ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭରେ ଗଣମାଧ୍ୟମର ନବୀନତମ ସୋପାନ ସାମାଜିକ ଗଣମାଧ୍ୟମର ପ୍ରସାର ଏବଂ ସେଥିରେ ଦୈନନ୍ଦିନଭିତ୍ତିରେ ଉପଭୋକ୍ତାଙ୍କ ସଂପୃକ୍ତି ବୃଦ୍ଧି ପାଇଚାଲିଥିବା ସ୍ଥଳେ ସମ୍ୱାଦ ମଞ୍ଚ ବିମୁଖ ‘ନିଉଜ ଆଭଏଡ଼ାନ୍ସ’ ଚ଼ିନ୍ତାର କାରଣ ପାଲଟିଛି । ବିଶେଷଜ୍ଞମାନେ ଗବେଷଣାଲବ୍ଧ ତଥ୍ୟ ଉଦ୍ଧାର କରି କହୁଛନ୍ତି ଜନସାଧାରଣ ଅପେକ୍ଷାକୃତ ଅଧିକ ସମୟ ବିଭିନ୍ନ ଗଣମାଧ୍ୟମ ମଞ୍ଚରେ ଉପସ୍ଥିତ ରହୁଥିଲେ ହେଁ କ୍ରମଶଃ ସମ୍ୱାଦ ମଞ୍ଚ ନିମନ୍ତେ ସମୟ କାଟଛାଟ କରିବା ଧାରା ପ୍ରବର୍ତ୍ତିତ ହେବାରେ ଲାଗିଛି । ବିକଶିତ ରାଷ୍ଟ୍ରଗୁଡ଼ିକରେ ସମ୍ୱାଦମଞ୍ଚର ଡିଜିଟାଲ ରୂପାନ୍ତରୀକରଣ ହୋଇସାରିଥିବା ତଥା କରୋନାଭୂତାଣୁ ସଂକ୍ରମଣଜନିତ ମହାମାରୀ କାଳରେ ସମ୍ୱାଦମଞ୍ଚର ଗୁରୁତ୍ୱ ବୃଦ୍ଧି ପାଇଥିବା ସ୍ଥଳେ ମହାମାରୀ-ପର ପରିବେଶରେ ଉପଭୋକ୍ତାଙ୍କ କ୍ଷେତ୍ରରେ ସମ୍ୱାଦ ବିମୁଖ ମନୋଭାବ ସମ୍ୱାଦ ଶିଳ୍ପର ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି ।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ‘ରଏଟର ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ପକ୍ଷରୁ ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୨’ ଜୁନ ମଧ୍ୟଭାଗରେ ପ୍ରକାଶିତ ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ୨୦୧୨ରୁ ପ୍ରତିବର୍ଷ ଏହି ରିପୋର୍ଟ ପ୍ରକାଶନ ଜାରି ରହିଛି । ରିପୋର୍ଟ ପ୍ରସ୍ତୁତି ନିମନ୍ତେ ୨୦୨୨ ଜାନୁୟାରୀ ଓ ଫେବୃୟାରୀ ଦୁଇମାସ ଧରି ଏକ ବଡ଼ ଧରଣର ସର୍ବେକ୍ଷଣ ‘ସର୍ଭେ’ ଆୟୋଜନ କରାଯାଇଥିଲା । ଏଥିରେ ୪୬ ଗୋଟି ରାଷ୍ଟ୍ରର ୯୩ ହଜାର ବ୍ୟକ୍ତି ଅନଲାଇନ ସର୍ଭେରେ ଅଂଶଗ୍ରହଣ କରିଥିଲେ । ଏତଦ୍ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ବ୍ରାଜିଲକୁ ସ୍ୱତନ୍ତ୍ର ଅଧ୍ୟୟନବର୍ଗ ‘ଫୋକସ ଗୃପ’ ଭାବେ ଗ୍ରହଣ କରାଯାଇଥିଲା । ଭାରତରେ ଏହି ରିପୋର୍ଟ ପ୍ରସ୍ତୁତିରେ ୨୦୨୧ରୁ ସାମିଲ ହୋଇଛି ।
‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୨’ରେ କ୍ରମବିକଶିତ ଚାରିଗୋଟି ଗଣମାଧ୍ୟମ ସମସ୍ୟାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏଥିରେ ସମ୍ୱାଦ ପ୍ରତି ଆଗ୍ରହ ହ୍ରାସ, ସମ୍ୱାଦ ମଞ୍ଚରେ ଉପସ୍ଥିତିକୁ ଏଡ଼ାଇଯିବା, ଦର୍ଶକ ବିଭାଜନ ବା ଧ୍ରୁବଣ ‘ପୋଲାରାଇଜେସନ’ ଏବଂ ଯୁବ ଉପଭୋକ୍ତାଙ୍କ ସମ୍ୱାଦ ଆହରଣରେ ବିଘଟନ ଅନ୍ତର୍ଭୁକ୍ତ । ସାମଗ୍ରିକଭାବେ ରଏଟର ଇନଷ୍ଟିଟିଉଟ ପକ୍ଷରୁ ରିପୋର୍ଟରେ ଏହାକୁ ସମ୍ୱାଦ ବିମୁଖ ପରିବେଶ ‘ସିଲେକ୍ଟିଭ ନିଉଜ ଆଭଏଡ଼ାନ୍ସ’ ନାମିତ କରାଯାଇଛି । ରିପୋର୍ଟରେ ଉଲ୍ଲେଖଥିଲା ଉପଭୋକ୍ତା ଯେ ସମ୍ୱାଦପତ୍ର ପଢୁନାହାନ୍ତି, ଟେଲିଭିଜନ ସମ୍ୱାଦ ଦେଖୁନାହାନ୍ତି କିମ୍ୱା ଅନଲାଇନ ସମ୍ୱାଦ ମଞ୍ଚରେ ପହଞ୍ଚୁନାହାନ୍ତି ତାହା ନୁହଁ; ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଦୀର୍ଘ ସମୟ ଧରି ଉପସ୍ଥିତି ରହିବା ସତ୍ତ୍ୱେ ସମ୍ୱାଦ ମଞ୍ଚ ତଥା କେତେକ ବର୍ଗର ସମ୍ୱାଦ ପଢ଼ିବା ବା ଦେଖିବାରୁ କ୍ଷାନ୍ତ ରହୁଛନ୍ତି । ଏହି ଧାରା କ୍ରମଶଃ ବଢୁଥିବା ଉଦବେଗର କାରଣ ।
ରିପୋର୍ଟରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ୨୦୧୭ ରୁ ୨୦୨୨ ପାଞ୍ଚ ବର୍ଷ ମଧ୍ୟରେ ବ୍ରାଜିଲରେ ସମ୍ୱାଦ ବିମୁଖଙ୍କ ସଂଖ୍ୟା ୫୪ ପ୍ରତିଶତ ଏବଂ ବ୍ରିଟେନରେ ୪୬ ପ୍ରତିଶତ ବଢ଼ିଛି । ଅବଶ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ୩୮ ପ୍ରତିଶତରୁ ୪୨ ପ୍ରତିଶତରେ ପହଞ୍ଚିଛି । ଅପରପକ୍ଷେ ଅନ୍ୟାନ୍ୟ ବିକଶିତ ରାଷ୍ଟ୍ରଙ୍କ ତୁଳନାରେ ସେଠାରେ କୌଣସି ସମ୍ୱାଦ ମଞ୍ଚର ଧାର ନମାଡୁଥିବା ନାଗରିକଙ୍କ ସଂଖ୍ୟା ୧୫ ପ୍ରତିଶତ ଯାଏଁ ପରିବ୍ୟାପ୍ତ । ଜାପାନରେ ମଧ୍ୟ ୧୫ ପ୍ରତିଶତ, ବ୍ରିଟେନରେ ୯ ପ୍ରତିଶତ, ଫ୍ରାନ୍ସ ଓ ଆଷ୍ଟ୍ରେଲିଆରେ ୮ ପ୍ରତିଶତ ସମ୍ୱାଦ ମଞ୍ଚଗୁଡ଼ିକଠାରୁ ଦୂରେଇ ରହିଥାନ୍ତି ।
ଏହିସବୁ ପରିସଂଖ୍ୟାନ ମୁଖ୍ୟତଃ ଡ଼ିଜିଟାଲ ସମ୍ୱାଦ ମଞ୍ଚ ଆଶ୍ରିତ । ଭାରତ ଭଳି ଦେଶରେ ୧୪୦ କୋଟି ଜନସଂଖ୍ୟାରୁ ମାତ୍ର ୫୪ ପ୍ରତିଶତ ଇଣ୍ଟରନେଟ ସଂଯୁକ୍ତ ହୋଇଥିବା ହେତୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଡିଜିଟାଲ ସମ୍ୱାଦମଞ୍ଚରେ ଦେଖାଦେଇଥିବା ସମସ୍ୟାବଳୀ ହୁଏତ ତତକ୍ଷଣାତ ପ୍ରଭାବଶାଳୀ ମନେନହୋଇପାରେ । କିନ୍ତୁ ପ୍ରଚଳିତ ଆନ୍ତର୍ଜାତିକ ଧାରା ପାରମ୍ପରିକ ଗଣମାଧ୍ୟମ ମଞ୍ଚର ଉପଭୋକ୍ତାଙ୍କ ଆଚ଼ରଣରେ ପ୍ରତିବିମ୍ୱିତ ହେବା ଏବଂ କ୍ରମବର୍ଦ୍ଧମାନ ଡ଼ିଜିଟାଲ ସମ୍ୱାଦ ମଞ୍ଚ ନିମନ୍ତେ ଅଗ୍ରୀମ ସୂଚକ ସାବ୍ୟସ୍ତ ହେବା ବିଶ୍ୱାସ କରାଯାଏ ।
ସାଧାରଣ ପାଠକ ଓ ଦର୍ଶକ ସମ୍ୱାଦ ମଞ୍ଚ ପ୍ରତି ବିମୁଖ ହେବା ସଂପର୍କରେ ରିପୋର୍ଟରେ ଛଅଗୋଟି କାରଣ ଉଲ୍ଲେଖ ହୋଇଛି । ଏକପକ୍ଷରେ ୪୩ ପ୍ରତିଶତ ଉପଭୋକ୍ତା ପ୍ରକାଶିତ ସମ୍ୱାଦଗୁଡ଼ିକରେ ମାତ୍ରାଧିକ ରାଜନୀତି ଓ କୋଭିଡ଼ ମହାମାରୀ ବିଷୟବସ୍ତୁ ଚର୍ଚ୍ଚିତ ହେଉଥିବା, ୨୯ ପ୍ରତିଶତ ସମ୍ୱାଦ ବିଶ୍ୱାସନୀୟତା ହରାଉଥିବା ଏବଂ ୧୬ ପ୍ରତିଶତ ପ୍ରକାଶିତ ସମ୍ୱାଦ ପାଠକଙ୍କ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ଆସୁନଥିବା ଅଭିଯୋଗ କରିଥିଲେ ।
ଅପରପକ୍ଷେ ୩୬ ପ୍ରତିଶତ ଉପଭୋକ୍ତା ସମ୍ୱାଦଗୁଡ଼ିକର ବିଷୟବସ୍ତୁ ମାନସିକସ୍ତରରେ ନକାରାତ୍ମକ ପ୍ରଭାବ ପକାଉଥିବା, ୨୯ ପ୍ରତିଶତ ସମ୍ୱାଦର ପରିମାଣ ଓ ୧୭ ପ୍ରତିଶତ ସମ୍ୱାଦ ସଂସ୍ପର୍ଶରେ ଆସିଲେ ଯୁକ୍ତିତର୍କର ସାମ୍ନା ହେବା ନିମନ୍ତେ ପସନ୍ଦ କରୁନଥିବା ସମ୍ୱାଦ ବିମୁଖର କାରଣ ରୂପେ ଦର୍ଶାଇଥିଲେ । ଆନ୍ତର୍ଜାତିକସ୍ତରରେ ଡ଼ିଜିଟାଲ ସମ୍ୱାଦ ଉପଭୋକ୍ତାଙ୍କ ଏହି ଉପଲବ୍ଧି ଆମ ଦେଶର ପାରମ୍ପରିକ ସମ୍ୱାଦ ମଞ୍ଚ, ମୁଖ୍ୟତଃ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ନିମନ୍ତେ ଚ଼େତାବନୀ ମନେହୁଏ । ଏଭଳି ତତ୍ତ୍ୱକୁ ଆଧାର କରି କେତେକ ସମ୍ୱାଦପତ୍ର ନିଜ ସମ୍ପାଦକୀୟ ନୀତି ପରିବର୍ତ୍ତନ କରୁଥିବା ଉଦାହରଣ ଦୃଷ୍ଟିକୁ ଆସିଥାଏ ।
ସମ୍ୱାଦ ମଞ୍ଚଗୁଡ଼ିକର ରାଜନୀତିକ ସଂପୃକ୍ତି ହେତୁ ରାଜନୀତି ସମ୍ୱାଦକୁ ପ୍ରମୁଖ ସ୍ଥାନ ଦେବା ଏବଂ ସ୍ଥଳବିଶେଷରେ ରାଜନୀତିକ ବିଭାଜନ ଉପଭୋକ୍ତାଙ୍କ ସମ୍ୱାଦ ବିମୁଖକୁ ସର୍ବାଧିକ ପ୍ରଭାବିତ କରୁଥିବା ଆଲୋଚ଼୍ୟ ଗବେଷଣାରୁ ସୁସ୍ପଷ୍ଟ । ସାଧାରଣରେ ରାଜନୀତିକ ସଂଘର୍ଷପୂର୍ଣ୍ଣ ପରିସ୍ଥିତି, ଆନ୍ତର୍ଜାତିକସ୍ତରରେ ସଂକଟ, ମହାମାରୀ ଓ ଜଳବାୟୁ ପରିବର୍ତ୍ତନ ଭଳି ସମ୍ୱାଦକୁ ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ମଞ୍ଚ ପ୍ରାଧାନ୍ୟ ଦେଇଥାନ୍ତି । କିନ୍ତୁ ସଂଖ୍ୟାଧିକ ପାଠକ ସେଗୁଡ଼ିକୁ ଚାହୁଁ ନଥିବା ତଥ୍ୟ ହସ୍ତଗତ ହୋଇଛି । ମୁଖ୍ୟତଃ ଯୁବବର୍ଗର ପାଠକ ଓ ଦର୍ଶକ ସମ୍ୱାଦ ବିମୁଖ ହେଉଥିବା ହେତୁ ସମ୍ୱାଦ ମଞ୍ଚଗୁଡ଼ିକରେ ଜନସାଧାରଣଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରୁଥିବା ବିଷୟବସ୍ତୁକୁ ପ୍ରାଧାନ୍ୟ ଦେବା ଧାରା ଆରମ୍ଭ ହୋଇଥିବା ଜଣାଯାଏ । ତେବେ ପାଠକ ଓ ଦର୍ଶକଙ୍କ ଋଚ଼ିକୁ ଚରିତାର୍ଥ କରିବାକୁ ଯାଇ ସମ୍ପାଦକୀୟ ନୀତି ପରିବର୍ତ୍ତନର ସୀମାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥାଏ ।
ସମ୍ୱାଦ ମଞ୍ଚଗୁଡ଼ିକ ପ୍ରତି ଜନସାଧାରଣଙ୍କ ବିଶ୍ୱସନୀୟତା ହ୍ରାସ ଅନ୍ୟତମ ସମସ୍ୟା । ରିପୋର୍ଟରେ ଦର୍ଶାଯାଇଛି ଯେ ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୪୨ ପ୍ରତିଶତ ନମୂନାଙ୍କ ମଧ୍ୟରେ ବିଶ୍ୱସନୀୟତା ସଂକଟ ଦେଖାଦେଇଛି । ସମ୍ୱାଦ ପ୍ରତି ଜନସାଧାରଣଙ୍କ ଆଗ୍ରହ ୨୦୧୭ରେ ୬୩ ପ୍ରତିଶତ ରେକର୍ଡ କରାଯାଇଥିବା ସ୍ଥଳେ ତାହା ୨୦୨୨ ରେ ୫୧ ପ୍ରତିଶତକୁ ଖସିଆସିଛି । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରବାହ ମଧ୍ୟରେ ଯୁବବର୍ଗର ପାଠକ ଓ ଦର୍ଶକ ପୂର୍ଣ୍ଣାଙ୍ଗ ସମ୍ୱାଦ ବଦଳରେ ସମ୍ୱାଦର ଅଂଶବିଶେଷ ଆହରଣ କରୁଛନ୍ତି । ଫଳରେ ଘଟଣାର ପୂର୍ବାପର ସଙ୍ଗତି ସଂପର୍କରେ ପରିଚ଼ିତ ହେବାରୁ ଦୂରେଇ ରହୁଛନ୍ତି । ସେହିପରି ଅଳ୍ପ ଶିକ୍ଷିତ ଯୁବକଯୁବତୀ ଅନଲାଇନ ପରିବେଶରେ ପହଞ୍ଚୁଥିଲେ ମଧ୍ୟ ପରିବେଶିତ ସମ୍ୱାଦ ଅବୋଧ୍ୟ ଅଭିଯୋଗ କରିଥାନ୍ତି ।
‘ଡିଜିଟାଲ ନିଉଜ ରିପୋର୍ଟ ୨୦୨୨’ ପ୍ରଯୋଜନା ନିମନ୍ତେ ଆୟୋଜିତ ସର୍ବେକ୍ଷଣରେ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟାରୁ ନମୂନା ଚ଼ିହ୍ନଟ କରାଯାଇ ସେମାନଙ୍କ ଗଣମାଧ୍ୟମ ଆଚ଼ରଣ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଭାରତରେ ଡିଜିଟାଲ ସମ୍ୱାଦ ପରିବେଶ ସଂପର୍କରେ କୁହାଯାଇଛି ଯେ ଏଠାରେ ୭୨ ପ୍ରତିଶତ ଉପଭୋକ୍ତା ସ୍ମର୍ଟଫୋନ ଏବଂ ୩୫ ପ୍ରତିଶତ କମ୍ପ୍ୟୁଟର ଯୋଗେ ଡିଜିଟାଲ ମଞ୍ଚରେ ପହଞ୍ଚିଥାନ୍ତି । ସମ୍ୱାଦ ଆହରଣ ନିମନ୍ତେ ୫୩ ପ୍ରତିଶତ ‘ୟୁଟ୍ୟୁବ’ ଓ ୫୧ ପ୍ରତିଶତ ‘ହ୍ୱାଟସଆପ’ ବ୍ୟବହାର କରିଥାନ୍ତି । ଡ଼ିଜିଟାଲ ମଞ୍ଚରେ ଅସତ୍ୟ ସମ୍ୱାଦ ସାଙ୍ଗକୁ କୁତ୍ସାରଟନା ଆଗାମୀ ଭବିଷ୍ୟତ ନିମନ୍ତେ ଅମୀମାଂସିତ ସମସ୍ୟା । ବିଶ୍ୱବ୍ୟାପୀ ସୋସିଆଲ ମିଡ଼ିଆ ସମ୍ୱାଦ ସାରବରାହରେ ପ୍ରମୁଖ ସ୍ଥାନ ଅଧିକାର କରୁଥିବା ସ୍ଥଳେ ଏହା ଯେ କେବଳ ପାରମ୍ପରିକ ଗଣମାଧ୍ୟମଠାରୁ ଭିନ୍ନ ତାହା ନୁହ, ଏହାର ଭୂମିକା ପୂର୍ବବର୍ତ୍ତୀ ସମୟଠାରୁ ଭିନ୍ନ ରୂପରେ ଆତ୍ମପ୍ରକାଶ କରୁଛି । ପରିବର୍ତ୍ତନଶୀଳ ସମ୍ୱାଦ ସରବରାହ ଆଙ୍ଗିକ ସାଙ୍ଗକୁ ଉପଭୋକ୍ତାଙ୍କ ସମ୍ୱାଦ ବିମୁଖ ଆଚରଣ ସମ୍ୱାଦ ପ୍ରଯୋଜନା, ବିତରଣ ଓ ବ୍ୟବସାୟରେ ନୂତନ ଆଦର୍ଶ ‘ମଡ଼େଲ’ ଆବଶ୍ୟକ କରିବା ସୁନିଶ୍ଚିତ ।
