ଆଜିର ଖାସ ଖବର
Mon. Jul 27th, 2026

ସୋସିଆଲ ମିଡ଼ିଆ ସମୀକ୍ଷା

By Dainikasha Jul11,2024

ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ସଙ୍ଗେ ବିଭିନ୍ନ ସୋସିଆଲ ମିଡ଼ିଆ ସାମାଜିକ, ରାଜନୀତିକ ଓ ଅର୍ଥନୀତିକ ଚର୍ଚ୍ଚାର ମଞ୍ଚ ପାଲଟୁଥିବା ଅବସରରେ କେନ୍ଦ୍ର ସରକାରଙ୍କ ସୂଚ଼ନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରବ୍ୟାପୀ ସୋସିଆଲ ମିଡ଼ିଆ ସମୀକ୍ଷା କରିବାରେ ସହାୟତା ନିମନ୍ତେ ବୈଷୟିକ ଦକ୍ଷତା ସମ୍ପନ୍ନ ଘରୋଇ ଉଦ୍ୟୋଗ ଚ଼ିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ।

ମନ୍ତ୍ରଣାଳୟ ଅଧୀନସ୍ଥ‘ପ୍ରେସ ଇଫରମେସନ ବ୍ୟୁରୋ’ ପକ୍ଷରୁ ବିଭିନ୍ନ ଭାଷାରେ ଦେଶର ଘଟଣା ପ୍ରବାହ ସଂପର୍କରେ ମୁଦ୍ରିତ ସମ୍ୱାଦପତ୍ରରେ ପ୍ରକାଶିତ ସମ୍ୱାଦ ଓ ଅଭିମତ ନିୟମିତ ସମୀକ୍ଷା କରାଯାଇଥାଏ । ତେବେ ସୋସିଆଲ ମିଡ଼ିଆର ଅଭ୍ୟୁଦୟ ପରବର୍ତ୍ତୀ ଅବସ୍ଥାରେ ସମ୍ୱାଦ ଓ ଅଭିମତ ପ୍ରକାଶନରେ ବିପୁଳ ସଂଖ୍ୟକ ନାଗରିକଙ୍କ ସଂପୃକ୍ତି ହେତୁ ଅନଲାଇନ ପରିବେଶରେ ଅନୁରୂପ ସମୀକ୍ଷା ଏହାର ବିସ୍ତୃତି, କାର୍ଯ୍ୟଭାର ଓ ବୈଷୟିକ ଦକ୍ଷତା ଅଭାବ କାରଣରୁ ସଂଭବପର ହୋଇପାରୁ ନାହିଁ । ଏଥି ନିମନ୍ତେ ଉନ୍ନତ ବୈଷୟିକ କୌଶଳ ଉପଯୋଗ ଆବଶ୍ୟକତା ଥିବା ହେତୁ ସରକାରଙ୍କ ପକ୍ଷରୁ ଏହି ଦାୟିତ୍ୱ ଠିକା ଭିତ୍ତିରେ କୌଣସି ଦକ୍ଷ ଘରୋଇ ସଂସ୍ଥାକୁ ପ୍ରଦାନ କରିବା ନିମନ୍ତେ ନୀତିଗତଭାବେ ପ୍ରସ୍ତାବ ଗୃହୀତ ହୋଇଥିଲା ।

ମନ୍ତ୍ରଣାଳୟ ଅଧୀନସ୍ଥ ପବ୍ଳିକ ସେକ୍ଟର ସଂଗଠନ ‘ବ୍ରଡ଼କାଷ୍ଟ ଇଞ୍ଜିନିୟରିଂ କନସଲଟାଣ୍ଟସ ଇଣ୍ଡିଆ ଲିମିଟେଡ଼’ ୨୦୧୮ ମେ’ ମାସରେ ଏହି ଦାୟିତ୍ୱ ନିର୍ବାହ ନିମନ୍ତେ ବୈଷୟିକ କୌଶଳ ପ୍ରସ୍ତୁତି ତଥା ପରିଚ଼ାଳନା ନିମନ୍ତେ ଟେଣ୍ଡର ପ୍ରକାଶ କରିଥିଲା । ଦେଶରେ ଲୋକପ୍ରିୟ ଫେସବୁକ୍, ଟୁଇଟର, ୟୁ-ଟ୍ୟୁବ, ଇନଷ୍ଟ୍ରାଗ୍ରାମ, ଗୁଗୁଲ, ଲିଙ୍କଡ଼-ଇନ, ଫ୍ଳିକ୍ସ, ଟମ୍ବଲର, ପ୍ରିଣ୍ଟଷ୍ଟାର୍ଟଓ ପ୍ଳେ-ଷ୍ଟୋର ଭଳି ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଚର୍ଚ୍ଚିତ ପ୍ରସଙ୍ଗ ତଥା ଚର୍ଚ୍ଚାରେ ଭାଗ ନେଉଥିବା ବ୍ୟକ୍ତିବିଶେଷଙ୍କ ଅଭିମତ ଚ଼ିହ୍ନଟ ଓ ସଂକଳନ କରି ନିୟମିତଭାବେ ମନ୍ତ୍ରଣାଳୟକୁ ଅବଗତ କରାଇବା ଦାୟିତ୍ୱ ଠିକା ଦିଆଯିବା ସ୍ଥିରୀକୃତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ପ୍ରଯୋଜନା ନିମନ୍ତେ ଅନ୍ୟୂନ ୨୦ ଜଣ ସୋସିଆଲ ମିଡ଼ିଆ ସମୀକ୍ଷକ ନିଯୁକ୍ତି କରାଯାଇ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧିଷ୍ଟ ଘଟଣାକ୍ରମ ସଂପର୍କରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିବରଣୀ ପ୍ରସ୍ତୁତ କରିବା ସାଙ୍ଗକୁ ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ପ୍ରୟୋଗରେ ସୋସିଆଲ ମିଡ଼ିଆ ପ୍ରଭାବଜନିତଟେଲିଭିଜନରେ ସମ୍ୱାଦ ପ୍ରସାରଣର ସମ୍ଭାବ୍ୟ ଶିରୋନାମା ଆକଳନ କରିବାଭଳି ଦାୟିତ୍ୱ ମଧ୍ୟ ବିଜ୍ଞପ୍ତିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ରାଷ୍ଟ୍ରର ଆଭ୍ୟନ୍ତରୀଣ ଓ ବୈଦେଶିକ ଭାବମୂର୍ତ୍ତୀରେ ସକାରତ୍ମକ ଅଭିବୃଦ୍ଧି ନିମନ୍ତେ ସୋସିଆଲ ମିଡ଼ିଆର ଉପଯୋଗ ନିମନ୍ତେ ପରାମର୍ଶ ଗ୍ରହଣର ମଧ୍ୟ ପ୍ରାବଧାନ ରହିଥିଲା ।

ମୋଟ ଉପରେ କହିବାକୁ ଗଲେ ମୁଦ୍ରିତ ଗଣମାଧ୍ୟମର ସମୀକ୍ଷା ନିମନ୍ତେ ’ପ୍ରେସ ଇନଫରମେସନ ବ୍ୟୁରୋ’ ଓ କେନ୍ଦ୍ର ସରକାରଙ୍କ ଇଣ୍ଟଲିଜେନ୍ସ ଡ଼ିପାର୍ଟମେଣ୍ଟ ଯାହା କରୁଛନ୍ତି ତାହା ଉନ୍ନତ ବୈଷୟିକ କୌଶଳ ଉପଯୋଗରେ ସୋସିଆଲ ମିଡ଼ିଆ ମଞ୍ଚରେ ଘରୋଇ ଉଦ୍ୟୋଗ ମାଧ୍ୟମରେ ଠିକାରେ ହାସଲ କରାଇବା ନିମନ୍ତେ ଉଦ୍ୟମ କରାଯାଇଥିଲା । ବିଜ୍ଞପ୍ତି ମୁତାବକ ୨୦୧୮ ଅଗଷ୍ଟ ୨୦ ତାରିଖରେ ଟେଣ୍ଡର ଖୋଲାଯାଇ ବିଧିବଦ୍ଧ ଭାବେ ସେବା ପ୍ରଦାନକାରୀ ଚ଼ୟନ କରାଯାଇଥାନ୍ତା ।

କେନ୍ଦ୍ର ସରକାରଙ୍କ ଏହି ପ୍ରୟାସ ଦେଶର ନାଗରିକଙ୍କ ସମ୍ୱିଧାନ ପ୍ରଦତ୍ତ ଧାରା ୧୯(୧)କ ଅଭିବ୍ୟକ୍ତିରେ ସ୍ୱାଧୀନତା ଓ ଧାରା ୨୧ ମୁକ୍ତ ଜୀବନ ଅଧିକାର ଅନ୍ତର୍ଗତ ବ୍ୟକ୍ତିଗତ ଗୋପନୀୟତା ଭଳି ମୌଳିକ ଅଧିକାରଗୁଡ଼ିକ ଉଲଂଘନ କରୁଥିବା ଅଭିଯୋଗ କରି ତୃଣମୂଳ କଂଗ୍ରେସର ଜନୈକା ବିଧାୟିକା ଉଚ୍ଚନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ପଶ୍ଚିମବଙ୍ଗ କରିମପୁର ବିଧାନସଭା ମଣ୍ଡଳୀର ନିର୍ବାଚ଼ିତ ବିଧାୟିକା ମହୁଆ ମୈତ୍ରଙ୍କ ଆବେଦନ ବିଚ଼ାର କରିବା ନିମନ୍ତେ ୨୦୧୮ ଜୁନ ୧୮ ତାରିଖରେ ସୁପ୍ରିମ କୋର୍ଟ ସମ୍ମତ୍ତି ଜଣାଇଥିଲେ ।

ତେବେ ୨୦୧୮ ଅଗଷ୍ଟ ୩ ତାରିଖରେ ମୁଖ୍ୟନ୍ୟାୟାଧୀଶ ଦୀପକ ମିଶ୍ରଙ୍କ ନେତୃତ୍ୱରେ ନ୍ୟାୟାଧୀଶ ଡ଼ି. ୱାଇ. ଚନ୍ଦ୍ରଚୂଡ଼ ଓ ନ୍ୟାୟାଧୀଶଏ.ଏମ. ଖାନୱିକରଙ୍କ ଖଣ୍ଡପୀଠରେ ଶୁଣାଣି ଆରମ୍ଭରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ସରକାର ପ୍ରସ୍ତାବିତ ସୋସିଆଲ ମିଡ଼ିଆ କମ୍ୟୁନିକେସନ ହବ ଆୟୋଜନ ପ୍ରସ୍ତାବ ପ୍ରତ୍ୟାହାର କରିନେଇଥିବା ଜଣାଇଥିଲେ । ଫଳରେ ବିଧାୟିକା ମୈତ୍ରଙ୍କ ମାମଲା ଖାରଜ କରିଦିଆଯାଇଥିଲା ।

ସୋସିଆଲ ମିଡ଼ିଆ ସମୀକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ଉଦ୍ୟମ ଓ ନାଟକୀୟ ମୋଡ଼ରେ ପ୍ରତ୍ୟାହାର ସମକାଳରେ ଗଣମାଧ୍ୟମ ପରିଧିରେ କେତେକ ପ୍ରଶ୍ନ ସୃଷ୍ଟି କରିଛି । ପ୍ରଥମତଃ, ସୋସିଆଲ ମିଡ଼ିଆରେ ସମ୍ୱାଦ ଓ ଅଭିମତ ସ୍ଥାନିତ ବା ‘ପୋଷ୍ଟ’ କରିବା ଯଦି ଆଇନତଃ ପ୍ରକାଶନ ତଥା ପାରମ୍ପରିକ ମୁଦ୍ରିତ ପ୍ରକାଶନ ସହ ତୁଳନୀୟ, ତେବେ ସେଭଳି ପ୍ରକାଶନଗୁଡ଼ିକ ସାଧାରଣ ନାଗରିକ ହୁଅନ୍ତୁ ବା ସରକାର ସମୀକ୍ଷା କରିବାରେ ଭୂଲ ରହିଲା କେଉଁଠି ? ଦ୍ୱିତୀୟତଃ, ପ୍ରକାଶିତ ସମ୍ୱାଦ ଆଧାରରେ ଅଭିମତ ରଚ଼ନାରେ ଯଦି ସାମ୍ଭାବ୍ୟ ଫଳାଫଳ ଆକଳନ ସ୍ୱାଭାବିକ ପ୍ରକ୍ରିୟା ତେବେ ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି ଉନ୍ନତ ବୈଷୟିକ କୌଶଳ ଉପଯୋଗରେ ସୋସିଆଲ ମିଡ଼ିଆ ପ୍ରକାଶନ ଅନୁଶୀଳନରେ ସାମ୍ଭାବ୍ୟ ଫଳାଫଳ ଆକଳନରେ ଅସୁବିଧା ରହିଲା କେଉଁଠି ? ତୃତୀୟତଃ, ‘ପ୍ରେସ ଇନଫରମେସନ ବ୍ୟୁରୋ’ ବା ଇଣ୍ଟଲିଜେନ୍ସ ଡ଼ିପାର୍ଟମେଣ୍ଟର ନିଯୁକ୍ତ ସରକାରୀ କର୍ମଚ଼ାରୀ ସମ୍ୱାଦ, ଅଭିମତ ଓ ଲୋକମତ ଯେଉଁ ଆକଳନ ବିବରଣୀ ସରକାରୀ କଳର ବ୍ୟବହାରଲାଗି ଯୋଗାଇ ଦେଇ ଆସୁଛନ୍ତି ସେହି ଦାୟିତ୍ୱ ଘରୋଇ ଉଦ୍ୟୋଗକୁ ଠିକାରେ ଦିଆଯିବା ଦୋଷାବହ କି ?

ବଜାର ବିପ୍ପଣୀରେ ଗ୍ରାହକଙ୍କ ଆଗ୍ରହକୁ ପରଖି ଦୋକାନୀ ମୂଲଚ଼ାଲ କରିଥାଏ । ସୋସିଆଲ ମିଡ଼ିଆରେ ଉପଭୋକ୍ତାଙ୍କ ରୁଚ଼ିକୁ ପରଖି ମଞ୍ଚ ଆୟୋଜକ ବିଜ୍ଞାପନ ପ୍ରକାଶନ କରିଥାନ୍ତି । ଚର୍ଚ୍ଚିତ ଲୋକମତ ସଂପର୍କରେ ତଥ୍ୟ ସଂଗ୍ରହ କରି ସରକାର ପ୍ରଶାସନରେ ଉପଯୋଗକୁ ବିରୋଧ କରାଯିବା ଗ୍ରହଣୀୟ କି ? ଗଣତନ୍ତ୍ରରେ ଜନସାଧାରଣଙ୍କ ରୁଚ଼ି ଅନୁଯାୟୀ ପ୍ରଶାସନିକ ନୀତି ନିର୍ଦ୍ଧାରଣ କରିବା ଯୁକ୍ତିଯୁକ୍ତ । ପରିବର୍ତ୍ତିତ ପରିବେଶରେ ସୋସିଆଲ ମିଡ଼ିଆ ବହୁ ନାଗରିକଙ୍କ ଅଭିବ୍ୟକ୍ତିର ମଞ୍ଚରୂପେ ପ୍ରବର୍ତ୍ତିତ ହୋଇଥିବା ଅବସରରେ ସୋସିଆଲ ମିଡ଼ିଆ ତର୍ଜମା କରିବା ସୁଯୋଗରୁ ସରକାର ବିରତ ରହିବା ଉଚ଼ିତ କି ?

ନାଗରିକ ହୁଅନ୍ତୁ ବା ସରକାର, ଗଣମାଧ୍ୟମ ଉପଯୋଗରେ ସ୍ୱାଧୀନତା ଓ ଯୁକ୍ତିଯୁକ୍ତତା ସମସ୍ତଙ୍କ ପାଇଁ ସମାନ ରହିବା ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥାର ଅଂଶବିଶେଷ । ଗଣତନ୍ତ୍ରର ଭିତ୍ତିଭୂମି ବିକାଶରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ହେତୁ ଏହାର ବ୍ୟବହାରରେ ଅଙ୍କୁଶ ପ୍ରକାରନ୍ତେ ବ୍ୟାପକ ଅବ୍ୟବସ୍ଥାର କାରଣ ପାଲଟିବା ସମ୍ଭବ ।

ସୋସିଆଲ ମିଡ଼ିଆ କମ୍ୟୁନିକେସନ ହବ ଆୟୋଜନରୁ ସରକାର ସାମୟିକଭାବେ ହଟିଯିବାର ଅନ୍ୟାନ୍ୟ କାରଣ ମଧ୍ୟରେ ଜାତୀୟ ସୋସିଆଲ ମିଡ଼ିଆ ନୀତି ନିର୍ଦ୍ଧାରଣ ନିମନ୍ତେ ଉଦ୍ୟମ ଚ଼ାଲିଥିବା ତଥା ସୂଚ଼ନା ଓ ପ୍ରଯୁକ୍ତି କ୍ଷେତ୍ରରେ ନାଗରିକଙ୍କ ଗୋପନୀୟତା ଅନୁଶୀଳନ ଶ୍ରୀକୃଷ୍ଣ କମିସନଙ୍କ ବିଚ଼ରାଧୀନଥିବା ଅବସରରେ ହୁଏତ ତରବରିଆ ଭାବେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେବାଲାଗି ଉଚ଼ିତ ମନେ କଲେ ନାହିଁ । ସର୍ବୋପରି ଅଭିବ୍ୟକ୍ତି ଓ ଗୋପନୀୟତାଭଳି ସ୍ପର୍ଶକାତର ପ୍ରସଙ୍ଗ ସର୍ବସାଧାରଣରେ ଚର୍ଚ୍ଚା ତଥା ଅଦାଲତଙ୍କ ହସ୍ତକ୍ଷେପ ଏଡ଼ାଇଦେବା ପାଇଁ ସ୍ଥିତାବସ୍ଥା ବଜାୟ ରଖିବା ମଧ୍ୟମ ପନ୍ଥାରୂପେ ବାଛିନେଲେ । 

Related Post