ଆଜିର ଖାସ ଖବର
Sat. May 30th, 2026

ମିଥ୍ୟା ସମ୍ୱାଦ ‘ଫେକ ନ୍ୟୂଜ’

By Dainikasha Jul12,2024

ବହୁଳ ଚର୍ଚ୍ଚିତ ‘ଫେକ ନ୍ୟୂଜ’ ଗୁଜବ ପର୍ଯ୍ୟାୟଭୁକ୍ତ । ପଞ୍ଚଦଶ ଶତାଦ୍ଦୀର ମଧ୍ୟଭାଗରେ ମୁଦ୍ରଣ ଯନ୍ତ୍ର ଉଦ୍ଭାବନ ଏବଂ ପରବର୍ତ୍ତୀ ଅବସ୍ଥାରେ ସମ୍ୱାଦପତ୍ରର କ୍ରମବିକାଶ ପୂର୍ବବର୍ତ୍ତୀ ଅବସ୍ଥାରେ ସର୍ବସାଧାରଣରେ ଶୁଣାକଥାରେ ଖବର ପ୍ରସାରିତ ହେଉଥିବା ହେତୁ ଗୁଜବର ପ୍ରାବଲ୍ୟ ଅନୁଭୂତ ହେଉଥିଲା । ମୁଦ୍ରିତ ସମ୍ୱାଦ ବିଧିବଦ୍ଧଭାବେ ଉପସ୍ଥାପନ ଅବସରରେ ତାହାର ଗୁଣବତ୍ତାପ୍ରତି ଧ୍ୟାନ ଦିଆଯିବା ଆରମ୍ଭ ହେଲା । ଗଣମାଧ୍ୟମର ଉତ୍କର୍ଷତା ବିକାଶରେ ସମ୍ୱାଦ ପରିଧିରୁ ଗୁଜବ ବିଲୋପ ନିମନ୍ତେ କ୍ରମାଗତ ଉଦ୍ୟମ ସତ୍ତ୍ୱେ ସମାଜରେ ଗୁଜବର ଗୁରୁତ୍ୱ କମି ନାହିଁ ।

ଯୋଗାଯୋଗ ବିଜ୍ଞାନରେ ନୂତନ ଉଦ୍ଭାବନ ଚଳଚ଼ିତ୍ର, ରେଡ଼ିଓ ଓ ଟେଲିଭିଜନ ପରେ ଇଣ୍ଟରନେଟ ପ୍ରସାର କାଳରେ ମଧ୍ୟ ଗୁଜବ ତାହାର ଆସ୍ଥାନ ମାଡ଼ି ବସିଥିବା ଲକ୍ଷ୍ୟ କରାଯାଇପାରେ । ଅନ-ଲାଇନ ପରିବେଶରେ ୨୦୧୬ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରକୁ ୟୁରୋପୀୟ ଦେଶପୁଞ୍ଜରୁ ବ୍ରିଟେନ ଅପସାରଣ ନିମନ୍ତେ ଜନମତଠାରୁ ଆରମ୍ଭ କରି ଫ୍ରାନ୍ସ, କେନିଆ ନିର୍ବାଚ଼ନରେ ମିଥ୍ୟା ସମ୍ୱାଦର ଭୂମିକା ଆଧୁନିକ ଗଣମାଧ୍ୟମ ବିକାଶର ଚ଼ାରିଶହ ବର୍ଷର ଇତିହାସରେ ସ୍ୱଚ୍ଛତା ପ୍ରତି ଏକ ପ୍ରଶ୍ନବାଚ଼ୀ ସୃଷ୍ଟି କରିଛି ।

ଗୁଜବ ଓ ମିଥ୍ୟା ସମ୍ୱାଦ ‘ଫେକ ନ୍ୟୂଜ’ ମଧ୍ୟରେ ପାର୍ଥକ୍ୟ ଏହିଯେ ଗୁଜବ ଊଣାଅଧିକେ ସ୍ୱତଃପ୍ରବୃତ୍ତଭାବେ ଗଢ଼ି ଉଠୁଥିବାବେଳେ ‘ଫେକ ନ୍ୟୂଜ’ପ୍ରାୟୋଜିତ ।ଲକ୍ଷ୍ୟଭିତ୍ତିକ ପ୍ରଚ଼ାର ‘ପ୍ରପୋଗଣ୍ଡା’ ନିମନ୍ତେ ବିଧିବଦ୍ଧଭାବେ ଗୁଜବ ରଟନାକୁ ‘ଫେକ ନ୍ୟୂଜ’ କୁହାଯାଏ । ଏହା ମୁଖ୍ୟତଃ ‘ଅନଲାଇନ’ ପରିବେଶରେ ସଂପ୍ରସାରିତ ହୋଇଥାଏ ।

ଗୁଜବ ପ୍ରତି ମନୁଷ୍ୟର ଅର୍ନ୍ତନିହିତ ଆକର୍ଷଣ ସର୍ବଜନବିଦିତ । ଗୁଜବ ମିଥ୍ୟା, ଅର୍ଦ୍ଧସତ୍ୟ, ଅତିରଞ୍ଜିତ, ଚ଼ାଞ୍ଚଲ୍ୟକର, ପକ୍ଷପାତିତା ଓ ଅଭିମତ ସଂବଳିତ ହୋଇଥିବାବେଳେ ସମକାଳରେ ସାମାଜିକ ଗଣମାଧ୍ୟମ ‘ସୋସିଆଲ ମିଡ଼ିଆ’ର ଲୋକପ୍ରିୟତା ଅବସରରେ ସ୍ୱୟଂକ୍ରିୟ ‘ଅଟୋମେସନ’ ଓ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ର ଉପଯୋଗ ଗୁଜବ ପ୍ରସାରଣ ଧାରାକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛି । ଉଦାହରଣରେ ଇଣ୍ଟରନେଟ ଉପଭୋକ୍ତାଙ୍କ ରୁଚ଼ି ସଂପର୍କରେ ତଥ୍ୟ ସଂଗ୍ରହକରି ସେମାନଙ୍କୁ ସୁହାଇଲାଭଳି ଗୁଜବ ସେମାନଙ୍କ ବ୍ୟକ୍ତିଗତ ସଂସ୍କରଣ ‘ପେଜ’ରେ ପ୍ରକାଶନ ପ୍ରଭାବଶାଳୀ ହୋଇପାରୁଛି । ଅର୍ଥାତ ନୂତନ ପ୍ରଯୁକ୍ତି କୌଶଳ ଗୁଜବକୁ ଅଧିକ ଶକ୍ତିଶାଳୀ କରିବାରେ ସମର୍ଥ ହୋଇଥିବା ପ୍ରମାଣିତ।

ଗୁଜବ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିପଦ ସୃଷ୍ଟି କରିଥାଏ । ଅନ୍ୟପକ୍ଷରେ ହିଂସା ପ୍ରସାରରେ ମଧ୍ୟ ସହାୟକ ହୋଇଥାଏ । ଏହି ଭଳି କାରଣରୁ ଗୁଜବ ପ୍ରସାର ରୋକିବାକୁ ପ୍ରଶାସନିକସ୍ତରରେ ଉଦ୍ୟମ ହେବା ସ୍ୱାଭାବିକ । ୨୦୧୮ ମାର୍ଚ୍ଚ ମାସରେ କେମ୍ୱ୍ରିଜ ଏନାଲିଟିକାର ପର୍ଦ୍ଦାଫାଶ ତଥା ୨୦୦୯ ଓ ୨୦୧୪ ନିର୍ବାଚ଼ନରେ ଇଣ୍ଟରନେଟ ଉପଭୋକ୍ତାଙ୍କ ରୁଚ଼ି ବିଶ୍ଳେଷଣ କରି ନିର୍ବାଚ଼ନୀ ପ୍ରଚାର ପ୍ରଯୋଜନାଜନିତ ଅଭିଯୋଗ ପରେ ୨୦୧୮ ଏପ୍ରିଲ ପ୍ରଥମ ସପ୍ତାହରେ ଆମ ଦେଶରେ କେନ୍ଦ୍ର ସରକାରଙ୍କ ସୂଚ଼ନା ଓ ପ୍ରସାରଣ ମନ୍ତ୍ରଣାଳୟପକ୍ଷରୁ ‘ଫେକ ନ୍ୟୂଜ’ ପ୍ରସାର ବିପକ୍ଷରେ ସାଂବାଦିକଙ୍କ ନିମନ୍ତେ ଆଚ଼ରଣ ସଂହିତାରେ ଦଣ୍ଡବିଧାନ ଘୋଷଣା ତଥା ପ୍ରତ୍ୟାହାର ଘଟଣା ଗୁରୁତ୍ୱ ବହନ କରିଥାଏ ।

ଏକ ଉପକ୍ରମରେ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକ ‘ଆକ୍ରିଡ଼ିଏଟଡ଼ ଜର୍ଣ୍ଣାଲିଷ୍ଟ’ଙ୍କ ନିମନ୍ତେ ଘୋଷିତ ନିର୍ଦ୍ଦେଶାବଳୀ ଗାଇଡ଼ଲାଇନରେ ଏକ ନୂତନ ଧାରା ଯୋଗ କରାଯାଇଥିଲା ।‘ଫେକ ନ୍ୟୂଜ’ ପ୍ରକାଶନର ଅଭିଯୋଗ ହେଲେ ମୁଦ୍ରଣ ଗଣମାଧ୍ୟମ ନିମନ୍ତେ ‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ଓ ଟେଲିଭିଜନ ଗଣମାଧ୍ୟମ ନିମନ୍ତେ ‘ନ୍ୟୂଜ ବ୍ରଡ଼କାଷ୍ଟର୍ସ ଏସୋସିଏସନ ଅଫ ଇଣ୍ଡିଆ’ ଅଭିଯୋଗ ଦାଖଲର ୧୫ ଦିନ ମଧ୍ୟରେ ଅନୁସନ୍ଧାନ କରି ସତ୍ୟାସତ୍ୟ ତନଖିବା ପ୍ରାବଧାନ ରଖାଯାଇଥିଲା ।

ଅଭିଯୋଗ ଅନୁସନ୍ଧାନ ସମୟସୀମାରେ ସଂପୃକ୍ତ ଅଧିକୃତ ସାମ୍ୱାଦିକଙ୍କ ସ୍ୱୀକୃତି ସ୍ଥଗିତ ‘ସସପେଣ୍ଡ’ ରଖିବା ତଥା ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ପ୍ରଥମ ଥର ପାଇଁ ଛଅମାସ, ଦ୍ୱିତୀୟ ଥର ପାଇଁ ବର୍ଷେ ‘ସସପେଣ୍ଡ’ ଓ ତୃତୀୟଥରରେ ଜୀବନବ୍ୟାପୀ ସ୍ୱୀକୃତି ପ୍ରତ୍ୟାହାର ‘କ୍ୟାନସିଲେସନ’ ଦଣ୍ଡ ବିଧାନ କରାଯାଇଥିଲା । ତେବେ ଏଭଳି ନିର୍ଦ୍ଦେଶନାମା ସାମ୍ୱାଦିକତାର କଣ୍ଠରୋଧ କରୁଥିବା ତଥା ସ୍ଥଳବିଶେଷରେ ଅପବ୍ୟବହାର ଆଶଙ୍କାକୁ ନେଇ ପ୍ରତିବାଦ ପରେ ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ଅପସାରଣ କରାଯାଇଥିଲା ।

ଭାରତଭଳି ଏସିଆ ମହାଦେଶର ଅନ୍ୟାନ୍ୟ ରାଷ୍ଟ୍ରରେ ‘ଫେକନ୍ୟୂଜ’ ପ୍ରକାଶକଙ୍କୁ ଦଣ୍ଡବିଧାନ ନିମନ୍ତେ ନୂତନ ଆଇନମାନ ପ୍ରଚଳନର ବ୍ୟବସ୍ଥା କରାଯାଇଛି । ଠିକ୍ ସେହି ସମୟରେ ୨୦୧୮ ଏପ୍ରିଲ ଦ୍ୱିତୀୟ ସପ୍ତାହ ଆରମ୍ଭରେ ମାଲେସିଆର ରାଜା ପାର୍ଲାମେଣ୍ଟରେ ଗୃହୀତ ଗୁଜବ ବିରୋଧି ବିଧେୟକକୁ ସ୍ୱୀକୃତି ଦେଇଥିଲେ । ନୂତନ ଆଇନ ଅନୁଯାୟୀ ‘ଫେକ ନ୍ୟୂଜ’ ପ୍ରକାଶନକାରୀଙ୍କୁ ୬୦ ଲକ୍ଷ ଟଙ୍କା ଜରିମାନା ତଥା ଛଅ ବର୍ଷ ଯାଏଁ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।ମାଲେସିଆ କିମ୍ୱା ଏହାର ନାଗରିକଙ୍କ ସଂପର୍କରେ ମୋଲେସିଆ କିମ୍ୱା ଦେଶବାହାରେ କୌଣସି ଗଣମାଧ୍ୟମରେ ‘ଫେକ ନ୍ୟୂଜ’ ପ୍ରକାଶନ କ୍ଷେତ୍ରରେ ଏହି ଆଇନ ଉପଯୋଗ ନିମନ୍ତେ ସୁପାରିଶ କରାଯାଇଛି ।

ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟରେ ଫିଲିପାଇନ୍ସରେ ୨୦୧୭ରେ ମାନହାନୀ ଆଇନକୁ ଶକ୍ତିଶାଳୀ କରାଯାଇଥିଲା । ୨୦୧୮ ଆରମ୍ଭରେ ସିଙ୍ଗାପୁରରେ ‘ଅନଲାଇନ’ରେ ‘ଫେକନ୍ୟୂଜ’ ପ୍ରକାଶନ ଅଭିଯୋଗ ଅନୁସନ୍ଧାନ କରିବା ନିମନ୍ତେ ଏକ ବିଚ଼ାରକ ମଣ୍ଡଳୀ ଗଠନ ଅନ୍ୟତମ ଉଦାହରଣ ।

ପରିବର୍ତ୍ତିତ ପରିବେଶରେ ଜନସାଧାରଣ ସ୍ମାର୍ଟଫୋନ’ଯୋଗେ ଦୈନିକ ତିନିରୁ ଛଅ ଘଣ୍ଟା ଯାଏଁ‘ଅନଲାଇନ’ରେ ଗଣମାଧ୍ୟମ ଆହରଣ କରୁଥିବା ଅବସରରେ ସେଭଳି ମାଧ୍ୟମ ‘ଫେକ ନ୍ୟୂଜ’ ପ୍ରକାଶନ ନିମନ୍ତେ ପ୍ରକୃଷ୍ଟ କ୍ଷେତ୍ର ପାଲଟୁଛି । ଏହି କ୍ଷେତ୍ରରେ ‘ଫେକନ୍ୟୂଜ’ ପ୍ରସାରଣ ରୋକିବା ନିମନ୍ତେ ସରକାରୀ ନୀତିନିୟମ ସୀମିତ ମାତ୍ରାରେ ଫଳପ୍ରଦ ହୋଇପାରେ । ଅପରପକ୍ଷରେ ‘ସୋସିଆଲ ମିଡ଼ିଆ’ ପରିଚ଼ାଳନା କରୁଥିବା ପ୍ରଭାବଶାଳୀ ‘ଅନଲାଇନ’ ବୈଷୟିକ ପ୍ରତିଷ୍ଠାନଗୁଡ଼ିକ ଏଭଳି ପ୍ରସାରଣ ରୋକିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ।

ଉଦାହରଣ ସ୍ୱରୂପ ଗୁଗୁଲ ପକ୍ଷରୁ ‘ସର୍ଚ୍ଚ ଇଞ୍ଜିନ’ରେ ‘ଫେକନ୍ୟୂଜ’ ପର୍ଯ୍ୟାୟଭୁକ୍ତ ପାଠ୍ୟ ଓ ଭିଡ଼ିଓ ସଂପର୍କୀତ ସୂଚ଼ନାଗୁଡ଼ିକୁ ପ୍ରକାଶନରେ ପଛୁଆ କରିଦେବା ନୀତି ଅବଲମ୍ୱନ କରିବା ଫଳରେ ସେଭଳି ପୃଷ୍ଠାଗୁଡ଼ିକରେ ପାଠକ ଓ ଦର୍ଶକଙ୍କ ସଂଖ୍ୟା ଆଶାତୀତଭାବେ ହ୍ରାସ ପାଇଥିବା ବିଶ୍ୱାସ କରାଯାଏ । ଅବଶ୍ୟ ଏ ସଂପର୍କରେ ସବିଶେଷ ବିବରଣୀ ପ୍ରକାଶିତ ହୋଇ ନାହିଁ, ତେବେ ଭବିଷ୍ୟତରେ ଏହି ଧରଣର ପ୍ରତିବନ୍ଧକର ବ୍ୟାପକ ବ୍ୟବହାର ‘ଫେକ ନ୍ୟୂଜ’ ପ୍ରସାରଣରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଇପାରେ ।

‘ଫେକ ନ୍ୟୂଜ’ ପ୍ରସାରଣ ରୋକିବା ନିମନ୍ତେ ଉପଭୋକ୍ତାମାନଙ୍କ ମଧ୍ୟରେ ସଚ଼େତନତା ସୃଷ୍ଟି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ପ୍ରାଥମିକ ବିଦ୍ୟାଳୟସ୍ତରରୁ ଶିଶୁମାନେ ଇଣ୍ଟରନେଟ ମଞ୍ଚରେ ଉପସ୍ଥିତ ହେଉଥିବା ହେତୁ ବିଦ୍ୟାଳୟ ପାଠ୍ୟକ୍ରମରେ ଗଣମାଧ୍ୟମ ସାକ୍ଷରତା ଅର୍ନ୍ତଭୁକ୍ତ କରାଇବା ସମୟ ଆସି ପହଞ୍ଚିଲାଣି । ସାମାଜିକସ୍ତରରେ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ ଆବଶ୍ୟକ । ନଚ଼େତ ‘ଫେକ ନ୍ୟୂଜ’ଜନିତ ବିଭ୍ରାଟ ରୋକିବା ଅସଂଭବ ।  

Related Post