ଭାରତୀୟ ସମ୍ୱାଦପତ୍ର ଶିଳ୍ପ ସଂକଟର ପରିଧିରୁ ମୁକ୍ତି ପାଇପାରୁ ନାହିଁ । ମହାମାରୀ ପୂର୍ବରୁ ବିଜ୍ଞାପନ ଆୟ, ଗୁଣବତ୍ତା ଓ ବିଶ୍ୱନୀୟତା ହ୍ରାସ ଭଳି ସମସ୍ୟାରେ ଛନ୍ଦି ହୋଇପଡ଼ିଥିବା ସ୍ଥଳେ ମହାମାରୀରେ ଦୀର୍ଘକାଳବ୍ୟାପୀ ସାଧାରଣ ଜୀବନ ବନ୍ଦ ପରିବେଶ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ କରାଇଥିଲା । ଭୂତାଣୁ ସଂକ୍ରମଣ ଦ୍ୱିତୀୟ ତରଙ୍ଗ ଉତ୍ତାରେ ୨୦୨୧ ଦ୍ୱିତୀୟାର୍ଦ୍ଧରେ ଜନଜୀବନ କ୍ରମଶଃ ସ୍ୱାଭାବିକ ଅବସ୍ଥାକୁ ଫେରିବା ଅବସରରେ ମୁଦ୍ରିତ ସମ୍ୱାଦପତ୍ର ପ୍ରସାର ଓ ବିଜ୍ଞାପନ ଆୟ ସଜାଡ଼ିବାରେ ଲାଗି ପଡିଥିଲା । ଏହି ସମୟସୀମାରେ ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ସମ୍ୱାଦପତ୍ର ମୁଦ୍ରଣ କାଗଜ ଆମଦାନୀଜନିତ ସମସ୍ୟା ଓ ମୂଲ୍ୟ ବୃଦ୍ଧି ପୁଣି ସଂକଟ ମଧ୍ୟକୁ ଟାଣି ଆଣିଥିଲା ।
ସମ୍ୱାଦପତ୍ର ପ୍ରସ୍ତୁତିରେ ମୁଦ୍ରଣ କାଗଜ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ଭାରତରେ ବ୍ୟବହୃତ ମୁଦ୍ରଣ କାଗଜର ଅର୍ଦ୍ଧେକ ବିଦେଶରୁ ଆମଦାନୀ ହୋଇଥାଏ । ମୋଟାମୋଟି ଭାବେ ଋଷରୁ ୪୦ ପ୍ରତିଶତ, କାନାଡ଼ାରୁ ୪୫ ପ୍ରତିଶତ ଓ ଫିନଲ୍ୟାଣ୍ଡରୁ ୧୫ ପ୍ରତିଶତ ଆମଦାନୀ ହିସାବ କରାଯାଏ । ଋଷ-ୟୁକ୍ରେନ ଯୁଦ୍ଧ ୨୦୨୨ ଫେବୃୟାରୀ ଶେଷ ସପ୍ତାହରୁ ଆରମ୍ଭ ହେବା ଏବଂ ପାଶ୍ଚାତ୍ୟ ଭୂଖଣ୍ଡର ‘ନାଟୋ’ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକ ଋଷ ଉପରେ ଅର୍ଥନୀତିକ ବାସନ୍ଦ ଲାଗୁ କରିବାପରେ ଋଷରୁ ଭାରତକୁ ମୁଦ୍ରଣ କାଗଜ ଆମଦାନୀ ବାଧାପ୍ରାପ୍ତ ହୋଇ ମାର୍ଚ୍ଚ ୨୦୨୨ ସୁଦ୍ଧା ସମ୍ୱାଦପତ୍ର ଶିଳ୍ପକୁ ପ୍ରଭାବିତ କରିଥିଲା ।
ବାସନ୍ଦ ବ୍ୟବସ୍ଥା କାର୍ଯ୍ୟକାରୀ ହେବାପରେ ଆନ୍ତର୍ଜାତିକ ଜାହଜ ଚଳାଚଳ କମ୍ପାନୀଗୁଡ଼ିକ ଋଷ ବନ୍ଦରରୁ ମାଲ ପରିବହନ ନିମନ୍ତେ ରାଜି ହେଲେ ନାହିଁ । ଫଳରେ ଋଷର ସେଣ୍ଟ ପିଟସବର୍ଗ ବନ୍ଦରରେ ମାଲ ପଡ଼ିରହିଲା । ଅପରପକ୍ଷେ କାନାଡ଼ାରେ ସରକାରୀ କୋଭିଡ଼ କଟକଣାକୁ କେନ୍ଦ୍ରକରି ଟ୍ରକ ଚାଳକମାନେ ୨୦୨୨ ଫେବୃୟାରୀରେ ଧର୍ମଘଟ କଲେ । ଫଳରେ ସ୍ଥାନୀୟ କଳକାରଖାନା କାରବାରରେ ବିଘ୍ନ ସୃଷ୍ଟି ହୋଇଥିଲା । ସ୍ୱାଭାବିକଭାବେ କାନାଡ଼ାରୁ ଭାରତକୁ ଆମଦାନୀ ଉପରେ ପ୍ରଭାବ ପଡ଼ିଲା । ସେହିପରି ଫିନଲ୍ୟାଣ୍ଡରୁ ଭାରତ ମୁଖ୍ୟତଃ ଗ୍ଳେଜଡ଼ ନିଉଜପ୍ରିଣ୍ଟ ଆମଦାନୀ କରେ । ସେଠାକାର ପ୍ରମୁଖ କାଗଜକଳର ଶ୍ରମିକମାନେ ଦୀର୍ଘ ଦିନ ଧରି ଧର୍ମଘଟ କରିବାରୁ କାଗଜ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା ।
ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ଋଷ-ୟୁକ୍ରେନ ଯୁଦ୍ଧ ହେତୁ ଶକ୍ତି ଓ ପ୍ରାକୃତିକ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ବିଶ୍ୱବ୍ୟାପୀ ଦର ବୃଦ୍ଧି ଘଟିଲା । କାଗଜ କଳରେ ପ୍ରାୟ ୩୦ ପ୍ରତିଶତ ଖର୍ଚ୍ଚ ଇନ୍ଧନରେ ଯାଏ । ଏହି କାରଣରୁ ବିଶ୍ୱ ବଜାରରେ କାଗଜ ଦର ବୃଦ୍ଧି ପାଇଲା । କୋଭିଡ଼ କାଳରେ କଳକାରଖାନା, ପରିବହନ ବନ୍ଦ, କର୍ମଚାରୀ ଅଭାବ ଇତ୍ୟାଦି କାରଣରୁ କାଗଜ ଦୁର୍ମୂଲ୍ୟ ହୋଇପଡ଼ିଥିଲା । ସେହି କ୍ଷତରେ ନୂତନ ପ୍ରତିବନ୍ଧକ ମଲମ ବୋଳିବା ସଦୃଶ୍ୟ ପ୍ରତୀୟମାନ ହେଲା ।
ଆନ୍ତର୍ଜାତିକସ୍ତରରେ କାଗଜ ଉତ୍ପାଦନ ମହାମାରୀ ଅବସ୍ଥାରେ ପ୍ରଭାବିତ ହୋଇଥିଲା । ଏକ ହିସାବ ଅନୁଯାୟୀ ବିଶ୍ୱ କାଗଜ ଉତ୍ପାଦନ ମହାମାରୀ-ପୂର୍ବାବସ୍ଥା ୨୦୧୭ରେ ୨ କୋଟି ୩୫ ଲକ୍ଷ ଟନ ଥିବା ସ୍ଥଳେ ୨୦୨୨ରେ ଏକ କୋଟି ୩୬ ଲକ୍ଷକୁ କମି ଆସିଥିଲା । ଉତ୍ପାଦନ ହ୍ରାସ ଦରବୃଦ୍ଧିର ଅନ୍ୟତମ କାରଣ । ଏଥି ସହ ବିଦେଶରୁ ଆମଦାନୀ ନିମନ୍ତେ ପରିବହନ ଖର୍ଚ୍ଚ ମଧ୍ୟ ଏହି ସମୟସୀମାରେ ପ୍ରାୟ ଦୁଇ ଗୁଣ ବଢ଼ିଯାଇଥିଲା । ଉଦାହରଣରେ ଏକ ଚାଳିଶି ବର୍ଗ ଫୁଟ କଣ୍ଟେନରରେ ଜଳପଥରେ ପରିବହନ ଲାଗି ୧୬୦୦ ରୁ ୧୮୦୦ ଡ଼ଲାର ଖର୍ଚ୍ଚ ହେଉଥିବା ସ୍ଥଳେ ତାହା ୩୬୦୦ ଡ଼ଲାରକୁ ବୃଦ୍ଧି ପାଇଥିଲା ।
ବିଶେଷଜ୍ଞଙ୍କ ହିସାବ ଅନୁଯାୟୀ ଆନ୍ତର୍ଜାତିକ ବଜାରରେ ଜାନୁୟାରୀ ୨୦୨୦ରେ ସମ୍ୱାଦପତ୍ର ମୁଦ୍ରଣ କାଗଜ ଟନ ପିଚ୍ଛା ୩୦୦ ଆମେରେକୀୟ ଡ଼ଲାର ଥିବା ସ୍ଥଳେ ମାର୍ଚ୍ଚ ୨୦୨୨ରେ ୯୫୦ରୁ ୧,୦୦୦ ଡ଼ଲାର ଛୁଇଁଥିଲା । କୁହାଯାଉଛି ଯେ ଭାରତୀୟ ସମ୍ୱାଦପତ୍ର ଶିଳ୍ପ ବିଗତ ଚାରି ଦଶକରେ ମୁଦ୍ରଣ କାଗଜ ସଂପର୍କୀତ ନେଇ ଏହି ଧରଣର ସଂକଟରେ କେବେ ପଡ଼ିନଥିଲା । ଶେଷଥର ୧୯୭୪ରେ ମୁଦ୍ରଣ କାଗଜ ଆମଦାନୀକୁ ନେଇ ସମସ୍ୟା ଉପୁଜିଥିଲା । ଭାରତରେ ଅଢ଼େଇ ଶହରୁ ଅଧିକ ବ୍ୟାବସାୟିକ ପ୍ରତିଷ୍ଠାନ ପ୍ରାୟ କୋଡ଼ିଏ ହଜାର ସିପମେଣ୍ଟରେ ବିଦେଶରୁ ସମ୍ୱାଦପତ୍ର ମୁଦ୍ରଣ କାଗଜ ଆମଦାନୀ କରିଥାନ୍ତି ।
ଆନ୍ତର୍ଜାତିକସ୍ତରରେ କାନାଡ଼ାରେ ସର୍ବାପେକ୍ଷା ଅଧିକ କାଗଜ ଉତ୍ପାଦନ ହୋଇଥାଏ । ଏହାପରକୁ କ୍ରମାନ୍ୱୟରେ ଜାପାନ, ଜର୍ମାନୀ, ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନ । ଭାରତରେ ୧୨୫ ଗୋଟି କାଗଜକଳ ରେଜିଷ୍ଟ୍ରୀଭୁକ୍ତ ହୋଇଥିବା ସ୍ଥଳେ ସେଥି ମଧ୍ୟରୁ ୪୬ ଗୋଟି ବନ୍ଦ ହୋଇଯାଇଥିବା ଜଣାଯାଏ । ସେହିପରି ୬୨ ଗୋଟି କାଗଜକଳ ସମ୍ୱାଦପତ୍ର ମୁଦ୍ରଣ କାଗଜ ଉତ୍ପାଦନ କରୁଥିବା ସ୍ଥଳେ ୩୬ ଗୋଟି ସକ୍ରିୟ ଏବଂ ୨୩ ଗୋଟି ବନ୍ଦ ଅବସ୍ଥାରେ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ରହିଥିଲା ।
ଭାରତୀୟ ସମ୍ୱାଦପତ୍ର ନିମନ୍ତେ ସ୍ଥାନୀୟ କାଗଜକଳଗୁଡ଼ିକ ୫୦ ପ୍ରତିଶତ ଯାଏଁ କାଗଜ ଯୋଗାଉଥିଲେ ହେଁ ଏହାର ଗୁଣବତ୍ତା ପସନ୍ଦଯୋଗ୍ୟ ହୋଇନଥାଏ । ସାଧାରଣରେ ଏହା ମୋଟା ଏବଂ ରୋଟାରି ମୁଦ୍ରଣଯନ୍ତ୍ରରେ ବାରମ୍ୱାର ଛିଡ଼ିଯାଇଥାଏ । ସମ୍ୱାଦପତ୍ର ଶିଳ୍ପରେ ସ୍ଥାନୀୟ ଉତ୍ପାଦନର କାଟତି ନଥିବା ହେତୁ କାଗଜକଳଗୁଡ଼ିକ ସମ୍ୱାଦପତ୍ର ମୁଦ୍ରଣ କାଗଜ ସହ ଅନ୍ୟାନ୍ୟ କାଗଜ ଉତ୍ପାଦନ ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ପରିଲକ୍ଷିତ । ଇ-କମର୍ସର କ୍ରମବିକାଶରେ ଜିନିଷପତ୍ର ବନ୍ଧେଇ ‘ପ୍ୟାକେଜିଂ’ ପାଇଁ ଆବଶ୍ୟକ କାଗଜର ଚାହିଦା ବଢ଼ିଥିବାରୁ ସେଦିଗରେ ମନୋନିବେଶ କରିଥିଲେ । ଆମଦାନୀ ବନ୍ଦ ସମୟରେ ଏହା ସମ୍ୱାଦପତ୍ରକୁ ଅଧିକ ମୁଦ୍ରଣ କାଗଜ ଯୋଗାଣର ଦ୍ୱାର ବନ୍ଦ କରିଦେଇଥିଲା ।
ଏହି ସବୁ ସମସ୍ୟା ସାଙ୍ଗକୁ କେନ୍ଦ୍ର ସରକାର ସମ୍ୱାଦପତ୍ର ମୁଦ୍ରଣ କାଗଜ ଆମଦାନୀ ଉପରେ ପାଞ୍ଚ ପ୍ରତିଶତ ଟିକସ ପୂର୍ବ ବଜେଟରେ ଲାଗୁ କରିଥିଲେ । ତେବେ ସଂକଟଜନକ ପରିସ୍ଥିତିରେ କାଗଜ ଦର ଦୁଇଗୁଣ ବଢ଼ି ଯାଇଥିବା ହେତୁ ଆନୁପାତିକ ଭାବେ ଟିକସ ପରିମାଣ ମଧ୍ୟ ବୃଦ୍ଧିପ୍ରାପ୍ତ ହୋଇଥିଲା । ସମ୍ୱାଦପତ୍ର ଶିଳ୍ପ ପକ୍ଷରୁ ଏହି ଟିକସ ପ୍ରତ୍ୟାହାର ନିମନ୍ତେ ଦାବୀ କରାଯାଇଥିଲେ ମଧ୍ୟ ସରକାରଙ୍କ ଆତ୍ମନିର୍ଭର ନୀତିରେ କାର୍ଯ୍ୟକାରୀ ହୋଇପାରୁ ନଥିବା ଅନୁମାନ କରାଯାଉଛି ।
ଭାରତୀୟ ସମ୍ୱାଦପତ୍ର ଶିଳ୍ପରେ ମୁଦ୍ରଣ କାଗଜ ଅଭାବ ଓ ଦରବୃଦ୍ଧିକୁ ମୁକାବିଲା ନିମନ୍ତେ ତତ୍ କ୍ଷଣାତ ମୋଟା କାଗଜ ବଦଳରେ ପତଳା କାଗଜ ବ୍ୟବହାର ଆରମ୍ଭ କରାଯାଇଥିଲା । କିନ୍ତୁ କେବଳ ଏହି ଉପାୟ ଅଲମ୍ୱନରେ ସମସ୍ୟା ସମାଧାନ ହେବା ସଂଭବ ନଥିବା ସ୍ଥଳେ ଅନ୍ୟ କେତେଗୋଟି ଦିଗ ପ୍ରତି ଧ୍ୟାନ ଦେବା ସମୟ ଉପନୀତ । ପ୍ରଥମତଃ, ୧୨ରୁ ୧୬ ପୃଷ୍ଠା ମୁଦ୍ରିତ ସମ୍ୱାଦପତ୍ରର ଖଣ୍ଡ ପିଛା ପ୍ରସ୍ତୁତି ଖର୍ଚ୍ଚ ୧୨ ରୁ ୧୫ ଟଙ୍କା ପଡୁଥିବା ସ୍ଥଳେ ବିତରକ କମିସନ ସହ ସାତ ଟଙ୍କାରେ ଗ୍ରାହକଙ୍କୁ ବିକ୍ରୀ ହୁଏତ ବ୍ୟାବସାୟିକସ୍ତରରେ ଦୀର୍ଘକାଳ ପାଇଁ ସଂଭବ ନୁହେ । ସୋସିଆଲ ମିଡ଼ିଆ ଓ ଇ-କମର୍ସର ପ୍ରସାର ପରେ ବିଜ୍ଞାପନ ବ୍ୟୟ ଡିଜିଟାଲ ମଞ୍ଚ ମୁହାଁ ହୋଇଚାଲିଥିବା ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକୁ ସମ୍ୱାଦ ଓ ବିଜ୍ଞାପନ ମଧ୍ୟରେ କ୍ରମବିକଶିତ ପ୍ରାୟୋଜିତ ସମ୍ୱାଦରୁ ଆୟ ଯୋଡ଼ିବାକୁ ପଡ଼ିବ ।
ଉଦାହରଣରେ ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକରେ ଅନ୍ୟୂନ ୩୦ ରୁ ୪୦ ପ୍ରତିଶତ ସମ୍ୱାଦ ପ୍ରୟୋଜିତ ପ୍ରତୀୟମାନ ହୋଇଥାଏ । ଏହି ପ୍ରକ୍ରିୟାକୁ ବିଧିବଦ୍ଧ ମାନ୍ୟତା ଦେଇ ସ୍ୱଚ୍ଛ ହିସାବରେ ସମ୍ୱାଦପତ୍ରର ଆୟ ସହିତ ଯୋଡ଼ିଲେ ଆର୍ଥିକ ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ସଂଭବ । ଆନ୍ତର୍ଜାତିକସ୍ତରରେ ବହୁ ରାଷ୍ଟ୍ରରେ, ମୁଖ୍ୟତଃ ବିକାଶଶୀଳ ଅର୍ଥନୀତିର ସମ୍ୱାଦମଞ୍ଚରେ ପ୍ରାୟୋଜିତ ସମ୍ୱାଦ ପ୍ରଚଳନ ରହିଛି । ସମ୍ୱାଦପତ୍ର ବ୍ୟାବସାୟିକ କାରଣରୁ ଅସ୍ତିତ୍ୱ ରକ୍ଷା ସମସ୍ୟାରେ ଉପନୀତ ହୋଇଥିବା ଅବସରରେ ପ୍ରାୟୋଜିତ ସମ୍ୱାଦ ବୈଧୀକରଣକୁ ଏକ ବଳିଷ୍ଠ ପଦକ୍ଷେପ ରୂପେ ଗ୍ରହଣ କରାଯାଇପାରେ । ସମ୍ୱାଦ ସହ ବିଜ୍ଞାପନ ଯଦି ଦୁଇଶହ ବର୍ଷ ଧରି ସମ୍ୱାଦପତ୍ର ପୃଷ୍ଠାରେ ଯୋଡ଼ି ହୋଇପାରିଲା, ତେବେ ବର୍ଗୀକୃତ ପ୍ରାୟୋଜିତ ସମ୍ୱାଦ ପ୍ରକାଶନ ସମ୍ୱାଦପତ୍ର ଶିଳ୍ପ, ସାମ୍ୱାଦିକଙ୍କ ସ୍ୱାର୍ଥରକ୍ଷା ଓ ଗୁଣାତ୍ମକ ସମ୍ୱାଦ ପ୍ରସାରରେ ସହାୟକ ହେବା ବିଚାର କରାଯାଇପାରେ । ଏଣିକି ସମ୍ୱାଦ, ସମ୍ୱାଦ-ପ୍ଳସ ଓ ବିଜ୍ଞାପନ ତିନିଗୋଟି ଭାଗରେ ଦୈନିକ ସମ୍ୱାଦପତ୍ର ଆଙ୍ଗିକ ବିନ୍ୟାସ ଆବଶ୍ୟକ ।
‘ଇଣ୍ଡିଆନ ନିଉସପେପରର୍ସ ସୋସାଇଟି’ର ସଭାପତି ମୋହିତ ଜୈନଙ୍କ ହିନ୍ଦି ଦୈନିକ ‘ପ୍ରଭାତ ଖବର’ ୨୯ ମାର୍ଚ୍ଚ ୨୦୨୨ ସଂସ୍କରଣରେ ପ୍ରକାଶିତ ହିସାବରେ ମହାମାରୀ-ପୂର୍ବାବସ୍ଥାରେ ଭାରତରେ ଚବିଶି ଲକ୍ଷ ଟନ ବୈଦେଶିକ ସମ୍ୱାଦପତ୍ର ମୁଦ୍ରଣ କାଗଜ ଆମଦାନୀ ହେଉଥିବା ସ୍ଥଳେ ମାହାମାରୀ-ପର ଅବସ୍ଥାରେ ଚଉଦ ଲକ୍ଷ ଟନକୁ ଖସି ଆସିଥିଲା । ପରିବହନ ଓ ମୂଲ୍ୟବୃଦ୍ଧି କ୍ଷେତ୍ରରେ ଦେଖାଦେଇଥିବା ସଂକଟଜନକ ପରିସ୍ଥିତି ବର୍ଷକ ଯାଏଁ ବଳବତ୍ତର ରହିବା ସେ ଆଶା କରିଥିଲେ । ଏହି ପରିବେଶର ସଫଳ ମୁକାବିଲା ନିମନ୍ତେ କମ ଓଜନର ନିକୃଷ୍ଟମାନର କାଗଜ ବ୍ୟବହାର, ପୃଷ୍ଠା ସଂଖ୍ୟା ହ୍ରାସ କିମ୍ୱା ଗ୍ରାହକଚାନ୍ଦା ବୃଦ୍ଧି ବଦଳରେ ସଂପାଦକୀୟ ନୀତି ପରିବର୍ତ୍ତନ ଉପାଦେୟ ମନେହୁଏ ।
ମୁଦ୍ରିତ ସମ୍ୱାଦପତ୍ରରେ ଅନାବଶ୍ୟକ ସମ୍ୱାଦ ପ୍ରକାଶନକୁ ନିରୁତ୍ସାହିତ କରାଯାଇ ଗୁଣବତ୍ତା ବିକାଶ ସମୟର ଆହ୍ୱାନ । ନୀତିଗତଭାବେ ପ୍ରେସ ବିଜ୍ଞପ୍ତିଗୁଡ଼ିକୁ ପ୍ରାୟୋଜିତ ସମ୍ୱାଦ ବର୍ଗୀକୃତକରି ବିଜ୍ଞାପନ ଶୁଳ୍କ ଆଦାୟ କଲେ ସମ୍ୱାଦପତ୍ର ଅର୍ଥନୀତିରେ କେତେକାଂଶରେ ସୁଧାର ସମ୍ଭବ । ଏକ ପକ୍ଷରେ ପ୍ରଚାରଧର୍ମୀ ସମ୍ୱାଦ ମୁଦ୍ରଣ ଓ ବିତରଣ ଖର୍ଚ୍ଚ ପାଠକଙ୍କୁ ବହନ କରିବା ନିମନ୍ତେ ବାଧ୍ୟ ନ କରାଯାଇ ଅପରପକ୍ଷରେ ମୁଦ୍ରିତ ସମ୍ୱାଦପତ୍ରରେ ମୂଲ୍ୟ ବିନିମୟରେ ସର୍ବସାଧାରଣଙ୍କୁ ନିଜ ପକ୍ଷ ଆଧାରିତ ସମ୍ୱାଦ ପ୍ରକାଶନର ସୁଯୋଗ ପ୍ରଦାନ ଉନ୍ନତ ଗଣତାନ୍ତ୍ରିକ ମୂଲ୍ୟବୋଧରେ ପର୍ଯ୍ୟବସିତ ହେବ ।
