ଆଜିର ଖାସ ଖବର
Tue. Jul 28th, 2026

ଇଣ୍ଟରନେଟ ମଞ୍ଚର ଦୁରୋପଯୋଗ

By Dainikasha Jul11,2024

ଭାରତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଣ୍ଟରନେଟ ମଧ୍ୟସ୍ଥି ରୂପେ କାର୍ଯ୍ୟରତ ଘରୋଇ ପ୍ରତିଷ୍ଠାନଗୁଡ଼ିକ ନିମନ୍ତେ ସଂଶୋଧିତ ଆଚ଼ରଣ ନିର୍ଦ୍ଦେଶନାମା ୨୦୨୦ ଜାନୁୟାରୀ ମାସ ମଧ୍ୟଭାଗ ସୁଦ୍ଧା ପ୍ରକାଶ କରାଯିବା ସ୍ଥିରୀକୃତ ହୋଇଛି । ଇଲକ୍ଟ୍ରୋନିକ୍ସଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ଅକ୍ଟୋବର ଚ଼ତୁର୍ଥ ସପ୍ତାହରେ ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିବା ଏକ ସ୍ଵୀକାରୋକ୍ତିରେ ‘ଇନଫରମେସନ ଟେକନୋଲିଜ (ଇଣ୍ଟରମିଡ଼େଏଟରିସ) ଗାଇଡ଼ଲାଇନ୍ସ (ଏମେଣ୍ଡମେଣ୍ଟ) ରୁଲସ ୧୯୧୮’ ଚିଠା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଛି । ପ୍ରସ୍ତାବିତ ନିର୍ଦ୍ଦେଶନାମା ପ୍ରଣୟନ ଇଣ୍ଟରନେଟ ମଞ୍ଚର ଦୁରୋପଯୋଗ ପ୍ରତିହତ କରିବାରେ ସକ୍ଷମ ହେବା ଆଶା କରାଯାଉଛି ।

ମନ୍ତ୍ରଣାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ ଆଧୁନିକ ପରିବେଶରେ ଇଣ୍ଟରନେଟ ଏକ ପକ୍ଷରେ ସାମାଜିକ ଓ ଅର୍ଥନୀତିକ ପ୍ରଗତିର ସୂତ୍ରଧର ରୂପେ କାର୍ଯ୍ୟ କରୁଥିଲେ ହେଁ ଅପରପକ୍ଷେ ଅସତ୍ୟ ସମ୍ୱାଦ, ଗାଳିଗୁଲଜ, ମାନହାନୀ, ବିଶୃଙ୍ଖଳା ଓ ଦେଶଦ୍ରୋହ ଇତ୍ୟାଦି ବେନିୟମ କାର୍ଯ୍ୟକଳାପରେ ଦୁରୋପଯୋଗ ହେଉଛି । ସର୍ବୋପରି ସ୍ଥଳବିଶେଷରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତିବନ୍ଧକ ପାଲଟୁଛି । ଇଣ୍ଟରନେଟ ଉପଯୋଗ, ବିଶେଷକରି ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ପ୍ରକାଶନରେ ବ୍ୟକ୍ତିଗତ ଅଧିକାର ଓ ରାଷ୍ଟ୍ରୀୟ ସାର୍ବଭୗମତ୍ଵର ସୁରକ୍ଷାଲାଗି ପୂର୍ବ ପ୍ରଦତ୍ତ ନିର୍ଦ୍ଦେଶନାମା ସଂଶୋଧନରେ ଗୁରୁତ୍ୱ ଉପଲବ୍ଧ କରି ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ।

ମାଡ୍ରାସ ହାଇକୋର୍ଟରେ ଅଣ୍ଟୋନୀକ୍ଳେମେଣ୍ଟରୁବିନ ନାମକ ଜଣେ ଆଡ଼ଭୋକେଟ ୨୦୧୮ ଜୁଲାଇ ମାସରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଉପଭୋକ୍ତାମାନେ ପଞ୍ଜୀକୃତ ହେବା ସମୟରେ ଆଧାର ସଂଖ୍ୟା ଉଲ୍ଲେଖ କରିବା ନିମନ୍ତେ ନୀତିନିୟମ ପ୍ରଣୟନ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେବା ପ୍ରାର୍ଥନା କରି ମକଦ୍ଦମା ଦାୟର କରିଥିଲେ । ଏତଦ୍ୱାରା ଅସମାଜିକ ତତ୍ତ୍ୱ ପ୍ରକାଶନ କାଳରେ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରିବା ସହଜ ହେବ ବୋଲି ଦର୍ଶାଇଥିଲେ । ଏକ ରକମର ଅନ୍ୟ କେତେକ ମକଦ୍ଦମା ଦେଶର ବିଭିନ୍ନ ପ୍ରାନ୍ତରେ ଦାୟର ହେବାପରେ ମକଦ୍ଦମାରେ ପକ୍ଷଭୁକ୍ତ ଫେସବୁକ ପକ୍ଷରୁ ସମସ୍ତ ମାମଲା ସୁପ୍ରିମ କୋର୍ଟକୁ ସ୍ଥାନାନ୍ତର କରିବା ନିମନ୍ତେ ଅପିଲ କରିଥିଲେ । ନ୍ୟାୟମୂର୍ତ୍ତି ଦୀପକ ଗୁପ୍ତା ଓ ନ୍ୟାୟମୂର୍ତ୍ତିଅନିଋଦ୍ଧବୋଷଙ୍କ ଖଣ୍ଡପୀଠରେ ବିଚାରଣାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିବର୍ତ୍ତିତ ପରିବେଶରେ ଇଣ୍ଟରନେଟ ନିୟନ୍ତ୍ରଣ ଲାଗି ପ୍ରଚଳିତ ନିର୍ଦ୍ଦେଶନାମା ସଂଶୋଧନ କରାଯାଉଥିବା ଉଲ୍ଲେଖ କରିଥିଲେ । ଅଦାଲତ ପକ୍ଷରୁ ଏଭଳି ସଂଶୋଧିତ ନିର୍ଦ୍ଦେଶନାମାନିର୍ଦ୍ଦିଷ୍ଟଭାବେ କେବେଠାରୁ ଲାଗୁ ହେବ ତିନି ସପ୍ତାହ ମଧ୍ୟରେ ଜଣାଇବା ଲାଗି ୨୪ ସେପ୍ଟେମ୍ବର ୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ ।

ପ୍ରସ୍ତାବିତ ‘ଇନଫରମେସନ ଟେକନୋଲଜି ଆଇନ ୨୦୦୦’ସଂଶୋଧନରେ ମୁଖ୍ୟତଃ ଫେସବୁକ, ଟୁଇଟର, ୟୁଟ୍ୟୁବ, ଟିକଟକ ଭଳି ମଧ୍ୟସ୍ଥି ‘ଇଣ୍ଟରନେଟ ଇଣ୍ଟରମିଡ଼ିଏଟରି’ଙ୍କନିଜସ୍ୱ ମଞ୍ଚରେ ପ୍ରକାଶନ ଜନିତ ମାମଲାଗୁଡ଼ିକରେ ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ପ୍ରାବଧାନ ରଖାଯିବା ଆଶା କରାଯାଉଛି । ଧାରା ୭୯ ସଂଶୋଧନ କରାଯାଇ ବିଭିନ୍ନ ମଞ୍ଚରେ ତୃଟିପୂର୍ଣ୍ଣ ପ୍ରକାଶନର ଉତ୍ସ ୭୨ ଘଣ୍ଟା ମଧ୍ୟରେ ଖୋଜି ବାହାର କରିବା ବାଧ୍ୟତାମୂଳକ କରାଯାଇପାରେ । ଏହାର ପ୍ରଭାବରେ ହ୍ୱାଟସଅପ ଭଳି ମଞ୍ଚରେ ପାଠ୍ୟ ଓ ଚିତ୍ର ସହ ପ୍ରେରକଙ୍କ ପରିଚୟ ଗୋପନୀୟତା ‘ଇନକ୍ରାପ୍ଟସନ’ ବିଭବ ପ୍ରଭାବିତ ହୋଇପାରେ । ଏକ ପକ୍ଷରେ ଗୋପନୀୟତା ଉନ୍ମୋଚନ ନିମନ୍ତେ ବୈଷୟିକ ଉଦ୍ୟମ ହେଲେ ଏଭଳି ଆପ୍ଲିକେସନ ସ୍ୱାତନ୍ତ୍ର୍ୟ ହରାଇବା ଆଶଙ୍କା ଥିବା ସ୍ଥଳେ ଗୋପନୀୟତାକୁ ଆଧାର କରି ଯାବତୀୟ ସାମାଜିକ ଦୁଷ୍କର୍ମରେ ଯୋଗାଯୋଗର ମାଧ୍ୟମ ପାଲଟିଥିବା ହେତୁ ଏଥିରେ ଆକଟ ଯୁକ୍ତିଯୁକ୍ତ ମନେହୁଏ ।

ସୁପ୍ରିମ କୋର୍ଟ ପକ୍ଷରୁ ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରଧୀନ ସୋସିଆଲ ମିଡ଼ିଆ ପଞ୍ଜୀକରଣରେ ଆଧାର ସଂଖ୍ୟା ସଂଯୋଗ ସଂପର୍କୀତ ମାମଲାଗୁଡ଼ିକୁ ଉଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର ନିମନ୍ତେ ୨୨ ଅକ୍ଟୋବର ୨୦୧୯ରେ ଆଦେଶ ପ୍ରଦାନ କରିଛନ୍ତି । ଏ ସଂପର୍କରେ ବିଚାରଣା କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶୋଧିତ ନିର୍ଦ୍ଦେଶନାମା ଜାରୀପରେ ଜାନୁୟାରୀ ୨୦୨୦ ଶେଷ ସପ୍ତାହରୁ ଆରମ୍ଭ ହେବ ।

ଭାରତରେ ଇଣ୍ଟରନେଟ ମଧ୍ୟସ୍ଥି ଆଚରଣ ନିର୍ଦ୍ଦେଶନାମା ପ୍ରଣୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସମୟରେ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକେରବର୍ଗ ୧୭ ଅକ୍ଟୋବର ୨୦୧୯ରେ ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜଟାଉନବିଶ୍ୱବିଦ୍ୟାଳୟରେ‘ଡିଜିଟାଲ ଯୁଗରେ ଗଣତନ୍ତ୍ର’ ଶୀର୍ଷକ ବକୃତାମାଳାରେ କହିଛନ୍ତି ଯେ ମାନବ ସଭ୍ୟତାରେ ମନୁଷ୍ୟ ଭାବବ୍ୟକ୍ତି ନିମନ୍ତେ ସମକାଳରେ ସର୍ବାଧିକ ସୁବିଧା ସୁଯୋଗର ଅଧିକାରୀ । ୨୦୦୪ ମସିହାରେ ଫେସବୁକ ପ୍ରଚଳନ କାଳରୁ ଅଭିବ୍ୟକ୍ତିରେ ସ୍ୱାଧୀନତାକୁ ଗୁରୁତ୍ୱ ଦେଇ ଆସିଛି । ତେବେ ପନ୍ଦର ବର୍ଷପରେ ଅତୀତକୁ ରୋମନ୍ଥନ କଲେ ଏଭଳି ସ୍ୱାଧୀନତା ମନୁଷ୍ୟକୁ ଏକତ୍ରୀତ କରିବା ବଦଳରେ ସ୍ଥଳବିଶେଷରେ ବିଚ୍ଛେଦର କାରଣ ପାଲଟୁଥିବା ଦୁଃଖଦାୟକ ।

ଅଭିବ୍ୟକ୍ତିରେ ସ୍ୱାଧୀନତା ପ୍ରତି ନିଜର ପ୍ରତିଶୃତିବଦ୍ଧତାକୁଦୋହରାଇଜୁକେରବର୍ଗ ଏଭଳି ସ୍ୱାଧୀନତା ବଜାୟ ରଖିବାଲାଗି ତିନିଗୋଟି ପ୍ରତିବନ୍ଧକ ଉଲ୍ଲେଖ କରିଥିଲେ ।

ପ୍ରଥମତଃ ବିଶ୍ୱବ୍ୟାପୀ ସରକାରୀସ୍ତରରେ ମୁକ୍ତ ଭାବବ୍ୟକ୍ତିରେ ଅଙ୍କୁଶ ଜାରୀ କରିବା ନିମନ୍ତେ ଉଦ୍ୟମ ପରିଲକ୍ଷିତ ହେଉଛି । ଉନ୍ମେଷ କାଳରୁ ଇଣ୍ଟରନେଟ ମଞ୍ଚଗୁଡ଼ିକ ଯୁକ୍ତରାଷ୍ଟ୍ର ଆମେରିକାକେନ୍ଦ୍ରୀକଥିବାସ୍ଥଳେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଶେଷ ବେଳକୁ ଦଶ ଗୋଟି ପ୍ରମୁଖ ଇଣ୍ଟରନେଟ ମଞ୍ଚ ମଧ୍ୟରେ ଛଅ ଗୋଟି ଚୀନ କର୍ତ୍ତୃତ୍ୱାଧୀନ । ମାଲିକାନାର ପ୍ରଭାବ ମଞ୍ଚ ପରିଚାଳନାରେ ସୁସ୍ୱଷ୍ଟ । ସାମାଜିକ ସ୍ଥିରତାର ଦ୍ୱାହି ଦେଇ ସରକାରୀ ବିରୋଧୀ ପ୍ରକାଶନକୁ ନିରୁତ୍ସାହିତ କରିବା ପ୍ରବାହ ଏକ ଭିନ୍ନ ପରିବେଶ ସୃଷ୍ଟି କରିବ ।

ଦ୍ୱିତୀୟତଃ ଇଣ୍ଟରନେଟ ମଞ୍ଚଗୁଡ଼ିକ ସରକାରୀ ଚାପର ବଶବର୍ତ୍ତୀ ହୋଇ ଉପଭୋକ୍ତାଙ୍କ ପ୍ରକାଶନ ‘ପୋଷ୍ଟ’ଗୁଡ଼ିକ ଅଧିକରୁ ଅଧିକ ମାତ୍ରାରେ ଯାଞ୍ଚ ‘ସେନସର’ କରି ଅପସାରଣ ‘ଡିଲିଟ’ କରିବାରେ ଲାଗିଛନ୍ତି । ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକର ଏତାଦୃଶ ଆଭିମୁଖ୍ୟ ଇଣ୍ଟରନେଟ ସ୍ୱାଧୀନତା ପ୍ରତି ବିପଦ ।

ତୃତୀୟତଃ ରାଜନୀତିକ ଦଳଗୁଡ଼ିକ ପ୍ରତିପକ୍ଷର ପ୍ରକାଶନକୁ ସହ୍ୟ କରିପାରୁ ନାହାନ୍ତି । ଅସହିଷ୍ଣୁତା ଇଣ୍ଟରନେଟ ସ୍ୱାଧୀନତାଲାଗିବିଶ୍ୱବ୍ୟାପୀଆହ୍ୱାନ ସୃଷ୍ଟି କରିଛି । ପ୍ରକାରନ୍ତେ ଏତାଦୃଶ୍ୟ ମନୋଭାବ ଗଣତନ୍ତ୍ର ପ୍ରତି ବିପଦ ଡ଼ାକି ଆଣୁଛି ।

ଜୁକେରବର୍ଗ ଫେସବୁକ ପରିଚାଳନାରେ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଇଣ୍ଟରନେଟ ମଞ୍ଚଗୁଡ଼ିକ ପକ୍ଷରୁ ସମୟକ୍ରମେ ଉପଭୋକ୍ତାଙ୍କ ଦ୍ୱାରା ପ୍ରକାଶିତ ପାଠ୍ୟ ଓ ଚିତ୍ରଗୁଡ଼ିକ ଅଧିକରୁ ଅଧିକ ସଂଖ୍ୟାରେ ଅପସାରଣ କରାଯିବା ପରିସଂଖ୍ୟାନଚିନ୍ତାଜନକ । ଘରୋଇ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ପକ୍ଷେ ଉପଭୋକ୍ତାଙ୍କ ପ୍ରକାଶନ ଯାଞ୍ଚ ବ୍ୟବସ୍ଥା ଅଯୌକ୍ତିକ । ସ୍ୱାଭାବିକଭାବେ ସାମାଜିକସ୍ତରରେ ବିଶୃଙ୍ଖଳା ଉଦ୍ରେକକାରୀ, ହିଂସାକାଣ୍ଡ ଉସୁକାଇବା, ଶିଶୁ ଉତ୍ପୀଡନ, ତୃଟିପୂର୍ଣ୍ଣ ସ୍ୱାସ୍ଥ୍ୟରକ୍ଷା ସୂଚନା ଇତ୍ୟାଦି ପ୍ରକାଶନ ଅପସାରଣ କରାଯାଇଥାଏ । କିନ୍ତୁ ଏଥିରେ ମତବାଦକୁ ଅନ୍ତର୍ଭୁକ୍ତ କରାଯିବା ଅନୁଚ଼ିତ ।

ଫେସବୁକରେ ରାଜନୀତିକ ବିଜ୍ଞାପନ ପ୍ରକାଶନ ଧାରା ବିଶ୍ଳେଷଣ କରି ସେ ସୂଚାଇଥିଲେ ଯେ ମଞ୍ଚର ବ୍ୟାବସାୟିକ ମଡ଼େଲରେ ରାଜନୀତିକ ବିଜ୍ଞାପନରୁ ଆୟ ନଗଣ୍ୟ । କିନ୍ତୁ ରାଜନୀତିକ ବିଜ୍ଞାପନ ପ୍ରକାଶନକୁ ନେଇ ପ୍ରବଳ ହଟ୍ଟଗୋଳ ହେଉଥିବା ହେତୁ ଥରେଅଧେ ଫେସବୁକ ମଞ୍ଚରେ ରାଜନୀତିକ ବିଜ୍ଞାପନ ପ୍ରକାଶନ ନିଷିଦ୍ଧ କରାଯିବା ନିମନ୍ତେ ବିଚାରବିମର୍ଷ କରାଯାଇଛି । ତେବେ ବିଜ୍ଞାପନ ମଧ୍ୟ ମୁକ୍ତଭାବ ପ୍ରକାଶର ଏକ ମାଧ୍ୟମ ରୂପେ ସ୍ୱୀକୃତ ଥିବା ହେତୁ ତାହାର ବାରଣ ଅଭିବ୍ୟକ୍ତିର ସ୍ୱାଧୀନତାରେ ପ୍ରଭାବ ପକାଇବ ବୋଲି ହୃଦବୋଧ କରି ସେଭଳି ପଦକ୍ଷେପ ନିଆଯାଇ ନାହିଁ । ରାଜନୀତିକ ବିଜ୍ଞାପନରେ ଅଧିକାଂଶ କୌଣସି ଏକ ବିଷୟବସ୍ତୁ ଉପରେ ଏକ ଚିନ୍ତାଧାରା ଆଧାରିତ ହୋଇଥାଏ । ଏହାକୁ ବାରଣ କରିବା ଦ୍ୱାରା ସଂପୃକ୍ତ ଚିନ୍ତାଧାରା ପ୍ରସାର ଆକଟ ହେବ ।

ଜୁକେରବର୍ଗ ପ୍ରଶ୍ନ କରିଥିଲେ ଯଦି ସୋସିଆଲ ମିଡ଼ିଆରେ ପ୍ରକାଶନ ଯାଞ୍ଚ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଏ ତେବେ ଏହାର ସୀମା ସରହଦ କିଏ ଟାଣିବ ? ସ୍ଥାନୀୟ ପ୍ରଶାସନ ଓ ସଂପୃକ୍ତ ମଞ୍ଚ ବଦଳରେ ବିଶାରଦମାନଙ୍କୁ ନେଇ ଗଠିତ ତୃତୀୟ ପକ୍ଷ ଗଠନ ଏକ ବିକଳ୍ପ ରୂପେ ବିଚାର କରାଯାଏ । ଏହି ପରିପ୍ରେକ୍ଷୀରେ ଫେସବୁକ ପକ୍ଷରୁ ‘ଓଭରସାଇଟ ବୋର୍ଡ’ ନାମିତ ଏକ ସ୍ୱାଧୀନ ତୃତୀୟ ପକ୍ଷ ଗଠନ ସଂପର୍କରେ ଜୁକେରବର୍ଗ ଘୋଷଣା କରିଥିଲେ । ଭାରତରେ ପ୍ରସ୍ତାବିତ ଇଣ୍ଟରନେଟ ମଧ୍ୟସ୍ଥି ଆଚ଼ରଣ ନିର୍ଦ୍ଦେଶନାମାରେ ତୃତୀୟ ପକ୍ଷ ପ୍ରକାଶନ ଯାଞ୍ଚ ବ୍ୟବସ୍ଥା ପ୍ରସ୍ତାବ ସ୍ଥାନ ପାଇବା ଆଶା କରାଯାଇ ପାରେ କି ?  

Related Post