ଆଜିର ଖାସ ଖବର
Wed. Jul 29th, 2026

ଟାଟା ଷ୍ଟିଲ୍‌ ୟଙ୍ଗ୍ ଆଷ୍ଟ୍ରୋନୋମର୍ ଟାଲେଣ୍ଟ ସର୍ଚ୍ଚ (ୟାଟ୍ସ)ର ୨୦ତମ ସଂସ୍କରଣ ଶୁଭାରମ୍ଭ

By Admin_Dainkasha Jul29,2026

ଭୁବନେଶ୍ୱର, ୨୮/୦୭/୨୦୨୬: ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନସ୍ଥ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ଟାଟା ଷ୍ଟିଲ୍‌‌‌ର ମିଳିତ ସହଯୋଗରେ ଆୟୋଜିତ ‘ୟଙ୍ଗ୍ ଆଷ୍ଟ୍ରୋନୋମର୍ ଟାଲେଣ୍ଟ ସର୍ଚ୍ଚ’ (ୟାଟ୍ସ)ର ୨୦ତମ ସଂସ୍କରଣ ଲୋକସେବା ଭବନଠାରେ ଶୁଭାରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାର ଉଦ୍‌‌‌ଘାଟନ କରିଛନ୍ତି।

ମହାନ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ସ୍ମୃତିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ, ମହାକାଶ ବିଜ୍ଞାନ ଏବଂ ଆଷ୍ଟ୍ରୋଫିଜିକ୍ସ ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ଏକ ପ୍ରମୁଖ ମଞ୍ଚ ସାଜିଛି।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, “ଚଳିତ ବର୍ଷ ୟାଟ୍ସର ବିଷୟବସ୍ତୁ ରହିଛି ‘ଇଣ୍ଡିଆଜ୍ ନେକ୍ସଟ୍ ଗଗନଟ୍‌‌’, ଯାହା, ଭବିଷ୍ୟତର ମହାକାଶଚାରୀମାନଙ୍କୁ ପ୍ରେରଣା ଦେବା ପାଇଁ ଆମର ଦୂରଦୃଷ୍ଟିକୁ ଦର୍ଶାଉଛି। ଏ କ୍ଷେତ୍ରରେ ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ଷ୍ଟିଲ୍‌‌‌ର ନିରନ୍ତର ସହଯୋଗ ନିଶ୍ଚିତ ଭାବେ ପ୍ରଶଂସନୀୟ। ଏବେସୁଦ୍ଧା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୫.୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଡ଼ି ହୋଇଥିବା ବେଳେ ୨୬୦ ଜଣ କୃତୀ ଛାତ୍ରଛାତ୍ରୀ ଇସ୍ରୋ ପରିଦର୍ଶନ କରି ଭାରତର ମହାକାଶ କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବାର ସୁଯୋଗ ପାଇଛନ୍ତି। ବିଜ୍ଞାନର ପ୍ରଗତି ହିଁ ପ୍ରତ୍ୟେକ ବିକଶିତ ରାଷ୍ଟ୍ରର ମୂଳଦୁଆ। ମୋର ଦୃଢ଼ ବିଶ୍ୱାସ ଯେ, ୟାଟ୍ସ ମାଧ୍ୟମରେ ସୃଷ୍ଟି ହେଉଥିବା ଯୁବ ବୈଜ୍ଞାନିକମାନେ ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନର ସ୍ୱପ୍ନକୁ ସାକାର କରିବାରେ ବଡ଼ ଭୂମିକା ଗ୍ରହଣ କରିବେ।

ଏହି ଉଦ୍‌‌‌ଘାଟନୀ ସମାରୋହରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌‌‌ର ଅଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଅରୁମୁଗମ୍ (ଆଇଏଏସ୍‌), ଅତିରିକ୍ତ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି ଓ ଶ୍ରୀମତୀ ପୂଜା ମିଶ୍ର, ଅର୍ଥନୈତିକ ପରାମର୍ଶଦାତା- ତଥା ଅତିରିକ୍ତ ସଚିବ ଶ୍ରୀମତି ବିଦ୍ୟୁତ୍ ପ୍ରଭା ରାଉତ, ଉପ ସଚିବ ତଥା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌‌‌ର ନିର୍ଦ୍ଦେଶିକା ଶ୍ରୀମତୀ ଉର୍ମିପ୍ରଭା ମହାରଣା ଏବଂ ଟାଟା ଷ୍ଟିଲ୍‌‌‌ର ଚିଫ୍ ରେସିଡେଣ୍ଟ ଏକଜିକ୍ୟୁଟିଭ୍ ଶ୍ରୀ ମୋହିତ ଦାସ, ଟାଟା ଷ୍ଟିଲ ମେରାମଣ୍ଡଳୀ କର୍ପୋରେଟ ସର୍ଭିସେସ୍ ଚିଫ୍ ଶ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ମୋହିତ ଦାସ କହିଛନ୍ତି, ପ୍ରତ୍ୟକ୍ଷ ଏବଂ ଡିଜିଟାଲ୍ ମାଧ୍ୟମ ଦ୍ୱାରା ୟାଟ୍ସକୁ ଅଧିକ ସମାବେଶୀ ଓ ସୁଗମ କରିବା ପାଇଁ ଟାଟା ଷ୍ଟିଲ୍ ପ୍ରତିଶ୍ରୁତିବଦ୍ଧ। ଏହି ଅଭିଯାନ ଯୁବ ପ୍ରତିଭାମାନଙ୍କୁ ଅନୁପ୍ରାଣିତ କରିବା ସହ ମହାକାଶ ବିଜ୍ଞାନରେ ସେମାନଙ୍କ ଆଗ୍ରହକୁ ଆହୁରି ଦୃଢ଼ କରୁଛି ବୋଲି ସେ କହିଛନ୍ତି।

ଛାତ୍ରଛାତ୍ରୀମାନେ ସେମାନଙ୍କ ବିଦ୍ୟାଳୟ ମାଧ୍ୟମରେ କିମ୍ବା ଅନଲାଇନ୍ ଲିଙ୍କ୍ https://www.bit.ly/YATS2026 ରେ ପଞ୍ଜୀକରଣ କରି ୟାଟ୍ସରେ ଭାଗ ନେଇପାରିବେ। ଚଳିତ ବର୍ଷ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଓପନ୍ କୁଇଜ୍ ପ୍ରତିଯୋଗିତା ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବହୁ ବିକଳ୍ପ (ଏମ୍‌ସିକ୍ୟୁ) ପରୀକ୍ଷା ଆୟୋଜିତ ହେବ।

ଜିଲ୍ଲାସ୍ତରୀୟ ବିଜେତାମାନେ ୧୩ଡିସେମ୍ବର ୨୦୨୬ରେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌‌‌ରେ ଗ୍ରାଣ୍ଡ ଫିନାଲେରେ ସାମିଲ ହୋଇ ପ୍ରତିଯୋଗିତାରେ ଭାଗ ନେବେ।

ସୂଚନାଥାଉ କି, ୧୯ତମ ସଂସ୍କରଣର ବିଜେତାମାନେ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାୱନ୍ ସ୍ପେସ୍ ସେଣ୍ଟର୍ ପରିଭ୍ରମଣ କରିବାର ସୁଯୋଗ ପାଇଥିଲେ। ଏବେସୁଦ୍ଧା ରାଜ୍ୟର ୫.୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୟାଟ୍ସ କାର୍ଯ୍ୟକ୍ରମରେ ସହ ଯୋଡ଼ି ହୋଇଥିବା ବେଳେ ୨୬୦ ଜଣ ପ୍ରତିଭାବାନ୍ ଛାତ୍ରଛାତ୍ରୀମାନେ ଇସ୍ରୋର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ଭାରତର ମହାକାଶ ବିଜ୍ଞାନ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପାଇଛନ୍ତି।

Related Post