ଆଜିର ଖାସ ଖବର
Mon. Jul 27th, 2026

ମିଆଁମାରରେ ଫେସବୁକ

By Dainikasha Jul11,2024

ମିଆଁମାରରେ ୨୦୨୧ ଫେବୃୟାରୀ ପହିଲାରେ ସାମରିକ ଶାସନ ଲାଗୁ କରାଯିବାପରେ ସୋସିଆଲ ମିଡ଼ିଆ ପ୍ରସାରଣ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାରମ୍ଭିକ ଭାବେ ଫେସବୁକକୁ ପାଞ୍ଚ ଦିନ ବନ୍ଦ କରାଯିବା ପରେ ସେଥିସହ ମେସେଞ୍ଜର, ଇନଷ୍ଟାଗ୍ରାମ, ଟୁଇଟର ଇତ୍ୟାଦି ମଞ୍ଚକୁ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ବନ୍ଦ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ଘଟଣାକ୍ରମରୁ ପରିବର୍ତ୍ତିତ ପରିବେଶରେ ଜନଜୀବନରେ ସୋସିଆଲ ମିଡ଼ିଆର ଆଧିପତ୍ୟ ପ୍ରମାଣିତ ହୋଇଥାଏ ।

ମିଆଁମାରର ଜନସଂଖ୍ୟା ପାଞ୍ଚ କୋଟି ଚାଳିଶି ଲକ୍ଷ । ସେଥିମଧ୍ୟରୁ ଅର୍ଦ୍ଧେକ, ପ୍ରାୟ ଦେଢ଼ରୁ ତିନି କୋଟି ଫେସବୁକ ଉପଭୋକ୍ତା । ସାଧାରଣରେ ଆନ୍ତର୍ଜାତିକସ୍ତରରେ ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକରେ ସୋସିଆଲ ମିଡ଼ିଆର ପ୍ରଚଳନ ଅଧିକ । ୨୦୨୧ ସୁଦ୍ଧା ମିଆଁମାର ନାଗରିକଙ୍କ ଇଣ୍ଟରନେଟ ବ୍ୟବହାରରେ ଫେସବୁକ ପ୍ରାଧାନ୍ୟ ଲାଭ କରିଥିଲା । ଗଣମାଧ୍ୟମ ବିଶ୍ଳେଷକଙ୍କ ମତରେ ମିଆଁମାରରେ ସାଧାରଣ ନାଗରିକ ଇଣ୍ଟରନେଟ କହିଲେ ଫେସବୁକକୁ ବୁଝିଥାନ୍ତି ।

ମିଆଁମାରରେ ସାମରିକ ଶାସନ ଲାଗୁ ହେବା ଢେର ପୂର୍ବରୁ ଫେସବୁକରେ ରାଜନୀତିକ ଚର୍ଚ୍ଚା ଜୋର ଧରିଥିଲା । ବିପରୀତପକ୍ଷରେ ସେନାବାହିନୀ ପ୍ରୋତ୍ସାହନରେ ରାଜନୀତିକ ଦଳ ବିରୋଧୀ ପୋଷ୍ଟମାନ ଘୁରିବୁଲୁଥିଲା । ସେଠାରେ ୨୦୨୦ ନଭେମ୍ୱର ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସାମରିକ ସୂତ୍ରରୁ ନିର୍ବାଚନରେ ତୃଟିବିଚ୍ୟୁତି ସଂପର୍କରେ ସମାଲୋଚନା କରାଯାଇ ଆସୁଥିଲା । ରଏଟରର ବିବରଣୀ ଅନଯାୟୀ ସାମରିକ ଶାସନ ପ୍ରତିଷ୍ଠାର ୪୮ ଘଣ୍ଟା ପୂର୍ବରୁ ଦେଶର ଶାସନଭାର ସାମରିକବାହିନୀ ଅକ୍ତିଆର କରିବା ଦାବୀ ସପକ୍ଷରେ ଯୁକ୍ତି ବଢ଼ାଯାଉଥିଲା । ଏପରିକି ସେନାବାହିନୀର ଶାସନଭାର ଗ୍ରହଣ ସଂପର୍କୀତ ଧାରା ବିବରଣୀ ମଧ୍ୟ ମିଆଁମାର ନାଗରିକ ଫେସବୁକରୁ ହିଁ ଅବଗତ ହୋଇଥିଲେ । ତେବେ ସାମରିକ ଶାସନ ବିରୁଦ୍ଧରେ ଜନସାଧାରଣଙ୍କ ପକ୍ଷରୁ ବିକ୍ଷୋଭ ଆରମ୍ଭ ହେବା ପରେପରେ ସେନା ପ୍ରଶାସନ ପକ୍ଷରୁ ଫେସବୁକ ପ୍ରସାରଣ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା ।

ମିଆଁମାରରେ ଚାରୋଗୋଟି ପ୍ରମୁଖ ଟେଲିଯୋଗାଯୋଗ ସଂସ୍ଥା କାର୍ଯ୍ୟରତ । ସେଥି ମଧ୍ୟରୁ ‘ଏମପିଟି’, ସରକାରୀ ପରିଚାଳନାଧୀନ ଥିବା ସ୍ଥଳେ, ନେଦରଲ୍ୟାଣ୍ଡର ‘ଟେଲିନର’ ଓ କୁଏତର ‘ଓରେଡୋ’ ଅନ୍ୟ ଦୁଇ ପ୍ରମୁଖ ସଂସ୍ଥା  । ସେନାବାହିନୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀଙ୍କୁ ସୋସିଆଲ ମିଡ଼ିଆ ପ୍ରସାରଣ ବ୍ଳକ କରିବା ନିମନ୍ତେ ଆଦେଶ ଦେଇଥିଲେ ।

ମିଆଁମାରରେ ଇଣ୍ଟରନେଟ ଅତ୍ୟନ୍ତ ନାଟକୀୟ ପରିବେଶରେ ପ୍ରସାରଲାଭ କରିଥିଲା । ସେଠାରେ ବ୍ରିଟିଶ ଉପନିବେଶ ୧୮୨୪ରେ ପ୍ରତିଷ୍ଠିତ ହୋଇଥିଲା ଏବଂ ୧୯୪୮ରେ ବୈଦେଶିକ ଶାସନରୁ ମୁକ୍ତ ହୋଇଥିଲା । ତେବେ ୧୯୬୨ରୁ ୨୦୧୧ ଯାଏଁ ପଚାଶ ବର୍ଷ ଧରି ମିଆଁମାରରେ ସାମରିକ ଶାସନ ଲାଗି ରହିଥିଲା । ଗଣତନ୍ତ୍ର ପ୍ରତିଷ୍ଠାଲାଗି ଆନ୍ଦୋଳନ ୧୯୮୯ରୁ ଆରମ୍ଭ ହୋଇ ଦୀର୍ଘ ସଂଘର୍ଷପରେ ୨୦୧୧ରେ ସୀମିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଲାଗୁ ହୋଇଥିଲା ।

ସାମରିକ ଶାସନ କାଳରେ ଇଣ୍ଟରନେଟ ପ୍ରସାର ନିମନ୍ତେ ଧ୍ୟାନ ଦିଆଯାଇନଥିଲା । ସରକାରୀ କର୍ତ୍ତୃତ୍ୱାଧୀନ ‘ଏମପିଟି’ର ଇଣ୍ଟରନେଟ ସେବା ଅତ୍ୟନ୍ତ ଖର୍ଚ୍ଚ ବହୁଳ ରହିଥିଲା । ୨୦୧୧ରେ ସରକାରୀସ୍ତରରେ ଟେଲିଯୋଗାଯୋଗ ପ୍ରସାର ନିମନ୍ତେ କୋହଳ ନୀତିରେ ୨୦୧୪ରେ ଘରୋଇ କମ୍ପାନୀଗୁଡ଼ିକୁ ବ୍ୟବସାୟଲାଗି ସୁଯୋଗ ମିଳିଲା ଏବଂ ଇଣ୍ଟରନେଟର ବ୍ୟାପକ ପ୍ରସାର ଘଟିଲା । ଅତି କମ ସମୟ ମଧ୍ୟରେ ମୋବାଇଲ ଫୋନ ମିଆଁମାର ଜନଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଗଲା ।

ମିଆଁମାରର ୯୦ ପ୍ରତିଶତ ଅଧିବାସୀ ବୌଦ୍ଧ ଧର୍ମାବଲମ୍ୱୀ । ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ସମେତ ପ୍ରାୟ ଦେଢ଼ ଶହ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ସେଠାରେ ବସବାସ କରନ୍ତି । ବ୍ରିଟିଶ ଶାସନ ଅମଳରୁ ଜାତୀୟବାଦୀ ବୌଦ୍ଧ ଧର୍ମାବଲମ୍ୱୀଙ୍କ ସହ ଅନ୍ୟ ସଂପ୍ରଦାୟଗୁଡ଼ିକ ମଧ୍ୟରେ ସଂଘର୍ଷ ଲାଗି ରହିଛି । ବ୍ରିଟିଶ ଶାସନକାଳରେ ବହୁ ସଂଖ୍ୟକ ଭାରତୀୟ ସେଠାରେ ପ୍ରଶାସନ ଓ ବ୍ୟବସାୟରେ ଅବସ୍ଥାପିତ ହୋଇଥିଲେ । ତେବେ ମିଆଁମାରର ସ୍ୱାଧୀନତାପରେ ଉଗ୍ରଜାତୀୟବାଦୀ ନୀତି ହେତୁ ଅଧିକାଂଶ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ ।

ବୌଦ୍ଧ ଓ ମୁସଲମାନ ଧର୍ମାବଲମ୍ୱୀମାନଙ୍କ ମଧ୍ୟରେ ସଂଘର୍ଷ ଆନ୍ତର୍ଜାତିକସ୍ତରରେ ଦୃଷ୍ଟି ଆକର୍ଷଣ କରିଥାଏ । ମୁଖ୍ୟତଃ ରାଇକିନା ପ୍ରଦେଶର ରୋହିଙ୍ଗା ମୁସଲମାନମାନଙ୍କ ସହ ସଂଘର୍ଷରେ ପ୍ରାୟ ସାତ ଲକ୍ଷ ଶରଣାର୍ଥୀଭାବେ ଦେଶ ଛାଡ଼ି ଚାଲି ଆସିଛନ୍ତି । ବୌଦ୍ଧ ଓ ରୋହିଙ୍ଗାଙ୍କ ମଧ୍ୟରେ ସାଂପ୍ରଦାୟିକ ସଂଘର୍ଷ କାଳରେ ଫେସବୁକର ବ୍ୟବହାରରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଥିବା ଜାତିସଂଘ ପର୍ଯ୍ୟବେକ୍ଷକଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଫେସବୁକ କର୍ତ୍ତୃପକ୍ଷ ମଧ୍ୟ ଏଦିଗରେ ନିଜର ଦୁର୍ବଳତା ସ୍ୱୀକାର କରିଥିଲେ ।

ଉଦାହରଣରେ ୨୦୧୨ରୁ ସମ୍ପ୍ରଦାୟିକ ସଂଘର୍ଷ ଉତ୍କଟରୂପ ଧାରଣ କରିଥିବା ଅବସରରେ ୨୦୧୪ରେ ଜନୈକ ବୌଦ୍ଧ ସନ୍ୟାସୀ ଏକ ବୌଦ୍ଧ ବାଳିକାକୁ ଗଣବଳତ୍କାର କରାଯାଇଥିବା ଅଭିଯୋଗ ଫେସବୁକରେ ପୋଷ୍ଟ କରିଥିଲେ । ଏହା ବ୍ୟାପକ ଭାଇରଲ ହେବାପରେ ଅଭିଯୁକ୍ତମାନଙ୍କ ଉପରେ ଗୋଷ୍ଠୀଗତ ଆକ୍ରମଣ ହୋଇଥିଲା । ଏଥିରେ ଦୁଇଜଣ ପ୍ରାଣ ହରାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ପୋଲିସ ଅନୁସନ୍ଧାନରୁ ଧର୍ଷଣ ଘଟଣାଟି ଅତିରଞ୍ଜିତ ରୂପେ ପ୍ରଚାର କରାଯାଇଥିବା ପ୍ରମାଣିତ ହୋଇଥିଲା ।

ମିଆଁମାରରେ ଫେସବୁକ ୨୦୧୦ରେ ପ୍ରବେଶ କରିଥିଲା । ସେଠାରେ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲରୁ ଏକାଂଶ ସରକାରଙ୍କ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ତତ୍ତ୍ୱବଧାନରେ ପରିଚାଳିତ ହେଉଥିବା ହେତୁ ଜନସାଧାରଣ ଫେସବୁକକୁ ବିକଳ୍ପ ଗଣମାଧ୍ୟମ ରୂପେ ବ୍ୟବହାର କରୁଥିବା ଦେଖିବାକୁ ମିଳେ । ବିଗତ କିଛି ସମୟ ଧରି ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ଓ ସେନାବାହିନୀ ମଧ୍ୟରେ ସଂଘର୍ଷପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାପରେ ଫେସବୁକରେ ଆରୋପ-ପ୍ରତ୍ୟାରୋପ ବୃଦ୍ଧି ପାଇବାକୁ ଲାଗିଥିଲା ।

ଏଭଳି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଫେସବୁକ ପକ୍ଷରୁ ୨୦୧୮ରେ ସେନାବାହିନୀର ୨୦ଜଣ ପଦସ୍ଥ କର୍ମକର୍ତ୍ତାଙ୍କ ଫେସବୁକ ପେଜ ବ୍ଳକ କରାଯାଇଥିଲା । ୨୦୨୦ ନଭେମ୍ୱର ନିର୍ବାଚନ ପୂର୍ବରୁ ମଧ୍ୟ ୭୦ ଗୋଟି ନକଲି ଫେସବୁକ ଏକାଉଣ୍ଟ ଠାବ କରାଯାଇ ବନ୍ଦ କରିଦିଆଯାଇଥିଲା । ସେନାର କ୍ଷମତା ଦଖଲ ପରେ ଏହାର ବିରୋଧକରି ସୃଷ୍ଟି କରାଯାଇଥିବା ଏକ ଫେସବୁକ ପେଜରେ ତତକ୍ଷଣତ ଦୁଇଲକ୍ଷ ଯାଏଁ ଅନୁଗାମୀ ‘ଫାଲୋଏର’ ସୃଷ୍ଟି ହୋଇଥିଲେ ।

କୁହାଯାଏ ଯେ ମିଆଁମାରରେ ପାଞ୍ଚ ଦଶନ୍ଧି ଧରି ସାମରିକ ଶାସନ କାଳରେ ବିଶ୍ୱାସଯୋଗ୍ୟ ସମ୍ୱାଦ ପାଇବା ନିମନ୍ତେ ସାଧନ ଅଭାବ ହେତୁ ଜନସାଧାରଣ ଆଖପାଖ ଚା’ ଦୋକାନର ଆଡ୍ଡା ଜମାଉଥିଲେ । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ଇଣ୍ଟରନେଟର ପ୍ରସାର ଓ ଫେସବୁକ ମଞ୍ଚରେ ଆଳାପ ଆଲୋଚନା ସୁବିଧା ସୁଯୋଗ ପରେ ଫେସବୁକ ଡିଜିଟାଲ ଚା’ ଦୋକାନ ଚର୍ଚ୍ଚାର ପରିବେଶ ସୃଷ୍ଟିରେ ପର୍ଯ୍ୟବସିତ ହୋଇଥିଲା ।

୨୦୨୧ ଫେବୃୟାରୀରେ ସାମାରିକ ଶାସନ ପୁନଃଦଖଲପରେ ଫେସବୁକ ପ୍ରସାରଣ ବନ୍ଦ ଓ ପ୍ରଥମ ସପ୍ତାହର ରାଷ୍ଟ୍ରବ୍ୟାପୀ ଗଣବିକ୍ଷୋଭ ସଂପର୍କରେ ଟୀପ୍ପଣି ଦେଇ ମିଆଁମାରର ଜଣେ ବିଶ୍ଳେଷକ କହିଥିଲେ ଗଣତନ୍ତ୍ର ସପକ୍ଷବାଦୀ ଜନସାଧାରଣ ସୋସିଆଲ ମିଡ଼ିଆରେ ନିଜ ଭାବାବେଗ ପ୍ରକାଶ କରୁଥିଲେ, କିନ୍ତୁ ସେନା ପ୍ରଶାସନ ସୋସିଆଲ ମିଡ଼ିଆ ପ୍ରସାରଣକୁ ରୋକିବା ପରେ ଜନତା ରାଜରାସ୍ତାକୁ ଓହ୍ଲାଇ ନିଜ ବିରୋଧ ପ୍ରମାଣିତ କରିବାକୁ ଲାଗିଲେ । ଫଳତଃ ପରିବର୍ତ୍ତିତ ପରିବେଶରେ ସେନା ପ୍ରଶାସନ ପକ୍ଷରୁ ସୋସିଆଲ ମିଡ଼ିଆ ବନ୍ଦ ଘୋଷଣା ପ୍ରାଥମିକ ସ୍ତରରେ ବିପରୀତ ଫଳ ପ୍ରଦାନ କରିଥିଲା ।

Related Post