ଆଜିର ଖାସ ଖବର
Sat. May 30th, 2026

ବିଦ୍ୟୁତ ତାର ନିକଟରେ ଅନଧିକୃତ ନିର୍ମାଣ କରିଥିବା ୧୨୨୯ ଉପଭୋକ୍ତାଙ୍କୁ ଟିପିଏସ୍ଓଡିଏଲ୍ ପକ୍ଷରୁ ନୋଟିସ ଜାରି

By Admin_Dainkasha May8,2025
TPSODL issues 1,229 Notices for Power Line Encroachments
TPSODL issues 1,229 Notices for Power Line Encroachments
ବ୍ରହ୍ମପୁର, ମେ ୨୦୨୫: ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଓଭରହେଡ ବିଜୁଳି ତାର ନିକଟରେ ଅନଧିକୃତ ନିର୍ମାଣ କରିଥିବା ୧୨୨୯ ଜଣ ଉପଭୋକ୍ତା ଏବଂ ପ୍ରତିଷ୍ଠାନକୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ନୋଟିସ ଜାରି କରାଯାଇଛି। ବିଦ୍ୟୁତ ଭିତ୍ତିଭୂମି ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟ ନେଇ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।


ଟିପିଏସ୍ଓଡିଏଲର ସୁରକ୍ଷା ଓ ଅନୁପାଳନ ଅଭିଯାନ ଅନୁଯାୟୀ ସମଗ୍ର ୮ ଟି ଜିଲ୍ଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୫୫ଟି ନୋଟିସ ଜାରି ହୋଇଥିବା ବେଳେ କୋରାପୁଟରେ ୧୬୦, ମାଲକାନଗିରିରେ ୧୩୧, ଗଜପତିରେ ୧୦୪, ନବରଙ୍ଗପୁରରେ ୮୩, ରାୟଗଡାରେ ୫୫ ଏବଂ ବୌଦ୍ଧ ଜିଲ୍ଲାରେ ୩୮ ଜଣଙ୍କୁ ନୋଟିସ ଦିଆଯାଇଛି।


ବିଦ୍ୟୁତ ତାର ନିକଟରେ ଅନଧିକୃତ ନିର୍ମାଣ କାର୍ଯ୍ୟ ଯୋଗୁଁ ଧନଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହ ମରାମତି ଓ ରକ୍ଷଣାବେକ୍ଷଣ ତଥା ଜରୁରୀକାଳୀନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ବିଦ୍ୟୁତ ଅଧିନିୟମ ୨୦୦୩ ଏବଂ ସିଇଏ ସୁରକ୍ଷା ନିୟମ ୨୦୨୩ ଅନୁଯାୟୀ ଟିପିଏସ୍ଓଡିଏଲ୍ ଏହି ପଦକ୍ଷେପ ଗ୍ରହଣ କରିଛି। ଉପରୋକ୍ତ ଅଧିନିୟମ ଅନୁସାରେ ବିନା ଅନୁମତିରେ ଓଭରହେଡ ବିଜୁଳି ତାର ନିକଟରେ କୌଣସି ବିଲ୍ଡିଂ କିମ୍ବା ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ, ଏଥିରେ ଖିଲାପ କଲେ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇପାରେ କିମ୍ବା ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।


ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଜନସାଧାରଣ ଏବଂ ଆମ କର୍ମଚାରୀଙ୍କ ସୁରକ୍ଷା ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା। ବିଦ୍ୟୁତ ତାର ନିକଟରେ ବେଆଇନ ନିର୍ମାଣ ବିପଦଜନକ ଏବଂ ଆଇନର ଅବମାନନା ଅଟେ। ଲୋକଙ୍କୁ ସଚେତନ କରିବା ସହ ଆଇନର ଅନୁପାଳନ କରିବା ଦିଗରେ ଆମେ ପ୍ରତିବଦ୍ଧ। ବିଦ୍ୟୁତ ଲାଇନ୍ ନିକଟରେ ନିର୍ମାଣ କାର୍ଯ୍ୟ ନ କରିବା ଏବଂ ପୂର୍ବରୁ ଆବଶ୍ୟକୀୟ ଅନୁମତି ନେବାକୁ ସମସ୍ତଙ୍କୁ ଅନୁରୋଧ କରୁଛୁ।”


ଏହି ବିପଦଜନକ ପରିଣାମ ସମ୍ପର୍କରେ ଉପଭୋକ୍ତାଙ୍କୁ ସଚେତନ କରିବା ପାଇଁ ଟିପିଏସ୍ଓଡିଏଲ୍ ଏକ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିଛି। ବିଶେଷ କରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠରେ ଗ୍ରାମ ସଭା, ଦୃଶ୍ୟଶ୍ରାବ୍ୟ ଭ୍ୟାନ୍, ପୋଷ୍ଟର, ପଥପ୍ରାନ୍ତ ନାଟକ ଏବଂ ଘରକୁ ଘର ବୁଲି ସଚେତନତା ଅଭିଯାନ କରାଯାଉଛି।


ବିଦ୍ୟୁତ ଲାଇନ୍ ନିକଟରେ କୌଣସି ନିର୍ମାଣ କାମ ଆରମ୍ଭ କରିବା ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରୁ ଆଗୁଆ ଅନୁମୋଦନ ନେବାକୁ ଟିପିଏସ୍ଓଡିଏଲ୍ ପକ୍ଷରୁ ସମସ୍ତ ଉପଭୋକ୍ତାଙ୍କୁ ଅନୁରୋଧ କରାଯାଇଛି ଏବଂ ଏସବୁ ଅନଧିକୃତ ନିର୍ମାଣ କାର୍ଯ୍ୟରୁ ଦୂରେଇ ରହିବା ପାଇଁ କୁହାଯାଇଛି। ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିପିଏସ୍ଓଡିଏଲ୍ ସୂଚନା ଦେଇଛି।

ନୋଟିସ୍ ପାଇଥିବା ଉପଭୋକ୍ତାମାନେ ତୁରନ୍ତ ଏହାକୁ ସୁଧାରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ନୋଟିସର ଅବମାନନା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related Post