ଆଜିର ଖାସ ଖବର
Mon. Nov 16th, 2026

ନଭେମ୍ବର ୨୨ରେ ‘ଟାଟା ଷ୍ଟିଲ୍ ନୂଆମୁଣ୍ଡି ରନ୍-ଏ-ଥନ୍’

By Admin_Dainkasha Nov11,2026

ଯୋଡ଼ା, ନଭେମ୍ବର ୧୧, ୨୦୨୬: ଟାଟା ଷ୍ଟିଲ୍ ପକ୍ଷରୁ ଏହାର ଓର୍ ମାଇନ୍ସ ଆଣ୍ଡ୍ କ୍ୱାରିଜ୍ (ଓଏମକ୍ୟୁ) ଡିଭିଜନ୍‌ର ପ୍ରମୁଖ କାର୍ଯ୍ୟକ୍ରମ ‘ନୋଆମୁଣ୍ଡି ରନ୍-ଏ-ଥନ୍’ର ଷଷ୍ଠ ସଂସ୍କରଣ ଘୋଷଣା କରାଯାଇଛି । ଆସନ୍ତା ନଭେମ୍ବର ୨୨, ୨୦୨୬ ରେ ନୋଆମୁଣ୍ଡି ସ୍ପୋର୍ଟସ୍ କମ୍ପ୍ଲେକ୍ସରୁ ଏହି ପ୍ରତିଯୋଗିତାର ଶୁଭାରମ୍ଭ ହେବ। ଚଳିତ ବର୍ଷ ଏହି ଦୌଡ଼ ପାଇଁ ‘ସବୁଜିମା ଭରା ଆଗାମୀ କାଲି ପାଇଁ ଦୌଡ଼’ (ରନ୍ ଫର୍ ଏ ଗ୍ରୀନର୍ ଟୁମରୋ) ବିଷୟବସ୍ତୁ ଧାର୍ଯ୍ୟ କରାଯାଇଛି।

ଏହି ଅବସରରେ ଟାଟା ଷ୍ଟିଲ୍ ଓଏମ୍‌କ୍ୟୁ ଡିଭିଜନ୍‌ର ଜେନେରାଲ୍ ମ୍ୟାନେଜର୍ ଦେବାଶିଷ ଜେନା; ଟାଟା ଷ୍ଟିଲ୍ ଯୋଡ଼ାର ଚିଫ୍ ଜି.ଭି. ସତ୍ୟନାରାୟଣ; ସ୍ପୋର୍ଟସ୍ (ଇଭେଣ୍ଟସ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର୍ସ) ମୁଖ୍ୟ କ୍ୟାପ୍‌ଟେନ୍ ମନୀଷ ସିହ୍ନା; ନୋଆମୁଣ୍ଡି, କାଟାମାଟି ଓ ବିଜୟ-୨ ଖଣି ମୁଖ୍ୟ ଡି. ବିଜୟେନ୍ଦ୍ର; ଯୋଗାଯୋଗ ବିଭାଗ ମୁଖ୍ୟ (ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ) ରୂପାଲୀ କର ଏବଂ କଞ୍ଚାମାଲ୍ ଓ ଝାଡ଼ଖଣ୍ଡ ଯୋଗାଯୋଗ ବିଭାଗ ମୁଖ୍ୟ ରାଜେଶ ରାଜନ୍‌ଙ୍କ ସମେତ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ରନ୍-ଏ-ଥନ୍ ପାଇଁ ସ୍ୱତନ୍ତ୍ର ଜର୍ସି ଉନ୍ମୋଚନ କରାଯାଇଛି।

ଏହି ପ୍ରତିଯୋଗିତାକୁ ୧୫ ବର୍ଷରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କ ପାଇଁ ୧୦ କିମି ଓ ୭ କିମି, ୧୬ ବର୍ଷରୁ କମ୍ ବାଳକ ଓ ବାଳିକାଙ୍କ ପାଇଁ ୫ କିମି ଏବଂ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ୨ କିମି ବର୍ଗରେ ବିଭକ୍ତ କରାଯାଇଛି। ବିଭିନ୍ନ ବର୍ଗର ବିଜେତାମାନଙ୍କୁ ମୋଟ ୫,୬୭,୦୦୦/- (ପାଞ୍ଚ ଲକ୍ଷ ସତଷଠି ହଜାର ଟଙ୍କା) ର ନଗଦ ପୁରସ୍କାର ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ଗତ ସଂସ୍କରଣରେ ଦେଶର ବିଭିନ୍ନ ପ୍ରାନ୍ତରୁ ଚାରି ହଜାରରୁ ଅଧିକ ଦୌଡ଼ାଳି ଭାଗ ନେଇଥିବା ବେଳେ ଚଳିତ ବର୍ଷ ପୂର୍ବ ରେକର୍ଡ ଭାଙ୍ଗିବା ନେଇ ଆଶା କରାଯାଉଛି। ଉଭୟ ସାଧାରଣ ଓ ସ୍ଥାନୀୟ ବର୍ଗର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ସହ ନଗଦ ପୁରସ୍କାର ରାଶିରେ ସମ୍ମାନିତ କରାଯିବ।

ନୋଆମୁଣ୍ଡି ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସୁପରିଚିତ । ଏହି ଅଞ୍ଚଳର ଜୈବ ବିବିଧତା ଏବଂ ବୃକ୍ଷଲତା ତଥା ଜୀବଜନ୍ତୁଙ୍କ ସଂରକ୍ଷଣ ଦିଗରେ ଟାଟା ଷ୍ଟିଲ୍ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସକ୍ରିୟ ଭୂମିକା ଗ୍ରହଣ କରିଆସିଛି। ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ନୋଆମୁଣ୍ଡି ଲୁହାପଥର ଖଣି ପକ୍ଷରୁ ସବୁଜ ବଳୟ ସୃଷ୍ଟି ଓ ଜୈବ ବିବିଧତା ବୃଦ୍ଧି ପାଇଁ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଟାଟା ଷ୍ଟିଲ୍‌ରେ କ୍ରୀଡ଼ାର ପ୍ରୋତ୍ସାହନ ଏକ ଶତାବ୍ଦୀର ପୁରୁଣା ଇତିହାସ ବହନ କରେ, ଯାହା ଏହାର କାର୍ଯ୍ୟ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଭାରତୀୟ କ୍ରୀଡ଼ା ଜଗତରେ ଏକ ଅଗ୍ରଣୀ କର୍ପୋରେଟ୍ ପ୍ରୋତ୍ସାହକ ଭାବେ ଟାଟା ଷ୍ଟିଲ୍ ଫୁଟବଲ୍, ତୀରନ୍ଦାଜୀ, ଆଥଲେଟିକ୍ସ, ହକି ଏବଂ ସ୍ପୋର୍ଟ କ୍ଲାଇମ୍ବିଂ ପାଇଁ ଉଚ୍ଚସ୍ତରୀୟ ଏକାଡେମୀ ପ୍ରତିଷ୍ଠା କରି କ୍ରୀଡ଼ା ପ୍ରତିଭାଙ୍କୁ ନିରନ୍ତର ଉତ୍ସାହିତ କରିଆସୁଛି ।

Related Post