ଆଜିର ଖାସ ଖବର
Mon. Jul 27th, 2026

ଡିଜିଟାଲ ବିଭେଦ

By Dainikasha Jul11,2024

ଆମ ଦେଶରେ ଟେଲିଯୋଗାଯୋଗସଂଯୋଗ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ କମ ରହି ଆସିଛି । ଉନ୍ନତ ଟେଲିଯୋଗାଯୋଗ ଆଧାରରେ ଇଣ୍ଟରନେଟର ପ୍ରସାର ନିର୍ଭରଶୀଳ ଏବଂ ଏହି କାରଣରୁ ଗ୍ରାମାଞ୍ଚଳରେ ଅନଲାଇନ ବ୍ୟବସ୍ଥାରେ ଉନ୍ନତି ସଂଭବପର ହୋଇପାରୁନାହିଁ । ଫଳରେ ସହରାଞ୍ଚଳ ଓଗ୍ରାମାଞ୍ଚଳ ମଧ୍ୟରେ ଡ଼ିଜିଟାଲ ଦୃଷ୍ଟିରୁ ବୈଷମ୍ୟ ସୃଷ୍ଟି ହେଉଛି ।କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ଓ ସର୍ବୋପରି ଗଣତନ୍ତ୍ରର ବିକାଶ ଦିଗରେ ଇଣ୍ଟରନେଟ ସଂପୃକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ହେତୁ ଏଭଳି ଡିଜିଟାଲ ବିଭେଦ ବା ‘ଡିଜିଟାଲ ଡ଼ିଭାଇଡ଼’ର ମୂଳୋତ୍ପାଟନ ନିମନ୍ତେ ସରକାରୀସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି ।

ନ୍ୟାସନାଲ ଟେଲିକମ ପଲିସି ୨୦୧୨ ଅନୁଯାୟୀ ଦେଶର ଗ୍ରାମାଞ୍ଚଳରେ ୨୦୧୭ ସୁଦ୍ଧା ୭୦ ପ୍ରତିଶତ ଏବଂ ୨୦୨୦ ସୁଦ୍ଧା ଶତ ପ୍ରତିଶତ ଟେଲିସାନ୍ଧ୍ରତା ହାସଲ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିଲା । ତେବେ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ୨୦୧୭ ଡ଼ିସେମ୍ୱର ଶେଷ ସୁଦ୍ଧା ଗ୍ରାମାଞ୍ଚଳରେ ମାତ୍ର ୫୬.୭ ପ୍ରତିଶତ ଟେଲିସାନ୍ଧ୍ରତା ହାସଲ ହୋଇପାରିଥିଲା ।

ନ୍ୟାସନାଲ ଟେଲିକମ ପଲିସିର ୨୦୧୮ ସଂସ୍କରଣ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।ଏଥିରେ ୨୦୨୨ ସୁଦ୍ଧା ଗ୍ରାମାଞ୍ଚଳରେ ଶତପ୍ରତିଶତ ଟେଲିସାନ୍ଧ୍ରତା ହାସଲ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଦେଶର ୯୦ ପ୍ରତିଶତ ନାଗରିକଙ୍କ ପାଇଁ ବ୍ରଡ଼ବ୍ୟାଣ୍ଡ ସେବା ଉପଲବ୍ଧ ସହ ଇଣ୍ଟରନେଟର ବେଗ ମଧ୍ୟ ବୃଦ୍ଧି ନିମନ୍ତେ ପ୍ରାବଧାନ ରଖାଯାଇଛି । ପ୍ରାୟ ଅର୍ଦ୍ଧେକ ପରିବାରଙ୍କୁ କିପରି ବ୍ରଡ଼ବ୍ୟାଣ୍ଡ ସେବା ସଂଯୁକ୍ତ କରାଇପାରିବେ ସେଥିପ୍ରତି ଯୋଜନାବଦ୍ଧ ଉଦ୍ୟମ ନିମନ୍ତେ ଗୁରୁତ୍ୱ ଦିଆଯାଉଛି।

ଗ୍ରାମୀଣ ଭାରତରେ ଟେଲିଯୋଗାଯୋଗ ଓ ଇଣ୍ଟରନେଟ ପ୍ରସାରଜନିତ ଲକ୍ଷ୍ୟସିଦ୍ଧି କ୍ରମାଗତଭାବେ ବ୍ୟାହତ ହେବାର ମୁଖ୍ୟ କାରଣରୂପେ ଅପ୍ଟିକାଲ ଫାଇବର ତାର ବିଛାଇବାରେ ବିଳମ୍ୱକୁ ଚ଼ିହ୍ନଟ କରାଯାଇଥାଏ । ନ୍ୟାସନାଲ ଟେଲିକମ ପଲିସି ୨୦୧୨ରେ ପ୍ରଣୀତ ବିଭିନ୍ନ ଯୋଜନା ରୂପାୟନର ପୁର୍ନମୂଲ୍ୟାୟନ କରି ସରକାରଙ୍କ ପକ୍ଷରୁ ୨୦୧୬ରେ ନେସନାଲ ଅପ୍ଟିକ ଫାଇବର ନେଟୱାର୍କ ସ୍ଥାନରେ ‘ଭାରତ ନେଟ’ ନାମକ ନୂତନ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଦେଶର ଦୁଇ ଲକ୍ଷ ପଚ଼ାଶ ହଜାର ଗ୍ରାମପଞ୍ଚାୟତକୁ ବ୍ରଡ଼ବ୍ୟାଣ୍ଡ ସଂଯୋଗ ୨୦୧୬ ସୁଦ୍ଧା ସଂଭବପର ନ ହୋଇପାରିବା ହେତୁ ଭାରତନେଟ ମାଧ୍ୟମରେ ୨୦୧୯ ସୁଦ୍ଧା କାର୍ଯ୍ୟ ସାରିବାକୁ ପୁନଃ ନିର୍ଦ୍ଧାରଣ କରାଯାଇଛି । ତେବେ ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ପ୍ରାୟ ଏକ ଲକ୍ଷ ଗ୍ରାମପଞ୍ଚାୟତ ହିଁ ବ୍ରଡ଼ବ୍ୟାଣ୍ଡ ସଂଯୋଗ ନିମନ୍ତେ ପ୍ରସ୍ତୁତ ହୋଇପାରିଥିବା ଜଣାଯାଏ ।

ଟେଲିଯୋଗାଯୋଗର ପ୍ରସାର ନିମନ୍ତେ ଅପ୍ଟିକାଲ ଫାଇବର ସମେତ, ୱାଇରଲେସ, ଭିଏସଏଟି ଭଳି ଭିନ୍ନ ଭିନ୍ନ ବୈଷୟିକ କୌଶଳ ମଧ୍ୟ ବ୍ୟବହୃତ ହେଉଛି । କିନ୍ତୁ ସମସ୍ତ ଆଧୁନିକ ଉପଯୋଗ କେବଳ ସହରାଞ୍ଚଳରେ ଟେଲିସାନ୍ଧ୍ରତା ବୃଦ୍ଧିରେ ସୀମାବଦ୍ଧ ରହୁଛି। ଟେଲିକମ ରେଗୁଲେଟରି ଅଥାରିଟି ଅଫ ଇଣ୍ଡିଆର ପରିସଂଖ୍ୟାନ ଅନୁଯାୟୀ ଗ୍ରାମାଞ୍ଚଳରେ ଟେଲିସାନ୍ଧ୍ରତା ୫୬.୭ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୧୬୮.୩ରେ ପହଞ୍ଚିଛି । ଅର୍ଥାତ ଟେଲି ଓ ଇଣ୍ଟରନେଟ ଯୋଗାଯୋଗଜନିତ ସୁବିଧା ସୁଯୋଗ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବ୍ୟାପକଭାବେ ବ୍ୟବହୃତ ହେଉଛି  ଏବଂ ତାହା ଉନ୍ନତ ଧରଣର ଜୀବନଯାତ୍ରାରେ ସହାୟକ ହେଉଛି ।

ଭାରତ ଏକ ଗ୍ରାମବହୁଳ ଦେଶ । ଏଠାକାର ସଂଖ୍ୟାଧିକ ବାସିନ୍ଦା କୃଷିଜୀବୀ କିମ୍ୱା କ୍ଷୁଦ୍ରଉଦ୍ୟୋଗରେ ନିୟୋଜିତ ହୋଇ ଜୀବିକା ନିର୍ବାହ କରିଥାନ୍ତି । କୃଷି ଓ କ୍ଷୁଦ୍ର ଉଦ୍ୟୋଗ ପରିବର୍ତ୍ତିତ ପରିବେଶରେ ଲାଭଜନକ ନ ହୋଇ ପାରୁଥିବା ହେତୁ ଦେଶବ୍ୟାପୀ ଅସନ୍ତୋଷ ପୁଞ୍ଜିଭୂତ ହେବାରେ ଲାଗିଛି । ରାଜନୀତିକସ୍ତରରେ ଏହାର ସମାଧାନ ସମ୍ଭବପର ନୁହେଁ । ଉନ୍ନତ ବୈଷୟିକ କୌଶଳ ପ୍ରୟୋଗ ଦ୍ୱାରା ହିଁ ସମସ୍ୟାର ସମାଧାନର ସୂତ୍ର ଖୋଜି ପାଇହେବ । ଆଧୁନିକ ବୈଷୟିକ କୌଶଳ ଉପଯୋଗ ନିମନ୍ତେ ପରିବହନ ସାଙ୍ଗକୁ ଉନ୍ନତ ଟେଲିଯୋଗାଯୋଗ ଓ ଇଣ୍ଟରନେଟର ବ୍ୟବହାର ଅପରିହାର୍ଯ୍ୟ।ଏଣୁ ଗ୍ରାମାଞ୍ଚଳରେ ବ୍ରଡ଼ବ୍ୟାଣ୍ଡର ପ୍ରସାର ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।

ଏଠାରେ ଏକ ଉଦାହରଣ ଆଲୋଚ଼ନା କରାଯାଇପାରେ । ୨୦୧୧ ଜନଗଣନା ଆଧାରରେ ୨୦୧୫ରେ ଜାତୀୟସ୍ତରରେ ପ୍ରସ୍ତୁତ ସାମାଜିକ-ଅର୍ଥନୀତିକ ଓ ଜାତିଗତ ରିପୋର୍ଟରୁ ଜଣାଯାଏ ଯେ ଆମ ରାଜ୍ୟରେ ଗ୍ରାମାଞ୍ଚଳରେ ୮୬ ଲକ୍ଷ ୨୨ ହଜାର ଓ ସହରାଞ୍ଚଳରେ ୧୨ ଲକ୍ଷ ୬୨ ହଜାର ପରିବାର ବସବାସ କରନ୍ତି । ଗ୍ରାମାଞ୍ଚଳ ବାସିନ୍ଦାଙ୍କ ମଧ୍ୟରୁ ୨୦ ଲକ୍ଷ ପରିବାର ସିଧାସଳଖ କୃଷିଜୀବୀ ଥିବାବେଳେ ୫୦ ଲକ୍ଷ ୭୩ ହଜାର ପରିବାର ଦିନ ମଜୁରିଆ, ଅର୍ଥାତ ପରୋକ୍ଷରେ କୃଷି ତଥା ତତ୍ସମ୍ୱନ୍ଧୀୟ କାର୍ଯ୍ୟରେ ନିୟୋଜିତ । କୃଷି କାର୍ଯ୍ୟ ମୁଖ୍ୟତଃ ମୌସୁମୀ ଉପରେ ନିର୍ଭରଶୀଳ, ରୋଗପୋକ ଓ ଉତ୍ପାଦ ବିକ୍ରୀ ଚ଼ାଷୀର ମୁଖ୍ୟ ସମସ୍ୟା । ଏହି ତିନିଗୋଟି ସମସ୍ୟାକୁ ସାଧ୍ୟମତେ ସମାଧାନ କରିବା ନିମନ୍ତେ ଟାଟା କନସଲଟେନ୍ସି ସର୍ଭିସେସ ପକ୍ଷରୁ ‘ଏମ୍-କୃଷି’ ନାମିତ ମୋବାଇଲ ଫୋନଭିତ୍ତିକ ଏକ ସଫଟୱେର ପ୍ରସ୍ତୁତ କରିଛି ।ଅନ୍ୟମାନେ ମଧ୍ୟ ବିଭିନ୍ନ ଆପ୍ଲିକେସନ ପ୍ରସ୍ତୁତ କରିଛନ୍ତି ।

ପ୍ରାଥମିକସ୍ତରରେ ଛୋଟବଡ଼ ସବୁ କୃଷିକ୍ଷେତ୍ରର ନକସା ସହ କୃଷକ, ତାହାର ପରିବାର ଓ କୃଷିପରମ୍ପରାର ବିବରଣୀ ରେକର୍ଡ଼ କରାଯାଇ ସେହି ନିର୍ଦ୍ଧିଷ୍ଟ କୃଷିକ୍ଷେତ୍ର ପାଇଁ ପାଣିପାଗ ବିବରଣୀ ଓ ରୋଗପୋକ ସଂକ୍ରମଣ ସଂପର୍କରେ ସଂପୃକ୍ତଚ଼ାଷୀକୁ ଆଞ୍ଚଳିକଭାଷାରେ ସ୍ମାର୍ଟଫୋନ ଯୋଗେ ସୂଚ଼ନା ଦିଆଯାଇପାରିବା ସୁବିଧା ଉପଲବ୍ଧ । ଅର୍ଥାତ ଗୋଟିଏ ଛୋଟ ଚ଼ାଷୀ ନିଜ ଜମିରେ କେବେ ବର୍ଷା ପାଣି ପାଇବ, କେଉଁ ଧରଣର ରୋଗପୋକ ସଂକ୍ରମଣର ଆଶଙ୍କା ଅଛି ତାହାର ଆଗୁଆ ସୂଚ଼ନା ପାଇପାରିବେ । ଏହାଦ୍ୱାରା କୃଷିଜନିତ କେତେକ ସମସ୍ୟା ସହଜରେ ସମାଧାନ ହୋଇପାରିବ ।

ସେହିପରି କ୍ଷୁଦ୍ର ଓ ନାମମାତ୍ର ଚ଼ାଷୀମାନେ ସିଧାସଳଖ ବଜାର ସହିତ ସଂଯୁକ୍ତ ନ ହୋଇପାରୁଥିବା କାରଣରୁ କୃଷିଜାତ ଉତ୍ପାଦ ବିକ୍ରୀରୁ ମୁନାଫା ପାଇପାରିନଥାନ୍ତି । ସବୁବେଳେ ସଂଖ୍ୟାଧିକ ମଧ୍ୟସ୍ଥିଙ୍କ ଉପରେ ନିର୍ଭରଶୀଳତା ଯୋଗୁଁ କ୍ଷତି ସହିଥାନ୍ତି । ସ୍ମାର୍ଟଫୋନ ଯୋଗେ କ୍ଷୁଦ୍ରଚ଼ାଷୀଙ୍କୁ ବଜାର ସହ ସଂଯୁକ୍ତ କରାଇବା ଅବଶ୍ୟ ସଂଭବପର । ସେହିପରି ଅଣ-କୁଶଳୀ ଶ୍ରମିକମାନଙ୍କୁ ନିୟମିତ କର୍ମନିଯୁକ୍ତି ନିମନ୍ତେ ସ୍ମାର୍ଟଫୋନ ଆପ୍ଲିକେସନ ଉପଲବ୍ଧ । ତେବେ ଏଗୁଡ଼ିକର ବ୍ୟବହାର ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ଦେଶପାଇଁ ଏକ ସମସ୍ୟା । ଅଣଆନୁଷ୍ଠାନିକ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଗ୍ରାମାଞ୍ଚଳରେ ବ୍ୟାପକ ପ୍ରସାର ନିମନ୍ତେ ମଧ୍ୟ ଟେଲିସାନ୍ଧ୍ରତା ଓ ଇଣ୍ଟରନେଟ ସଂଯୁକ୍ତି ଅପରିହାର୍ଯ୍ୟ ।

ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଏକ ବଡ଼ ଦେଶ । ଏଭଳି ଏକ ପ୍ରାଚ଼ୀନ ସଂସ୍କୃତିସମ୍ପନ୍ନ ରାଷ୍ଟ୍ରରେ ଡିଜିଟାଲ ପରିବେଶ ସୃଷ୍ଟି ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ଯେତିକି ସମସ୍ୟାବହୁଳ, ପରିବର୍ତ୍ତିତ ମୂଲ୍ୟବୋଧକୁ ଗ୍ରହଣଯୋଗ୍ୟ କରିବା ନିମନ୍ତେ ଜନସାଧାରଣରେ ମାନସିକତା ସୃଷ୍ଟି ମଧ୍ୟ ଅନୁରୂପ ମାତ୍ରାରେ କଷ୍ଟସାଧ୍ୟ । ଦାରିଦ୍ର୍ୟ, ଶିକ୍ଷାଦୀକ୍ଷାର ଅଭାବ ଓ ଅନଗ୍ରସରତା ପରିସ୍ଥିତିକୁ ଉତ୍କଟ କରିପକାଏ । ବିଳମ୍ୱରେ ହେଲେ ମଧ୍ୟ ଦେଶ ଯେ ପରିବର୍ତ୍ତନ ଦିଗରେ ପାଦ ବଢ଼ାଉଛି ତାହା ବଡ଼ କଥା । ଅବଶ୍ୟ ଏହାର ଶ୍ରେୟ କିଏ ନେବ ତାହା ଏକ ରାଜନୀତିକ ପ୍ରଶ୍ନ । କିନ୍ତୁ ଡିଜିଟାଲ ଭାରତ ଯେ ଆମ ପାଇଁ ଜରୁରୀ ଆବଶ୍ୟକ ଏଥିରେ ସନ୍ଦେହ ନାହିଁ । 

Related Post