ଆଜିର ଖାସ ଖବର
Wed. Nov 25th, 2026

ଉତ୍ତମ କ୍ରେଡିଟ୍ ରେକର୍ଡ ଥିବା ପ୍ରତି ୨ ଜଣ ସୁନା ଋଣ ଗ୍ରାହକଙ୍କ ମଧ୍ୟରୁ ଜଣେ ବର୍ଷକ ମଧ୍ୟରେ ନେଉଛନ୍ତି ଆଉ ଏକ ଋଣ: ଟ୍ରାନ୍ସୟୁନିୟନ ସିବିଲ୍‌

By Admin_Dainkasha Nov25,2026

ଭୁବନେଶ୍ୱର: ଦେଶରେ ସୁନା ବନ୍ଧକ ରଖି ଋଣ ନେବାର ପ୍ରବଣତା ଦ୍ରୁତ ବଢ଼ିବାରେ ଲାଗିଛି। ଋଣ ପରିଶୋଧର ଭଲ ଇତିହାସ ଥିବା ପ୍ରତି ଦୁଇ ଜଣ ସୁନା ଋଣ ଗ୍ରାହକଙ୍କ ମଧ୍ୟରୁ ଜଣେ ୧୨ ମାସ ମଧ୍ୟରେ ପୁଣି ଏକ ସୁନା ଋଣ ନେଉଛନ୍ତି। ଟ୍ରାନ୍ସୟୁନିୟନ୍ ସିବିଲ୍ର ନଭେମ୍ବର ୨୦୨୬ ରିପୋର୍ଟ ‘ଲେଣ୍ଡିଂ ଅନଲକ୍ଡ: ଗୋଲ୍ଡ ଲୋନ୍ସ’ରୁ ଏହି ତଥ୍ୟ ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ୨୦୨୬ ଅଗଷ୍ଟ ସୁଦ୍ଧା ଦେଶରେ ସୁନା ଋଣର ମୋଟ ବକେୟା ପରିମାଣ ୨୨.୫ ଲକ୍ଷ କୋଟି ଟଙ୍କାରେ ପହଂଚିଛି। ୨୦୨୩ ଅଗଷ୍ଟ ରେ ଥିବା ପରିମାଣ ତୁଳନାରେ ଏହା ପ୍ରାୟ ତିନି ଗୁଣ ଅଧିକ। ଏହି ସମୟରେ ସକ୍ରିୟ ସୁନା ଋଣ ଗ୍ରାହକଙ୍କ ସଂଖ୍ୟା ୫.୫ କୋଟିରେ ପହଂଚିଛି। ଦେଶର ମୋଟ ଋଣ ନେଉଥିବା ଗ୍ରାହକଙ୍କ ମଧ୍ୟରୁ ୨୧% ସୁନା ଋଣ ନେଉଛନ୍ତି। ପ୍ରତି ଗ୍ରାହକଙ୍କ ହାରାହାରି ଋଣ ପରିମାଣ ୪.୧ ଲକ୍ଷ ଟଙ୍କା ରହିଛି।
୨୦୨୬ ଜୁନ୍ରେ ଶେଷ ହୋଇଥିବା ତ୍ରୈମାସିକରେ ସୁନା ଋଣ ମଞ୍ଜୁରୀର ମୋଟ ମୂଲ୍ୟ ବାର୍ଷିକ ଭିତିରେ ୧୨% ବଢ଼ି ୮.୨ ଲକ୍ଷ କୋଟି ଟଙ୍କା ହୋଇଛି। ତେବେ ଏହି ସମୟରେ ଋଣ ପ୍ରଦାନ ସଂଖ୍ୟା ୧୫% କମିଛି। ପ୍ରାୟ ୩.୭ କୋଟି ସୁନା ଋଣ ଦିଆଯାଇଥିବା ବେଳେ ନୂଆ ଋଣ ନେଇଥିବା ସ୍ୱତନ୍ତ୍ର ଗ୍ରାହକଙ୍କ ସଂଖ୍ୟା ୨.୪ କୋଟି ରହିଛି। ତେଣୁ ଗ୍ରାହକଙ୍କ ସଂଖ୍ୟା କମିନାହିଁ, ବରଂ ଅଧିକ ଟଙ୍କାର ଋଣ ନେବା ପ୍ରବଣତା ବଢ଼ିଛି। ୨.୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଋଣ ସଂଖ୍ୟାରେ ୧୯% ବୃଦ୍ଧି ହୋଇଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।
ସୁନା ଋଣ ଏବେ କେବଳ ସହରାଚଂଳରେ ସୀମିତ ନାହିଁ। ୨୦୨୬ର ଦ୍ୱିତୀୟ ତ୍ରୈମାସିକରେ ମୋଟ ସୁନା ଋଣ ମଧ୍ୟରୁ ଦୁଇ-ତୃତୀୟାଂଶ ଋଣ ଅର୍ଦ୍ଧ ସହରାଚଂଳ ଓ ଗ୍ରାମାଚଂଳରୁ ଆସିଛି। ମହିଳାଙ୍କ ସହଯୋଗିତା ମୋଟ ଋଣ ମଧ୍ୟରୁ ପ୍ରାୟ ୪୦% ରହିଛି। ଯୁବପିଢ଼ି ବା ଜେନଜି ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବାର୍ଷିକ ଭିତିରେ ୧୯% ବଢ଼ିଛି। ଏହା ସହିତ ୮୦୦ରୁ ଅଧିକ ସିବିଲ୍ ସ୍କୋର ଥିବା ଗ୍ରାହକଙ୍କ ଅଂଶ ୪୦%ରେ ପହଂଚିଛି। ୨୦୨୩ ଜୁନ୍ ତୁଳନାରେ ଏଥିରେ ୪ ପଏଂଟ ପ୍ରତିଶତ ବୃଦ୍ଧି ହୋଇଛି।
ସୁନା ଋଣରେ ବାରମ୍ବାର ଋଣ ନେବାର ପ୍ରବଣତା ଅନ୍ୟ ଋଣ ତୁଳନାରେ ଅଧିକ। ୨୦୨୩ ଜୁଲାଇରୁ ୨୦୨୫ ଜୁନ୍ ମଧ୍ୟରେ ଋଣ ନେଇଥିବା ଭଲ କ୍ରେଡିଟ୍ ରେକର୍ଡ ଥିବା ଗ୍ରାହକଙ୍କ ମଧ୍ୟରୁ ୨.୫ ଲକ୍ଷ ଟଙ୍କା କିମ୍ବା ତାଠାରୁ କମ୍ ସୁନା ଋଣ ନେଇଥିବା ୫୭% ଗ୍ରାହକ ପରବର୍ତୀ ୧୨ ମାସ ମଧ୍ୟରେ ପୁଣି ସୁନା ଋଣ ନେଇଛନ୍ତି। ସେହିପରି ୨.୫ ଲକ୍ଷ ଟଙ୍କାରୁ ଅଧିକ ଋଣ ନେଇଥିବା ୪୫% ଗ୍ରାହକ ମଧ୍ୟ ପୁଣି ଋଣ ନେଇଛନ୍ତି। ତୁଳନାତ୍ମକ ଭାବେ ୧ ଲକ୍ଷ ଟଙ୍କାରୁ କମ୍ ବ୍ୟକ୍ତିଗତ ଋଣରେ ୩୮%, କ୍ରେଡିଟ୍ କାର୍ଡରେ ୨୨%, ଅସୁରକ୍ଷିତ ବ୍ୟବସାୟିକ ଋଣରେ ୧୫% ଓ ୧ ଲକ୍ଷ ଟଙ୍କାରୁ ଅଧିକ ବ୍ୟକ୍ତିଗତ ଋଣରେ ମାତ୍ର ୧୨% ଗ୍ରାହକ ପୁଣି ସମାନ ପ୍ରକାର ଋଣ ନେଇଛନ୍ତି।
ଋଣ ପରିଶୋଧରେ ପୂର୍ବରୁ ଅନିୟମିତ ଥିବା କିଛି ଗ୍ରାହକଙ୍କ କ୍ଷେତ୍ରରେ ମଧ୍ୟ ଉନ୍ନତି ଦେଖାଯାଇଛି। ରିପୋର୍ଟ ଅନୁସାରେ, ସୁନା ଋଣ ନେବା ପୂର୍ବରୁ ୨.୫ ଲକ୍ଷ ଟଙ୍କା କିମ୍ବା ତାଠାରୁ କମ୍ ଋଣ ନେଇଥିବା ୨୯% ଗ୍ରାହକଙ୍କର ଅନ୍ୟ ଋଣ ପରିଶୋଧରେ ଅତି କମରେ ୩୦ ଦିନର ବିଳମ୍ବ ଥିଲା। ୨.୫ ଲକ୍ଷ ଟଙ୍କାରୁ ଅଧିକ ଋଣ ନେଇଥିବା ଗ୍ରାହକଙ୍କ କ୍ଷେତ୍ରରେ ଏହି ହାର ୨୭% ଥିଲା। କିନ୍ତୁ ଏହି ଗ୍ରାହକଙ୍କ ମଧ୍ୟରୁ ୪୨% ୧୨ ମାସ ପରେ ନିଜର ସମସ୍ତ ସକ୍ରିୟ ଋଣ ପରିଶୋଧରେ ନିୟମିତ ହୋଇଥିଲେ। ତେବେ ସୁନା ଋଣ ନେବା ଯୋଗୁଁ ସେମାନଙ୍କ ପରିଶୋଧ କ୍ଷମତା ବଢ଼ିଛି ବୋଲି ଏହି ଅଧ୍ୟୟନ ପ୍ରମାଣ କରୁନାହିଁ।
ଅନ୍ୟପକ୍ଷରେ ସୁନା ଋଣ ଗ୍ରାହକଙ୍କ ଋଣ ପରିଶୋଧ ସ୍ଥିତିରେ ଉନ୍ନତି ହୋଇଛି। ୨୦୨୫ ଜୁନରେ ୩୦ ଦିନ କିମ୍ବା ତାଠାରୁ ଅଧିକ ସମୟ ଋଣ ପରିଶୋଧରେ ବିଳମ୍ବ କରୁଥିବା ସକ୍ରିୟ ଗ୍ରାହକଙ୍କ ଅନୁପାତ ୨% ଥିବାବେଳେ ୨୦୨୬ ଜୁନ୍ରେ ଏହା ୧.୪%କୁ ଖସିଛି। ଏହି ସମୟରେ ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୪.୮ କୋଟିରୁ ବଢ଼ି ୫.୪ କୋଟି ହୋଇଛି। କେତେକ ଗ୍ରାହକଙ୍କ କ୍ଷେତ୍ରରେ ଆଗକୁ ଋଣ ପରିଶୋଧରେ ଅନିୟମିତତା ହେବାର ଆଶଙ୍କା ରହିଛି। ପୂର୍ବ ଛଅ ମାସ ମଧ୍ୟରେ ଏକାଧିକ କିସ୍ତି ପରିଶୋଧ କରିନଥିବା ଗ୍ରାହକଙ୍କ ଆଗାମୀ ଛଅ ମାସରେ ଋଣ ପରିଶୋଧରେ ଅନିୟମିତତା ହେବାର ସମ୍ଭାବନା ଅନ୍ୟମାନଙ୍କ ତୁଳନାରେ ତିନି ଗୁଣ ଅଧିକ। ସୁନା ଋଣ ସହିତ ବ୍ୟବସାୟିକ ଋଣ ଥିବା ଗ୍ରାହକଙ୍କ କ୍ଷେତ୍ରରେ ଏହା ଦୁଇ ଗୁଣ ଏବଂ ୫ ଲକ୍ଷ ଟଙ୍କା କିମ୍ବା ଅଧିକ ଅଣ-ଗୃହ ଋଣ ବକେୟା ଥିବା ଗ୍ରାହକଙ୍କ କ୍ଷେତ୍ରରେ ୧.୪ ଗୁଣ ଅଧିକ।
ଏ ସମ୍ପର୍କରେ ଟ୍ରାନ୍ସୟୁନିୟନ୍ ସିବିଲର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭାବେଶ ଜୈନ କହିଛନ୍ତି ଯେ, “ସୁନା ବନ୍ଧକ ରଖି ଋଣ ନେଉଥିବା ଗ୍ରାହକଙ୍କ ଆର୍ôଥକ ସ୍ଥିତିକୁ କେବଳ ବନ୍ଧକ ସୁନାର ମୂଲ୍ୟ ଆଧାରରେ ବିଚାର କରିବା ଠିକ୍ ନୁହେଁ। ଗ୍ରାହକଙ୍କ ପୂର୍ବ ଋଣ ଇତିହାସ, ଅନ୍ୟ ବକେୟା ଋଣ ଓ ପରିଶୋଧ କ୍ଷମତାକୁ ମଧ୍ୟ ଦେଖିବା ଆବଶ୍ୟକ। ଏହାଦ୍ୱାରା ଋଣ ପ୍ରଦାନକାରୀ ସଂସ୍ଥା ଗ୍ରାହକଙ୍କ ଆବଶ୍ୟକତା ବୁଝିବା ସହ ଋଣ ବିପଦକୁ ନିୟନ୍ତ୍ରଣ କରିପାରିବେ।”

Related Post