ଆଜିର ଖାସ ଖବର
Sat. May 30th, 2026

ସମ୍ୱାଦ ମଞ୍ଚର ମାଲିକାନା

By Dainikasha Jul12,2024

ସାମ୍ୱାଦିକତାରେ ଉତ୍କର୍ଷ ପ୍ରଦର୍ଶନ ଅନେକାଂଶରେ ସମ୍ୱାଦମଞ୍ଚର ମାଲିକାନା ଉପରେ ନିର୍ଭରଶୀଳ । ଊନବିଂଶ ଶତାଦ୍ଦୀ ଆଦ୍ୟ ଭାଗରେ ପାଶ୍ଚାତ୍ୟ ଭୂଖଣ୍ଡରେ ମୁଦ୍ରିତ ସମ୍ୱାଦପତ୍ର ସାକ୍ଷରତା ପ୍ରସାର, ମାନବିକ ଅଧିକାର ସୁରକ୍ଷା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବିକାଶର ସାଧନ ରୂପେ ସ୍ୱୀକୃତି ଲାଭ କରିଥିଲା । ଏକବିଂଶ ଶତାଦ୍ଦୀରେ ଆନ୍ତର୍ଜାତିକ ସହାବସ୍ଥାନ ‘ଗ୍ଳୋବାଲ ଭିଲେଜ’ ପରିକଳ୍ପନାରେ ସାମ୍ୱାଦିକତା ନିୟୋଜିତ । ଏତାଦୃଶ ଦାୟିତ୍ୱ ବହନରେ ସମ୍ୱାଦମଞ୍ଚର ମାଲିକାନା ଗୁରୁତ୍ୱ ବହନ କରିଥାଏ ।

ସମ୍ୱାଦପତ୍ରର ବିକାଶ ଶିଳ୍ପ ସଭ୍ୟତାର ଅଂଶବିଶେଷ । ଗଣତାନ୍ତ୍ରିକ ଶାସନ ପଦ୍ଧତି ପ୍ରଚଳନରେ ସାମ୍ୱାଦିକତାର ଭୂମିକା ସ୍ୱୀକୃତ । ସାଧାରଣ ଜୀବନରେ ଅଂଶ ଗ୍ରହଣ ନିମନ୍ତେ ବ୍ୟକ୍ତି ସମାଜର ପାରିପାର୍ଶ୍ୱିକ ଘଟଣାକ୍ରମ ସଂପର୍କରେ ଅବଗତ ହେବାକୁ ପ୍ରାଥମିକତା ଦିଏ । ରାଜନୀତିକସ୍ତରରେ ଏହା ମୌଳିକ ଅଧିକାର ଏବଂ ସ୍ଥାନୀୟ ସମ୍ୱାଦମଞ୍ଚଗୁଡ଼ିକ ସମ୍ୱାଦ ସରବରାହର ଦାୟିତ୍ୱ ନିର୍ବାହ କରିଥାନ୍ତି । ସାମଗ୍ରିକଭାବେ ସାମ୍ୱାଦିକତା ଜନଜୀବନକୁ କେତେକ ଦିଗରୁ ନିୟନ୍ତ୍ରିତ କରିଥାଏ ।

ଶିଳ୍ପ ସଭ୍ୟତା ପରିପ୍ରକାଶ ପୂର୍ବାବସ୍ଥାରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଶାସକମାନେ ଜନସମୁଦାୟରେ ସମ୍ୱାଦ ପ୍ରସାର ନିମନ୍ତେ ଭିନ୍ନ ଭିନ୍ନ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଖ୍ରୀଷ୍ଟପୂର୍ବ ୫୯ ବେଳକୁ ଜୁଲିଅସ ସିଜରଙ୍କ ଶାସନ କାଳରେ ‘ଆକ୍ଟା ଦୁରିନା’ ନାମରେ ଦୈନିକ ପ୍ରସ୍ତର କିମ୍ୱା ଧାତୁ ଫଳକରେ ଲିଖିତ ସମ୍ୱାଦପତ୍ର ସରକାରୀସ୍ତରରେ ପ୍ରସ୍ତୁତ କରାଯାଇ ରୋମର ଜନବହୁଳ ସ୍ଥାନମାନଙ୍କରେ ଟଙ୍ଗା ଯାଉଥିଲା । ଚୀନରେ ୬୧୮ରୁ ୧୯୧୧ ଖ୍ରୀଷ୍ଟାବ୍ଦ ଯାଏଁ ଦୀର୍ଘ ହଜାରେ ବର୍ଷ ଧରି ‘ବୋ’ ନାମରେ ଶାସକଙ୍କ ପକ୍ଷରୁ ପ୍ରସ୍ତୁତ ଏକ ଦୈନିକ ସମ୍ୱାଦପତ୍ର ଉଚ୍ଚପଦସ୍ଥ କର୍ମଚାରୀଙ୍କ ମଧ୍ୟରେ ପ୍ରସାରିତ କରାଯାଉଥିଲା ।

ସେହିପରି ୟୁରୋପର ବିଭିନ୍ନ ରାଷ୍ଟ୍ରରେ ସରକାରଙ୍କ ଦ୍ୱାରା ନିଯୁକ୍ତ ଲେଖକମାନେ ସମ୍ୱାଦ ପତ୍ରିକା ପ୍ରସ୍ତୁତ କରି ସମ୍ୱାଦ ଘୋଷକ ‘ନିଉଜ କ୍ରାଏରର୍ସ’ଙ୍କ ଦ୍ୱାରା ଗ୍ରାମ-ସହରର ବଜାର-ହାଟରେ ଶାସନ ଖବର ପଢ଼ି ଶୁଣାଉଥିଲେ । ବ୍ୟବସାୟୀମାନଙ୍କ ଦ୍ୱାରା ଗୋଟିଏ ମଣ୍ଡିର ଦ୍ରବ୍ୟ ମୂଲ୍ୟ ଅନ୍ୟ ମଣ୍ଡିର ବ୍ୟବସାୟୀଙ୍କ ଗହଣରେ ପ୍ରସାର ନିମନ୍ତେ ସମ୍ୱାଦ ପତ୍ରାଂଶ ‘ନିଉଜଲେଟର’ ପ୍ରସ୍ତୁତି ଓ ପ୍ରସାରଣର ବ୍ୟବସ୍ଥା ରହିଥିଲା । ଷଷ୍ଠଦଶ ଶତାଦ୍ଦୀ ବେଳକୁ ମୁଦ୍ରଣ କଳାକୌଶଳ ପ୍ରସାର ପରେ ଏକକ ବିଷୟରେ ବିସ୍ତୃତ ବିବରଣୀ ସମ୍ୱାଦ ପୁସ୍ତିକା ‘ନିଉଜ ବୁକ୍ସ’ ଆକାରରେ ସମ୍ୱାଦପତ୍ରର ମୌଳିକ ରୂପ ଉନ୍ମେଷ ହୋଇଥିଲା ।

ସମ୍ୱାଦପତ୍ର ବିକାଶରେ ଗଣତାନ୍ତ୍ରିକ ଶାସନ ପଦ୍ଧତି ପରକୁ ବୈଷୟିକ ପ୍ରଗତି ଅନ୍ୟତମ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଆସିଛି । ମୁଦ୍ରଣ ଯନ୍ତ୍ରର ପ୍ରସାର ସହ ସମ୍ୱାଦପତ୍ରର ଲୋକପ୍ରିୟତା ଯୋଡ଼ି ହୋଇରହିଥିବା ସ୍ଥଳେ ଲଣ୍ଡନରେ ୧୮୧୪ରେ ବାଷ୍ପଚାଳିତ ସ୍ୱୟଂକ୍ରିୟ ‘ଡ଼ବଲ ପ୍ରେସ’ ପ୍ରଚଳନ ଫଳରେ ଘଣ୍ଟାକୁ ପାଞ୍ଚହଜାର କିତା ମୁଦ୍ରଣ ସଂଭବ ହୋଇପାରିଥିଲା । ସେହିପରି ଶିଶା ଅକ୍ଷର ହାତରେ ଯୋଡ଼େଇ ବଦଳରେ ନ୍ୟୂୟର୍କରେ ୧୮୬୬ରେ ‘ଲାଇନୋଟାଇପ’ ଯନ୍ତ୍ର ବ୍ୟବହାର ସମ୍ୱାଦ ପ୍ରକାଶନକୁ ପାଞ୍ଚ ଗୁଣ ଯାଏଁ କ୍ଷୀପ୍ର କରିପାରିଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଉଭୟ ଗଣତାନ୍ତ୍ରିକ ଶାସନ ପଦ୍ଧତି ଓ ସମ୍ୱାଦପତ୍ର ଶିଳ୍ପର ବ୍ୟାପକ ପ୍ରସାର ଘଟିଥିଲା । ସମତାଳରେ ଉନ୍ନତ ଯୋଗାଯୋଗ ଓ ପରିବହନ କ୍ଷେତ୍ରରେ ପ୍ରଗତି ସମ୍ୱାଦ ମଞ୍ଚକୁ ଶକ୍ତିଶାଳୀ କରିଥିଲା । ବାଣିଜ୍ୟ ବ୍ୟବସାୟରେ କ୍ରମୋନ୍ନତି ବିଜ୍ଞାପନ ବ୍ୟୟ ବୃଦ୍ଧିରେ ପ୍ରତିଫଳିତ ହେବା ଅବସରରେ ସମ୍ୱାଦ ମଞ୍ଚ ବିଜ୍ଞାପନ-ଆଶ୍ରିତ ବ୍ୟବସାୟ ମଡ଼େଲରେ ସମୃଦ୍ଧ ହୋଇପାରିଥିଲା । ଅବଶ୍ୟ ବିଂଶ ଶତାଦ୍ଦୀ ଶେଷ ଦଶକରେ ଡିଜିଟାଲ ମଞ୍ଚର ବିକାଶ ଓ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ବିଜ୍ଞାପନ ଆୟ ହ୍ରାସ ନୂତନ ସମୀକରଣ ସୃଷ୍ଟି କରିଛି ।

ସାଂବାଦିକତା ବିକାଶର ସୁଦୀର୍ଘ ଇତିହାସରେ ସମ୍ୱାଦ ମଞ୍ଚଗୁଡ଼ିକର ମାଲିକନା ସମ୍ପାଦକୀୟ ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରୁଥିବା ସୁସ୍ୱଷ୍ଟ । ସମ୍ପାଦକୀୟ ନୀତି ଶାସକ-କେନ୍ଦ୍ରୀକ ହେଲେ ସାମ୍ୱାଦିକତା ଜନ-ସମର୍ଥନ ହରାଇ ବସେ । ସମ୍ୱାଦ ମଞ୍ଚଗୁଡ଼ିକ ବିଭିନ୍ନ କାରଣରୁ ଶାସକ ଅନୁକୂଳ ମନୋଭାବର ବଶବର୍ତ୍ତୀ ହୋଇଥାନ୍ତି । ଏକ ପକ୍ଷରେ ଶାସକଙ୍କ ପକ୍ଷରୁ ସମ୍ୱାଦ ମଞ୍ଚ ନିବେଦନ ‘ସ୍ପୋନସର’ କରାଯାଉଥିବା ସ୍ଥଳେ ଅପରପକ୍ଷେ ଶାସକଙ୍କ କୃପା ଲାଭ ଉଦ୍ଦେଶ୍ୟରେ ସମ୍ୱାଦ ମଞ୍ଚ ପକ୍ଷରୁ ଉଦ୍ୟମ କରାଯାଇଥାଏ । ଉଭୟ କ୍ଷେତ୍ରରେ ସାମ୍ୱାଦିକତାର ମୂଳ ଲକ୍ଷ୍ୟ ପ୍ରତିହତ ହୁଏ ।

ମହାମାରୀ-ପୂର୍ବାବସ୍ଥାରେ ଆନ୍ତର୍ଜାତିକ ଫରାସୀ ସମ୍ୱାଦ ସମୀକ୍ଷା ପ୍ରତିଷ୍ଠାନ ‘ରିପୋର୍ଟରସ ଉଇଦାଉଟ ବୋଡ଼ର୍ସ’ ପକ୍ଷରୁ ‘ମିଡ଼ିଆ ଓନରସିପ ମନିଟର’ ଶୀର୍ଷକ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ୨୦୧୮ରେ ଆହୂତ ଏହି ଅଧ୍ୟୟନର ବିବରଣୀ ୨୦୧୯ରେ ପ୍ରକାଶିତ ହୋଇଥିଲା । ଏଥିରୁ ଜଣାଯାଇଥିଲା ଯେ ଭାରତର ଆଞ୍ଚଳିକ ସମ୍ୱାଦ ପରିବେଷଣ ପରିବେଶ କତିପୟ ଗଣମାଧ୍ୟମ ନିବେଶକଙ୍କ ଦ୍ୱାରା ପରିଚାଳିତ । ସମ୍ୱାଦପତ୍ର, ସମ୍ୱାଦ ଟେଲିଭିଜନ ଓ ଡ଼ିଜିଟାଲ ସମ୍ୱାଦ ପୋର୍ଟାଲର ସଂଖ୍ୟା ଅଧିକ ଥିଲେ ହେଁ ସମ୍ୱାଦ ଉପଭୋକ୍ତାମାନେ ମାତ୍ର କେତେଗୋଟି ନିର୍ବାଚ଼ିତ ମଞ୍ଚରୁ ସମ୍ୱାଦ ଆହରଣ କରିଥାନ୍ତି । ଫଳରେ ସଂପୃକ୍ତ ମଞ୍ଚଗୁଡ଼ିକର ଅଳ୍ପ ସଂଖ୍ୟକ ମାଲିକଙ୍କ କର୍ତ୍ତୃତ୍ୱ ବିସ୍ତୃତ ଜନସଂଖ୍ୟା ଉପରେ ବଳବତ୍ତର ରହେ ।

ହିସାବ ଅନୁଯାୟୀ ୨୦୧୮ରେ ଭାରତରେ ଏକ ଲକ୍ଷ ଅଠର ହଜାର ରେଜିଷ୍ଟ୍ରିଭୁକ୍ତ ପତ୍ରପତ୍ରିକା, ୩୮୦ ଗୋଟି ସମ୍ୱାଦଭିତ୍ତିକ ସମେତ ୮୮୦ ଗୋଟି ଉପଗ୍ରହ ଟେଲିଭିଜନ ଚ୍ୟାନେଲ ଏବଂ ୫୫୦ ଗୋଟି ଏଫଏମ ରେଡ଼ିଓ ଷ୍ଟେସନ ରହିଥିଲା । ‘ମିଡ଼ିଆ ଓନରସିପ ମନିଟର’ ପକ୍ଷରୁ ୫୮ ଗୋଟି ଆଗଧାଡ଼ିର ସମ୍ୱାଦ ମଞ୍ଚ ଅଧ୍ୟାୟନରୁ ଜଣାଯାଇଥିଲା ଯେ ହିନ୍ଦି ଭାଷାଭାଷୀ ଅଞ୍ଚଳରେ ୭୬ ପ୍ରତିଶତ ସମ୍ୱାଦ ଉପଭୋକ୍ତା ଦୈନିକ ଜାଗରଣ, ହିନ୍ଦୁସ୍ଥାନ, ଅମର ଉଜାଲା ଓ ଦୈନିକ ଭାସ୍କର ଚାରିଗୋଟି ବୃହତ ପ୍ରକାଶକଙ୍କ ଉପରେ ନିର୍ଭରଶୀଳ ।

ସେହିପରି ତାମିଲ ଭାଷାଭାଷୀଙ୍କ ମଧ୍ୟରେ ଦୁଇ ତୃତୀୟାଂଶ ଦୁଇଗୋଟି ସମ୍ୱାଦପତ୍ର ଏବଂ ତେଲୁଗୁ ଭାଷାଭାଷୀଙ୍କ ମଧ୍ୟରେ ୭୧ ପ୍ରତିଶତ ପାଠକ ଇନାଡୁ ଓ ସାକ୍ଷୀ ସମ୍ୱାଦମଞ୍ଚ ଅନୁସରଣ କରିଥାନ୍ତି । ଓଡ଼ିଆ ସମେତ ବଙ୍ଗଳା, ଆସାମୀୟ, ପଞ୍ଜାବୀ, କନ୍ନଡ଼, ମରାଠୀ, ଗୁଜରାଟୀ ଓ ଉର୍ଦ୍ଦୁ ଭାଷାଭାଷୀଙ୍କ ମଧ୍ୟରେ ପାଠକ ସଂଖ୍ୟା କେବଳ କେତେଗୋଟି ମଞ୍ଚରେ ସୀମିତ । ଓଡ଼ିଆରେ ସତୁରିରୁ ଅଧିକ ଦୈନିକ ସମ୍ୱାଦପତ୍ର ପ୍ରକାଶିତ ହେଉଥିଲେହେଁ ବଜାରରେ ଦଶରୁ ଅଧିକ ଶୀର୍ଷକ ନଜରକୁ ଆସେ ନାହିଁ । ସେଥିମଧ୍ୟରୁ ପାଞ୍ଚଗୋଟି ପାଠକ ସଂଖ୍ୟାର ଅଧିକାଂଶ ଅକ୍ତିଆର କରିଥାନ୍ତି ।

ଭାରତର ଆଞ୍ଚଳିକ ଭାଷାଗୁଡ଼ିକର ସମ୍ୱାଦପତ୍ର ମଧ୍ୟରେ ହାରାହାରି ପ୍ରସାରରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରୁଥିବା ଦୁଇଗୋଟି ସମ୍ୱାଦପତ୍ର ସଂପୃକ୍ତ ଭାଷାଭାଷୀ ପଠକଙ୍କ ମଧ୍ୟରୁ ଅର୍ଦ୍ଧେକ ଦାବୀ କରୁଥିବା ‘ମିଡ଼ିଆ ଓନରସିପ ମନିଟର’ ଅଧ୍ୟୟନରୁ ସୁସ୍ପଷ୍ଟ । ଅର୍ଥାତ ସଂପୃକ୍ତ ମଞ୍ଚର ମାଲିକମାନେ ସ୍ଥାନୀୟ ରାଜନୀତି, ପ୍ରଶାସନ, ବ୍ୟବସାୟ, ସାମାଜିକ ଓ ସାଂସ୍କୃତିକ ପରିବେଶ ପ୍ରଭାବିତ କରିବା ସୁଯୋଗ ପାଇଥାନ୍ତି । ଅଧ୍ୟୟନରୁ ଏହା ମଧ୍ୟ ଜଣାଯାଇଛି ଯେ ଅଧିକାଂଶ ଆଞ୍ଚଳିକ ସମ୍ୱାଦ ମଞ୍ଚ ବ୍ୟବସାୟ ମାଲିକାନା ପାରିବାରିକ ସମ୍ପତ୍ତି ।

ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ଚରିତାର୍ଥରେ ସମ୍ୱାଦ ମଞ୍ଚ ସହାୟକ ହୋଇଥାଏ । ଗଣତାନ୍ତ୍ରିକ ଶାସନଧାରାରେ ସର୍ବସାଧାରଣଙ୍କ ଯୋଗଦାନ, ମାନବିକ ଅଧିକାର ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ପ୍ରବାହ ନିୟନ୍ତ୍ରଣରେ ସମ୍ୱାଦ ମଞ୍ଚର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ସମ୍ୱାଦ ମଞ୍ଚଗୁଡ଼ିକ ସାମୂହିକ ସ୍ୱାର୍ଥ ରକ୍ଷାରେ ନିୟୋଜିତ ହେବା ଆବଶ୍ୟକ । ତେବେ ସମ୍ୱାଦ ମଞ୍ଚଗୁଡ଼ିକ ବ୍ୟାବସାୟିକ ପ୍ରତିଷ୍ଠାନ ରୂପେ ବିକଶିତ ହେଉଥିବା ହେତୁ ସଂପୃକ୍ତ ବ୍ୟବସାୟର ନିବେଶକଗଣ ଜନସ୍ୱାର୍ଥ ବଦଳରେ ବ୍ୟାବସାୟିକ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ସ୍ୱାଭାବିକ । ସାମ୍ୱାଧାନିକ ବିଧି ବ୍ୟବସ୍ଥାରେ ସମ୍ୱାଦ ମଞ୍ଚକୁ ବ୍ୟାବସାୟିକ ମାଲିକାନାରୁ କ୍ଷାନ୍ତ କରିବା ଅସଂଭବ ।

ଏହି ପରିପ୍ରେକ୍ଷୀରେ ଅଣ-ବ୍ୟାବସାୟିକ ସମ୍ୱାଦ ମଞ୍ଚ ବିକାଶ ଏକମାତ୍ର ବିକଳ୍ପ । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକା ସମେତ ବିଶ୍ୱର କେତେକ ରାଷ୍ଟ୍ରରେ ଅଣ-ବ୍ୟାବସାୟିକ ସମ୍ୱାଦ ମଞ୍ଚ ମୁଣ୍ଡ ଟେକିଛି । ଏହି ମଡ଼େଲର କାର୍ଯ୍ୟକାରିତା ନିମନ୍ତେ ମହାମାରୀ-ପର ଅବସ୍ଥାରେ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲେହେଁ ଏଦିଗରେ ଅଗ୍ରଗତି ସମୟ କହିବ । 

Related Post