ବିଶ୍ୱବ୍ୟାପୀ ଗଣମାଧ୍ୟମର ଡ଼ିଜିଟାଲ ରୂପାନ୍ତର, ପାରମ୍ପରିକ ବିଜ୍ଞାପନ-ଆଶ୍ରିତ ବ୍ୟାବସାୟିକ ମଡ଼େଲର କ୍ରମଶଃ ବିଲୟ ଓ ୨୦୦୮ରୁ ତେର ବର୍ଷ ଧରି ଅର୍ଥନୀତିରେ ମାନ୍ଦାବସ୍ଥା ମହାମାରୀ-ପର ପରିବେଶରେ ସାମ୍ୱାଦିକତା ପ୍ରତି ଆହ୍ୱାନ ସୃଷ୍ଟି କରିଛି । ଏଥି ସହିତ ଅସତ୍ୟ ସମ୍ୱାଦ ପ୍ରସାର ଓ ଉପଭୋକ୍ତାଙ୍କ ପରିବର୍ତ୍ତିତ ଆଚରଣ ସାମ୍ୱାଦିକଙ୍କ ବୃତ୍ତିଗତ ଜୀବନକୁ ଗଭୀର ପ୍ରଭାବିତ କରୁଥିବା ପରିଲକ୍ଷିତ । ଏହିଭଳି କାରଣରୁ ୨୦୨୨ ମଧ୍ୟଭାଗ ସୁଦ୍ଧା ସାମ୍ୱାଦିକତା ଅନୁଭବ ଅନୁଶୀଳନର ଗୁରୁତ୍ୱ ଅନୁଭୂତ ହୋଇଥାଏ ।
ଯୁକ୍ତରାଷ୍ଟ୍ର ଆମେରିକାର ‘ପିଉ ରିସର୍ଚ୍ଚ ସେଣ୍ଟର’ ସାମୟିକଭାବେ ସେଠାକାର ସାମ୍ୱାଦିକତା ସଂପର୍କରେ ଗବେଷଣା ଆୟୋଜନ କରିଥାଏ । ସଂସ୍ଥାପକ୍ଷରୁ ୨୦୨୨ ଫେବୃୟାରୀ ୧୬ରୁ ମାର୍ଚ୍ଚ ୧୭ ମାସେକାଳ ଅନୁଷ୍ଠିତ ସର୍ବେକ୍ଷଣରେ ବାର ହଜାର ମାର୍କିନ ସାମ୍ୱାଦିକ ଅଂଶ ଗ୍ରହଣ କରିଥିଲେ । ସଂଗୃହୀତ ତଥ୍ୟାବଳୀର ନିଷ୍କର୍ଷ ଜୁନ ୨୦୨୨ରେ ପ୍ରକାଶିତ ହୋଇଥିଲା । ଏଥିରେ ମୁଖ୍ୟତଃ ଗଣମାଧ୍ୟମର ସ୍ୱାଧୀନତା, ଅସତ୍ୟ ସମ୍ୱାଦ ପ୍ରସାର, ରାଜନୀତିକ ମତବାଦ ବିଭାଜନ ବା ଧ୍ରୁବଣ ‘ପଲଟିକାଲ ପୋଲରାଇଜେସନ’ ଏବଂ ସୋସିଆଲ ମିଡ଼ିଆର ପ୍ରଭାବ ସଂପର୍କରେ କାର୍ଯ୍ୟରତ ସାମ୍ୱାଦିକଙ୍କ ଦୃଷ୍ଟିକୋଣ ପରିମାପ ନିମନ୍ତେ ଉଦ୍ୟମ କରାଯାଇଥିଲା ।
ସାମ୍ୱାଦିକତାରେ ଉତ୍କର୍ଷ ପ୍ରତିପାଦନ ନିମନ୍ତେ ସାମ୍ୱାଦିକମାନେ ଦୈନନ୍ଦିନ ଭିତ୍ତିରେ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଆଧାରରେ ସମ୍ୱାଦ ପ୍ରସ୍ତୁତ କରୁଛନ୍ତି କି ? ସମ୍ୱାଦ ରଚନାରେ ସତ୍ୟତା ପରଖିବା ପ୍ରତି ଦୃଷ୍ଟି ଦିଆଯାଉଛି କି ? ଶାସନତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚ଼ିତ ପ୍ରତିନିଧିଙ୍କ କାର୍ଯ୍ୟଧାରା ସମୀକ୍ଷା କରାଯାଉଛି କି ? ଅବହେଳିତବର୍ଗଙ୍କ ଅଭାବ ଅଭିଯୋଗ ସ୍ୱର ପ୍ରତିବିମ୍ୱିତ ଓ ଅସତ୍ୟ ସମ୍ୱାଦର ପର୍ଦ୍ଦାଫାଶ କରିପାରୁଛନ୍ତି କି… ଇତ୍ୟାଦି ପ୍ରଶ୍ନର ଉତ୍ତର ସଂଗ୍ରହ ଅବସରରେ ସାମ୍ୱାଦିକମାନଙ୍କ ମଧ୍ୟରୁ ତିନି ଚ଼ତୁର୍ଥାଂଶ ସମ୍ୱାଦିକତା ବୃତ୍ତିର ସକାରାତ୍ମକ ଦିଗକୁ ସମର୍ଥନ କରିଥିବା ଜଣାଯାଇଥିଲା ।
ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୨ ଆରମ୍ଭରେ ୭୫ ପ୍ରତିଶତ ସାମ୍ୱାଦିକ ନିଜ ବୃତ୍ତି ପ୍ରତି ଗର୍ବାନ୍ୱିତ ଥିବା, ୭୭ ପ୍ରତିଶତ ସାମ୍ୱାଦିକତା ବୃତ୍ତିରେ ଭବିଷ୍ୟତରେ ନିୟୋଜିତ ରହିବା ନିମନ୍ତେ ନିଶ୍ଚିତ ଏବଂ ୭୦ ପ୍ରତିଶତ ନିଜ କାର୍ଯ୍ୟଧାରାରେ ସନ୍ତୁଷ୍ଟ ଥିବା ସ୍ୱୀକାର କରିଥିଲେ । ଅପରପକ୍ଷେ ୫୭ ପ୍ରତିଶତ ଭବିଷ୍ୟତରେ ଗଣମାଧ୍ୟମର ସ୍ୱାଧୀନତା ହାନୀ ଆଶଙ୍କା କରୁଥିବା ସ୍ଥଳେ ୭୧ ପ୍ରତିଶତ ଅସତ୍ୟ ଓ ପ୍ରାୟୋଜିତ ସମ୍ୱାଦ ପ୍ରସାରରେ ଅସନ୍ତୋଷ ପ୍ରକାଶ କରୁଥିବା ଜଣାଯାଇଥିଲା । ସର୍ବେକ୍ଷଣରେ ସଂଗୃହୀତ ତଥ୍ୟାବଳୀରୁ ପ୍ରତ୍ୟୟମାନ ହୁଏ ଯେ ସେଠାକାର ସାମ୍ୱାଦିକମାନେ ସମକାଳରେ ସମ୍ୱାଦ ପରିଧିରେ ସୃଷ୍ଟ ସମସ୍ୟାଗୁଡ଼ିକ ସଂପର୍କରେ ଉଦବେଗ ପ୍ରକାଶ କରୁଥିଲେ ହେଁ ମୋଟା ମୋଟି ଭାବେ ସାମ୍ୱାଦିକତା ବୃତ୍ତିରେ ନିୟୋଜିତ ରହିବାରେ ବଦ୍ଧପରିକର ।
ସାଂବାଦିକତା ବୃତ୍ତି ନିର୍ବାହରେ ଅସତ୍ୟ ଓ ଭୂଲ ତଥ୍ୟ ପ୍ରସାର ସମସ୍ୟା ସୃଷ୍ଟି କରୁଥିବା ମାର୍କିନ ସାମ୍ୱାଦିକମାନେ ପ୍ରକାଶ କରିଥିଲେ । ସମ୍ୱାଦ ରଚନା କାଳରେ ଏହିଭଳି ଉପାଦାନ ସଂସ୍ପର୍ଶରେ ଆସିଲେ ଅଧିକାଂଶ ସଜାଗ ହୋଇ ପ୍ରତ୍ୟାଖ୍ୟାନ କରିବା କ୍ଷମତା ଅଧିକାରୀ ହୋଇଥିଲେହେଁ କେତେକ କ୍ଷେତ୍ରରେ ପ୍ରଭାବିତ ହୋଇପଡ଼ନ୍ତି । ପ୍ରାୟ ୨୬ ପ୍ରତିଶତ ସାମ୍ୱାଦିକ ନିଜ ଅଜାଣତରେ ଅସତ୍ୟ ଓ ଭୂଲ ତଥ୍ୟ ବ୍ୟବହାର କରିଥିବା ସ୍ୱୀକାର କରିଥାନ୍ତି ।
ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମିଥ୍ୟା କିମ୍ୱା ସନ୍ଦେହଜନକ ବିବୃତ୍ତି ପ୍ରଦାନ କାଳରେ ୩୨ ପ୍ରତିଶତ ସାମ୍ୱାଦିକ ନିଜ ରଚନାରେ ସ୍ଥାନ ଦେଇନଥାନ୍ତି । ତେବେ ୬୪ ପ୍ରତିଶତ ଯାଏଁ ସାମ୍ୱାଦିକ ସମ୍ୱାଦରେ ଅନ୍ତର୍ଭୁକ୍ତ କରିଥାନ୍ତି । ବିବୃତ୍ତି ମିଥ୍ୟା ହୋଇଥିଲେହେଁ ଜନସାଧାରଣଙ୍କ ନିକଟରେ ପହୁଞ୍ଚାଇବା ସାମ୍ୱାଦିକଙ୍କ କର୍ତ୍ତବ୍ୟ ବୋଲି ବହୁ ସଂଖ୍ୟକ ଧରି ନେଇଥାନ୍ତି ।
କୌଣସି ବିଷୟରେ ପରସ୍ପର ବିରୋଧୀ ମତବାଦକୁ ସମମାତ୍ରାରେ ପ୍ରକାଶନର ସୁଯୋଗ ସୃଷ୍ଟି ପ୍ରଚଳିତ ଧାରା । ତେବେ ୪୪ ପ୍ରତିଶତ ଏହାର ସପକ୍ଷରେ ମତ ରଖିଥିବା ସ୍ଥଳେ ୫୫ ପ୍ରତିଶତ ସାମ୍ୱାଦିକ ସମସ୍ତ କ୍ଷେତ୍ରରେ ଏହି ନିୟମ ଲାଗୁ କରିବାକୁ ବିରୋଧ କରିଥାନ୍ତି ।
ସମ୍ୱାଦ ରଚ଼ନା କାଳରେ ସାମ୍ୱାଦିକମାନେ ନିଜ ବ୍ୟକ୍ତିଗତ ଦୃଷ୍ଟିକୋଣ ପ୍ରତିପାଦିତ ନକିରବା ଲାଗି ୮୨ ପ୍ରତିଶତ ସାମ୍ୱାଦିକ ମତ ରଖିଥାନ୍ତି । ତେବେ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ସମ୍ୱାଦରେ ନିଜ ଅଭିମତ ପ୍ରକାଶନରେ ବିରତ ରହୁଥିବା ୫୫ ପ୍ରତିଶତ ସାମ୍ୱାଦିକ ସୂଚ଼ିତ କରୁଥିବା ସ୍ଥଳେ ୩୪ ପ୍ରତିଶତ ସାମ୍ୱାଦିକ ସବୁ କ୍ଷେତ୍ରରେ ସମ୍ଭବ ହୋଇପାରୁନଥିବା ଅଭିଯୋଗ ଆଣିଥାନ୍ତି ।
ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ସାମ୍ୱାଦିକତା ପ୍ରତି ଜନସାଧାରଣଙ୍କ ବିଶ୍ୱାସ କ୍ରମଶଃ କମି ଆସୁଥିବା ଧାରା ସଂପର୍କରେ ମାର୍କିନ ସାମ୍ୱାଦିକମାନେ ସଚ଼େତନ । ମାତ୍ର ୧୪ ପ୍ରତିଶତ ସାମ୍ୱାଦିକ ସମ୍ୱାଦ ମଞ୍ଚଗୁଡ଼ିକ ଉପରେ ଜନସାଧାରଣ ପୂର୍ଣ୍ଣ ଭରସା ରଖୁଥିବା ବିଶ୍ୱାସ କରୁଥିବା ବେଳେ ୪୨ ପ୍ରତିଶତ ବିଶ୍ୱାସ ହରାଇଥିବା ଏବଂ ୪୪ ପ୍ରତିଶତ କେତେକାଂଶରେ ବିଶ୍ୱାସଯୋଗ୍ୟ ପ୍ରମାଣିତ ହେଉଥିବା ଦର୍ଶାଇଥିଲେ । ଅବଶ୍ୟ ସାମ୍ୱାଦିକତାର ବିଶ୍ୱସନୀୟତା ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ମତ ସଂଗ୍ରହ କାଳରେ ୪୪ ପ୍ରତିଶତ ବିଶ୍ୱାସ ହରାଇଥିବା, ୨୭ ପ୍ରତିଶତ ସାମାନ୍ୟ ରୂପେ ବିଶ୍ୱାସ କରୁଥିବା ଏବଂ ୨୯ ପ୍ରତିଶତ ପୂର୍ଣ୍ଣ ବିଶ୍ୱାସ କରୁଥିବା ସ୍ୱୀକାର କରିଥିଲେ ।
ଆଲୋଚ଼୍ୟ ଗବେଷଣାରୁ ଜଣାଯାଇଛି ଯେ ସାମ୍ୱାଦିକତା ବୃତ୍ତିରେ ଟେଲିଭିଜନ ମଞ୍ଚର ସାମ୍ୱାଦିକମାନେ ଅନ୍ୟାନ୍ୟ ଗଣମାଧ୍ୟମ ମଞ୍ଚ ତୁଳନାରେ ଅସୁଖୀ । ମୁଦ୍ରଣ ମଞ୍ଚରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କ ମଧ୍ୟରୁ ୫୨ ପ୍ରତିଶତ, ଅନଲାଇନ ମଞ୍ଚରେ ୫୪ ପ୍ରତିଶତ ଓ ରେଡ଼ିଓ ମଞ୍ଚରେ ୪୮ ପ୍ରତିଶତ ନିଜ ବୃତ୍ତିଗତ ସାମ୍ୱାଦିକତା ଜୀବନରେ ସନ୍ତୁଷ୍ଟ ଥିବା ସ୍ଥଳେ ଟେଲିଭିଜନ ମଞ୍ଚର ମାତ୍ର ୩୪ ପ୍ରତିଶତ ସନ୍ତୋଷ ବ୍ୟକ୍ତ କରିଥାନ୍ତି । ଟେଲିଭିଜନ ମଞ୍ଚର ସାମ୍ୱାଦିକମାନେ ନିଜ କାର୍ଯ୍ୟକ୍ଷେତ୍ର ବାହାରେ ଅନ୍ୟମାନଙ୍କ ଆକ୍ରୋଶର ଶୀକାର ହେଉଥିବା ଅଭିଯୋଗ ମଧ୍ୟ ବାଢ଼ିଥାନ୍ତି । ସେମାନଙ୍କ ସଂଖ୍ୟା ପ୍ରାୟ ୫୮ ପ୍ରତିଶତ ହିସାବ କରାଯାଇଛି ।
ସାମଗ୍ରିକ ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ କାର୍ଯ୍ୟରତ ପ୍ରତି ଦଶ ଜଣ ସାମ୍ୱାଦିକଙ୍କ ମଧ୍ୟରେ ସାତ ଜଣ ଯାଏଁ ବୃତ୍ତିଗତ ଭାବେ ସନ୍ତୁଷ୍ଟ ଥିବା ସର୍ବେକ୍ଷଣ ତଥ୍ୟ ବିଶ୍ଳେଷଣରୁ ଜଣାଯାଇଛି । ସେମାନଙ୍କ ମଧ୍ୟରେ ୨୭ ପ୍ରତିଶତ ପୂର୍ଣ୍ଣ ସନ୍ତୁଷ୍ଟ ଏବଂ ୪୩ ପ୍ରତିଶତ ଆଂଶିକ ଭାବେ ସନ୍ତୁଷ୍ଟ ଥିବା ହିସାବ କରାଯାଏ । ମାତ୍ର ୨୨ ପ୍ରତିଶତ ଅସନ୍ତୁଷ୍ଟ ରହୁଥିବା ଏବଂ ୮ ପ୍ରତିଶତ କୌଣସି ମନ୍ତବ୍ୟ ଦେବା ନିମନ୍ତେ ଅମଙ୍ଗ ଥିବା ପ୍ରକାଶ ।
ସାମ୍ୱାଦିକମାନଙ୍କ ବୃତ୍ତିଗତ ସନ୍ତୋଷ ଅନୁଭବ ମାର୍କିନ ସାମ୍ୱାଦିକତାର ଉଜ୍ଜଳ ଭବିଷ୍ୟତର ସୂଚ଼ନା ଦେଇଥାଏ । ସାମ୍ୱାଦିକତା ଏକ ସୃଜନ କଳା । ଏହା ସାହିତ୍ୟ, ସଙ୍ଗୀତ, ନୃତ୍ୟ, ନାଟକ, ବା କ୍ରୀଡ଼ାଭଳି ରୁଚ଼ି-କେନ୍ଦ୍ରୀକ ସଂପୃକ୍ତି ପର୍ଯ୍ୟାୟଭୁକ୍ତ ହେଉଥିବା ହେତୁ ବ୍ୟାବସାୟିକ ବିଫଳତା ବା ପାରିପାର୍ଶ୍ୱିକ ଦୁରାବସ୍ଥା ସର୍ଜନଶୀଳଙ୍କୁ ନିରୁତ୍ସାହିତ କରିପାରିବ ନାହିଁ । ଯେତେଦିନ ସାମ୍ୱାଦିକତା ପ୍ରତି ଆଗ୍ରହ ବଳବତ୍ତର ରହିଛି ସେତେଦିନ ଯାଏଁ ସମ୍ୱାଦିକତାରେ ଉତ୍କର୍ଷ ବଜାୟ ରହିବା ବିଶ୍ୱାସ କରାଯାଇପାରେ ।
ସାମାଜିକ ବ୍ୟବସ୍ଥାରେ ଅସତ୍ୟ ଓ ଭୂଲ ତଥ୍ୟ ପ୍ରତି ସଜାଗ ଥିବା ତଥା ସମ୍ୱାଦ ରଚନା କାଳରେ ବ୍ୟକ୍ତିଗତ ଅଭିମତକୁ ଦୂରେଇ ରଖିବା ସପକ୍ଷରେ ଯୁକ୍ତି ବାଢୁଥିବା ମନୋବୃତ୍ତି ସାମ୍ୱାଦିକତାରେ ଉତ୍କର୍ଷର ପରିଚାୟକ । ସେହିପରି ଜନସାଧାରଣରେ ସମ୍ୱାଦମଞ୍ଚ ବିଶ୍ୱନୀୟତା ହରାଇ ବସୁଥିବା ସଂପର୍କରେ ସାମ୍ୱାଦିକମାନେ ସଚ଼େତନ ଥିବା ହେତୁ ଗଣମାଧ୍ୟମ ପରିଧିରେ ବିଭିନ୍ନ ତୃଟିବିଚ୍ୟୁତିକୁ ସଜାଡ଼ିବାରେ ସମର୍ଥ ହେବା ଆଶା ସଞ୍ଚାର କରିଥାଏ । ସାମ୍ୱାଦିକମାନଙ୍କ ସାମ୍ୱାଦିକତା ଅନୁଭବ ସଂପର୍କରେ ପ୍ରମାଣଭିତ୍ତିକ ତଥ୍ୟ ସଂଗ୍ରହ ସାମ୍ୱାଦିକତା ବୃତ୍ତିଧାରୀଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ । ବ୍ୟକ୍ତିଗତ ଓ ସାମୂହିକସ୍ତରରେ ନୀତି ନିର୍ଦ୍ଧାରଣ ନିମନ୍ତେ ଏହିଭଳି ଗବେଷଣା ସହାୟକ ହୋଇଥାଏ ।
