ଆଜିର ଖାସ ଖବର
Thu. Apr 16th, 2026

ଟିପିଏନ୍‌ଓଡିଏଲ୍ ସହଯୋଗରେ ଉତ୍ତର ଓଡ଼ିଶାରେ ୬୦୦୦ରୁ ଅଧିକ ଶିଳ୍ପର ବିଦ୍ୟୁତ୍ ଉପଯୋଗିତାରେ ୧୧୨% ବୃଦ୍ଧି

By Admin_Dainkasha Sep19,2025
  • ଉତ୍ତର ଓଡ଼ିଶା ଏକ ମାନୁଫାକ୍‌ଚରିଂ ହଟ୍‌ସ୍ପଟ୍ ଭାବେ ଉଭା ହୋଇଛି; ଚୁକ୍ତିଭୁକ୍ତ ଚାହିଦା ୧ ଗିଗାୱାଟ୍ ଟପିଛି

ବାଲେଶ୍ୱର: ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପ୍ରଭାବରେ ଉତ୍ତର ଓଡ଼ିଶାରେ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକର ବିଦ୍ୟୁତ ଉପଯୋଗିତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ମାତ୍ର ଚାରି ବର୍ଷରେ ପାଂଚଟି ପ୍ରମୁଖ ଜିଲ୍ଲାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରିବାରୁ ଉତର ଓଡ଼ିଶା ଏବେ ଏକ ମାନୁଫାକ୍‌ଚରିଂ ହବ୍ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଟିପିଏନ୍‌ଓଡିଏଲ୍ ପକ୍ଷରୁ ପ୍ରାୟ ୨୮,୦୦୦ ବର୍ଗ କିଲୋମିଟର୍‌ରେ ୨୦ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଇ ଦିଆଯାଉଛି।

ଟିପିଏନ୍‌ଓଡିଏଲ୍ ପକ୍ଷରୁ ଉତ୍ତର ଓଡ଼ିଶାରେ ୫,୮୩୦ ଶିଳ୍ପ ଉପଭୋକ୍ତାଙ୍କୁ ସେବା ପ୍ରଦାନ କରାଯାଉଥିବା ବେଳେ ସେଥିରୁ ୪୫୧ଟି ବୃହତ୍ ଶିଳ୍ପ ଓ ୫,୩୭୯ଟିରୁ ଅଧିକ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ରହିଛି। ଗତ ଚାରି ବର୍ଷରେ ଉତ୍ତର ଓଡ଼ିଶାରେ ଶିଳ୍ପ ବିଦ୍ୟୁତ୍ ବ୍ୟବହାରରେ ୧୧୨% ବୃଦ୍ଧି ଘଟିଛି ଯାହା ୩୧୨.୯୪ ନିୟୁତ ୟୁନିଟ୍ (ଏମ୍‌ୟୁ)ରେ ପହଂଚିଛି। ଚୁକ୍ତିଭୁକ୍ତ ଚାହିଦା ୧ ଗିଗାୱାଟ୍ (ଜିଡବ୍ଲ୍ୟୁ) ଅତିକ୍ରମ କରିଛି ଏବଂ ସମ୍ପ୍ରତି ପିକ୍ ଚାହିଦା ୧.୫ ଗିଗାୱାଟ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଟିପିଏନ୍‌ଓଡିଏଲ୍ ଏହି ଅଂଚଳରେ ବିଦ୍ୟୁତ୍ ଭିତିଭୂମିରେ ଉନ୍ନତି ଆଣିବା ଲାଗି ବ୍ୟାପକ ନିବେଶ କରିଛି। କମ୍ପାନି ୧୦୧.୭୫ ସର୍କିଟ କିଲୋମିଟର (ସିକେଏମଏସ୍‌ରେ) ୩୩ କେଭି ଭୂତଳ ତାର ବିଛାଇଛି ଯାହା ଦ୍ୱାରା ଯାଜପୁର, କେନ୍ଦୁଝର, ଯୋଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଭଳି ଶିଳ୍ପ ହବ୍ ଉପକୃତ ହୋଇଛନ୍ତି। ଏହା ବ୍ୟତୀତ ଅତିରିକ୍ତ ୨୬.୩ ସିକେଏମ୍‌ଏସ୍‌ର ୧୧ କେଭି ଏବଂ ୩୩ କେଭି ତାର ବର୍ତମାନ ନିର୍ମାଣାଧୀନ ରହିଛି। ୨୭୪.୮୫ ସିକେଏମ୍‌ଏସ୍‌ର ୩୩ କେଭି ଓଭରହେଡ୍ ଲାଇନ୍ ଏବଂ ୬୩୧.୩୩ ସିକେଏମଏସ୍‌ର ୧୧ କେଭି ଓଭରହେଡ୍ ଲାଇନ୍ ସ୍ଥାପନ କରାଯାଇଛି। ଟିପିଏନ୍‌ଓଡିଏଲ୍ ନେଟୱର୍କରେ ୧୩୫ଟି ରିଙ୍ଗ୍ ମେନ୍ ୟୁନିଟ୍ (ଆରଏମୟୁ) ଏବଂ ୧୦୩ଟି ଅଟୋ-ରିକ୍ଲୋଜର୍ ମୂତୟନ କରାଯାଇଛି। ସେଥିପାଇଁ ଉଦ୍ୟୋଗଗୁଡ଼ିକୁ ସ୍ଥିର ଉଚ୍ଚ ମାନର ବିଦ୍ୟୁତ୍ ଯୋଗାଣ ହୋଇପାରୁଛି।

କିପରି ବିଦ୍ୟୁତ୍ ବିତରଣରେ ଘରୋଇ ସରକାରୀ ସହଭାଗିତା (ପିପିପି) ଅନ୍ତର୍ଭୁକ୍ତୀକରଣ ଅର୍ଥନୈତିକ ବିକାଶକୁ ଆଗକୁ ବଢ଼ାଉଛି,ଏହି ଅଗ୍ରଗତି ଏକ ଉଜ୍ଜ୍ୱଳ ଉଦାହରଣ। ଟିପିଏନ୍‌ଓଡିଏଲ୍‌ର ପ୍ରୟାସଗୁଡ଼ିକ ସ୍ଥାନୀୟ ଶିଳ୍ପକୁ ସମର୍ଥନ କରୁଥିବା ବେଳେ ଅନ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ମଡେଲ୍ ପାଲଟିଛି।

ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, “ବିଶ୍ୱସନୀୟ ବିଦ୍ୟୁତ୍ କେବଳ ଆଲୋକ ଜଳାଇ ରଖୁନାହିଁ, ବରଂ ଏହା ନୂତନ କାରଖାନାଗୁଡ଼ିକୁ ଶକ୍ତି ପ୍ରଦାନ, ଜୀବିକା ସୃଷ୍ଟି ଏବଂ ଅର୍ଥନୈତିକ ସ୍ଥିରତାର ପରିଚାଳନା କରୁଛି। ଟିପିଏନ୍‌ଓଡିଏଲ୍‌ରେ ଆମେ ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିଦ୍ୟୁତ୍ ଭିତିଭୂମି ଗଠନ କରିବାକୁ ପ୍ରତିଶ୍ରୁତିବଦ୍ଧ ଯାହା ଶିଳ୍ପଗୁଡ଼ିକୁ ସମୃଦ୍ଧ ହେବାକୁ ସକ୍ଷମ ଏବଂ ସମ୍ପ୍ରଦାୟକୁ ସମୃଦ୍ଧ କରୁଛି।’’

ଆଗାମୀ ଦିନରେ ଟିପିଏନ୍‌ଓଡିଏଲ୍ ଭିତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ସ୍ମାର୍ଟ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରି ଶିଳ୍ପଗୁଡ଼ିକ ସହିତ ସହଯୋଗିତା ଗଭୀର କ଼ରିବ। ଉତ୍ତର ଓଡ଼ିଶା ଏକ ଶିଳ୍ପ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ଆଗକୁ ବଢ଼ୁଥିବା ବେଳେ ଟିପିଏନଓଡିଏଲ୍ ଅଂଚଳର ଅଭିବୃଦ୍ଧିକୁ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଜରିଆରେ ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି।

Related Post