ଆଜିର ଖାସ ଖବର
Mon. Nov 16th, 2026

ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ଅସ୍ମିତା ଇଷ୍ଟ ଜୋନ୍ ଜୁନିୟର ମହିଳା ହକି ଲିଗ୍‌ ଚାମ୍ପିଅନ୍

By Admin_Dainkasha Nov11,2026

ଭୁବନେଶ୍ୱର, ୦୯.୧୧.୨୦୨୬: ଅସ୍ମିତା ଇଷ୍ଟ ଜୋନ୍ ଜୁନିୟର ମହିଳା ହକି ଲିଗ୍ ୨୦୨୬-୨୭ରେ ହକି ଆସୋସିଏସନ୍ ଅଫ୍ ଓଡ଼ିଶାକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ପରାସ୍ତ କରି ‘ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର’ (ଓଏନଟିଏଚ୍ଏଚପିସି)

ଚାମ୍ପିଅନ୍ ହୋଇଛି।

ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଟିମ୍ ୩-୩ ଗୋଲ୍‌ରେ ରହିଥିଲେ। ଏହାପରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ନିଆଯାଇଥିଲା। ଏଥିରେ ଓଏନଟିଏଚ୍ଏଚପିସିର ଗୋଲକିପର ପବିତ୍ରା ହୋଡାମ୍‌ ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ୪ଟି ସଟ୍‌କୁ ରୋକିବାରେ ସଫଳ ହୋଇଥିଲେ। ଫଳରେ ତାଙ୍କ ଟିମ୍ ୨-୦ରେ ସୁଟ୍‌ଆଉଟ୍‌ ଜିତି ଟାଇଟଲ୍ ଜିତିଥିଲା। ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପବିତ୍ରାଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବେ ପୁରସ୍କୃତ କରାଯାଇଛି।

ଆସାମ, ବିହାର (ବିଏସ୍ଏସ୍ଏ), ହକି ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ଓଏନଟିଏଚ୍ଏଚପିସି ଗ୍ରୁପ୍ ପର୍ଯ୍ୟାୟ ପ୍ରଥମ ମ୍ୟାଚ୍‌ରେ ବିହାରକୁ ୬-୦ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଆସାମକୁ ୧୬-୦ ଗୋଲ୍‌ରେ ପରାସ୍ତ କରିଥିଲା। ତେବେ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଓଏନଟିଏଚ୍ଏଚପିସି ଟିମ୍, ହକି ଆସୋସିଏସନ୍ ଅଫ୍ ଓଡ଼ିଶାଠାରୁ ୩-୧ରେ ପରାଜିତ ହୋଇଥିଲା। ଫାଇନାଲ୍‌ରେ ପୁଣି ଥରେ ଦୁଇ ଦଳ ମୁହାଁମୁହିଁ ହୋଇଥିବା ବେଳେ ଓଏନଟିଏଚ୍ଏଚପିସି ଟିମ୍ ଚମତ୍କାର ପ୍ରଦର୍ଶନ କରି ଟ୍ରଫି ହାସଲ କରିଛି।

ଦଳର ଏହି ସଫଳତା ସମ୍ପର୍କରେ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସିର ପ୍ରୋଜେକ୍ଟ ଡାଇରେକ୍ଟର ଶ୍ରୀ ଗୁରମିତ୍ ସିଂହ ରାଓ କହିଛନ୍ତି, “ଏହି ବିଜୟ ଆମ ଯୁବ ଆଥଲେଟ୍‌ମାନଙ୍କର ପରିଶ୍ରମ, ଶୃଙ୍ଖଳା ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ସମ୍ଭବ ହୋଇଛି। ଗ୍ରୁପ୍ ପର୍ଯ୍ୟାୟରେ ପରାଜୟ ପରେ ଫାଇନାଲ୍‌ରେ ଦଳ ଯେଉଁଭଳି ଭାବେ ପ୍ରତ୍ୟାବର୍ତ୍ତନ କଲା, ତାହା ସେମାନଙ୍କ ଖେଳୁଆଡ ମନୋଭାବକୁ ଦର୍ଶାଉଛି। ସୁଟ୍‌ଆଉଟ୍‌ରେ ପବିତ୍ରା ହୋଡାମ୍‌ଙ୍କ ପ୍ରଦର୍ଶନ ପ୍ରଶଂସନୀୟ। ଏହି ସଫଳତା ପାଇଁ ପୁରା ଟିମ୍ ଓ କୋଚିଂ ଷ୍ଟାଫ୍ ଙ୍କୁ ଶୁଭେଚ୍ଛା। ପ୍ରତିଭାବାନ ଯୁବ ଖେଳାଳିମାନଙ୍କୁ ଆଗାମୀ ଦିନରେ ଭାରତୀୟ ହକିର ଭବିଷ୍ୟତ ଭାବେ ଗଢ଼ିତୋଳିବା ପାଇଁ ଓଏନଟିଏଚ୍ଏଚପିସି ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ।”

ଅସ୍ମିତା ଇଷ୍ଟ ଜୋନ୍ ଜୁନିୟର ମହିଳା ହକି ଲିଗ୍ ୨୦୨୬-୨୭ର ଏହି ସଫଳତା ଓଏନଟିଏଚ୍ଏଚପିସି ଜୁନିୟର ମହିଳା ଟିମ୍‌ର ଦକ୍ଷତା ଓ ଉଚ୍ଚମାନର ପ୍ରଶିକ୍ଷଣ ଶୈଳୀକୁ ପ୍ରମାଣିତ କରୁଛି।

Related Post