ଇଣ୍ଟରନେଟ ସଂଯୁକ୍ତି ମୁଖ୍ୟତଃ ଦୁଇଟି ବର୍ଗ, ତାରବାହୀ ‘ୱାଏରଡ଼ ବ୍ରଡ଼ବ୍ୟାଣ୍ଡ’ ଓ ବେତାର ‘ୱାଏରଲେସ ବ୍ରଡ଼ବ୍ୟାଣ୍ଡ’ ମାଧ୍ୟମରେ ସଂପ୍ରସାରିତ । ମୋବାଇଲ ବ୍ରଡ଼ବ୍ୟାଣ୍ଡ ଅପେକ୍ଷାକୃତଭାବେ ଆଧୁନିକ ବୈଷୟିକ କୌଶଳ ହେଲେହେଁ ଭାରତରେ ଇଣ୍ଟରନେଟ ବ୍ୟାପ୍ତି ୱାଏରଲେସ ମୋବାଇଲ ବ୍ରଡ଼ବ୍ୟାଣ୍ଡ ବ୍ୟବହାରରେ ସମୃଦ୍ଧ । ଦେଶରେ ୨୦୧୯ ମଧ୍ୟଭାଗ ସୁଦ୍ଧା ୫୮ କୋଟି ଇଣ୍ଟରନେଟ ସଂଯୁକ୍ତି ହିସାବ କରାଯାଉଥିବା ସ୍ଥଳେ ଏଥି ମଧ୍ୟରେ ୩୪ କୋଟି ରିଲାଏନ୍ସ ଜିଓ ମୋବାଇଲ ଫୋନ ଉପଭୋକ୍ତା ଅନ୍ତର୍ଭୁକ୍ତ । ରିଲାଏନ୍ସ ଜିଓର ୪ଜି ମୋବାଇଲ ବ୍ରଡ଼ବ୍ୟାଣ୍ଡ ସେବା ୨୦୧୬ରେ ଆରମ୍ଭ ପରେ ଉଭୟ ମୋବାଇଲ ଫୋନ ଓ ଇଣ୍ଟରନେଟ ବ୍ୟବହାରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଥିଲା ।
ରିଲାଏନ୍ସ ଜିଓର ଦ୍ୱିତୀୟ ପର୍ଯ୍ୟାୟ ବ୍ୟାବସାୟିକ ସଂପ୍ରସାରଣରେ ୨୦୧୯ ସେପ୍ଟେମ୍ବର ୫ ତାରିଖରୁ ୱାଇରଡ଼ ବ୍ରଡ଼ବ୍ୟାଣ୍ଡ ସେବା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ‘ଫାଇବର-ଟୁ-ଦି-ହୋମ’ ଷୋହଳ ଶହ ସହରର ନିର୍ଦ୍ଧିଷ୍ଟ ଅଞ୍ଚଳଗୁଡ଼ିକରେ ଫାଇବର ଅପଟିକ ତାର ସାହାଯ୍ୟରେ ଉପଭୋକ୍ତାମାନଙ୍କ ବାସଗୃହରେ କନେକସନ ଦିଆଯାଇଛି । ଏହି କନେକସନ ଏକ ସେଟ ଟପ ବକ୍ସ ନିୟନ୍ତ୍ରଣରେ ଟେଲିଫୋନ ଓ ଇଣ୍ଟରନେଟ ସେବା ପ୍ରଦାନ କରିଥାଏ ।
ଭାରତରେ ୱାଏରଡ଼ ବ୍ରଡବ୍ୟାଣ୍ଡ ବଜାର ସୀମିତ । ସର୍ବମୋଟ ଏକ କୋଟି ୮୪ ଲକ୍ଷ ୫୦ ହଜାର ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସଂଯୁକ୍ତି ଉପଲବ୍ଧ । ଏଥି ମଧ୍ୟରେ ଭାରତୀୟ ସଞ୍ଚାର ନିଗମ ସେବା ୯୦ ଲକ୍ଷ ୯ ହଜାର ଏବଂ ଭାରତୀ ଏୟରଟେଲ ସେବା ୨୦ ଲକ୍ଷ ୩୯ ହଜାର ଗ୍ରାହକ ଅନ୍ତର୍ଭୁକ୍ତ । ଏହି ପରିବେଶରେ ଜିଓର ପ୍ରବେଶ ଇଣ୍ଟରନେଟ ପ୍ରସାର କ୍ଷେତ୍ରରେ ୨୦୧୬ର ପ୍ରଥମ ପ୍ରବେଶ ତୁଳନାରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ରୂପାୟନରେ ସମ୍ଭବପର ନହୋଇପାରେ ବୋଲି ଗଣମାଧ୍ୟମ ସମୀକ୍ଷକମାନେ ବିଚ଼ାର କରିଥାନ୍ତି ।
ୱାଏରଲେସ ଇଣ୍ଟରନେଟ ସେବା ଗ୍ରହଣ ପାଇଁ ଉପଭୋକ୍ତାମାନେ ଆବଶ୍ୟକୀୟ ଟେଲିଫୋନ ସେଟ ସଂଗ୍ରହ କରିବାପରେ ସଂଯୁକ୍ତି ସଂଭବପର ଥିବା ସ୍ଥଳେ ୱାଏରଡ଼ ଇଣ୍ଟରନେଟ ସେବା ପ୍ରଦାନ ଲାଗି ଉପଭୋକ୍ତାଙ୍କ ଗୃହ ଯାଏଁ ଫାଇବର ଅପଟିକ କିମ୍ୱା ତମ୍ୱା ତାର ଟାଣିବାକୁ ପଡ଼ିଥାଏ । ଏହି କାରଣରୁ ବିଏସଏନଏଲ କିମ୍ୱା ଏୟରଟେଲର ଉପଭୋକ୍ତାମାନେ ତତ୍କ୍ଷଣାତ ସେବାପ୍ରଦାନକାରୀ ବଦଳାଇ ଜିଓ ଗ୍ରାହକ ଶ୍ରେଣୀଭୁକ୍ତ ହେବା ସଂଭବପର ନୁହେଁ । ଏଥି ନିମନ୍ତେ ସଂପୃକ୍ତ ଅଞ୍ଚଳରେ ଅଧିକ ସଂଖ୍ୟକ ଗ୍ରାହକ ସଂଗ୍ରହପରେ ଜିଓ ପକ୍ଷରୁ ତାର ସଂଯୋଗର ପୂର୍ବ ପ୍ରସ୍ତୁତି ଆବଶ୍ୟକ ।
ଜିଓ ଫାଇବର ମାସିକ ଗ୍ରାହକ ଚାନ୍ଦା ୬୯୯ ଟଙ୍କାରୁ ଆରମ୍ଭ ହୋଇ ୮,୪୯୯ ଟଙ୍କା ଯାଏଁ ବ୍ୟାପ୍ତ । ଏଥିରେ ଇଣ୍ଟରନେଟ ସେବାର ଗତି ଅତିକମରେ ୧୦୦ ଏମବିପିଏସ ନିର୍ଦ୍ଧାରିତ । ଜିଓର ଗ୍ରାହକ ଚାନ୍ଦା ଓ ବେଗ ଅନ୍ୟ ଦୁଇ ଇଣ୍ଟରନେଟ ସେବା ପ୍ରଦାନକାରୀଙ୍କଠାରୁ ଉନ୍ନତ ଥିବା ହେତୁ ଉପଭୋକ୍ତାମାନେ ଏଥିପ୍ରତି ଆଗ୍ରହାନ୍ଵିତ ହେବା ଆଶା କରାଯାଏ । ଅବଶ୍ୟ ଜିଓର ପ୍ରବେଶରେ ଭାରତୀ ଏରଟେଲ ଓ ବିଏସଏନଏଲ ପକ୍ଷରୁ ଇଣ୍ଟରନେଟ ବେଗ ଓ ପରିମାଣ ବୃଦ୍ଧି ଓ ଗ୍ରାହକଚାନ୍ଦା ହ୍ରାସ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି ।
ଜିଓ ଫାଇବର ଗ୍ରାହକ ଶ୍ରେଣୀଭୁକ୍ତ ହେବା ନିମନ୍ତେ ସେବା ଉନ୍ମୋଚନ କାଳରେ ଏକ କୋଟି ୫୦ ଲକ୍ଷ ଆବେଦନ ପଞ୍ଜୀକୃତ ହୋଇଥିବା ପ୍ରକାଶ । ଜିଓ ପକ୍ଷରୁ ପ୍ରଥମ ବର୍ଷ ଶେଷ ସୁଦ୍ଧା ୱାଏରଡ଼ ବ୍ରଡ଼ବ୍ୟାଣ୍ଡ ସେବା ନିମନ୍ତେ ଦୁଇ କୋଟି ବାସଗୃହ ଓ କୋଟିଏ ପଚାଶ ଲକ୍ଷ ବ୍ୟାବସାୟିକ ଗ୍ରାହକ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଜିଓ ଫାଇବର ସେବା ୧୬୦୦ ସହରରେ ଉପଲବ୍ଧ ଥିବା ସ୍ଥଳେ ଭାରତୀ ଏୟରଟେଲର ସେବା ମାତ୍ର ୯୯ ସହରରେ ସୀମିତ । ଜିଓ ଫାଇବରର ବ୍ୟାପ୍ତି ଏହାର ଉପଭୋକ୍ତା ବୃଦ୍ଧିରେ ସହାୟକ ହେବ ବୋଲି ଯୁକ୍ତି ବଢାଯାଉଛି ।
ଅପରପକ୍ଷେ ଭାରତରେ ଇଣ୍ଟରନେଟ ସଂଯୁକ୍ତି ୱାଏରଡ଼ ବଦଳରେ ୱାଏରଲେସ ବ୍ରଡବ୍ୟାଣ୍ଡ ବ୍ୟବହାରରେ ପର୍ଯ୍ୟବସିତ ହୋଇଥିବା ସ୍ଥଳେ ଜିଓ ଫାଇବର ଭଳି ୱାଏରଡ଼ ବ୍ରଡ଼ବ୍ୟାଣ୍ଡ ସେବାର ପ୍ରସାର କଛପଗତି ଆକଳନ କରାଯାଇଥାଏ । ଦେଶରେ ଉପଭୋକ୍ତାମାନେ ମୁଖ୍ୟତଃ ମୋବାଇଲ ଫୋନ ଯୋଗେ ଇଣ୍ଟରନେଟ ମଞ୍ଚରେ ଦୈନନ୍ଦିନଭିତ୍ତିରେ ଅଧିକ ସମୟ ଉପସ୍ଥିତ ରହୁଥିବା ଏଭଳି ଆଶଙ୍କାର ପ୍ରମୁଖ କାରଣ ।
ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୨୦୧୯ ଶେଷ ସୁଦ୍ଧା ୬୫ କୋଟିରେ ପହଞ୍ଚିବା ହିସାବ କରାଯାଉଥିବା ସ୍ଥଳେ ଗ୍ରାମାଞ୍ଚଳରେ ଆନୁପାତିକ ହାରରେ ବୃଦ୍ଧି ଉଲ୍ଲେଖଯୋଗ୍ୟ । ୨୦୧୮ ତୁଳନାରେ ୨୦୧୯ରେ ବାର୍ଷିକ ଅଭିବୃଦ୍ଧି ସହରାଞ୍ଚଳରେ ମାତ୍ର ସାତ ପ୍ରତିଶତରେ ସୀମାବଦ୍ଧ ଥିବା ସ୍ଥଳେ ଗ୍ରାମାଞ୍ଚଳରେ ୩୫ ପ୍ରତିଶତ ଅଭିବୃଦ୍ଧି ସମ୍ଭବ ହୋଇଛି । ୱାଏରଡ଼ ବ୍ରଡବ୍ୟାଣ୍ଡ ପ୍ରସାର ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ସହଜସାଧ୍ୟ ମନେ ହୁଏନା । ଏହି ଦୃଷ୍ଟିରୁ ଜିଓ ଫାଇବର ବଜାରର ଅଭିବୃଦ୍ଧି ସହ ତାଳଦେବା ବୈଷୟିକ ଦୃଷ୍ଟିରୁ କଷ୍ଟସାଧ୍ୟ ।
ସାମଗ୍ରୀକ ଭାବେ ଜିଓ ଫାଇବର ପ୍ରବେଶ ଦେଶର ୱାଏରଡ଼ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସୁବିଧାରେ ଅଧିକ ବେଗ, କମ ଦରରେ ଉପଲବ୍ଧ ହେବା ଫଳରେ ଏହି କ୍ଷେତ୍ରରେ ପ୍ରତିଯୋଗିତାପୂର୍ଣ୍ଣ ପରିବେଶ ସୃଷ୍ଟି କରିବାରେ ସମର୍ଥ ହେଲେହେଁ ଭାରତରେ ଇଣ୍ଟରନେଟ ସଂଯୁକ୍ତି ଓ ବ୍ୟବହାର ପ୍ରସାରରେ କେତେଦୂର ସଫଳତା ହାସଲ କରିବ ତାହା ସମୟ କହିବ ।
