ଟେବଲଏଡ଼ ସାମ୍ୱାଦିକତା ସାଧାରଣତଃ ଚ଼ାଞ୍ଚଲ୍ୟକର ସମ୍ୱାଦ ପରିବେଷଣକୁ ବୁଝାଇଥାଏ । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ପାରମ୍ପରିକଭାବେ କ୍ରାଇମ, ସେଲିବ୍ରିଟି ଆଧାରିତ ଗସିପ ସ୍ତମ୍ଭ,ଖାଦ୍ୟଓଜ୍ୟୋତିଷକୁ ନେଇ ଟେବଲଏଡ଼ ସାମ୍ୱାଦିକତା ଗଢ଼ି ଉଠିଥିଲା । ବ୍ରିଟେନରେ ‘ଡ଼େଲି ଏକ୍ସପ୍ରେସ’, ‘ଡ଼େଲି ରେକର୍ଡ଼’, ‘ଡ଼େଲି ମେଲ’, ‘ଡ଼େଲି ମିରର’, ‘ଡ଼େଲି ଷ୍ଟାର’, ‘ଦି ସନ’ ଓ ‘ସନଡ଼େ ମେଲ’ ଭଳି ଟେବଲଏଡ଼ ସାମ୍ୱାଦିକତାରେ ସମୃଦ୍ଧ ସମ୍ୱାଦପତ୍ରଗୁଡ଼ିକ ବେଶ ଲୋକପ୍ରିୟ । କିଛି ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିବା ‘ନିଉଜ ଅଫ ଦି ୱାର୍ଲଡ଼’ ମଧ୍ୟ ଟେବଲଏଡ଼ ସାମ୍ୱାଦିକତାର ପୃଷ୍ଠପୋଷକ ରହିଆସିଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାକୁ ୟଲୋ ଜର୍ଣ୍ଣାଲିଜମ ନାମିତ କରାଯାଇଥାଏ ।
ମୂଳତଃ ଟେବଲଏଡ଼ ନାମକରଣରେ ସମ୍ୱାଦପତ୍ର ପୃଷ୍ଠାର ଆକାର ବିଚ଼ାରକୁ ନିଆଯାଏ। ପାରମ୍ପରିକ ସମ୍ୱାଦପତ୍ର ପୃଷ୍ଠାକୁ ବ୍ରଡ଼ସିଟ କୁହାଯାଉଥିବାବେଳେ ତାହାର ଅର୍ଦ୍ଧେକ ଆକାରକୁ ଟେବଲଏଡ଼ କୁହାଯାଏ । ବର୍ତ୍ତମାନ ଆମ ଦେଶରେ ସମ୍ୱାଦପତ୍ର ପୃଷ୍ଠାଗୁଡ଼ିକ ବେରଲାଇନର ଆକାର ପର୍ଯ୍ୟାୟଭୁକ୍ତ । ୟୁରୋପ ଓ ଆମେରିକାରେ ପ୍ରବର୍ତ୍ତିତ ବେରଲାଇନର କଳେବରକୁ ଦୁଇ ଦଶକ ପୂର୍ବେ ଆମେ ଗ୍ରହଣ କରିନେଇଥିଲୁ ।ବର୍ତ୍ତମାନ ବେରଲାଇନର ଅର୍ଦ୍ଧେକ ଟେବଲଏଡ଼ର ମାନ୍ୟତା ପାଇଥାଏ ।
ଚ଼ାଞ୍ଚଲ୍ୟକର ସମ୍ୱାଦ ଆଧାରିତ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକ ଟେବଲଏଡ଼ କଳେବରରେ ପ୍ରକାଶିତ ହେଉଥିବା ହେତୁ ସେଗୁଡ଼ିକୁ ଟେବଲଏଡ଼ ସାମ୍ୱାଦିକତା ନାମିତ କରାଯାଇଥିଲା । ବ୍ରଡ଼ସିଟ୍ ସାମ୍ୱାଦିକତା ସମ୍ଭ୍ରାନ୍ତ ଶ୍ରେଣୀଭୁକ୍ତ ହେଉଥିବା ସ୍ଥଳେ ଟେବଲଏଡ଼ ସାମ୍ୱାଦିକତା ନିମ୍ନବର୍ଗର ପାଠକୀୟ ରୁଚ଼ି ସମ୍ପନ୍ନ ବିବେଚ଼ିତ ହେଉଥିଲା । ବ୍ରିଟେନଭଳି କେତେକ ରାଷ୍ଟ୍ରରେ ଟେବଲଏଡ଼ ସାମ୍ୱାଦିକତା ସାପ୍ତାହିକ ସଂବାଦପତ୍ରରୁ ଦୈନିକ ସମ୍ୱାଦପତ୍ରକୁ ସଂପ୍ରସାରିତ ହୋଇଥିଲା ।
କାଳକ୍ରମେ ପାଶ୍ଚାତ୍ୟ ଭୂଖଣ୍ଡରେ ମୁଦ୍ରଣ ସମ୍ୱାଦଶିଳ୍ପ ବିଜ୍ଞାପନ ରାଜସ୍ୱ ଓ ପାଠକ ହ୍ରାସ ଜନିତ ବ୍ୟବସାୟିକ ସଂକଟରେ ସମ୍ମୁଖୀନ ହେବାପରେ ସମ୍ୱାଦପତ୍ର ପ୍ରଯୋଜନାଜନିତ ଖର୍ଚ୍ଚକାଟ ଉଦ୍ଦେଶ୍ୟରେ ବ୍ରଡ଼ସିଟରୁ ଟେବଲଏଡ଼ କଳେବରକୁ ପ୍ରବର୍ତ୍ତନ ଧାରା ଆରମ୍ଭ ହୋଇଥିଲା। ବ୍ରିଟେନର ମୁଖ୍ୟ ଦୈନିକ ସମ୍ୱାଦପତ୍ର ‘ଦି ଟାଇମସ୍’ କିଛି କାଳ ପୂର୍ବେ ଟେବଲଏଡ଼ରେ ପରିଣତ ହୋଇ ସାରିଥିବା ସ୍ଥଳେ ବର୍ତ୍ତମାନ ଅନ୍ୟତମ ଖ୍ୟାତନାମା ‘ଦି ଗାର୍ଡ଼ିଅନ’ ଟେବଲଏଡ଼ ରୂପେ ପ୍ରକାଶିତ ହୋଇଛି ।
ଦୈନିକ ‘ଦି ଗାର୍ଡ଼ିଅନ’ ସମ୍ୱାଦପତ୍ର ୧୫ ଜାନୁୟାରୀ ୨୦୧୮ରୁ ଟେବଲଏଡ଼ ଆକାରରେ ମୁଦ୍ରଣ ଆରମ୍ଭ କରିଥିବା ସ୍ଥଳେ ଏହାର ସହଯୋଗୀ ରବିବାସରୀୟ ସାପ୍ତାହିକୀ ‘ଦି ଅବଜରଭର’ ପଦାଙ୍କ ଅନୁସରଣ କରିଛି । ଏଥି ସହ ଉଭୟ ସମ୍ୱାଦପତ୍ରର ଡ଼ିଜିଟାଲ ସଂସ୍କରଣର ମଧ୍ୟ ନବୀକରଣ କରାଯାଇଛି । କଳେବରର ପରିବର୍ତ୍ତନ ସଂପର୍କରେ ସାତ ମାସ ପୂର୍ବେ ମେ ୨୦୧୭ରେ ‘ଦି ଗାର୍ଡ଼ିଅନ’ ନିଉଜ ମିଡ଼ିଆ ପକ୍ଷରୁ ଘୋଷଣା କରାଯାଇଥିଲା । ମୁଖ୍ୟତଃ ସମ୍ୱାଦପତ୍ର ପ୍ରଯୋଜନାଜନିତ ଖର୍ଚ୍ଚକାଟ କରି ବ୍ୟବସାୟିକ କ୍ଷତି ଭରଣାଲାଗି ଏହି ପଦକ୍ଷେପ ନିଆଯାଇଥିବା ପ୍ରକାଶକଙ୍କ ପକ୍ଷରୁ କୈଫୟତ ଦିଆଯାଇଛି ।
କେବଳ ବ୍ରିଟେନ କାହିଁକି ସାରା ବିଶ୍ୱରେ ସମକାଳରେ ‘ଦି ଗାର୍ଡ଼ିଅନ’ ଆଗଧାଡ଼ିର ସମ୍ୱାଦପତ୍ର ।୧୮୨୧ରେ ମାଞ୍ଚେଷ୍ଟରରେ ପ୍ରକାଶନ ଆରମ୍ଭ କରିଥିବା ବାମପନ୍ଥୀ ମତଧାରାର ବାହକ ଏହି ସମ୍ୱାଦପତ୍ର ବିଂଶ ଶତାଦ୍ଦୀର ଷଷ୍ଠ ଦଶକରେ ଲଣ୍ଡନକୁ ସ୍ଥାନାନ୍ତରିତ ହୋଇଥିଲା । ୨୦୧୧ରେ ‘ଦି ଗାର୍ଡ଼ିଅନ’ ଏହାର ସାଂବାଦିକତା ଆନ୍ତର୍ଜାତିକସ୍ତରକୁ ସଂପ୍ରସାରିତ କରିଥିଲା । ବିଶେଷକରି ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆରେ ସାଂବାଦିକମାନଙ୍କୁ ନିଯୁକ୍ତି କରି ବିଶ୍ୱସ୍ତରୀୟ ସଂବାଦ ପରିବେଷଣକୁ ଗୁରୁତ୍ୱ ଦେଇଥିଲା । ଉଚ୍ଚମାନର ସାମ୍ୱାଦିକତା ପାଇଁ ପୁଲିଜର ଓ ଏମି ପୁରସ୍କାର ପ୍ରାପ୍ତ ‘ଦି ଗାର୍ଡ଼ିଅନ’ ୱିକି-ଲିକସ, ପାନାମା ଓ ପାରାଡ଼ାଇଜ ପେପରର୍ସ ଇତ୍ୟାଦି ପ୍ରକାଶନରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି ।
‘ଦି ଗାର୍ଡ଼ିଅନ’ ଟେବଲଏଡ଼ ଆକାରରେ ପ୍ରକାଶ ପାଇବା ଆଗରୁ ‘ଦି ଟାଇମସ’ ଭଳି ସମ୍ମାନଜନକ ସଂବାଦପତ୍ର ଟେବଲଏଡ଼ କଳେବର ଧାରଣ କରିଥିବା ଅବସରରେ ଏଗୁଡ଼ିକୁ ଚ଼ାଞ୍ଚଲ୍ୟକାରୀ ଟେବଲଏଡ଼ ସାମ୍ୱାଦିକତାର ପର୍ଯ୍ୟାୟଭୁକ୍ତ କରାଯାଇ ପାରୁ ନାହିଁ । କେତେକ ୟୁରୋପୀୟ ସଂବାଦପତ୍ର ସାଙ୍ଗକୁ ଆଷ୍ଟ୍ରେଲିଆ ଓ କାନାଡ଼ାର ବିଶିଷ୍ଟ ସମ୍ୱାଦପତ୍ରଗୁଡ଼ିକ ଟେବଲଏଡ଼ ଆକାରରେ ଦୀର୍ଘ ଦିନରୁ ପ୍ରକାଶିତ ହୋଇଚାଲିଛି। ତେଣୁ କେବଳ କଳେବରକୁ ବିଚ଼ାରକୁ ନେଇ ସମ୍ୱାଦପତ୍ରଗୁଡ଼ିକୁ ବର୍ଗୀକରଣ ସଂଭବପର ନୁହେଁ।
ଟେବଲଏଡ଼ ଆକାରରେ ପ୍ରବର୍ତ୍ତିତ ହେବାବେଳକୁ ‘ଦି ଗାର୍ଡ଼ିଅନ’ର ପ୍ରସାର ସଂଖ୍ୟା ଏକ ଲକ୍ଷ ୪୬ ହଜାର ଗଣତି କରାଯାଇଥିଲା । ସମ୍ୱାଦପତ୍ରର ଆକାର ପରିବର୍ତ୍ତନ ଫଳରେ ୨୦୧୯ ଏପ୍ରିଲ ସୁଦ୍ଧା ଏହାର ବ୍ୟବସାୟିକ କ୍ଷତିର ପରିମାଣ ସୁଧୁରିଯିବ ବୋଲି ଆଶା କରାଯାଉଛି ।‘ଦି ଗାର୍ଡ଼ିଅନ’ ପକ୍ଷରୁ କୁହାଯାଇଛି ଯେ ସମ୍ୱାଦପତ୍ରର ଆକାର ପରିବର୍ତ୍ତନ ହେଲେ ହେଁ ଏହାର ସମ୍ବାଦ ପରିବେଷଣ ଶୈଳୀରେ ଆଞ୍ଚ ଆସିବ ନାହିଁ ।
ନବକଳେବରରେ ‘ଦି ଗାର୍ଡ଼ିଅନ’ ସମ୍ୱାଦପତ୍ର ତିନିଗୋଟି ବିଭାଗରେ ପର୍ଯ୍ୟବେସିତ ହୋଇଛି । ମୂଳ ସଂବାଦପତ୍ରରେ ସମ୍ୱାଦ, ରାଜନୀତି, ଆନ୍ତର୍ଜାତିକ ଘଟଣାକ୍ରମ, ଅର୍ଥନୀତି ସହ ଶେଷ ପୃଷ୍ଠାରେ କ୍ରୀଡ଼ା ସମ୍ୱନ୍ଧୀୟ ସଂବାଦ ପରିବେଷିତ ହେଉଛି । ଦ୍ୱିତୀୟ ବିଭାଗରେ ସମ୍ପାଦକୀୟ, ଅଭିମତ, ସ୍ତମ୍ଭ, ସଂପାଦକଙ୍କୁ ପତ୍ର, ମୃତ୍ୟୁଲେଖ ଓ କ୍ରସୱାର୍ଡ଼ ସାଙ୍ଗକୁ ୟୁରୋପୀୟ ଦେଶପୁଞ୍ଜର ସମ୍ୱାଦ ‘ଜର୍ଣ୍ଣାଲ’ରେ ପ୍ରକାଶିତ ହେଉଛି ।‘ଜି୨’ନାମିତ ତୃତୀୟ ବିଭାଗରେ ଫିଚ଼ର, କଳା ଓ ସଂସ୍କୃତି ସଂପର୍କୀତ ରଚ଼ନାମାନ ସନ୍ନିବେଶିତ ହେଉଛି ।ଶନିବାର ଦିନ ସ୍ୱତନ୍ତ୍ର କ୍ରୀଡ଼ା କ୍ରୋଡ଼ପତ୍ର, ‘ରିଭ୍ୟୁ’ ନାମିତ ପୁସ୍ତକ ସମୀକ୍ଷା ସହ ଉତ୍ସବାନୁଷ୍ଠାନ ସୂଚ଼ୀ ‘ଗାଇଡ଼’, ଖାଦ୍ୟ ସଂପର୍କୀତ ‘ଫିଷ୍ଟ’ ଓ ପର୍ଯ୍ୟଟନ ରଚ଼ନା ସମୃଦ୍ଧ ‘ଟ୍ରାଭେଲ’ କ୍ରୋଡ଼ପତ୍ରମାନ ପ୍ରକାଶିତ ହେଉଛି ।
‘ଦି ଗାର୍ଡ଼ିଅନ’ର ରବିବାସରୀୟ ସଂସ୍କରଣ ‘ଦି ଅବଜରଭର’ ନାମରେ ପ୍ରକାଶିତ ହୋଇଥାଏ । ଏହି ସାପ୍ତାହିକୀରେ ସ୍ତମ୍ଭ, ବ୍ୟକ୍ତିକେନ୍ଦ୍ରୀକ ରଚ଼ନା, ଫେସନ, ପର୍ଯ୍ୟଟନ ଓ ଫୋଟୋଗ୍ରାଫିକୁ ପ୍ରାଧାନ୍ୟ ଦିଆଯାଇଥାଏ । ନୂତନ କଳେବରରେ ଏସବୁ ବିଭବ ଅକ୍ଷତ ରହିଛି । ଏହାର କ୍ରୋଡ଼ପତ୍ର ‘ଦି ନ୍ୟୂ ରିଭ୍ୟୁ’ରେ ରାଜନୀତି, ପୁସ୍ତକ, କଳା ଓ ସଂସ୍କୃତି ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମୀକ୍ଷା ପ୍ରକାଶିତ ହୋଇଥାଏ ।
ଆନ୍ତର୍ଜାତିକସ୍ତରରେ ମୂଳସ୍ରୋତର ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ପ୍ରଯୋଜନାଜନିତ ଖର୍ଚ୍ଚକାଟ ନିମନ୍ତେ ବ୍ରଡ଼ସିଟରୁ ଟେବଲଏଡ଼କୁ କଳେବର ପରିବର୍ତ୍ତନ କରିଚ଼ାଲିଥିବା ଅବସରରେ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକ ଏହି ଘଟଣାକ୍ରମକୁ ଗଭୀର ନିରକ୍ଷଣ କରିବା ଆବଶ୍ୟକ ମନେହୁଏ ।
ପ୍ରଥମତଃ ସଂଖ୍ୟାଧିକ ଓଡ଼ିଆ ସମ୍ୱାଦପତ୍ର କ୍ଷତିରେ ଚ଼ାଲୁଥିବା ହେତୁ ସେମାନଙ୍କ କ୍ଷେତ୍ରରେ ଏଭଳି ଆକାର ପରିବର୍ତ୍ତନକୁ ଗ୍ରହଣ କରିବା କେତେଦୂର ଲାଭଜନକ ହେବ ହିସାବ କରାଯାଇପାରେ । ତେବେ ଅନେକ ସମ୍ୱାଦପତ୍ର ସୀମିତ ପ୍ରସାରଣରେ ଆବଦ୍ଧଥିବା ହେତୁ ଆକାର ପରିବର୍ତ୍ତନରେ ବିଶେଷ ଫରକ ପଡ଼ି ନପାରେ ବୋଲି କୁହାଯାଇପାରେ । କିନ୍ତୁ ପ୍ରସାର ସଂଖ୍ୟା ବୃଦ୍ଧିବିନା ସେମାନଙ୍କ ସମ୍ୱାଦପତ୍ର ପ୍ରକାଶନର ଆଭିମୁଖ୍ୟ କେତେଦୂର ଚ଼ରିତାର୍ଥ ହୋଇପାରିବ ସେ ସଂପର୍କରେ ପୁର୍ନବିଚ଼ାର କରିପାରନ୍ତି । ବହୁଳ ପ୍ରସାର ବିନା ସାଂବାଦିକତାର ବିକାଶ ସମ୍ଭବପର ନୁହେଁ ।
ଦ୍ୱିତୀୟତଃ ଟେଲିଭିଜନ ଓ ଇଣ୍ଟରନେଟ ସମ୍ୱାଦର ମୁକାବିଲା କରିବା ନିମନ୍ତେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକୁ ନିଜ ନିଜ ସଂବାଦ ପରିବେଷଣ ଧାରାକୁ ସମୃଦ୍ଧ କରିବା ବେଳ ଆସି ପହଞ୍ଚିଲାଣି । ପାଠକମାନେ ସୋସିଆଲ ମିଡ଼ିଆ, ମୋବାଇଲ ଟେଲିଭିଜନରେ ତତ୍କ୍ଷଣାତ ସଂବାଦ ପାଇସାରିବା ପରେ ସଂବାଦପତ୍ର ପୃଷ୍ଠାରେ ଅଧିକ କିଛି ଚ଼ାହିଁବା ସ୍ୱାଭାବିକ ।ଗଭୀର ଅନୁଧ୍ୟାନ, ଅନୁଶୀଳନ, ବର୍ଣ୍ଣନାତ୍ମକ ଓ ଅନୁସନ୍ଧାନମୂଳକ ସମ୍ୱାଦ ପରିବେଷଣର ଗୁରୁତ୍ୱ ବଢ଼ିବ । ଛୋଟ ସମ୍ୱାଦ ବଦଳରେ ଦୀର୍ଘ ରଚ଼ନା ଅଗ୍ରାଧୀକାର ଦାବୀ କରିବ।ଏହିସବୁ ସମ୍ଭାବ୍ୟ ପରିବର୍ତ୍ତନ ବିଚ଼ାରକୁ ନେଲେ ବ୍ରଡ଼ସିଟ ବଦଳରେ ଟେବଲଏଡ଼ ଅଙ୍ଗସଜ୍ଜା ଦୃଷ୍ଟିରୁ ଆକର୍ଷଣୀୟ ହେବା ମନେହୁଏ ।
ତୃତୀୟତଃ ସଂଖ୍ୟାଧିକ ସମ୍ୱାଦପତ୍ର ଭାଗରେ ବ୍ୟବସାୟିକ ମୁଦ୍ରିତ ବିଜ୍ଞାପନ ରାଜସ୍ୱ ନଗଣ୍ୟ ପ୍ରମାଣିତ ହେଉଥିବାସ୍ଥଳେ ଟେବଲଏଡ଼ ଆକାର ଓ ରଙ୍ଗୀନ ପୃଷ୍ଠା ସାଙ୍ଗକୁ ପ୍ରସାର ସଂଖ୍ୟା ବୃଦ୍ଧି ବିଜ୍ଞାପନଦାତାଙ୍କୁ ଆକର୍ଷିତ କରିବାଲାଗି ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବା ଆଶା କରାଯାଇପାରେ ।
ଚ଼ତୁର୍ଥତଃ ପାରମ୍ପରିକଭାବେ ସମ୍ୱାଦପତ୍ର ଗ୍ରାହକମାନେ ଦୀର୍ଘକାଳରୁ ପ୍ରକାଶିତ ତଥା ପ୍ରତିଷ୍ଠିତ ଦୈନିକ ସମ୍ୱାଦପତ୍ରଗୁଡ଼ିକୁ ଘରେ ପାଇ ଆସୁଥିବାସ୍ଥଳେ ନୂତନ ସମ୍ୱାଦପତ୍ର ବିକଳ୍ପ ବଜାର, ଯଥା: ରାସ୍ତାଘାଟରେ ହକର, ଗଢ଼ି ଉଠୁଥିବା ମଲ ଓ ନିଉଜଷ୍ଟାଣ୍ଡ ଯୋଗେ ନିଜ ପ୍ରସାର ବୃଦ୍ଧି ପାଇଁ ଉଦ୍ୟମ କରିବା ଅନ୍ୟତ୍ର ଦେଖିବାକୁ ମିଳିଥାଏ । ସେଭଳି ବିଜନେସ୍ ପ୍ଳାନ ଓଡ଼ିଶାରେ ଉପଯୋଗ ଅସଂଭବ ନୁହେଁ ।
ପଞ୍ଚମତଃ ‘ଦି ଗାର୍ଡ଼ିଅନ’ ସମ୍ୱାଦପତ୍ର ବ୍ୟବସାୟିକ ଆର୍ଥିକ ବିଶୃଙ୍ଖଳାର ସମ୍ମୁଖୀନ ହେବାପରେ ୨୦୧୭ରେ ଏକ ତିନିବର୍ଷିଆ ଆର୍ଥିକ ସୁଧାର କାର୍ଯ୍ୟକ୍ରମ ହାତକୁ ନେଇଥିଲା । ସାମ୍ୱାଦିକତାର ବିକାଶ ନିମନ୍ତେ ‘ଗାର୍ଡ଼ିଅନ.ଓଆରଜି’ ଭଳି ଅଣବ୍ୟବସାୟିକ ଅଙ୍ଗ ସୃଷ୍ଟି କରିବାଠାରୁ ଆରମ୍ଭ କରି ଆଗ୍ରହୀ ପାଠକମାନଙ୍କଠାରୁ ଦାନ ସଂଗ୍ରହ ସହିତ ସମ୍ୱାଦପତ୍ରର ଆଙ୍ଗୀକ ପରିବର୍ତ୍ତନ ଭଳି ପଦକ୍ଷେପମାନ ଗ୍ରହଣକରିଛି । ଅସଂଜତ ଅବସ୍ଥାରେ ପଡ଼ିରହିଥିବା ଓଡ଼ିଆ ସମ୍ୱାଦପତ୍ରମାନେ ଏଭଳି ସମୟସୀମାଭିତ୍ତିକ ସ୍ୱକୀୟ କାର୍ଯ୍ୟକ୍ରମ ପ୍ରଯୋଜନା କରିପାରିଲେ ଅବଶ୍ୟ ସୁଫଳ ପାଇପାରିବେ ।
ଅବଶ୍ୟ କେବଳ ଆକାର ପରିବର୍ତ୍ତନରେ ସାମ୍ୱାଦିକତା ବିକାଶ ଆଶା କରାଯାଇ ନପାରେ ।ତେବେ ଏଭଳି ଏକ ପରିବର୍ତ୍ତର ଚ଼ିନ୍ତା ଅନ୍ୟାନ୍ୟ ପରିବର୍ତ୍ତନଲାଗି ସୁଯୋଗ ସୃଷ୍ଟି କରିପାରିବ କି ତାହା ବିଚ଼ାର୍ଯ୍ୟ । ରାଜ୍ୟରେ ସାମ୍ୱାଦିକତାର ବିକାଶଲାଗି ପରିବର୍ତ୍ତନ ଯେ ଅପରିହାର୍ଯ୍ୟ ଏଥିରେ ଦ୍ୱିମତ ନାହିଁ ।
