ଆଜିର ଖାସ ଖବର
Sat. May 30th, 2026

ଦୁର୍ନୀତି ଓ ସାମ୍ୱାଦିକତା

By Dainikasha Jul12,2024

ଯେଉଁ ରାଷ୍ଟ୍ରଗୁଡ଼ିକରେ ଦୁର୍ନୀତିର ପ୍ରାଦୁର୍ଭାବ ଅଧିକ ସେଠାରେ ଅପେକ୍ଷାକୃତଭାବେ ସରକାରୀ ଓ ବ୍ୟବସାୟିକସ୍ତରରେ ମୁକ୍ତ ସାମ୍ୱାଦିକତାର ବିରୁଦ୍ଧାଚ଼ରଣ କରାଯାଇଥାଏ । ଆନ୍ତର୍ଜାତିକ ଦୁର୍ନୀତି ବିରୋଧି ସଂଗଠନ ‘ଟ୍ରାନ୍ସପରନସି ଇଣ୍ଟରନ୍ୟାସନାଲ’ପକ୍ଷରୁ ଫେବୃୟାରୀ ୨୦୧୮ରେ ପ୍ରକାଶିତ‘କରପସନ ପେରସେପସନ୍ସ ଇଣ୍ଡେକ୍ସ ୨୦୧୭’ରେ ଦୁର୍ନୀତି ସହିତ ବିଭିନ୍ନ ପ୍ରାନ୍ତରେ ସ୍ଥାନୀୟ ସାମ୍ୱାଦିକତା ଓ ନାଗରିକ ସମାଜ ଆଦୃତି ସଂପର୍କରେ ତୁଳନାତ୍ମକ ବିବରଣୀ ଉପସ୍ଥାପିତ କରାଯାଇଛି । ବିଶ୍ୱର ସର୍ବାଧିକ ଦୁର୍ନୀତିପ୍ରବଣ ରାଷ୍ଟ୍ରଗୁଡ଼ିକରେ ପ୍ରତିସପ୍ତାହରେ ଅନ୍ତତଃପକ୍ଷେ ଜଣେ ସାମ୍ୱାଦିକ ହତ୍ୟାର ଶୀକାର ହେଉଛନ୍ତି । ଶତାଧିକ ରାଷ୍ଟ୍ରର ରାଜନୀତିକ ସ୍ଥିତାବସ୍ଥା ଅଧ୍ୟୟନରୁ ଜଣାଯାଇଛି ଯେ ସାମ୍ୱାଦିକ ଓ ନାଗରିକ ସଂଗଠନଗୁଡ଼ିକର କର୍ମକର୍ତ୍ତାମାନେ ସ୍ଥାନୀୟ ଦୁର୍ନୀତି ବିରୋଧରେ ଫଳପ୍ରଦ ଭୂମିକା ନିର୍ବାହ କରୁଛନ୍ତି ।

ଆନ୍ତର୍ଜାତିକସ୍ତରରେ ବିଭିନ୍ନ ରାଷ୍ଟ୍ରରେ ଦୁର୍ନୀତିରସ୍ତର ସମୀକ୍ଷା ନିମନ୍ତେ ‘ଟ୍ରାନ୍ସପରନସି ଇଣ୍ଟରନ୍ୟାସନାଲ’ ଆନୁକୂଲ୍ୟରେ ଆୟୋଜିତ ସର୍ବେକ୍ଷଣରେ ୧୮୦ ଗୋଟି ରାଷ୍ଟ୍ର ଅନ୍ତର୍ଭୁକ୍ତ ହୋଇଥିଲେ । ସେଥିମଧ୍ୟରେ ଭାରତର ସ୍ଥାନ ୮୧ ସୋପାନରେ ନିର୍ଦ୍ଧାରିତ ହୋଇଛି ।

ଦୁର୍ନୀତି ପରିମାପ ନିମନ୍ତେ ମୁଖ୍ୟତଃ ବିଭିନ୍ନ ରାଷ୍ଟ୍ରରେ ବ୍ୟବସାୟରେ ସଂପୃକ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ମତାମତ ଲୋଡ଼ା ଯାଇଥିଲା । ଶୂନ୍ୟଠାରୁ ଶତକ ସ୍କେଲରେ ଶୂନ୍ୟ କ୍ରମାଙ୍କ ଦୁର୍ନୀତି ପୂର୍ଣ୍ଣତାକୁ ସୂଚ଼ିତ କରୁଥିବା ବେଳେ ଶତକ କ୍ରମାଙ୍କ ଦୁର୍ନୀତି ମୁକ୍ତ ସ୍ୱଚ୍ଛତାକୁ ବୁଝାଉଥିଲା । ଗବେଷଣାଲବ୍ଧ ତଥ୍ୟ ବିଶ୍ଳେଷଣରେ ନିଉଜିଲ୍ୟାଣ୍ଡ ୮୯ ସ୍କୋର ଓ ଡ଼େନମାର୍କ ୮୮ ସ୍କୋର ଦାବୀ କରିଥିଲେ । ଅର୍ଥାତ ଏହି ଦୁଇ ରାଷ୍ଟ୍ରରେ ସାଧାରଣ ପରିବେଶ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ । ସେହିପରି ସୋମାଲିଆ, ଦକ୍ଷିଣ ସୁଦାନ ଓ ସିରିଆ ସର୍ବାପେକ୍ଷା ଦୁର୍ନୀତିପରାୟଣ ସାବ୍ୟସ୍ତ ହୋଇଥିଲା । ସୋମାଲିଆ ୯, ଦକ୍ଷିଣ ସୁଦାନ ୧୨ ଓ ସିରିଆ ୧୪ ସ୍କୋର କରିଥିଲେ ।

ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ୧୮୦ ଗୋଟି ରାଷ୍ଟ୍ର ମଧ୍ୟରୁ ଦୁଇ ତୃତୀୟାଂଶ ରାଷ୍ଟ୍ରଙ୍କ ସ୍କୋର ୫୦ ଠାରୁ ନିମ୍ନରେ ଗଣିତ ହୋଇଥିବା ସ୍ଥଳେ ହାରାହାରି ସ୍କୋର ୪୩ ନିର୍ଦ୍ଧାରିତ ହୋଇଥିଲା । ଅର୍ଥାତ ବିଶ୍ୱବ୍ୟାପୀ ଦୁର୍ନୀତିର ବଳୟ ସୁବିସ୍ତୃତ । ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକରେ ମୁକ୍ତ ସାମ୍ୱାଦିକତା ବିରୋଧୀ ।

ଏସିଆ ମହାଦେଶରେ ଭାରତ ସାଙ୍ଗକୁ ଫିଲିପାଇନ୍ସ ଓ ମାଲଡ଼େଭିସରେ ସାଧାରଣ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ଲକ୍ଷ୍ୟ କରାଯାଇଥାଏ । ଏହି ରାଷ୍ଟ୍ରଗୁଡ଼ିକରେ ଗଣମାଧ୍ୟମର କଣ୍ଠରୋଧ ଓ ସାମ୍ୱାଦିକମାନଙ୍କୁ ହତ୍ୟା କରାଯାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।୨୦୧୨ ରୁ ୨୦୧୭ ଛଅବର୍ଷ ମଧ୍ୟରେ ଏଠାରେ ୧୫ ଜଣ କାର୍ଯ୍ୟରତ ସାମ୍ୱାଦିକ ଦୁର୍ନୀତିର ପର୍ଦ୍ଦାଫାଶ କରୁଥିବା ଅବସରରେ ହତ୍ୟାର ଶିକାର ହୋଇଛନ୍ତି ।

ପ୍ରକାଶିତ ଅନୁଧ୍ୟାନରୁ ଜଣାଯାଇଛି ଯେ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକରେ ସାମ୍ୱାଦିକମାନଙ୍କୁ ପ୍ରତିକୂଳ ପରିବେଶରେ କାର୍ଯ୍ୟ କରିବାକୁ ପଡ଼ିଥାଏ ।ସେଠାରେ ସାଂବାଦିକଙ୍କ ସୁରକ୍ଷା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନଥାଏ । ମୃତ୍ୟୁମୁଖରେ ପଡୁଥିବା ପ୍ରତି ୧୦ ଜଣ ସାମ୍ୱାଦିକଙ୍କ ମଧ୍ୟରେ ୯ ଜଣ ଦୁର୍ନୀତି ମାନଦଣ୍ଡରେ ୪୫ ରୁ କମ୍ ସ୍କୋର କରୁଥିବା ରାଷ୍ଟ୍ରର ବାସିନ୍ଦା ବୋଲି ଜଣାଯାଇଛି ।

ଦୁର୍ନୀତି ବିରୁଦ୍ଧରେ ଯୋଜନାବଦ୍ଧ ଉଦ୍ୟମ କରିବା ନିମନ୍ତେ ‘ଟ୍ରାନସପରନସି ଇଣ୍ଟରନ୍ୟାସନାଲ’ପକ୍ଷରୁ କେତେଗୋଟି ପରାମର୍ଶ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସରକାରୀ ଓ ବ୍ୟାବସାୟିକ କ୍ଷେତ୍ରରେ ଅଭିବ୍ୟକ୍ତିରେ ସ୍ୱାଧୀନତା ପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ । ସ୍ୱାଧୀନ ଗଣମାଧ୍ୟମ, ରାଜନୀତିକ ବିରୋଧ ଓ ସମ୍ୱେଦନଶୀଳ ନାଗରିକ ସମାଜ ପ୍ରତିଷ୍ଠା ପ୍ରତି ପ୍ରାଥମିକତା ଦେବା ବିଧେୟ । ସରକାରୀସ୍ତରରେ ଗଣମାଧ୍ୟମ ନିୟନ୍ତ୍ରଣ ନିମନ୍ତେ ଆଇନ ପ୍ରଣୟନରୁ ବିରତ ରହିବା ଏବଂ ସାଂବାଦିକମାନଙ୍କୁ ସ୍ୱାଧୀନଭାବେ କାର୍ଯ୍ୟକରିବା ନିମନ୍ତେ ପରିବେଶ ସୃଷ୍ଟି ଦିଗରେ ଯତ୍ନବାନ ହେବା ଉଚ଼ିତ । ଆନ୍ତର୍ଜାତିକଅନୁଦାନକାରୀ ସଂସ୍ଥାମାନେ ସାମାଜିକ ବିକାଶ ନିମନ୍ତେ ଗଣମାଧ୍ୟମ ସ୍ୱାଧୀନତାର ଉପାଦେୟତା ଉପଲବ୍ଧ କରି ସେଥିଲାଗି ଉଦ୍ଦିଷ୍ଟ କାର୍ଯ୍ୟକ୍ରମଗୁଡ଼ିକୁ ଉତ୍ସାହିତ କଲେ ସୁଫଳ ମିଳି ପାରିବ ।

ସରକାରୀସ୍ତରରେ ସାଧାରଣ ନାଗରିକଙ୍କ ପାଇଁ ସୂଚ଼ନା ସଂଗ୍ରହ ନିମନ୍ତେ ବିଭିନ୍ନ ସୁଯୋଗ ସୁବିଧାକୁ ଜରୁରୀ ଆବଶ୍ୟକତା ପର୍ଯ୍ୟାୟଭୁକ୍ତ କରିପାରିଲେ ପ୍ରଶାସନିକ ସୂଚ଼ନା ପ୍ରଘଟ ଦ୍ୱାରା ସ୍ୱଚ୍ଛତା ବୃଦ୍ଧି ପାଇବ ଏବଂ ଦୁର୍ନୀତି ରୋକାଯାଇପାରିବ । ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ପକ୍ଷରୁ ସୂଚ଼ନା ଅଧିକାର ସଂପର୍କରେ କେବଳ ଆଇନ ପ୍ରଣୟନରେ ଉଦ୍ୟମ ସୀମିତ ନରହି ସେଗୁଡ଼ିକର ସଫଳ ଉପଯୋଗ ପ୍ରତି ଯୋଜନାବଦ୍ଧ ଉଦ୍ୟମ କରାଯିବା ଆବଶ୍ୟକ । ସେହିପରି ନାଗରିକ ସଂଗଠନ ଗୁଡ଼ିକ ସୂଚ଼ନା ଅଧିକାରର ସଫଳ ରୂପାୟନ ନିମନ୍ତେ ନିରନ୍ତର ଉଦ୍ୟମ ଜାରୀ ରଖିବା ଫଳରେ ହିଁ ସରକାରୀ ତତ୍ପରତା ଆଶା କରାଯାଇପାରିବ ।

ଅଭିବ୍ୟକ୍ତିରେ ସ୍ୱାଧୀନତା ଦିଗରେ କାର୍ଯ୍ୟରତ ନାଗରିକ ସଂଗଠନ ଓ କର୍ମୀମାନେ ଜାତିସଂଘ ଦ୍ୱାରା ପ୍ରଣୀତ ‘ସଷ୍ଟେନବେଲ ଡ଼େଭଲାପମେଣ୍ଟ ଗୋଲ’ରେ ପ୍ରଦତ୍ତ ମୁକ୍ତ ମତପ୍ରକାଶକୁ ମୌଳିକ ଅଧିକାର ରୂପେ ସାବ୍ୟସ୍ତ କରିବା ତଥା ଗଣମାଧ୍ୟମର ସ୍ୱାଧୀନତା ପ୍ରତିଷ୍ଠା ଦିଗରେ ଆନ୍ତର୍ଜାତିକ ଚୁକ୍ତିନାମାକୁ ଆଧାରକରି ସାମାଜିକସ୍ତରରେ ଚ଼ାପ ସୃଷ୍ଟି କରିବା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ସୁବିଧା ବ୍ୟବହାର କରିପାରିବେ ।

ସର୍ବୋପରି ସରକାର ଓ ବ୍ୟବସାୟିକ ପ୍ରତିଷ୍ଠାନମାନ ଅଧିକରୁ ଅଧିକ ପ୍ରଶାସନିକ ଓ ବ୍ୟବସାୟିକ ସୂଚ଼ନା ସର୍ବସାଧାରଣରେ ପ୍ରକାଶ ନିମନ୍ତେ ଯତ୍ନବାନ ହେବା ଆବଶ୍ୟକ । ଏହିଭଳି ଉପକ୍ରମ ସ୍ୱଚ୍ଛତା ବୃଦ୍ଧି ସଙ୍ଗେ ଦୁର୍ନୀତି ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ।

‘ଟ୍ରାନ୍ସପରନସି ଇଣ୍ଟରନ୍ୟାସନାଲ’ ପ୍ରତିଷ୍ଠାର ୨୫ତମ ବାର୍ଷକୀ ୨୦୧୮ରେ ପାଳନ କରୁଛି । ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିଗତ ଚଉଠଶତକ ବର୍ଷର ଅଭିଜ୍ଞତାରୁ ଜଣାଯାଇଛି ଯେ ବିଭିନ୍ନ ପ୍ରାନ୍ତରେ ସରକାରୀ ଆଇନ ପ୍ରଣୟନରେ ଦୁର୍ନୀତି ଉପଶମ ହୋଇପାରୁନାହିଁ । ଏଭଳି ଆଇନକାନୁନର ସଫଳ ଉପଯୋଗ ହିଁ ଦୁର୍ନୀତି ନିବାରଣ ସଂଭବ ।

ପ୍ରଚଳିତ ଆଇନରେ ଦୁର୍ବଳ ସ୍ଥିତି ଖୋଜିବାହାର କରି ଦୁର୍ନୀତିଗ୍ରସ୍ତ ଫାଇଦା ଉଠାଇଥାନ୍ତି । ପ୍ରଶାସନିକ ଓ ବ୍ୟବସାୟିକ କ୍ଷେତ୍ରରେ ଅନୁସୃତ କାର୍ଯ୍ୟଧାରା ଅନେକ ସମୟରେ ଦୁର୍ନୀତିଗ୍ରସ୍ତକୁ ସୁହାଇଥାଏ । ପ୍ରଯୁକ୍ତି ବିଜ୍ଞାନର ଉପଯୋଗରେ ସ୍ୱଚ୍ଛତା ବିକାଶ ଆଶା କରାଯାଇପାରେ । ତେବେ ଏ ଦିଗରେ ନାଗରିକ ସଚ଼େତନତା ହିଁ ମୂଳ ଆଧାର ।

ନାଗରିକ ସମାଜ ଓ ସାମ୍ୱାଦିକତା ଦୁର୍ନୀତି ପ୍ରତିହତ କରିପାରେ ।ଅବଶ୍ୟ ଏହି କ୍ଷେତ୍ରରେ ତୃଣମୂଳସ୍ତରରେ ଉଦ୍ୟମ ହିଁ ଦୀର୍ଘସ୍ଥାୟୀ ବା ‘ସଷ୍ଟେନବେଲ’ ପ୍ରଣାଣିତ ହୋଇଥାଏ । ଉଚ୍ଚସ୍ତରରେ ବହୁଳ ଚର୍ଚ୍ଚିତ ଦୁର୍ନୀତି ବିରୋଧି ଉଦାହରଣମାନ ଦୀର୍ଘସ୍ଥାୟୀ କିମ୍ବା ସେଗୁଡ଼ିକର ପ୍ରଭାବ ସୁଦୂରପ୍ରସାରୀ ହୋଇପାରେନା । ଅତଏବ ଆଞ୍ଚଳିକଭିତ୍ତିରେ ଏସବୁ ତତ୍ତ୍ୱର ପ୍ରଚ଼ାର ଓ ପ୍ରସାର ଜରୁରୀ ।

Related Post