ଆଜିର ଖାସ ଖବର
Thu. Apr 16th, 2026

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆଦିବାସୀ ସଙ୍ଗୀତ ମହୋତ୍ସବ ‘ସର୍ଜୋମ ବା’ ଆୟୋଜିତ

By Admin_Dainkasha Mar9,2025
oplus_2097152

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆଦିବାସୀ ନୃତ୍ୟଗୀତ ଓ ବାଦ୍ୟଯନ୍ତ୍ରର ସଂରକ୍ଷଣ ତଥା ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ ଖଣିଠାରେ ଆଦିବାସୀ ସଙ୍ଗୀତ ମହୋତ୍ସବ “ସର୍ଜୋମ ବା” ମହାଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବରେ ସୁକିନ୍ଦା ଅଞ୍ଚଳର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଆଦିବାସୀ ନୃତ୍ୟ କଳାକାର ଓ ସଙ୍ଗୀତଜ୍ଞ ଭାଗ ନେଇଥିଲେ।

ଏହି ନିଆରା ମହୋତ୍ସବରେ ସୁକିନ୍ଦା ଖଣି ଓ ଏହାର ଆଖପାଖ ଅଞ୍ଚଳର ଭୂମିଜ, ଶବର, ହୋ, ଏବଂ ସାନ୍ତାଳୀ ସମ୍ପ୍ରଦାୟର ଅନେକ ଆଦିବାସୀ ନୃତ୍ୟ କଳାକାର ଭାଗନେଇ ସେମାନଙ୍କ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରିଥିଲେ। ଏଥିସହ ପାରମ୍ପରିକ ଆଦିବାସୀ ବାଦ୍ୟଯନ୍ତ୍ର ଘୁମୁରା, ଝୁମୁକା, କରତାଳ, ତୁମୁଡ଼ା, ତାମକ ଓ ସାକ୍ୱା ଆଦିର ତାଳେ ତାଳେ ଝୁମି ଉଠିଥିଲେ ସମସ୍ତ ଦର୍ଶକ।

ଟାଟା ଷ୍ଟିଲ ଫାଉଣ୍ଡେସନର ଏହି ଉପକ୍ରମ ଉପରେ ଟାଟା ଷ୍ଟିଲ ଫେରୋ ଆଲଏଜ୍ ଓ ମିନେରାଲ ଡିଭିଜନ (ଏଫ୍ଏଏମଡି) ର ଏକ୍ଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, “ଆମ ଜନଜାତି ପରମ୍ପରାର ସଂରକ୍ଷଣ ତଥା ପ୍ରଚାର ପ୍ରସାର ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ‘ସର୍ଜୋମ ବା’ କେବଳ ଏକ ନୃତ୍ୟ ଗୀତ ମହୋତ୍ସବ ନୁହେଁ, ବରଂ ଏହା ଦ୍ବାରା ଆମେ ଆମର ପ୍ରତିଟି ଆଦିବାସୀ ଭାଇ ଭଉଣୀଙ୍କୁ ସମ୍ମାନ ଦେବା ସହ କିପରି ସେମାନଙ୍କ ମହାନ ସଂସ୍କୃତିକୁ ଉଜ୍ଜୀବିତ କରି ରଖିହେବ, ସେଦିଗରେ ଏକ ପ୍ରୟାସ।”

ଏହି ଅବସରରେ ପାରମ୍ପରିକ ଆଦିବାସୀ ବେଶପୋଷାକ, ଅସ୍ତ୍ରଶସ୍ତ୍ର, କୃଷି ଉପକରଣ ଓ ବାସନକୁସନ ଆଦିର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।

ପ୍ରକାଶ ଥାଉକି, ଗତ ‘ସର୍ଜୋମ ବା’ ମହୋତ୍ସବ ପରଠାରୁ ଆରମ୍ଭ କରାଯାଇଥିବା ୫ଟି ଆଦିବାସୀ ସଙ୍ଗୀତ କେନ୍ଦ୍ର ମଧ୍ୟ ଚଳିତ ମହୋତ୍ସବରେ ଭାଗନେଇ ଚମତ୍କାର ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଏଫ୍ଏଏମଡିର ପ୍ରାଶାସନିକ ମୁଖ୍ୟ ପ୍ରମୋଦ କୁମାର, ଟାଟା ଷ୍ଟିଲ ଏଫ୍ଏଏମଡି ବରିଷ୍ଠ ଆଞ୍ଚଳିକ ପ୍ରବନ୍ଧକ (ଖଣି ପରିଚାଳନା) ନିହାର ରଞ୍ଜନ ମିତ୍ର, ଟାଟା ଷ୍ଟିଲ ଫାଉଣ୍ଡେସନର କଳିଙ୍ଗନଗର ଇମ୍ପାକ୍ଟ କ୍ଳଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ ଓ କମ୍ପାନୀର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Related Post