ଆଜିର ଖାସ ଖବର
Wed. Nov 25th, 2026

ଆକ୍ସିସ୍ ବ୍ୟାଙ୍କ ଓ ଖାନ୍ ଏକାଡେମୀ ଇଣ୍ଡିଆ ପକ୍ଷରୁ ଓଡ଼ିଶାର ୪.୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ

By Admin_Dainkasha Nov25,2026

ଭୁବନେଶ୍ୱର: ବିଜ୍ଞାନ ଓ ଗଣିତ ଶିକ୍ଷାର ମୂଳଦୁଆ ମଜଭୁତ ହେଲେ ପିଲାମାନଙ୍କ ଚିନ୍ତା କରିବା ଓ ବିଶ୍ଳେଷଣ କରିବାର କ୍ଷମତା ବଢ଼ିଥାଏ। ଏହା ସେମାନଙ୍କୁ ଭବିଷ୍ୟତରେ ନୂଆ ନୂଆ ଜ୍ଞାନ ଓ କୌଶଳ ହାସଲ କରିବାରେ ସହାୟକ ହୋଇଥାଏ। ତେବେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତି, ଇଂଜିନିୟରିଂ ଓ ଗଣିତ (ଷ୍ଟେମ) ଶିକ୍ଷା ପ୍ରତି ଆଗ୍ରହ ବଜାୟ ରଖିବା ଏବେ ଏକ ବଡ଼ ଆହ୍ୱାନ ପାଲଟିଛି। ଓଡ଼ିଶାରେ, ଏନସିଆରଟି ଏବଂ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ଏହି ଆହ୍ୱାନକୁ ସ୍ପଷ୍ଟ ଭାବରେ ସାମ୍ନାକୁ ଆଣିଛି। ତୃତୀୟ ଶ୍ରେଣୀରେ ସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଗଣିତରେ ୬୧ ପ୍ରତିଶତ ରହିଥିବା ବେଳେ ନବମ ଶ୍ରେଣୀରେ ଏହା ୪୩ ପ୍ରତିଶତକୁ ଖସିଛି। ସେହିପରି ନବମ ଶ୍ରେଣୀରେ ବିଜ୍ଞାନରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ୪୩ ପ୍ରତିଶତ ରହିଛି। ଏହି ତଥ୍ୟରୁ ପିଲାଙ୍କୁ ନିୟମିତ ଶିକ୍ଷାଗତ ସହାୟତା ଦେବା ସହ ପାଠପଢ଼ାକୁ ଅଧିକ ସହଜ ଓ ଆକର୍ଷଣୀୟ କରିବାର ଆବଶ୍ୟକତା ଥିବା ସ୍ପଷ୍ଟ ହୋଇଛି।
ଏହି ସମସ୍ୟାର ସମାଧାନ ଓ ଡିଜିଟାଲ ମାଧ୍ୟମରେ ପାଠପଢ଼ାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆକ୍ସିସ ବ୍ୟାଙ୍କ, ଖାନ୍ ଏକାଡେମୀ ଇଣ୍ଡିଆ (କେଏଆଇ) ଓ ଓଡ଼ିଶା ସରକାରଙ୍କ ସହ ମିଶି ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି। “ଡିଜିଟାଲ ସାଇନ୍ସ ଆଣ୍ଡ ମ୍ୟାଥ୍ସ ଇଂଟରଭେନସନ୍ସ ଇନ୍ ଗଭର୍ଣ୍ଣମେଂଟ ସ୍କୁଲ”’ ନାମକ ଏହି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଲାଗୁ ହୋଇଛି। ଏହା ଦ୍ୱାରା ପ୍ରାୟ ୪.୫ ଲକ୍ଷ ଛାତ୍ରଛାତ୍ରୀ ଓ ୧୬ ହଜାର ଶିକ୍ଷକ ଉପକୃତ ହେବେ। ଏହି କାର୍ଯ୍ୟକ୍ରମ ୮ ହଜାର ସରକାରୀ ସ୍କୁଲରେ କାର୍ଯ୍ୟକାରୀ ହେଉଛି।
୨୦୨୪ ଏପ୍ରିଲରେ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏଥିରେ ଡିଜିଟାଲ ମାଧ୍ୟମରେ ପିଲାଙ୍କୁ ନିଜ ଆବଶ୍ୟକତା ଅନୁସାରେ ପାଠ ପଢ଼ିବାର ସୁଯୋଗ ମିଳିବ। ଏଥିସହ ଶିକ୍ଷକମାନଙ୍କୁ ତାଲିମ ଦିଆଯିବ ଏବଂ ସରକାରୀ ସ୍ତରରେ ପାଠପଢ଼ାର ଅଗ୍ରଗତି ଉପରେ ନଜର ରଖାଯିବ। ଖାନ ଏକାଡେମୀର ଡିଜିଟାଲ ପ୍ଲାଟଫର୍ମରେ ପିଲାମାନେ ପାଠ୍ୟକ୍ରମ ଅନୁସାରେ ଭିଡିଓ, ଅଭ୍ୟାସ ପ୍ରଶ୍ନ ଓ ପରୀକ୍ଷା ଦେବାର ସୁବିଧା ପାଇବେ। ଫଳରେ ସେମାନେ ନିଜ ଗତିରେ ପାଠ ପଢ଼ିବା ସହ ବିଷୟଗୁଡ଼ିକୁ ଭଲ ଭାବେ ବୁଝିପାରିବେ।
ଏହି କାର୍ଯ୍ୟକ୍ରମ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଅଧୀନରେ ଥିବା ପଂଚସଖା ଶିକ୍ଷା ସେତୁ’ (ପିଏସ୍‌ଏସ୍‌) ସହଯୋଗରେ କାର୍ଯ୍ୟକାରୀ ହେଉଛି। ଏହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରହିଛି। ଏହି ସହଯୋଗ ଫଳରେ ସ୍କୁଲରେ ବିଜ୍ଞାନ ଓ ଗଣିତ ଅଭ୍ୟାସ ପାଇଁ ନିର୍ଦ୍ଦିଷ୍ଟ ସମୟ ରଖାଯିବ। ଏଥିସହ ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ନଜର ରଖାଯିବ। ଏହା ଦ୍ୱାରା ଡିଜିଟାଲ ଶିକ୍ଷାକୁ ନିୟମିତ ପାଠପଢ଼ାର ଏକ ଅଂଶ କରାଯାଇପାରିବ।
ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ ୯୯ ହଜାର ଛାତ୍ରଛାତ୍ରୀ ୧୮ଟି କିମ୍ବା ତା’ଠାରୁ ଅଧିକ ଷ୍ଟେମ ଶିକ୍ଷଣୀୟ ଦକ୍ଷତାରେ ପାରଦର୍ଶିତା ହାସଲ କରିବେ ବୋଲି ଆକଳନ କରାଯାଇଛି। ସେହିପରି ପ୍ରାୟ ୫୪ ହଜାର ଛାତ୍ରଛାତ୍ରୀ ୩୬ଟି କିମ୍ବା ତା’ଠାରୁ ଅଧିକ ଦକ୍ଷତା ହାସଲ କରିବା ଲକ୍ଷ୍ୟ ରହିଛି।
ଓଡ଼ିଶାର ସ୍କୁଲଗୁଡ଼ିକରେ ପାଠପଢ଼ାକୁ ଅଧିକ ଉପଯୋଗୀ କରିବା ପାଇଁ ଖାନ ଏକାଡେମୀ ଇଣ୍ଡିଆ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ଓ ଗଣିତ ବିଷୟବସ୍ତୁକୁ ରାଜ୍ୟ ଶିକ୍ଷା, ଗବେଷଣା ଓ ତାଲିମ ପରିଷଦ (ଏସ୍‌ସିଇଆରଟି) ପାଠ୍ୟକ୍ରମ ଅନୁସାରେ ପ୍ରସ୍ତୁତ କରିଛି। ଏହି ସମସ୍ତ ପାଠ୍ୟ ସାମଗ୍ରୀ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ହେଉଛି। ଏଥିରେ ପାଠ ବୁଝାଉଥିବା ଭିଡିଓ, ଅଭ୍ୟାସ ପ୍ରଶ୍ନ, ଶିକ୍ଷାରେ ଥିବା ଦୁର୍ବଳତା ଦୂର କରିବା ପାଇଁ ବ୍ରିଜ କୋର୍ସ, ପୁନରାବୃତ୍ତି ପାଠ୍ୟକ୍ରମ ଓ ବୋର୍ଡ ପରୀକ୍ଷା ପାଇଁ ସହାୟକ ପାଠ୍ୟ ସାମଗ୍ରୀ ରହିଛି।
ଡିଜିଟାଲ ଶିକ୍ଷାକୁ ସଫଳ କରିବା ପାଇଁ ଶିକ୍ଷକଙ୍କ ତାଲିମ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ତିନିଟି ପର୍ଯ୍ୟାୟରେ ତାଲିମ ବ୍ୟବସ୍ଥା କରାଯାଇଛି। ଏଥିରେ ମାଷ୍ଟର ଟ୍ରେନର, ଜିଲ୍ଲାସ୍ତରୀୟ ଅଧିକାରୀ ଓ ଶିକ୍ଷକମାନେ ସାମିଲ ହେବେ। ଅନଲାଇନ ଓ ସାମ୍ନାସାମ୍ନି ତାଲିମ ସହ ଫୋନ ଓ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ସହାୟତା ଯୋଗାଇ ଦିଆଯିବ। ଏଥିସହ ଡିଜିଟାଲ ଡ୍ୟାସବୋର୍ଡ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅଂଶଗ୍ରହଣ ଓ ଅଗ୍ରଗତି ଉପରେ ନଜର ରଖାଯିବ। କେଉଁ ବିଷୟରେ ପିଲାମାନେ ଦୁର୍ବଳ ଅଛନ୍ତି ତାହା ଜାଣି ଆବଶ୍ୟକ ଅନୁସାରେ ସହାୟତା ଦିଆଯାଇପାରିବ।
ଏହି ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ଆକ୍ସିସ୍ ବ୍ୟାଙ୍କର ବ୍ୟାପକ ଦୃଷ୍ଟିଭଙ୍ଗୀର ଏକ ଅଂଶ ଅଟେ—ଉତ୍ତର-ପୂର୍ବ ଭାରତରେ ଶିକ୍ଷାର ସୁଯୋଗ ପହଞ୍ଚାଇବା ଠାରୁ ଆରମ୍ଭ କରି ମଧ୍ୟ ଭାରତରେ ମୌଳିକ ଶିକ୍ଷଣ ଫଳାଫଳକୁ ସୁଦୃଢ଼ କରିବା; ଏବଂ ଉତ୍ତର ଭାରତରେ ବ୍ୟବସ୍ଥାଗତ ଶିକ୍ଷାକୁ ସକ୍ଷମ କରିବା ଠାରୁ ଆରମ୍ଭ କରି ଦକ୍ଷିଣ ଭାରତରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତା ବିକାଶ କରିବା ପର୍ଯ୍ୟନ୍ତ ଏହା ବ୍ୟାପ୍ତ । ଓଡ଼ିଶାରେ, ଏହା ଜାତୀୟ ଶିକ୍ଷା ନୀତି ଏବଂ ରାଜ୍ୟର ଆକାଂକ୍ଷା ସହିତ ତାଳ ଦେଇ ଯୁବପିଢ଼ିଙ୍କୁ ସେମାନଙ୍କ ଭବିଷ୍ୟତ ପାଇଁ ଦକ୍ଷତା ଗଠନରେ ସାହାଯ୍ୟ କରିବା ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

Related Post