ଆଜିର ଖାସ ଖବର
Mon. Jul 27th, 2026

ସୋସିଆଲ ମିଡ଼ିଆରୁ ସମ୍ୱାଦ

By Dainikasha Jul11,2024

ମହାମାରୀ କାଳରେ ଉପଭୋକ୍ତାଙ୍କ ସମ୍ୱାଦ ଆହରଣ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଘଟିଥିବା ସ୍ଥଳେ ତତସଂପର୍କୀତ ନିର୍ଭରଯୋଗ୍ୟ ପରିସଂଖ୍ୟାନ କ୍ରମଶଃ ଉନ୍ମୋଚିତ ହେବାରେ ଲାଗିଛି । ଆନ୍ତର୍ଜାତିକସ୍ତରରେ ମୋବାଇଲଫୋନ ବ୍ୟବହାର ସଂପର୍କୀତ ଗବେଷଣାରେ ସଂପୃକ୍ତ ଖ୍ୟାତନାମା ସଂସ୍ଥା ‘ଆପଆନେ’ ପକ୍ଷରୁ ୨୦୨୧ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ‘ଷ୍ଟେଟ ଅଫ ମୋବାଇଲ’ ରିପୋର୍ଟ ପ୍ରକାଶିତ ହୋଇଛି । ଏଥିରେ ଦର୍ଶାଯାଇଛି ଯେ ୨୦୨୦ରେ ଭାରତୀୟ ସ୍ମାର୍ଟଫୋନ ଉପଭୋକ୍ତାମାନେ ହାରାହାରି ଦୈନିକ ଚାରିଘଣ୍ଟା ୩୬ ମିନିଟ ମୋବାଇଲ ବ୍ୟବହାର କରିଥିଲେ ।

ମହାମାରୀରେ ଦୀର୍ଘ ସମୟ ବ୍ୟାପୀ ଲକଡ଼ାଉନ ତଥା ସଂକ୍ରମଣ ଭୟରେ ଶାରିରୀକ ଦୂରତ୍ୱ ବଜାୟରଖିବା ଅଭ୍ୟାସଜନିତ ମୋବାଇଲ ଫୋନରେ କଥାବାର୍ତ୍ତା ସାଙ୍ଗକୁ ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଶାସନ ଓ ମନୋରଞ୍ଜନ ଇତ୍ୟାଦି ଯୋଡ଼ି ହୋଇଥିବା ଯୋଗୁଁ ବ୍ୟବହାର ବୃଦ୍ଧି ପାଇଥିବା ମୁଖ୍ୟ କାରଣ ରୂପେ ଧରି ନିଆଯାଏ । ତେବେ ବିଗତ ଦଶନ୍ଧିରେ କ୍ରମାଗତଭାବେ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ପାଇ ଚାଲିଥିବା ଏବଂ ୨୦୧୯ରେ ଉପଭୋକ୍ତା ପିଚ୍ଛା ହାରାହାରି ଦୈନିକ ତିନି ଘଣ୍ଟା ୧୮ ମିନଟ ଥିବା ସ୍ଥଳେ ୨୦୨୦ରେ ବାର୍ଷିକ ଭିତ୍ତିରେ ୩୯ ପ୍ରତିଶତ ବୃଦ୍ଧି ପାଇଥିବା ହିସାବ କରାଯାଇଛି ।

ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟରେ ଭାରତରେ ଫେସବୁକ ଓ ହ୍ୱାଟସଅପ ସର୍ବାଧିକ ବ୍ୟବହୃତ ସୋସିଆଲ ମିଡ଼ିଆ ଆପ୍ଲିକେସନ । ପ୍ରତ୍ୟେକ ଉପଭୋକ୍ତା ହାରାହାରି ମାସିକ ୨୧ ଘଣ୍ଟା ୧୮ ମିନଟ ଯାଏଁ ଏହି ଦୁଇ ଆପରେ ସମୟ ବିନିଯୋଗ କରିଥାନ୍ତି । ଫେସବୁକ ବ୍ୟବହାର ୨୦୧୯ ତୁଳନାରେ ୨୦୨୦ରେ ୧୫ ପ୍ରତିଶତ ଏବଂ ହ୍ୱାଟସଆପ ୨୫ ପ୍ରତିଶତ ବୃଦ୍ଧି ପାଇଥିଲା ।

ଦୈନିକଭିତ୍ତିରେ ଦୀର୍ଘ ସମୟ ଧରି ସ୍ମାର୍ଟଫୋନ ବ୍ୟବହାର ଏବଂ ସୋସିଆଲ ମିଡ଼ିଆରେ ଉପସ୍ଥିତି ଭାରତୀୟ ଉପଭୋକ୍ତାଙ୍କ ସମ୍ୱାଦ ଆହରଣ ଅଭ୍ୟାସକୁ ପ୍ରଭାବିତ କରିବା ସ୍ୱାଭାବିକ । ଅପରପକ୍ଷରେ ସମ୍ୱାଦପତ୍ର, ଟେଲିଭିଜନ ଓ ନିଉଜ ପୋର୍ଟାଲଗୁଡ଼ିକ ପକ୍ଷରୁ ‘ମୋବାଇଲ-ଫାଷ୍ଟ’ ନୀତିରେ ନିଜ ସୃଜନ ବିଜ୍ଞପ୍ତି ସୋସିଆଲ ମିଡ଼ିଆରେ ଉପସ୍ଥାପନା ମଧ୍ୟ ଉପଭୋକ୍ତାଙ୍କ ସମ୍ୱାଦ ଓ ମଞ୍ଚ ଚୟନକୁ ନିୟନ୍ତ୍ରିତ କରିବାରେ ଲାଗିଛି । ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସମ୍ୱାଦ ଓ ଅଭିମତ ପ୍ରକାଶନରେ ସ୍ୱକୀୟ ନୀତି ଅନୁସରଣ କରୁଥିବା ସ୍ଥଳେ ସୋସିଆଲ ମିଡ଼ିଆ ସମ୍ୱାଦ ଓ ଅଭିମତ ପ୍ରକାଶନର ସୂତ୍ର ନିର୍ଦ୍ଧାରଣରୁ ମୁକ୍ତ ରହିଥାଏ । ଉପଭୋକ୍ତାଙ୍କ ପାଇଁ ଏତାଦୃଶ ସଂପ୍ରସାରିତ ପରିଧି ସମ୍ୱାଦ ଆହରଣରେ ନୂତନ ସମୀକରଣ ସୃଷ୍ଟି କରିଛି ।

ମହାମାରୀ କାଳରେ ଯୁକ୍ତରାଷ୍ଟ୍ର ଆମେରିକାରେ ସେଠାକାର ପ୍ରାପ୍ତବୟସ୍କ ନାଗରିକଙ୍କ ଦ୍ୱାରା ସୋସିଆଲ ମିଡ଼ିଆରୁ ସମ୍ୱାଦ ଆହରଣ ପରିସଂଖ୍ୟାନ ସଂଗ୍ରହ ନିମନ୍ତେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ଖ୍ୟାତନାମା ‘ପିଉ ରିସର୍ଚ୍ଚ ସେଣ୍ଟର’ ଆନୁକୂଲ୍ୟରେ ୩୧ ଅଗଷ୍ଟ ୨୦୨୦ରୁ ୭ ସେପ୍ଟେମ୍ୱର ୨୦୨୦ ମଧ୍ୟରେ ସଂଗୃହୀତ ତଥ୍ୟ ଅନୁଯାୟୀ ପ୍ରତି ଦଶଜଣ ମଧ୍ୟରେ ଆଠଜଣ ମାର୍କିନ ନାଗରିକ ଡିଜିଟାଲ ମାଧ୍ୟମରେ ସମ୍ୱାଦ ଆହରଣ କରୁଥିଲେ । ଅର୍ଥାତ ଡିଜିଟାଲ ମଞ୍ଚଗୁଡ଼ିକ ସହ ସମ୍ୱାଦପତ୍ର ଓ ଟେଲିଭିଜନରୁ ସମ୍ୱାଦ ପଢ଼ିବା, ଶୁଣିବା ଓ ଦେଖିବା ନିମନ୍ତେ ମୋବାଇଲ, ଟେବଲଟ, ଲାପଟପ ବା ଡ଼େସ୍କଟପ କମ୍ପ୍ୟୁଟର ଇତ୍ୟାଦି ଉପଯୋଗ ହୋଇଥାଏ । ମାତ୍ର ସାତ ପ୍ରତିଶତ ସମ୍ୱାଦ ସଂଗ୍ରହଲାଗି ଡ଼ିଜିଟାଲ ଉପକରଣ ବ୍ୟବହାର କରିନଥାନ୍ତି ।

ନମୂନାଭାବେ ଅନ୍ତର୍ଭୁକ୍ତ ସମ୍ୱାଦ ଉପଭୋକ୍ତାଙ୍କ ମଧ୍ୟରୁ ୨୩ ପ୍ରତିଶତ ଅଧିକାଂଶ ସମୟରେ, ୩୦ ପ୍ରତିଶତ ବେଳେ ବେଳେ ଓ ୧୮ ପ୍ରତିଶତ କ୍ୱଚ଼ିତ ସୋସିଆଲ ମିଡ଼ିଆରୁ ସମ୍ୱାଦ ପାଉଥିବା ସ୍ଥଳେ ୨୧ ପ୍ରତିଶତ ସମ୍ୱାଦ ନିମନ୍ତେ ସୋସିଆଲ ମିଡ଼ିଆ ଉପରେ ନିର୍ଭରଶୀଳ ନଥିବା ସୂଚାଇ ଥିଲେ । ସୋସିଆଲ ମିଡ଼ିଆ ମଞ୍ଚ ‘ଫେସବୁକ’ ୬୮ ପ୍ରତିଶତ, ‘ୟୁଟ୍ୟୁବ’ ୭୪ ପ୍ରତିଶତ, ‘ଟୁଇଟର’ ୨୫ ପ୍ରତିଶତ ଓ ‘ଇନଷ୍ଟାଗ୍ରାମ’ ୪୦ ପ୍ରତିଶତ ବ୍ୟବହାର କରିଥାନ୍ତି । ଉପଭୋକ୍ତାଙ୍କ ମଧ୍ୟରୁ ‘ଫେସବୁକ୍’ରୁ ୩୬ ପ୍ରତିଶତ, ‘ୟୁଟ୍ୟୁବ’ରୁ ୨୩ ପ୍ରତିଶତ ‘ଟୁଇଟର’ରୁ ୧୫ ପ୍ରତିଶତ ଓ ‘ଇନଷ୍ଟାଗ୍ରାମ’ରୁ ୧୧ ପ୍ରତିଶତ ସମ୍ୱାଦ ଆହରଣ କରୁଥିବା ସର୍ବେକ୍ଷଣରୁ ଜଣାଯାଇଛି ।

ପିଉ ରିସର୍ଚ୍ଚ ପକ୍ଷରୁ ଆୟୋଜିତ ସମ୍ୱାଦ ସୂତ୍ରଭାବେ ସୋସିଆଲ ମିଡ଼ିଆ ବ୍ୟବହାର ସର୍ବେକ୍ଷଣରେ ମୋଟ ଏଗାର ଗୋଟି ସୋସିଆଲ ମିଡ଼ିଆ ମଞ୍ଚ ଗୁରୁତ୍ୱ ଲାଭ କରିଥିଲା । ସେଥିମଧ୍ୟରେ ‘ରେଡ଼ିଟ’ର ୧୫ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ୬ ପ୍ରତିଶତ ସମ୍ୱାଦ ସଂଗ୍ରହ, ‘ସ୍ନାପଚାଟ’ର ୨୨ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ୪ ପ୍ରତିଶତ, ‘ଲିଙ୍କଡ଼-ଇନ’ର ୨୫ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ୪ ପ୍ରତିଶତ, ‘ଟିକଟକ’ର ୧୨ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ୩ ପ୍ରତିଶତ, ‘ହ୍ୱାଟସଆପ’ର ୧୯ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ୩ ପ୍ରତିଶତ, ‘ଟମ୍ୱଲର’ର ୪ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ଏକ ପ୍ରତିଶତ ଓ ‘ଟୁଇଚ଼’ର ୬ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ଏକ ପ୍ରତିଶତ ସମ୍ୱାଦ ଆହରଣ କରୁଥିବା ତଥ୍ୟ ହାସଲ କରାଯାଇଥିଲା ।

ସାମଗ୍ରୀକଭାବେ ଅର୍ଦ୍ଧେକ ମାର୍କିନ ନାଗରିକ ସଂବାଦ ନିମନ୍ତେ ସୋସିଆଲ ମିଡ଼ିଆ ଉପରେ ବିଭିନ୍ନ ମାତ୍ରାରେ ନିର୍ଭରଶୀଳ ହୋଇପଡ଼ିଥିବା ଉଦାହରଣ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ୨୦୨୧ ଗଣମାଧ୍ୟମ ପରିବେଶରେ ଊଣାଅଧିକେ ପ୍ରତିବିମ୍ୱିତ ହେବା ଆଶା କରାଯାଇପାରେ । ସୋସିଆଲ ମିଡ଼ିଆରେ ମୁଖ୍ୟତଃ କମ ବୟସର ଉପଭୋକ୍ତାଗଣ ସମ୍ୱାଦ ଖୋଜୁଥିବା ସ୍ଥଳେ ୩୫ ପ୍ରତିଶତ ପୁରୁଷଙ୍କ ତୁଳନାରେ ୬୩ ପ୍ରତିଶତ ମହିଳା ‘ଫେସବୁକ’ରେ ସମ୍ୱାଦ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି । ମୋଟ ୫୯ ପ୍ରତିଶତ ଉପଭୋକ୍ତା ସୋସିଆଲ ମିଡ଼ିଆ ସମ୍ୱାଦର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠାଉଥିବା ସ୍ଥଳେ ୩୯ ପ୍ରତିଶତ ବିଶ୍ୱାସ କରୁଥିବା ପ୍ରକାଶ ।

ଭାରତରେ ମହାମାରୀ ପୂର୍ବାବସ୍ଥାରୁ ଫେସବୁକ, ହ୍ୱାଟସଆପ ଓ ୟୁଟ୍ୟୁବ ସମ୍ୱାଦ ପ୍ରସାରଣର ମାଧ୍ୟମ ରୂପେ ମାନ୍ୟତା ପାଇ ସାରିଥିଲା । ମହାମାରୀକାଳରେ ଡିଜିଟାଲ ମଞ୍ଚଗୁଡ଼ିକର ବ୍ୟବହାର ସଶକ୍ତ ହେବାପରେ ୨୦୨୧ରୁ ୨୦୨୫ ପାଞ୍ଚ ବର୍ଷ ମଧ୍ୟରେ ବ୍ୟାପକ ପ୍ରସାର ଲାଭ କରିବା ପୂର୍ବାନୁମାନ ବିକଶିତ ରାଷ୍ଟ୍ରଗୁଡ଼ିକର ଉଦାହରଣରୁ ବେଶ ସୁସ୍ପଷ୍ଟ । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଡିଜିଟାଲ ମଞ୍ଚର ପ୍ରସାର କାଳରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ଆଙ୍ଗିକରେ ବ୍ୟାପକ ପରିବର୍ତ୍ତନ ଆଶା କରାଯାଇପାରେ । ଅବଶ୍ୟ ରାଜ୍ୟରେ ଇଣ୍ଟରନେଟ ସଂଯୁକ୍ତି ଗ୍ରାମାଞ୍ଚଳରେ ଦୁର୍ବଳ ରହିଥିବା ହେତୁ ଡିଜିଟାଲ ଗଣମାଧ୍ୟମ ମଞ୍ଚଗୁଡ଼ିକ ବିକାଶ ସମୟସାପେକ୍ଷ ।

ଜାନୁୟାରୀ ୨୦୨୧ ଦ୍ୱିତୀୟ ସପ୍ତାହରେ ଗ୍ରାମାଞ୍ଚଳରେ ହାଇସ୍ପିଡ଼ ଇଣ୍ଟରନେଟ ସଂଯୋଗ ଦିଗରେ କାର୍ଯ୍ୟରତ ‘ଭାରତନେଟ’ର ରାଜ୍ୟସ୍ତରୀୟ ବୈଠକରେ ଓଡ଼ିଶାରେ ୧୭୫ ବ୍ଳକ ଓ ୩୭୭୦ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ପହଞ୍ଚିସାରିଥିବା ଏବଂ ୧୩୩ ବ୍ଳକ ଓ ୨୯୫୪ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ନିମନ୍ତେ କାମ ହାତକୁ ନିଆଯାଇଥିବା ଦର୍ଶାଯାଇଥିଲା । ପରିବେଶ ପତ୍ରିକା ‘ଡାଉନ-ଟୁ-ଆର୍ଥ’ରେ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ରାଜ୍ୟର ସହରାଞ୍ଚଳରେ ଇଣ୍ଟରନେଟ ଗ୍ରାହକ ସଂଖ୍ୟା ୮୩ ପ୍ରତିଶତ ରହିଥିବା ସ୍ଥଳେ ଗ୍ରାମାଞ୍ଚଳରେ ୨୮ ପ୍ରତିଶତରେ ସୀମିତ ରହିଛି । ସେହିପରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରିପୋର୍ଟରେ ରାୟଗଡ଼ା, ନବରଙ୍ଗପୁର, ଦେଓଗଡ଼ ଓ କଳାହାଣ୍ଡିରେ ୮୦ ପ୍ରତିଶତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିବାରଙ୍କ ପାଖେ ସ୍ମାର୍ଟଫୋନ ନାହିଁ । ଇଣ୍ଟରନେଟ ସଂଯୁକ୍ତିରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡ଼ା ଓ ପୁରୀ ଇତ୍ୟାଦି ଜିଲ୍ଲା ଆଗୁଆ ରହିଛି । ରାଜ୍ୟସ୍ତରୀୟ ଏହି ପରିସଂଖ୍ୟାନ ରାଜ୍ୟବାସୀଙ୍କ ମଧ୍ୟରେ ଇଣ୍ଟରନେଟ ସଂଯୁକ୍ତି, ସୋସିଆଲ ମିଡ଼ିଆ ବ୍ୟବହାର ଓ ସୋସିଆଲ ମିଡ଼ିଆରୁ ସଂବାଦ ଆହରଣର ସ୍ଥିତାବସ୍ଥା ପ୍ରତିପାଦିତ କରିଥାଏ ।  

Related Post