ଆଜିର ଖାସ ଖବର
Tue. May 26th, 2026

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଜନଜାତି ଐତିହ୍ୟ ସଂରକ୍ଷଣ ପାଇଁ କଳିଙ୍ଗନଗରଠାରେ ‘ସଂବାଦ ଫେଲୋସିପ୍’ର ୧୦ମ ସଂସ୍କରଣ ଶୁଭାରମ୍ଭ

By Admin_Dainkasha May13,2026

କଳିଙ୍ଗନଗର, ମଇ ୧୨, ୨୦୨୬: ସ୍ଥାନୀୟ ସଂସ୍କୃତିର ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ଗୋବରଘାଟି ଫେଜ୍-୨ ସ୍ଥିତ ଆଦିବାସୀ ୟୁଥ କ୍ଲବ୍‌ଠାରେ ‘ସଂବାଦ ଫେଲୋସିପ୍’ର ୧୦ମ ସଂସ୍କରଣ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଯାଜପୁର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରାଜେନ୍ଦ୍ର କାଲୁଣ୍ଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ପରମ୍ପରାକୁ ସୁରକ୍ଷିତ ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ପୁନର୍ବାସ ଓ ଥଇଥାନ ବିଭାଗ ମୁଖ୍ୟ ରଶ୍ମିରଞ୍ଜନ ନାୟକ ଏବଂ ଟିଏସଏଫ କଳିଙ୍ଗନଗର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀଙ୍କ ସମେତ ଟାଟା ଷ୍ଟିଲ୍ ଓ ଟିଏସଏଫର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜନଜାତି ଭାଷା ଶିକ୍ଷକ, ସଂବାଦ ଫେଲୋ ଏବଂ ପୂର୍ବତନ ସଦସ୍ୟ, ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ)ର ପ୍ରତିନିଧି ଏବଂ କଳିଙ୍ଗନଗର ୱାର୍କିଂ କମିଟିର ସଦସ୍ୟଙ୍କ ସମେତ ପ୍ରାୟ ୧୨୦ ଜଣ କମ୍ୟୁନିଟି ମେମ୍ବର ଅଂଶଗ୍ରହଣ କରିଥିଲେ।

ଏହି ଶୁଭାରମ୍ଭର ଅଂଶବିଶେଷ ସ୍ୱରୂପ, ଦାନଗଦି, ବ୍ରାହ୍ମଣୀପାଳ ଏବଂ ସୁକିନ୍ଦା ଅଞ୍ଚଳର ୨୪ଟି ପଞ୍ଚାୟତରୁ ୧୮ ରୁ ୩୫ ବର୍ଷ ବୟସ୍କ ଜନଜାତି ଯୁବବର୍ଗ ଏକତ୍ରିତ ହୋଇ ନିଜର ସମୃଦ୍ଧ ଐତିହ୍ୟକୁ ଆଗାମୀ ପିଢ଼ି ପାଇଁ ଏକ ଜୀବନ୍ତ ପରମ୍ପରା ଭାବେ ବଞ୍ଚାଇ ରଖିବାର ଚିନ୍ତାଧାରା ବିଷୟରେ ଆଲୋଚନା କରିବା ସହ କାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ କରିଥିଲେ ।

୨୦୧୭ ମସିହାରେ ଆରମ୍ଭ ହୋଇଥିବା ‘ସଂବାଦ ଫେଲୋସିପ୍’, ବିଲୁପ୍ତ ହେବାର ଆଶଙ୍କା ଥିବା ଜନଜାତି ଭାଷା, ପରମ୍ପରା ଏବଂ ସାଂସ୍କୃତିକ ପ୍ରଥାଗୁଡ଼ିକର ଦସ୍ତାବିଜ୍‌ ପ୍ରସ୍ତୁତ ତଥା ସୁରକ୍ଷା ପାଇଁ ଜନଜାତି ଯୁବବର୍ଗଙ୍କୁ ସହାୟତା ପ୍ରଦାନ କରିଆସୁଛି । ଏହି ଫେଲୋସିପ୍ ଆର୍ଥିକ ସହାୟତା, ମାର୍ଗଦର୍ଶନ ଏବଂ କମ୍ୟୁନିଟି -ଭିତ୍ତିକ ଗବେଷଣା ତଥା ଦସ୍ତାବିଜ୍‌ ପ୍ରସ୍ତୁତି ପାଇଁ ସୁଯୋଗ ପ୍ରଦାନ କରିଆସୁଛି ।

ବିଗତ ନଅଟି ସଂସ୍କରଣ ମଧ୍ୟରେ ସଂବାଦ ଫେଲୋସିପ୍ ସମଗ୍ର ଭାରତରେ ଅନେକ ପ୍ରଭାବଶାଳୀ ପଦକ୍ଷେପ ନେବାରେ ସକ୍ଷମ ହୋଇଛି, ଯେଉଁଥିରେ ବିଲୁପ୍ତପ୍ରାୟ ଜନଜାତି ଭାଷାଗୁଡ଼ିକର ସଂରକ୍ଷଣ, ଲୋକଗୀତ, ନୃତ୍ୟ, ପାରମ୍ପରିକ ଖେଳ, ଔଷଧୀୟ ଜ୍ଞାନ, ପାରମ୍ପରିକ ଖାଦ୍ୟ ପ୍ରଣାଳୀର ଦସ୍ତାବିଜ୍‌ ପ୍ରସ୍ତୁତି ଏବଂ ଜନଜାତି ଲୋକକଥା ଉପରେ ଆଧାରିତ ଶିଶୁ ସାହିତ୍ୟର ସୃଷ୍ଟି ଅନ୍ତର୍ଭୁକ୍ତ ।

ଗତ ୧୦ ବର୍ଷ ମଧ୍ୟରେ, ଏହି ଫେଲୋସିପ୍ ୬୪ ଜଣ ଫେଲୋଙ୍କୁ ସହାୟତା ପ୍ରଦାନ କରିବା ସହ ୩୪ ଟି ସାହିତ୍ୟିକ ରଚନା, ୩୨ ଟି ସଙ୍ଗୀତ, ୧୧ ଟି ପ୍ରାମାଣିକ ଚଳଚ୍ଚିତ୍ର ଏବଂ ଦୁଇଟି ସ୍ଥାନୀୟ ଅଞ୍ଚଳର ଐତିହ୍ୟ ଅନୁଷ୍ଠାନ ଗଠନରେ ସହାୟକ ହୋଇଛି, ଯାହା ଭାରତର ବିଭିନ୍ନ ଜନଜାତି ଐତିହ୍ୟର ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି ।

ସଂବାଦ ଫେଲୋସିପ୍ ଜନଜାତିର ଅଭ୍ୟାସକାରୀ, ଗବେଷକ, କଳାକାର ଏବଂ ସାଂସ୍କୃତିକ ନେତୃବୃନ୍ଦଙ୍କୁ ସମର୍ଥନ ଜଣାଇ ପ୍ରାଚୀନ ଜ୍ଞାନ ଏବଂ ଆଧୁନିକ ଜୀବନ ମଧ୍ୟରେ ଥିବା ଦୂରତାକୁ ଦୂର କରିବାକୁ ଚେଷ୍ଟା କରୁଛି। ଜନଜାତି ଜ୍ଞାନ କୌଶଳକୁ ଜୀବନ୍ତ ଏବଂ ପ୍ରାସଙ୍ଗିକ ରଖିବା ନିଶ୍ଚିତ କରି ଏହି ପଦକ୍ଷେପ ଦୈନନ୍ଦିନ ସ୍ଥାନୀୟ ଲୋକଙ୍କ ଜୀବନ ସହିତ ଏକ ନିବିଡ଼ ସମ୍ପର୍କ ସ୍ଥାପନ କରିଥାଏ ।

Related Post