃ, ସୋସିଆଲ ମିଡ଼ିଆ, ଗେମିଂ ଓ ମନୋରଞ୍ଜନ ମଞ୍ଚ ପ୍ରତି ଆସକ୍ତିଭାବ ଉଦ୍ରେକ ଫଳରେ ସମସ୍ୟା ଉପୁଜିଥାଏ । ଆକ୍ରାନ୍ତ ଆସକ୍ତିରୁ ମୁକ୍ତି ନିମନ୍ତେ ଉପାୟ ଖୋଜିଥାଏ । କେତେକ କ୍ଷେତ୍ରରେ ଆସକ୍ତି ଉପଚାର ନିମନ୍ତେ ମନୋବିଜ୍ଞାନ ଚ଼ିକିତ୍ସା ଓ ଔଷଧର ସହାୟତା ନେବାକୁ ପଡ଼ିଥାଏ । ‘ଇଣ୍ଟରନେଟ ଡ଼ି-ଏଡିକସନ’ କ୍ରମଶଃ ଏକ ଜନସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହେବାରେ ଲାଗିଛି ।
ସୋସିଆଲ ମିଡ଼ିଆରେ ଦୀର୍ଘ ସମୟ ସଂପୃକ୍ତିଜନିତ ନକାରାତ୍ମକ ପ୍ରଭାବ ସଂପର୍କରେ ମନୋବିଜ୍ଞାନୀମାନେ ସଚ଼େତନ କରାଇଥାନ୍ତି । ପ୍ରଥମତଃ, ସୋସିଆଲ ମିଡ଼ିଆରେ ଉପଭୋକ୍ତାଙ୍କ ପରିଚ଼ିତବର୍ଗ ସାଧାରଣତଃ ଜୀବନର ସଫଳ ମୂହୂର୍ତ୍ତଗୁଡ଼ିକର ବର୍ଣ୍ଣନା କରିଥାନ୍ତି । ସ୍ଥଳବିଶେଷରେ ଅନ୍ୟମାନଙ୍କ ସଫଳତା, ଆନନ୍ଦଦାୟକ ଜୀବନଯାତ୍ରା ଅନ୍ୟକୁ ଏକ ରକମର ସାମାଜିକ ନ୍ୟୂନତା ଅନୁଭବରେ ପହୁଞ୍ଚାଇଦେଇଥାଏ । ଏହି ପରିସ୍ଥିତି ‘ଫିଅର ଅଫ ମିସିଙ୍ଗ ଆଉଟ’ ଭାବେ ପରିଚ଼ିତ । ଅର୍ଥାତ, ଅନ୍ୟମାନଙ୍କ ପରି ନିଜେ ସଫଳତା ହାସଲ ନିମନ୍ତେ ସୋସିଆଲ ମିଡ଼ିଆ ଉପଭୋକ୍ତା ଅବଚେତନସ୍ତରରେ ଉଦବିଗ୍ନ ହୋଇପଡ଼େ ।
ଦ୍ୱିତୀୟତଃ, ସୋସିଆଲ ମିଡ଼ିଆ ପୋଷ୍ଟଗୁଡ଼ିକର ଆଦୃତି ଲାଇକ, ସେୟାର ଓ କମେଣ୍ଟର ନିକିତିରେ ତଉଲାଯାଇଥାଏ । ମନୋବିଜ୍ଞାନୀମାନେ କହନ୍ତି ଯେ ଗୋଟିଏ ପୋଷ୍ଟ ଲାଇକ ପାଇବା ପରେ ମସ୍ତିସ୍କରୁ ଆନନ୍ଦଦାୟକ ରସାୟନ ‘ଡୋପାମାଇନ’ କ୍ଷରଣ ହୋଇଥାଏ । ‘ଇନଷ୍ଟାଣ୍ଟ ଗ୍ରାଟିଫିକେସନ’ ପ୍ରଭାବରେ ନିଜର ପୋଷ୍ଟ କିପରି ପାଠକୀୟ ସ୍ୱୀକୃତି ହାସଲ କରୁଛି, ତାହା ଉପଭୋକ୍ତା ସ୍ମାର୍ଟଫୋନରେ ବାରମ୍ୱାର ତନଖି କରିଥାଏ ।
ସାଧାରଣରେ ଅନ୍ୟର ପୋଷ୍ଟ ଲାଇକ କଲେ ଅନ୍ୟମାନେ ନିଜର ପୋଷ୍ଟ ଲାଇକ କରିବେ ବିଚାରରେ ଉପଭୋକ୍ତା ବହୁ ପୋଷ୍ଟ ଲାଇକ କରିବାରେ ସୋସିଆଲ ମିଡ଼ିଆ ମଞ୍ଚରେ ଦୀର୍ଘ ସମୟ କଟାଏ । ଏହି କ୍ରମାଗତ ପ୍ରକ୍ରିୟାର ଅନ୍ତନଥାଏ । ତେବେ ବିଡ଼ମ୍ୱନାର ବିଷୟ ଏହି ଯେ ଗବେଷଣାରୁ ଜଣାଯାଏ ଅନେକ କ୍ଷେତ୍ରରେ ସୋସିଆଲ ମିଡ଼ିଆ ପୋଷ୍ଟଗୁଡ଼ିକ ନପଢ଼ି ବହୁ ସଂଖ୍ୟକ ଲାଇକ କରିଥାନ୍ତି । ଏହା ଏକ ଐପଚାରକତାରେ ପରିଣତ ହୋଇଥାଏ ।
ତୃତୀୟତଃ, ନିଃସଙ୍ଗତାରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ସୋସିଆଲ ମିଡ଼ିଆ ଆଶ୍ରିତ ହୋଇଥାଏ । ତେବେ ଡ଼ିଜିଟାଲ ସଂପୃକ୍ତି ତତ୍ କ୍ଷଣାତ ନିଃସଙ୍ଗତା ଦୂରୀକରଣରେ ସହାୟକ ହେଉଥିଲେହେଁ ଦୀର୍ଘକାଳୀନ ପ୍ରଭାବ ନକାରାତ୍ମକ । ପାରିପାର୍ଶ୍ୱିକ ପରିବେଶରୁ ଦୂରେଇଯିବା ଫଳରେ ଉପଭୋକ୍ତା କ୍ରମଶଃ ଇଣ୍ଟରନେଟ ଓ ସ୍ମାର୍ଟଫୋନ ଆସକ୍ତ ହୋଇପଡ଼େ ।
ଗୁରୁତର ଇଣ୍ଟରନେଟ ଆସକ୍ତିର ଉଦାହରଣ ଦେଇ ବିଶେଷଜ୍ଞମାନେ କେତେକ ବ୍ୟକ୍ତି ଦୈନିକ ଆଠଘଣ୍ଟା ଯାଏଁ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଏବଂ ତିନି ଶହରୁ ଉର୍ଦ୍ଧ୍ୱ ପ୍ରାୟ ପ୍ରତି ଦୁଇମିନଟରେ ଥରେ ସ୍ମାର୍ଟଫୋନ ତନଖୁଥିବା ଉଦାହରଣ ଉପସ୍ଥାପନ କରିଥାନ୍ତି । ସ୍ମାର୍ଟଫୋନରେ ଓଟିଟି ମଞ୍ଚଗୁଡ଼ିକରେ ସ୍ଥାନିତ ଦୀର୍ଘ ଚଳଚ଼ିତ୍ର ଅଧ୍ୟାୟଗୁଡ଼ିକ ଧାରାବାହିକ ଭାବେ ଦେଖିବାକୁ ‘ବିଙ୍ଗ ୱାଚିଂ’ କୁହାଯାଏ । ବିଶେଷକରି ଅପରାଧିକ ଅଧ୍ୟାୟଗୁଡ଼ିକ କ୍ରମାଗତଭାବେ ଦେଖିବା ଫଳରେ ଭୟାତୁର ମାନସିକ ପରିବେଶ ସୃଷ୍ଟି ହେଉଥିବା ଜଣାଯାଏ । ଇଣ୍ଟରନେଟ ଆସକ୍ତିରୁ ଉଦବିଗ୍ନତା ‘ଏଙ୍ଗଜାଇଟି’ ଓ ରୋଷ ‘ଏଙ୍ଗର’ ଉଦ୍ରେକ ହୋଇଥାଏ ।
ସାଂପ୍ରତିକ ସାମାଜିକ ପୃଷ୍ଠଭୂମିରେ ସ୍ମାର୍ଟଫୋନ ଆସକ୍ତି ଏକ ଅସମାହିତ ସମସ୍ୟା । ପ୍ରଦ୍ୟୋଗୀକି ବିଶେଷଜ୍ଞ ଓ ମନୋବିଜ୍ଞାନୀମାନେ ସ୍ମାର୍ଟଫୋନ ଆସକ୍ତିରୁ ନିବୃତ୍ତିଲାଗି ବିଭିନ୍ନ ପରାମର୍ଶ ପ୍ରଦାନ କରିଥାନ୍ତି । ତେବେ ସାଧାରଣରେ କେତେକ ଅଭ୍ୟାସ ଚର୍ଚ୍ଚିତ । ପ୍ରଥମତଃ, ସଦାସର୍ବଦା ସ୍ମାର୍ଟଫୋନ ସାଥିରେ ଥିଲେହେଁ ପ୍ରତିଦିନ କେଉଁ ସମୟରେ କେତେ ସମୟ ସୋସିଆଲ ମିଡ଼ିଆ ମଞ୍ଚ ପରିଦର୍ଶନ କରିବେ, ତାହା ନିର୍ଦ୍ଧାରଣ କରି ଅନୁପାଳନ କରିବା ଉଚ଼ିତ । ଦ୍ୱିତୀୟତଃ, ସ୍ମାର୍ଟଫୋନ ଲ୍ୟାପଟପ ଭଳି ସାଜସରଞ୍ଜାମଠାରୁ ଦିନରେ କିଛି ସମୟ ବା ସପ୍ତାହରେ ଦିନେ ଦୁଇଦିନ ଦୂରେଇ ରହିଲେ ସୁଫଳ ମିଳିଥାଏ ।
ତୃତୀୟତଃ, ବ୍ୟାୟାମ, କ୍ରୀଡ଼ା ଓ ସାମାଜିକ ସମାବେଶରେ ଯୋଗଦାନ ଅନଲାଇନ ଉପସ୍ଥିତିରୁ ନିବୃତ୍ତି ଲାଗି ସୁଯୋଗ ସୃଷ୍ଟିକରେ । ଚ଼ତୁର୍ଥତଃ, ଧ୍ୟାନ ଯୋଗ ଭଳି ଅଭ୍ୟାସ ମାନସିକସ୍ତରରେ ସନ୍ତୁଳନ ଆଣିପାରେ । ପଞ୍ଚମତଃ, ବ୍ୟକ୍ତିଗତ ଉଦ୍ୟମ ସତ୍ତ୍ୱେ ଆସକ୍ତିରୁ ମୁକ୍ତି ନପାଇପାରିଲେ ବିଶେଷଜ୍ଞଙ୍କ ପରାମର୍ଶ ନେବା ବା ଚିକିତ୍ସାଧୀନ ହେବା ଲାଭଦାୟକ ପ୍ରମାଣିତ ।
ସ୍ମାର୍ଟଫୋନରେ ସଂଯୋଜିତ ଆପ୍ଲିକେସନଗୁଡ଼ିକ ବ୍ୟକ୍ତିର ରୁଚ଼ି, ଆଗ୍ରହ ଓ ଦୁର୍ବଳତାକୁ ପୁଞ୍ଜିକରି ଗଢ଼ି ଉଠିଥିବା କାରଣରୁ ଥରେ ବ୍ୟବହାରରେ ଅଭ୍ୟସ୍ତ ହେଲେ ଦୂରେଇଯିବା ଦୁରୁହ ବ୍ୟାପାର ହୋଇପଡ଼େ । ସ୍ମାର୍ଟଫୋନରେ ଯୋଗାଯୋଗଠାରୁ ବିତ୍ତ, ସ୍ୱାସ୍ଥ୍ୟ, ବଜାରସଉଦା, ମନୋରଞ୍ଜନ ସମସ୍ତ ସେବା ଯୋଡ଼ିହୋଇଥିବା ହେତୁ ବିନା ସ୍ମାର୍ଟଫୋନରେ ଜୀବନ ଅସହଜ ମନେହୁଏ । ଛାତ୍ର, ଶିକ୍ଷକ ଓ ଚ଼ିନ୍ତକମାନେ ସ୍ମାର୍ଟଫୋନ ବା ଟେବଲେଟରେ ଗ୍ରନ୍ଥାଗାର ସାଙ୍ଗକୁ ସୃଜନ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ପ୍ରଶ୍ନର ମୌଳିକ ଉତ୍ତର ପାଇପାରୁଥିବା ତଥା ରଚନା ପ୍ରକ୍ରିୟାକରଣରେ ବିଭିନ୍ନ ସହାୟତା କାରଣରୁ ଅଧ୍ୟୟନରେ ସ୍ମାର୍ଟଫୋନର ମାୟାରୁ ବର୍ତ୍ତିବାରେ ନିରୂପାୟ ।
ତେବେ ଏତାଦୃଶ ପରିବେଶର ମୁକାବିଲା କରିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିବିଶେଷ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିପାରିବେ । ଏହି ରଚନାର ଲେଖକ କଥାବାର୍ତ୍ତା ହେବାଲାଗି ଏକ ଫିଚ଼ର ଫୋନ ଓ ଅନ୍ୟ ଏକ ଇଣ୍ଟରନେଟ ସଂଯୁକ୍ତ ଟେବଲେଟ ବ୍ୟବହାର କରେ । ଫିଚ଼ର ଫୋନ ଅନବରତ ପାଖରେ ଥିବା ବେଳେ ଟେବଲେଟ ଆବଶ୍ୟକ ସମୟରେ ପାଖକୁ ଆଣୁଥିବା ହେତୁ ଇଣ୍ଟରନେଟ ଓ ସ୍ମାର୍ଟଫୋନ ପ୍ରଭାବରୁ ଦୀର୍ଘ ସମୟ ଦୂରେଇ ରହେ । ଏହା ଏକ ଉଦାହରଣ ମାତ୍ର । ସାଧ୍ୟମତେ ସଂଜମ ସୁଫଳ ପ୍ରଦାନ କରିବା ସମ୍ଭବ ।
