ବିଶ୍ୱବ୍ୟାପୀ ଲୋକପ୍ରିୟ ଭିଡ଼ିଓ ସେଆରିଂ ଆପ୍ଲିକେସନ ‘ଆପ’ଗୁଡ଼ିକ କ୍ରମଶଃ ସମ୍ୱାଦ ପ୍ରସାରଣର ନୂତନ ମଞ୍ଚ ରୂପେ ବିକଶିତ ହୋଇଚାଲିଥିବା ଧାରା ଗଣମାଧ୍ୟମ ପରିଧିରେ ଏକ ନୂତନ ସମୀକରଣ ସୃଷ୍ଟି କରିବ । ଯୁକ୍ତରାଷ୍ଟ୍ର ଆମେରିକାରେ ୟୁଟ୍ୟୁବ ମଞ୍ଚରେ ୨୬ ପ୍ରତିଶତ ଯାଏଁ ସେଠାକାର ପ୍ରାପ୍ତବୟସ୍କ ନାଗରିକ ସମ୍ୱାଦ ଆହରଣ କରୁଥିବା ତଥ୍ୟ ଅନେକଙ୍କୁ ବିସ୍ମିତ କରିଥାଏ । ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ୟୁଟ୍ୟୁବ ଆଧିପତ୍ୟ ଜାହିର କରିଥିବା ସ୍ଥଳେ ଚ଼ୀନ ଭଳି କେତେକ ରାଷ୍ଟ୍ରରେ ବିକଳ୍ପ ଭିଡ଼ିଓ ମଞ୍ଚ ବ୍ୟବହୃତ । ଅଭିବ୍ୟକ୍ତିରେ ସ୍ୱାଧୀନତା ଉପଭୋଗ କରୁଥିବା ରାଷ୍ଟ୍ରଗୁଡ଼ିକରେ ଆପାତତଃ ସମ୍ୱାଦ ପ୍ରସାରଣରେ ଭିଡ଼ିଓ ମଞ୍ଚ ଉପଯୋଗରେ ଆଗୁଆ ରହୁଥିବା ପରିଲକ୍ଷିତ ।
ମାର୍କିନ ସ୍ୱାଧୀନ ଗବେଷଣା ପ୍ରତିଷ୍ଠାନ ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ମହାମାରୀର ଠିକ ପୂର୍ବରୁ ୨୦୨୦ ଜାନୁୟାରୀ ୬ ରୁ ୨୦ ତାରିଖ ମଧ୍ୟରେ ୧୨,୬୩୮ ଜଣ ପ୍ରାପ୍ତବୟସ୍କ ନାଗରିକଙ୍କ ଗହଣରେ ସେମାନଙ୍କ ଭିଡ଼ିଓ ମଞ୍ଚ ବ୍ୟବହାର ସଂପର୍କରେ ଆୟୋଜିତ ସର୍ବେକ୍ଷଣ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅବତାରଣା କରିଥିଲା । ପ୍ରଥମତଃ, ଭିଡ଼ିଓ ମଞ୍ଚରେ ଉପଭୋକ୍ତାଙ୍କ ସଂଖ୍ୟା ବଢ଼ି ଚାଲିଛି । ସର୍ଚ୍ଚଇଞ୍ଜିନରେ ଯେକୌଣସି ବିଷୟରେ ତଥ୍ୟ ଖୋଜିବା ଭଳି ଜନସାଧାରଣ ଭିଡ଼ିଓ ସେଆରିଂ ପ୍ଲାଟଫର୍ମରେ ସମ୍ୱାଦଧର୍ମୀ ଭିଡ଼ିଓ ଖୋଜୁଛନ୍ତି ।
ଦ୍ୱିତୀୟତଃ, ଜନସାଧାରଣଙ୍କ ମଧ୍ୟରୁ ଏକଚ଼ତୁର୍ଥାଂଶ ୟୁଟ୍ୟୁବରେ ସମ୍ୱାଦ ଆହରଣ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ ଏହାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ସ୍ଥଳେ ୫୯ ପ୍ରତିଶତ ଅନ୍ୟାନ୍ୟ ମଞ୍ଚ ସହ ସମ୍ୱାଦ ଆହରଣ ନିମନ୍ତେ ଗ୍ରହଣ କରିଥାନ୍ତି । ଅର୍ଥାତ ୟୁଟ୍ୟୁବ ସ୍ୱଳ୍ପ ସଂଖ୍ୟକଙ୍କ ମଧ୍ୟରେ ପ୍ରମୁଖ ସମ୍ୱାଦ ମଞ୍ଚର ମାନ୍ୟତା ପାଇ ସାରିଥିବା ସ୍ଥଳେ ଅର୍ଦ୍ଧାଧିକଙ୍କ ବିଶ୍ୱାସଭାଜନ ହୋଇପାରିଛି ।
ତୃତୀୟତଃ, ଯୁକ୍ତରାଷ୍ଟ୍ର ଆମେରିକା ପୃଷ୍ଠଭୂମିରେ ୟୁଟ୍ୟୁବରେ ପ୍ରତିଷ୍ଠିତ ସମ୍ୱାଦପତ୍ର, ଟେଲିଭିଜନ ଓ ଅନଲାଇନ ମଞ୍ଚଦ୍ୱାରା ପ୍ରସ୍ତୁତ ସମ୍ୱାଦ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ୱାଧୀନ ସାମ୍ୱାଦିକଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାୟ ସମପରିମାଣର କାର୍ଯ୍ୟକ୍ରମ ଉପଲବ୍ଧ । ଡ଼ିସେମ୍ୱର ୨୦୧୯ରେ ୟୁଟ୍ୟୁବରେ ପ୍ରଦର୍ଶିତ ସମ୍ୱାଦ କାର୍ଯ୍ୟକ୍ରମ ମଧ୍ୟରେ ୪୯ ପ୍ରତିଶତ ପ୍ରତିଷ୍ଠିତ ସମ୍ୱାଦ ସଂସ୍ଥାର କାର୍ଯ୍ୟକ୍ରମ ସାଙ୍ଗକୁ ୪୨ ପ୍ରତିଶତ ସ୍ୱାଧୀନ ସାମ୍ୱାଦିକଙ୍କ କାର୍ଯ୍ୟକ୍ରମ ଓ ୯ ପ୍ରତିଶତ ଅନ୍ୟାନ୍ୟ ସୂତ୍ରରୁ ପ୍ରସ୍ତୁତ କାର୍ଯ୍ୟକ୍ରମ ଗଣତି କରାଯାଇଥିଲା । ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ମାର୍କିନ ଭିଡ଼ିଓ ସମ୍ୱାଦ ଉପତ୍ୟକାରେ ମୂଳସ୍ରୋତ ମଞ୍ଚଗୁଡ଼ିକର ଏକଚାଟିଆ ଆଧିପତ୍ୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।
ଚତୁର୍ଥତଃ, ଆଙ୍ଗିକ ଦୃଷ୍ଟିରୁ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକର ଭିଡ଼ିଓ ସଂକ୍ଷିପ୍ତ ଏବଂ ପ୍ରାୟ ପାଞ୍ଚ ମିନଟ ମଧ୍ୟରେ ସୀମିତ ରହୁଥିବା ସ୍ଥଳେ ସ୍ୱାଧୀନ ସାମ୍ୱାଦିକମାନଙ୍କ ଭିଡ଼ିଓଗୁଡ଼ିକ ଅପେକ୍ଷାକୃତ ଦୀର୍ଘ ଏବଂ ପ୍ରାୟ ୧୨ ମିନଟ ଯାଏଁ ସଂପ୍ରସାରିତ । ସ୍ୱାଧୀନ ସାମ୍ୱାଦିକମାନଙ୍କ ଦ୍ୱାରା ପ୍ରସ୍ତୁତ ଭିଡ଼ିଓଗୁଡ଼ିକର ବିଷୟବସ୍ତୁ ଅଧିକ ସଂଖ୍ୟାରେ ନକାରାତ୍ମକ । ଅନୁଧ୍ୟାନରୁ ସ୍ୱାଧୀନ ସାମ୍ୱାଦିକଙ୍କ ଦ୍ୱାରା ପ୍ରସ୍ତୁତ ୩୭ ପ୍ରତିଶତ ଭିଡ଼ିଓ ସମ୍ୱାଦ ନକାରାତ୍ମକ ଥିବା ସ୍ଥଳେ ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ପ୍ରସ୍ତୁତ ସମ୍ୱାଦ ଭିଡ଼ିଓ ମଧ୍ୟରେ ୧୭ ପ୍ରତିଶତ ନକାରାତ୍ମକ ଥିବା ଜଣାଯାଏ ।
ସେହିପରି ସର୍ବେକ୍ଷଣରେ ଡ଼ିସେମ୍ୱର ୨୦୧୯ରେ ପ୍ରସାରିତ ତିନି ହଜାର ଭିଡ଼ିଓ ମଧ୍ୟରେ ତୁଳନାତ୍ମକ ଭାବେ ଅଧିକ ପ୍ରସାରିତ ୧୦୦ ଗୋଟି ସମ୍ୱାଦ ଭିଡ଼ିଓ ଅନୁଶୀଳନରୁ ସ୍ୱାଧୀନ ସାମ୍ୱାଦିକମାନଙ୍କ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ମଧ୍ୟରେ ୧୪ ପ୍ରତିଶତ ଅଭିସନ୍ଧିଭିତ୍ତିକ ‘କନସିପେରସି ଥିଓରିସ’ ଥିବା ସ୍ଥଳେ ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ମଧ୍ୟରେ ମାତ୍ର ୪ ପ୍ରତିଶତ ସେହି ପର୍ଯ୍ୟାୟ ଅନ୍ତର୍ଭୁକ୍ତ ।
ପଞ୍ଚମତଃ, ସ୍ୱାଧୀନ ସାମ୍ୱାଦିକମାନେ ସାଧାରଣତଃ ନିଜସ୍ୱ ପ୍ରତିଭା ଓ ପ୍ରଚେଷ୍ଟା ବଳରେ ଦର୍ଶକମଣ୍ଡଳୀ ପ୍ରସ୍ତୁତ କରିଥାନ୍ତି । ଖୁବ କମ କ୍ଷେତ୍ରରେ ସେମାନଙ୍କୁ କୌଣସି ଆନୁଷ୍ଠାନିକ ପ୍ରୋତ୍ସାହନ ମିଳିଥାଏ । ୟୁଟ୍ୟୁବ ସମ୍ୱାଦ ଭିଡ଼ିଓ ଉପଭୋକ୍ତାମାନଙ୍କ ମଧ୍ୟରୁ ୬୬ ପ୍ରତିଶତ ଭିଡ଼ିଓ ମାଧ୍ୟମରେ ଘଟଣାଗୁଡ଼ିକୁ ପ୍ରାଞ୍ଜଳଭାବେ ବୁଝିପାରୁଥିବା ସ୍ୱୀକାର କରୁଥିବା ପ୍ରକାଶ । ଅବଶ୍ୟ ଗଣମାଧ୍ୟମ ସମୀକ୍ଷକମାନେ ୟୁଟ୍ୟୁବ ସମ୍ୱାଦ ଭିଡ଼ିଓଗୁଡ଼ିକ ମାତ୍ରାଧିକ ଅସତ୍ୟ ସମ୍ୱାଦ ଓ ରାଜନୀତିକ ପ୍ରଭାବ ରହୁଥିବା ଅଭିଯୋଗ ବାଢ଼ିଥାନ୍ତି ।
ଅସତ୍ୟ ସମ୍ୱାଦ ବର୍ଗରେ ‘କନସିପେରସି ଥିଓରି’ଧର୍ମୀ ସମ୍ୱାଦ ପ୍ରଯୋଜନା ଓ ପ୍ରସାରଣ ସମସାମୟିକ ସାମ୍ୱାଦିକତାରେ ବିଘଟନ ସୂତ୍ରପାତ କରାଇଛି । ମୁଖ୍ୟତଃ ରାଜନୀତିକ, ଧାର୍ମୀକ ଓ ଅର୍ଥନୀତିକ ଅଭିସନ୍ଧିଭିତ୍ତିକ ନିରାଧାର ସମ୍ୱାଦ ସୋସିଆଲ ମିଡ଼ିଆ ଉପଯୋଗରେ ପ୍ରସାର ସାମାଜିକସ୍ତରରେ ବିଭେଦ ସୃଷ୍ଟିରେ ମୂଳ ସାଧନ ପାଲଟିଥାଏ । ଇଣ୍ଟରନେଟ ଦ୍ୱାରା ଅତି କମ ସମୟ ମଧ୍ୟରେ ଅଧିକ ସଂଖ୍ୟକ ଗ୍ରହୀତାଙ୍କ ନିକଟରେ ପହଞ୍ଚୁପାରୁଥିବା ହେତୁ ପ୍ରସାରିତ ସମ୍ୱାଦର ଅପେକ୍ଷିକ ଗୁରୁତ୍ୱ ବୃଦ୍ଧି କରେ । ଏହିଭଳି ସମ୍ୱାଦ ସୂତ୍ରର ଲିଙ୍କ ସୋସିଆଲ ମିଡ଼ିଆରେ ପରିଚିତବର୍ଗ ପ୍ରେରଣ ‘ଫରୱାର୍ଡ଼’ କରୁଥିବା ହେତୁ ଉପଭୋକ୍ତାଙ୍କ ବିଶ୍ୱାସଯୋଗ୍ୟ ମନେହୋଇଥାଏ ।
ପିଉ ରିସର୍ଚ୍ଚ ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ସକାରାତ୍ମକ ତୁଳନାରେ ନକାରାତ୍ମକ ଭିଡ଼ିଓ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ । ଗବେଷଣା ନିମନ୍ତେ ଚ଼ିହ୍ନଟ ହୋଇଥିବା ଏକ ଶହ ଭିଡ଼ିଓ ଅନୁଶୀଳନରେ ନକାରାତ୍ମକ ସମ୍ୱାଦ ଭିଡ଼ିଓଗୁଡ଼ିକରେ ଅଧିକ ସଂଖ୍ୟକ ଅଭିମତ ‘କମେଣ୍ଟ’ ଲିପିବଦ୍ଧ ହୋଇଥିଲା । ଅର୍ଥାତ ଅଧିକ ସଂଖ୍ୟକ ଦର୍ଶକ ସେହି ବିଷୟବସ୍ତୁ ଆଲୋଚ଼ନାରେ ଅଂଶଗ୍ରହଣ କରିଥିଲେ । ନକାରାତ୍ମକ ସମ୍ୱାଦ ଭିଡ଼ିଓ କ୍ଷେତ୍ରରେ ୨୨ ପ୍ରତିଶତ ଆଲୋଚନା ସ୍ଥଳେ ସକାରାତ୍ମକ ସମ୍ୱାଦ ଭିଡ଼ିଓରେ ମାତ୍ର ୪ ପ୍ରତିଶତ ଆଲୋଚ଼ନା ଗଣିତ କରାଯାଇଥିଲା । ନକାରାତ୍ମକ ସମ୍ୱାଦ ଭିଡ଼ିଓଗୁଡ଼ିକରେ ଜଣେ ବ୍ୟକ୍ତି କିମ୍ୱା ଅନୁଷ୍ଠାନ ବିରୁଦ୍ଧରେ ତଥ୍ୟ ଓ ଅଭିମତ ସାଙ୍ଗକୁ ଟୀପ୍ପଣି ପ୍ରଦାନକୁ ଗୁରୁତ୍ୱ ଦିଆଯାଇଥାଏ ।
ଯୁକ୍ତରାଷ୍ଟ୍ର ଆମେରିକାରେ ୟୁଟ୍ୟୁବରେ ସମ୍ୱାଦ ଭିଡ଼ିଓ ଲୋକପ୍ରିୟତାର ପରିସଂଖ୍ୟାନ ପୃଥିବୀର ଅନ୍ୟାନ୍ୟ ପ୍ରାନ୍ତରେ ମଧ୍ୟ ଊଣାଅଧିକେ ଅନୁଭୂତ । ଭାରତ ଓ ଓଡ଼ିଶାରେ ୟୁଟ୍ୟୁବ ମଞ୍ଚକୁ ମୂଳସ୍ରୋତର ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ସୀମିତ ମାତ୍ରାରେ ବ୍ୟବହାର କରୁଥିବା ସ୍ଥଳେ ଏହି କ୍ଷେତ୍ରରେ କ୍ରମୋନ୍ନତି ପରିଲକ୍ଷିତ । ସେହିପରି ସ୍ୱାଧୀନ ସାମ୍ୱାଦିକଙ୍କ ପକ୍ଷରୁ ସମ୍ୱାଦକେନ୍ଦ୍ରୀକ ଭିଡ଼ିଓ ଅପଲୋଡ଼ର ସଂଖ୍ୟା ମଧ୍ୟ ବହୁତ କମ । ଭିଡ଼ିଓ ଅଭାବ ହେତୁ ଭାରତୀୟ ଭାଷାଗୁଡ଼ିକରେ ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତାର ପରିସର ୨୦୨୦ ସୁଦ୍ଧା ସଂକୁଚିତ ।
ଅବଶ୍ୟ ଓଡ଼ିଆ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତା ୨୦୨୧ ରୁ ୨୦୨୫ ମଧ୍ୟରେ ବ୍ୟାପକ ପ୍ରସାର ଲାଭ ଆକଳନ କରାଯାଇପାରେ । ଯୁକ୍ତରାଷ୍ଟ୍ର ଆମେରିକାରେ ମହାମାରୀ-ପୂର୍ବ ଅବସ୍ଥାରେ ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତାର ସ୍ଥିତି ଓଡ଼ିଶା ଭଳି ଏକ ବିକାଶଶୀଳ ସମାଜରେ ସମ୍ଭାବନାର ଚ଼ିତ୍ର ଅଙ୍କନରେ ଗୁରୁତ୍ୱପୂର୍ଣ୍ଣ । ଇଣ୍ଟରନେଟର ବ୍ୟାପ୍ତି, ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ଓ ମହାମାରୀ ପରିବେଶରେ ଡିଜିଟାଲ ମଞ୍ଚଗୁଡ଼ିକର କ୍ଷୀପ୍ର ପ୍ରଗତି ଭିଡ଼ିଓ ସାମ୍ୱାଦିକତା ପରିପ୍ରକାଶରେ ସହାୟକ ହେବା ନିଶ୍ଚିତ । ଓଡ଼ିଶାରେ ମୁକ୍ତବୃତ୍ତିର ସାମ୍ୱାଦିକଙ୍କ ସଂଖ୍ୟା ଅଧିକ ତଥା ସେମାନେ ଦୀର୍ଘ ଅଭିଜ୍ଞତା ଅଧିକାରୀ ହୋଇଥିବା ହେତୁ ଭିଡ଼ିଓ ସାମ୍ୱାଦିକତାର ସାମାନ୍ୟ ବୈଷୟିକ କଳାକୌଶଳ ପ୍ରଶିକ୍ଷଣ ସେମାନଙ୍କୁ ଦକ୍ଷ ସ୍ୱାଧୀନ ଭିଡ଼ିଓ ସାମ୍ୱାଦିକଭାବେ ଗଢ଼ି ତୋଳିବା ଆଶା କରାଯାଇପାରେ ।
ପିଉ ରିସର୍ଚ୍ଚ ସର୍ବେକ୍ଷଣର ତଥ୍ୟାବଳୀ ବିଚାରକୁ ନେଲେ ଓଡ଼ିଶା ଭଳି ରାଜ୍ୟରେ ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତା ମୁଖ୍ୟତଃ ନକାରାତ୍ମକ ସମ୍ୱାଦ ଅର୍ଥାତ ପ୍ରଶାସନ, ସାମାଜିକ ବ୍ୟବସ୍ଥାର ସମାଲୋଚନା ଓ ଅଭିସନ୍ଧିମୂଳକ ସମ୍ୱାଦ ପ୍ରଯୋଜନାକୁ ଅଗ୍ରାଧିକାର ଦେବ । ମୂଳସ୍ରୋତ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକ ତୁଳନାରେ ସ୍ୱାଧୀନ ସାମ୍ୱାଦିକମାନଙ୍କ କୃତୀ ଗୁରୁତ୍ୱ ଲାଭ କରିବ ଏବଂ ସମ୍ୱାଦ କ୍ଷେତ୍ରରେ ଏକଚାଟିଆ ପ୍ରଭାବ କ୍ଷୁର୍ଣ୍ଣ ହେବା ସମ୍ଭବପର । ଆଞ୍ଚଳିକ ସାମ୍ୱାଦିକତା ବିକାଶକ୍ଷେତ୍ରରେ ନିର୍ବାଚନ ପ୍ରଭାବିତ କରୁଥିବା ହେତୁ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ସ୍ୱାଧୀନ ଭିଡ଼ିଓ ସାମ୍ୱାଦିକତା ପ୍ରାଧାନ୍ୟ ଲାଭ କରିବା ଆଶା କରାଯାଇପାରେ ।
