ଆଜିର ଖାସ ଖବର
Sat. May 30th, 2026

ସମ୍ୱାଦ ମଞ୍ଚ ଚୟନ ୨୦୨୩ 

By Dainikasha Jul12,2024

ସାମୂହିକସ୍ତରରେ ଗଣମାଧ୍ୟମ ଉପଭୋକ୍ତାଙ୍କ ସମ୍ୱାଦ ମଞ୍ଚ ଚୟନ ଅଭ୍ୟାସ ଚଳନ୍ତି ସାମ୍ୱାଦିକତା ପ୍ରବାହକୁ ପ୍ରଭାବିତ କରେ । ସାମୟିକଭାବେ ପାଠକୀୟ ପ୍ରତିକ୍ରିୟା ଅଧ୍ୟୟନ ବିକଶିତ ରାଷ୍ଟ୍ରଗୁଡ଼ିକରେ ଗୁରୁତ୍ୱ ଲାଭ କରିଥିଲେହେଁ ଆମ ରାଜ୍ୟ ଓ ଦେଶ ପଛୁଆ । ଫଳରେ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକର ପ୍ରକାଶନ ପାଠକ, ଶ୍ରୋତା ବା ଦର୍ଶକଙ୍କୁ କେତେଦୂର ଆକର୍ଷିତ କରିପାରୁଛି ତାହା ସଂପର୍କରେ ବିଶ୍ୱସନୀୟ ତଥ୍ୟ ଅଭାବରୁ ପ୍ରକାଶକ ଓ ସମ୍ପାଦକମାନେ ନିଜସ୍ୱ ଆକଳନ ବିଚାରକୁ ନେଇଥାନ୍ତି । କିନ୍ତୁ ବିଜ୍ଞାନସମତ୍ତ ଗବେଷଣା ବଦଳରେ ଅନୁମାନ ଆଧାରିତ ନିଷ୍ପତ୍ତି ବିଭ୍ରାନ୍ତିକର । ସଠିକ ତଥ୍ୟାବଳୀ ପ୍ରଚଳିତ ସମ୍ପାଦକୀୟ ନୀତିର ସମୀକ୍ଷା ଓ ସଂଶୋଧନରେ ସହାୟକ ହୋଇଥାଏ । ଏହା ଭବିଷ୍ୟତ ନିମନ୍ତେ ନୀତିନିର୍ଦ୍ଧାରଣ ତଥା ଉଭୟ ସମ୍ପାଦକୀୟ ଓ ବ୍ୟାବସାୟିକ ଅଭିବୃଦ୍ଧିର ମୂଳ ଉପାଦାନ । ଅପରପକ୍ଷେ ଅଜ୍ଞତା ସମୟକ୍ରମେ ଅବନତିର କାରଣ ପାଲଟେ ।

ମାର୍କିନ ଗବେଷଣା ପ୍ରତିଷ୍ଠାନ ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ସେଠାକାର ସାମାଜିକ ଧାରା ଅଧ୍ୟୟନ ନିମନ୍ତେ କ୍ରମାଗତ ଜାତୀୟସ୍ତରରେ ସର୍ବେକ୍ଷଣମାନ ଆୟୋଜନ କରାଯାଇଥାଏ । ‘ପିଉ’ ପକ୍ଷରୁ ୨୦୧୪ରୁ ‘ଦି ଆମେରିକାନ ଟ୍ରେଣ୍ଡସ ପ୍ୟାନେଲ’ ନାମରେ ଏକ ଦୀର୍ଘସୂତ୍ରୀ ଅଧ୍ୟୟନ ଆରମ୍ଭ ହୋଇଛି । ଏହାର ୧୩୫ତମ ସଂସ୍କରଣରେ ୨୫ ସେପ୍ଟେମ୍ୱରରୁ ଅକ୍ଟୋବର ପହିଲା ୨୦୨୩ ମଧ୍ୟରେ ୮,୮୪୨ ବ୍ୟକ୍ତିଙ୍କୁ ନେଇ ସର୍ବେକ୍ଷଣର ତଥ୍ୟାବଳୀ ନଭେମ୍ୱର ୨୦୨୩ ମଧ୍ୟଭାଗରେ ପ୍ରକାଶିତ ହୋଇଥିଲା । ଏଥିରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାପ୍ତବୟସ୍କ ନାଗରିକଙ୍କ ଗଣମାଧ୍ୟମ ମଞ୍ଚ ଆହରଣ ଅଭ୍ୟାସ ସଂପର୍କରେ ବିଶଦ ବିବରଣୀ ଅନ୍ତର୍ଭୁକ୍ତ ।

ଡ଼ିଜିଟାଲ ମଞ୍ଚର ପ୍ରସାର ପରେ ସର୍ବାଧିକ ସଂଖ୍ୟକ ମାର୍କିନ ଜନସାଧାରଣ ଟେଲିଭିଜନ, ରେଡ଼ିଓ ଓ ମୁଦ୍ରଣ ମଞ୍ଚ ବଦଳରେ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ କରୁଥିବା ସ୍ୱୀକାର କରିଥିଲେ । ପ୍ରାୟ ୫୬ ପ୍ରତିଶତ ବହୁ ସମୟ ଓ ୮୬ ପ୍ରତିଶତ ବେଳେ ବେଳେ ସ୍ମାର୍ଟଫୋନ, କମ୍ପ୍ୟୁଟର ବା ଟେବଲେଟ ଯୋଗେ ୨୦୨୩ରେ ସମ୍ୱାଦ ପାଉଥିବା ଜଣାଯାଇଥିଲା । ବର୍ଷକ ପୂର୍ବେ ୨୦୨୨ରେ ୪୯ ପ୍ରତିଶତ ବହୁ ସମୟ ଓ ୫୧ ପ୍ରତିଶତ ବେଳେ ବେଳେ ଡିଜିଟାଲ ମଞ୍ଚ ବ୍ୟବହାର କରୁଥିଲେ । ଅତୀତରେ ଟେଲିଭିଜନ ସମ୍ୱାଦ ପ୍ରସାରଣର ମୁଖ୍ୟ ସାଧନ ପାଲଟିଥିବା ସ୍ଥଳେ ୨୦୨୩ରେ ୩୨ ପ୍ରତିଶତ ଓ ୨୦୨୨ରେ ୩୧ ପ୍ରତିଶତ ନାଗରିକ ସମ୍ୱାଦ ନିମନ୍ତେ ଟେଲିଭିଜନ ଉପରେ ନିର୍ଭରଶୀଳ ଥିବା କହିଥିଲେ । ଅନ୍ୟ ଦୁଇ ମାଧ୍ୟମ ରେଡ଼ିଓ ଛଅ ପ୍ରତିଶତ ଓ ମୁଦ୍ରଣ ମଞ୍ଚ ପାଞ୍ଚ ପ୍ରତିଶତ ସମ୍ୱାଦ ଶୁଣିବା ବା ପଢ଼ିବା ନିମନ୍ତେ ଉପଯୋଗ କରୁଥିଲେ ।

ଡ଼ିଜିଟାଲ ମଞ୍ଚରେ ୨୦୨୩ରେ ଆମେରିକାବାସୀ ୨୫ ପ୍ରତିଶତ ସମ୍ୱାଦ ନିମନ୍ତେ ୱେବସାଇଟ କିମ୍ୱା ଆପ ବ୍ୟବହାର କରିଥାନ୍ତି । ତା’ପରକୁ ସର୍ଚ୍ଚ ଇଞ୍ଜିନ ଓ ସୋସିଆଲ ମିଡ଼ିଆ ପ୍ରତ୍ୟେକରେ ୧୨ ପ୍ରତିଶତ ତଥା ପଡ଼କାଷ୍ଟରେ ଛଅ ପ୍ରତିଶତ ସମ୍ୱାଦ ପାଇଥାନ୍ତି । ସମ୍ୱାଦ ୱେବସାଇଟ ଓ ଆପର ବ୍ୟବହାର ବିଗତ ଚାରି ବର୍ଷରେ କ୍ରମାଗତ ବଢ଼ିଛି । ୨୦୨୦ରେ ୨୦ ପ୍ରତିଶତରୁ ୨୦୨୧ରେ ୨୪ ପ୍ରତିଶତ ଓ ୨୦୨୨ରେ ୨୩ ପ୍ରତିଶତ ସମ୍ୱାଦ ନିମନ୍ତେ ୱେବସାଇଟ ଓ ଆପ ଉପରେ ନିର୍ଭରଶୀଳ ଥିଲେ । ଅନ୍ୟପକ୍ଷରେ ସର୍ଚ୍ଚ ଇଞ୍ଜିନ ଓ ସୋସିଆଲ ମିଡ଼ିଆର ବ୍ୟବହାର ହାର ସମାନ ରହିଆସିଛି । ପଡ଼କାଷ୍ଟର ଲୋକପ୍ରିୟତା ମଧ୍ୟ ବଢ଼ିଛି । ୨୦୨୦ରେ ତିନି ପ୍ରତିଶତ, ୨୦୨୧ ଓ ୨୦୨୨ରେ ଚାରି ପ୍ରତିଶତ ପଡ଼କାଷ୍ଟ ବ୍ୟବହୃତ ହେଉଥିଲା ।

ସମ୍ୱାଦ ଆହରଣରେ ଯୁକ୍ତରାଷ୍ଟ୍ର ଆମେରିକାର ପରିସଂଖ୍ୟାନ ଆନ୍ତର୍ଜାତିକସ୍ତରରେ ସର୍ବତ୍ର ପ୍ରଯୁଜ୍ୟ ନୁହେଁ । ତେବେ ଗଣମାଧ୍ୟମ ଅଧ୍ୟୟନରେ ସେଠାକାର ସମ୍ୱାଦ ଆହରଣ ତଥ୍ୟାବଳୀ ତିନିଗୋଟି କାରଣରୁ ଚର୍ଚ୍ଚାର ପରିସରଭୁକ୍ତ ହୋଇଥାଏ । ପ୍ରଥମତଃ, ଯୁକ୍ତରାଷ୍ଟ୍ର ଆମେରିକାରେ ଅନବରତ ସମ୍ୱାଦ ଉପଭୋକ୍ତାଙ୍କ ଆଚ଼ରଣ ଅନୁଧ୍ୟାନ କରାଯାଇଥାଏ ଏବଂ ସମସ୍ତ ତଥ୍ୟ ସହଜରେ ମିଳେ । ଦ୍ୱିତୀୟତଃ, ଏହି ଅଧ୍ୟୟନ ଦୀର୍ଘ କାଳ ଧରି ଚାଲିଆସିଥିବା ହେତୁ ତୁଳନାତ୍ମକ ସମୀକ୍ଷା ନିମନ୍ତେ ସୁଯୋଗ ସୃଷ୍ଟି ହୁଏ । ତୃତୀୟତଃ, ସେଠାକାର ସର୍ବେକ୍ଷଣଗୁଡ଼ିକ ବିଜ୍ଞାନସମତ୍ତ ଧାରାରେ ପ୍ରଯୋଜିତ ହେଉଥିବା ଏବଂ ସର୍ବେକ୍ଷଣରେ ସାଧାରଣ ନାଗରିକ ଅଂଶଗ୍ରହଣ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ହେତୁ ସଂଗୃହୀତ ତଥ୍ୟାବଳୀ ପ୍ରକୃତ ଚ଼ିତ୍ର ପ୍ରଦାନ କରିଥାଏ ।

ବିକାଶଶୀଳ ସାମାଜିକ ବ୍ୟବସ୍ଥାରେ ଗଣମାଧ୍ୟମ ଅଧ୍ୟୟନ ନିମନ୍ତେ ପର୍ଯ୍ୟାପ୍ତ ଖର୍ଚ୍ଚ ବ୍ୟବସ୍ଥା ଅଭାବ । ଫଳରେ ନମୂନା ନିର୍ବାଚ଼ନ ଓ ଆବଶ୍ୟକୀୟ ତଥ୍ୟ ସଂଗ୍ରହରେ ଅସୁବିଧା ପହଞ୍ଚେ । ସ୍ଥାନୀୟ ଜନସାଧାରଣ ସର୍ବେକ୍ଷଣରେ ଅଂଶଗ୍ରହଣ କରିବା ନିମନ୍ତେ ସଚ଼େତନ ନଥିବା ହେତୁ ଅମଙ୍ଗ ହୁଅନ୍ତି କିମ୍ୱା ଭୂଲ ତଥ୍ୟ ପ୍ରଦାନ କରନ୍ତି । ଫଳରେ ସଂଗୃହୀତ ତଥ୍ୟରେ ପ୍ରକୃତ ଅବସ୍ଥା ପ୍ରତିଫଳିତ ହୋଇପାରେ ନାହିଁ । କୌଣସି ଗବେଷଣା ଦୀର୍ଘ କାଳ ଧରି ଆୟୋଜନ କରାଯାଇ ନପାରିଲେ ତୁଳନାତ୍ମକ ଚ଼ିତ୍ର ପାଇବା ସମ୍ଭବ ହୁଏ ନାହିଁ । ଅନ୍ୟପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାର ଗବେଷଣାଲବ୍ଧ ତଥ୍ୟାବଳୀ ଅନ୍ୟାନ୍ୟ ଅଞ୍ଚଳରେ ସମଭାବେ ପ୍ରତିଫଳିତ ନ ହୋଇପାରେ । ତେବେ ତଥ୍ୟ ଓ ଗବେଷଣା ଅଭାବରେ ଗଣମାଧ୍ୟମ ବିଶ୍ଳେଷକମାନେ ମାର୍କିନ ଗଣମାଧ୍ୟମ ନିଷ୍କର୍ସଗୁଡ଼ିକୁ ସାଙ୍କେତିକ ଧାରା ଭାବେ ଗ୍ରହଣ କରିଥାନ୍ତି ।

କ୍ରମାଗତ ସର୍ବେକ୍ଷଣରୁ ଜଣାଯାଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୩ ସୁଦ୍ଧା ବିଗତ ସାତ ବର୍ଷରେ ଜନସାଧାରଣଙ୍କ ମଧ୍ୟରେ ସମ୍ୱାଦ ପ୍ରତି ଆଗ୍ରହ କମି ଆସିବାରେ ଲାଗିଛି । ୨୦୧୬ରେ ୫୧ ପ୍ରତିଶତ ସମ୍ୱାଦ ପ୍ରତି ଆଗ୍ରାହାନ୍ୱିତ ଥିବା ସ୍ଥଳେ ୨୦୧୭ରେ ୪୯ ପ୍ରତିଶତ, ୨୦୧୮ରେ ୫୨ ପ୍ରତିଶତ, ୨୦୧୯ରେ ୪୬ ପ୍ରତିଶତ, ୨୦୨୦ରେ ୪୫ ପ୍ରତିଶତ, ୨୦୨୧ରେ ୩୭ ପ୍ରତିଶତ ଓ ୨୦୨୨ରେ ୩୮ ପ୍ରତିଶତ ସମ୍ୱାଦ ପ୍ରତି ଆଗ୍ରହ ପ୍ରକାଶ କରୁଥିଲେ । ଏହି ପ୍ରବାହ ଭାରତରେ ସମଭାବେ ପ୍ରତିଫଳିତ ହେଉଥିବା ପ୍ରମାଣ ନଥିଲେ ସୁଦ୍ଧା ଡ଼ିଜିଟାଲ ମଞ୍ଚର ପ୍ରସାରରେ ସମ୍ୱାଦ ସହ ବିଭିନ୍ନ ଉପାଦାନ ଜନସାଧାରଣ ସ୍ମାର୍ଟଫୋନ ଯୋଗେ ହାତପାଆନ୍ତାରେ ପାଇପାରୁଥିବା ଅବସରରେ ସମ୍ୱାଦ ପ୍ରତି ଆଗ୍ରହାନ୍ୱିତ ନଥିବା ଅନୁମାନ କରାଯାଇପାରେ ।

ଭାରତରେ ସମ୍ୱାଦ ବିମୁଖ ପରିବେଶ ସୃଷ୍ଟିର ବିଭିନ୍ନ କାରଣ ମଧ୍ୟରେ ସାଧାରଣ ଜନଜୀବନ ଉପଯୋଗୀ ସମ୍ୱାଦ ପରିବେଷଣ ଅଭାବ, ଅଧିକ ରାଜନୀତିକ ସମ୍ୱାଦ ଓ ପକ୍ଷପତିତା ଇତ୍ୟାଦିକୁ ଚ଼ିହ୍ନଟ କରାଯାଇପାରେ । ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ପରିବେଷଣରେ ବିଶ୍ୱନୀୟତା ହାନୀ ସମ୍ୱାଦ ମଞ୍ଚଗୁଡ଼ିକ ପକ୍ଷଭୁକ୍ତ ସାମ୍ୱାଦିକତାର ପ୍ରତିନିଧି ରୂପେ ଗଢ଼ିତୋଳିବାରେ ପର୍ଯ୍ୟବଶିତ । ଏହି ପରିବେଶରେ ଇଣ୍ଟରନେଟର ପ୍ରସାର ଓ ସ୍ମାର୍ଟଫୋନ ଉପଭୋକ୍ତା ବୃଦ୍ଧି ଭାରତରେ ମଧ୍ୟ ଅନ୍ୟାନ୍ୟ ବିକଶିତ ସମାଜର ଗଣମାଧ୍ୟମ ପ୍ରବାହ ପ୍ରତିବିମ୍ୱିତ କରିବା ଆକଳନକୁ ଦୃଢ଼ୀଭୂତ କରିଥାଏ ।

‘ପିଉ ରିସର୍ଚ୍ଚ’ ସର୍ବେକ୍ଷଣ ଫଳାଫଳରେ ସମସ୍ତ ବୟସବର୍ଗରେ ସମ୍ୱାଦପ୍ରତି ଆଗ୍ରହ କମି ଆସୁଥିବା ଦର୍ଶାଯାଇଛି । ସାଧାରଣରେ ଯୁବବର୍ଗରେ ସମ୍ୱାଦ ବିମୁଖ ମନୋଭାବ ସ୍ପଷ୍ଟ ବାରି ହେଉଥିବା ସ୍ଥଳେ ବୟସ୍କ ଗୋଷ୍ଠୀ ପାରମ୍ପରିକ ଭାବେ ସମ୍ୱାଦ ମଞ୍ଚର ପୃଷ୍ଠପୋଷକତା କରି ଆସିଥିଲେ । କିନ୍ତୁ ସେଥିରେ ମଧ୍ୟ ଅଧୋଗତି ଦେଖା ଦେଇଛି । ୬୫ ବର୍ଷୋତ୍ତରଙ୍କ ମଧ୍ୟରେ ୨୦୧୬ରେ ୭୫ ପ୍ରତିଶତ ସମ୍ୱାଦ ଉପଭୋକ୍ତାଥିବା ସ୍ଥଳେ ୨୦୨୨ରେ ୬୪ ପ୍ରତିଶତକୁ ଖସି ଆସିଛି । ୧୮ରୁ ୨୯ ବର୍ଷ ବୟସ୍କଙ୍କ ମଧ୍ୟରୁ ୨୦୧୬ରେ ୨୭ ପ୍ରତିଶତ ସମ୍ୱାଦ ମଞ୍ଚ ପ୍ରତି ଆଗ୍ରହ ପ୍ରକାଶ କରୁଥିଲେ ଏବଂ ୨୦୨୨ରେ ସେମାନଙ୍କ ସଂଖ୍ୟା ୧୯ ପ୍ରତିଶତକୁ ହ୍ରାସ ପାଇଛି । ଏହି ପରିସଂଖ୍ୟାନରୁ ଭାରତ ତଥା ଓଡ଼ିଶାର ସମ୍ୱାଦ ମଞ୍ଚଗୁଡ଼ିକ ନିଜ ସ୍ଥିତି ବଞ୍ଚାଇ ରଖିବା ନିମନ୍ତେ ୫୦ ବର୍ଷୋତ୍ତର ପାଠକଙ୍କ ରୁଚ଼ି ପ୍ରତି ଧ୍ୟାନ ଦେବା ଆବଶ୍ୟକତା ପ୍ରମାଣିତ ହୋଇଥାଏ । ୫୦ ରୁ ୬୪ ବର୍ଷ ବୟସ୍କଙ୍କ ମଧ୍ୟରୁ ୪୬ ପ୍ରତିଶତ ୨୦୨୨ ସୁଦ୍ଧା ସମ୍ୱାଦ ମଞ୍ଚ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ବେଳେ ୩୦ ରୁ ୪୯ ବର୍ଷ ବୟସବର୍ଗରେ ମାତ୍ର ୨୭ ପ୍ରତିଶତରେ ସୀମିତ ।

ସାମ୍ୱାଦିକତାରେ ନୂତନତ୍ୱ ଦୈନନ୍ଦିନଭିତ୍ତିରେ ଆଶା କରାଯାଉଥିବା ସ୍ଥଳେ ସାଧାରଣରେ ସମ୍ପାଦକୀୟ ନୀତିରେ ପରିବର୍ତ୍ତନ ଅତ୍ୟନ୍ତ କଷ୍ଟସାଧ୍ୟ ଅନୁଭୂତ ହୋଇଥାଏ । ଏକପକ୍ଷରେ ପ୍ରଚଳିତ ଢାଞ୍ଚାରେ ସମ୍ପାଦକ ଓ ସାମ୍ୱାଦିକମାନେ ଅଭ୍ୟସ୍ତ ହୋଇସାରିଥିବା ଏବଂ ଅଧ୍ୟୟନ, ତାଲିମ ଓ ପ୍ରୋତ୍ସାହନ ଅଭାବରୁ ନୂତନତ୍ୱ ପ୍ରତି ଉଦାସୀନତା ପ୍ରକାଶ କରିଥାନ୍ତି । ଅପରପକ୍ଷରେ ପରିବର୍ତ୍ତନ ଉଭୟ ସୃଜନ ଓ ନିବେଶ ଆବଶ୍ୟକ କରୁଥିବା ବେଳେ ଅଧିକାଂଶ ସମ୍ୱାଦ ମଞ୍ଚରେ ସମ୍ୱଳ ଅଭାବ ପ୍ରତିବନ୍ଧକ ରୂପେ ଦଣ୍ଡାୟମାନ ହୁଏ । ତେବେ ଏହି ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ପ୍ରତ୍ୟେକ ମଞ୍ଚ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରିବା ସଂମ୍ଭବ । ସାମଗ୍ରିକଭାବେ ସମ୍ୱାଦ ମଞ୍ଚ ଗୁରୁତ୍ୱ ହରାଉଥିବା ଅବସରରେ ପୁନଋଦ୍ଧାର ଉଦ୍ୟମ ଅଭାବ ଆତ୍ମଘାତୀ ସାବ୍ୟସ୍ତ ହେବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ।

Related Post