ଆଜିର ଖାସ ଖବର
Thu. Apr 16th, 2026

ମୟୁରଭଞ୍ଜକୁ ବିଶ୍ୱ ଖଣି ମାନଚିତ୍ରରେ ସ୍ଥାପିତ କରିଥିଲେ ସାର୍ ଦୋରାବଜୀ ଟାଟା

By Admin_Dainkasha Aug27,2025

ଭୁବନେଶ୍ୱର, ୨୬/୦୮/୨୦୨୫- ଇତିହାସ ପ୍ରାୟତଃ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କୁ ଉଜାଗର କରେ; ପରଦା ପଛରେ କାମ କରୁଥିବା କର୍ମଚାରୀଙ୍କର ସମର୍ପିତ ପ୍ରୟାସଗୁଡିକ ଅନେକ ସମୟରେ ଅଣଦେଖା ହୋଇଯାଏ। ସାର୍ ଦୋରାବଜୀ ଟାଟା ଏହାର ଏକ ଅନନ୍ୟ ଉଦାହରଣ, ଜଣେ ଦୂରଦର୍ଶୀ ବ୍ୟକ୍ତି ଯିଏକି ଏକ ସମୃଦ୍ଧ ଭାରତର ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ଅବିଶ୍ରାନ୍ତ ଭାବରେ ପରିଶ୍ରମ କରିଥିଲେ ।

ସେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ପ୍ରତିବଦ୍ଧ ଥିଲେ । ଛୋଟ ନାଗପୁରରେ ଦେଶର ପ୍ରଥମ ଷ୍ଟିଲ ପ୍ଲାଣ୍ଟ ସ୍ଥାପନର ସେ ଥିଲେ ମୁଖ୍ୟ ପୁରୋଧା, ଯାହାକି ଭାରତର ଔଦ୍ୟୋଗିକ ଉନ୍ନତିର ସୂତ୍ରପାତ କରିଥିଲା ।

ଓଡ଼ିଶାର ମୟୁରଭଞ୍ଜର ମହାରାଜାଙ୍କ ପାଇଁ କାମ କରୁଥିବା ଜଣେ ଭୂବିଜ୍ଞାନୀ ପି ଏନ୍ ବୋଷଙ୍କ ଏକ ଚିଠି ମାଧ୍ୟମରେ ଆଜିର ଏହି ପ୍ଲାଣ୍ଟର ସୂତ୍ରପାତ ହୋଇଥିଲା। ବୋଷଙ୍କର ସବୁଠାରୁ ଉଲ୍ଲେଖନୀୟ ଅବଦାନ ଥିଲା ଓଡିଶାର ମୟୁରଭଞ୍ଜର ଗୋରୁମାହିସାଣି ପର୍ବତଶ୍ରେଣୀରେ ଲୌହ ଭଣ୍ଡାରର ଆବିଷ୍କାର କରିବା। ୧୯୦୪ ମସିହା ଫେବୃଆରୀ ୨୪ ତାରିଖରେ ପି ଏନ୍ ବୋଷ ଟାଟା ଗ୍ରୁପ୍ର ସ୍ଥାପକ ଏବଂ ଦୋରାବଜୀଙ୍କ ପିତା ଜେ ଏନ୍ ଟାଟାଙ୍କୁ ଏ ବିଷୟରେ ଚିଠି ଲେଖିଥିଲେ । ଏହାପରେ ଦୋରାବଜୀ ଷ୍ଟିଲ ପ୍ଲାଣ୍ଟ ପ୍ରତଷ୍ଠାର ମୂଳଦୁଆ ସ୍ଥାପନ କରିଥିଲେ।

ଏହାପରେ, ମୟୁରଭଞ୍ଜ ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଟାଟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡ୍ (ବର୍ତ୍ତମାନ ଟାଟା ଷ୍ଟିଲ) ସହିତ ଏକ ଚୁକ୍ତିନାମା କରିଥିଲେ ଏବଂ ଗୋରୁମହିସାଣି ଲୌହ ଖଣି ପାଇଁ ଲିଜ୍ ପ୍ରଦାନ କରିଥିଲେ। ଏହାଦ୍ୱାରା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ସମ୍ଭବ ହୋଇପାରିଥିଲା। ଗୋରୁମହିସାଣି ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତହସିଲରେ ଅବସ୍ଥିତ। ସେ କେବଳ ଦେଶର ପ୍ରଥମ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ପାଇଁ ତାଙ୍କ ପିତାଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରି ନଥିଲେ, ବରଂ ଭାରତୀୟ ଶିଳ୍ପ ପାଇଁ ଏକ ଗୌରବମୟ ପଥ ପ୍ରଶସ୍ତ କରିଥିଲେ ।

କେବଳ ଷ୍ଟିଲ ଏବଂ ଶକ୍ତି ଉପରେ ଧ୍ୟାନ ନଦେଇ ସାମାଜିକ ଦାୟିତ୍ୱବୋଧକୁ ପ୍ରାଧାନ୍ୟ ଦେଉଥିବା ଜଣେ ଉଦାର ବ୍ୟକ୍ତିତ୍ୱ ହୋଇପାରିଥିଲେ ଦୋରାବଜୀ। ସେ ନିଜ କର୍ମଚାରୀଙ୍କ କଲ୍ୟାଣକୁ ଗୁରୁତ୍ୱ ଦେଉଥିଲେ, ଆବଶ୍ୟକ ଚିକିତ୍ସା ଏବଂ ସମ୍ମାନ ଏବଂ ବୁଝାମଣାର ଏକ ପରମ୍ପରା ବିକାଶ କରି ତାଙ୍କ ପିତାଙ୍କ ଆଦର୍ଶକୁ ବଜାୟ ରଖିଥିଲେ ।

ଟାଟା ଷ୍ଟିଲ ବ୍ୟତୀତ, ତାଙ୍କ ନେତୃତ୍ୱରେ ପଶ୍ଚିମଘାଟର ଦୁର୍ଗମ ଅଞ୍ଚଳରେ ଜଳ ବିଦ୍ୟୁତ୍ କେନ୍ଦ୍ର ନିର୍ମାଣ କାର୍ଯ୍ୟ ହୋଇଥିଲା, ଯାହା ବିଦ୍ୟୁତ୍ ଯୋଗାଣ କରିବା ସହ ଦେଶକୁ ଆହୁରି ଅଗ୍ରସର କରିଥିଲା ।

ସାର୍ ଦୋରାବଜୀଙ୍କ ପ୍ରଚେଷ୍ଟା ପାଇଁ ଗୋଟିଏ ଛୋଟ ଉଦ୍‌ଯୋଗରୁ ଭାରତର ସର୍ବବୃହତ ବ୍ୟବସାୟିକ ଗୃହରେ ପରିଣତ ହୋଇଥିଲା ଟାଟା ଷ୍ଟିଲ। ଦେଶର ଉଦ୍ୟୋଗିକ ଉନ୍ନତିରେ ତାଙ୍କର ବିରାଟ ଅବଦାନ ପାଇଁ ୧୯୧୦ ମସିହାରେ ତାଙ୍କୁ ‘ନାଇଟ୍‌’ ଉପାଧି ପ୍ରଦାନ କରାଯାଇଥିଲା ।

ତାଙ୍କ ପିତାଙ୍କ ଭିଜନକୁ ଗ୍ରହଣ କରି ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ପାଇଁ ସେ ପଶ୍ଚିମଘାଟର ଜଳ ଉପଯୋଗ କରିଥିଲେ। ଯାହାଫଳରେ ୧୯୧୧ ମସିହାରେ ଟାଟା ପାୱାର ସ୍ଥାପନା ହୋଇଥିଲା।

ସମାଜସେବା ପାଇଁ ସାର ଦୋରାବଜୀ ଟାଟା ଟ୍ରଷ୍ଟ ସ୍ଥାପନ କରିବା ସହ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସ), ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ , ଟାଟା ମେମୋରିଆଲ୍ ସେଣ୍ଟର, ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚ ଏବଂ ଅନ୍ୟାନ୍ୟ ଅଗ୍ରଣୀ ସଂସ୍ଥା ସ୍ଥାପନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ରାଷ୍ଟ୍ର ଗଠନ ନୀତିରେ କ୍ରୀଡା ସବୁବେଳେ ଟାଟାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ଜାମସେଦପୁରରେ କ୍ରୀଡାର ବିକାଶ ସହ ଅଲିମ୍ପିକ୍ସରେ ଏକ ଭାରତୀୟ ଦଳ ଭାଗ ନେଉଥିବା ଦେଖିବାର ଇଚ୍ଛା ଯୋଗୁ ସାର୍ ଦୋରାବଜୀ ୧୯୨୦ରେ ଆଣ୍ଟୱାର୍ପ ଗେମ୍ସ୍ ପାଇଁ ଭାରତର ପ୍ରଥମ ଅଲିମ୍ପିକ୍ ଦଳକୁ ଅର୍ଥ ସହାୟତା କରିଥିଲେ ଏବଂ ଏକ ଚୟନ କମିଟି ସ୍ଥାପନରେ ସାହାଯ୍ୟ କରିଥିଲେ । ୧୯୨୪ ମସିହାରେ, ସେ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ସ୍ଥାନ ସୁନିଶ୍ଚିତ କରିଥିଲେ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଇଣ୍ଟରନ୍ୟାସନାଲ୍ ଅଲିମ୍ପିକ୍ କମିଟିରେ ନିଯୁକ୍ତ ହୋଇଥିଲେ ।

ତାଙ୍କର ୧୬୬ତମ ଜନ୍ମବାର୍ଷିକୀରେ, ଆମେ ସାର୍ ଦୋରାବଜୀ ଟାଟାଙ୍କୁ କେବଳ ଜଣେ ସଫଳ ତଥା ଦେଶର ଶିଳ୍ପାୟନର ପୁରୋଧା ଭାବରେ ନୁହେଁ ବରଂ ଜଣେ ସଚ୍ଚୋଟ ରାଷ୍ଟ୍ର ନିର୍ମାତା ଏବଂ ଅଗ୍ରଦୂତ ଭାବରେ ସ୍ମରଣ କରୁ।

Related Post