ଆଜିର ଖାସ ଖବର
Wed. Apr 29th, 2026

ସତର୍କତା ସଚେତନତା ସପ୍ତାହ ୨୦୨୫: ଇରେଡା ସିଏମ୍‌ଡିଙ୍କ ପକ୍ଷରୁ କର୍ମଚାରୀମାନଙ୍କୁ ସଚ୍ଚୋଟତାର ଶପଥ ପାଠ

By Admin_Dainkasha Oct29,2025

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ ସତର୍କତା ସଚେତନତା ସପ୍ତାହ ୨୦୨୫କୁ ଉଦ୍‌ଘାଟନ କରାଯାଇଛି। ଏହି ଅବସରରେ କମ୍ପାନିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଓ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ର ମୁଖ୍ୟ ବୈଷୟିକ ପରୀକ୍ଷକ ଅଶୋକ କୁମାର ଇରେଡା କର୍ମଚାରୀମାନଙ୍କୁ ସଚ୍ଚୋଟତାର ଶପଥ ପାଠ କରାଇଥିଲେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି “ସତର୍କତା: ଆମର ମିଳିତ ଦାୟିତ୍ୱ”।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ପ୍ରଦୀପ କୁମାର ଦାସ ଯେକୌଣସି ସଂଗଠନର ସ୍ଥାୟିତ୍ୱକୁ ସୁନିଶ୍ଚିତ କରିବା ଓ ସୁସ୍ଥକର ଶିକ୍ଷଣୀୟ ସଂସ୍କୃତିକୁ ସୁଦୃଢ଼ କରିବାରେ ସତର୍କତା ଗ୍ରହଣ କରୁଥିବା ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, “କେବଳଶୃଙ୍ଖଳିତ ଢଙ୍ଗରେ ସଂସ୍ଥାଗତ ଅଭିବୃଦ୍ଧି ପାଇଁ ନୁହେଁ, ବରଂ ଅର୍ଥନୀତିର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ମଧ୍ୟ ସତର୍କତା ଆବଶ୍ୟକ। ସୂଚନା ପ୍ରଯୁକ୍ତି ଆଧାରିତ ବ୍ୟବସ୍ଥା ଓ ଅନଲାଇନ୍ ପରିଚାଳନା ଜରିଆରେ ଇରେଡା ନିରନ୍ତର ଭାବେ ସ୍ୱଚ୍ଛତାରେ ଉନ୍ନତି ଆଣୁଛି।”
୨୦୨୫ ଅକ୍ଟୋବର ୨୭ରୁ ନଭେମ୍ବର ୨ ପର୍ଯ୍ୟନ୍ତ ପାଳନ କରାଯାଉଥିବା ସପ୍ତାହବ୍ୟାପୀ ସତର୍କତା ସଚେତନତା ସପ୍ତାହରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିବାକୁ ସେ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ସପ୍ତାହରେ ବିଭିନ୍ନ କର୍ମଶାଳା, ସେମିନାର ଓ ପ୍ରତିଯୋଗିତା ଆୟୋଜନ ହେବ ଯାହା ସଚ୍ଚୋଟତାର ଭାବକୁ ଦୃଢ଼ କରିବ।
ନିଜ ଅଭିଭାଷଣରେ ଶ୍ରୀ ଅଶୋକ କୁମାର ଅନ୍ତର୍ଭୁକ୍ତୀକରଣ ବିକାଶ ଦିଗରେ ଇରେଡାର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ଏବଂ ସତର୍କତା ସମସ୍ତ ପାଇଁ ଏକ ମିଳିତ ଦାୟିତ୍ୱ ବୋଲି ଦୋହରାଇଥିଲେ।
ଏହି ଅବସରରେ ଇରେଡାର ନିଜସ୍ୱ ସତର୍କତା ଜର୍ଣ୍ଣାଲ “ପହଲ”କୁ ଇରେଡାର ସିଏମ୍‌ଡି ଶ୍ରୀ ପ୍ରଦୀପ କୁମାର ଦାସ, ସିଭିସିର ସିଟିଇ ଶ୍ରୀ ଅଶୋକ କୁମାର, ନିର୍ଦେଶକ (ଫାଇନାନ୍ସ) ଡ. ବିଜୟ କୁମାର ଓ ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ଅଜୟ କୁମାର ସାହାଣୀ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପାନିର ବିଭିନ୍ନ କାର୍ଯ୍ୟକ୍ଷେତ୍ରର କର୍ମଚାରୀମାନେ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ।

Related Post