
- ସୁରକ୍ଷିତ ଓ ସମାନ ସମାଜ ଗଠନର ବାର୍ତ୍ତା ନେଇ ଏକାଠି ହେଲେ ପ୍ରାୟ ୬୦ ଜଣ ମହିଳା
କଳିଙ୍ଗନଗର, ନଭେମ୍ବର ୨୫, ୨୦୨୬: ଅନ୍ତର୍ଜାତୀୟ ମହିଳା ହିଂସା ନିବାରଣ ଦିବସ ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଦିଶା’ କାର୍ଯ୍ୟକ୍ରମ ସହ ଜଡ଼ିତ ପ୍ରାୟ ୬୦ ଜଣ ମହିଳା କଳିଙ୍ଗନଗରସ୍ଥିତ ଗୋବରଘାଟି କଲୋନୀରେ ଏକ ପଦଯାତ୍ରା ଓ ସଚେତନତା ସଭାରେ ଅଂଶଗ୍ରହଣ କରିଛନ୍ତି। ‘ୱି ଫର୍ ଚେଞ୍ଜ୍’ ଅଭିଯାନ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା, ମହିଳାଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ସଚେତନତା ସୃଷ୍ଟି କରିବା ଏବଂ ଏକ ସୁରକ୍ଷିତ ସମାଜ ଗଠନ ପାଇଁ ସମସ୍ତଙ୍କୁ ଏକାଠି କରିବା।
ଏହି କାର୍ଯ୍ୟକ୍ରମରେ ଗୋବରଘାଟି ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ପାର୍ବତୀ ବାନରା, ସ୍ଥାନୀୟ ନେତ୍ରୀ ମୀନୁ ସୋଏ ଓ ଭାନୁମତୀ ମହାନ୍ତଙ୍କ ସମେତ ଟାଟା ଷ୍ଟିଲ୍ ଫାଉଣ୍ଡେସନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଅଂଶଗ୍ରହଣକାରୀ ମହିଳାମାନେ ହାତରେ ନାରଙ୍ଗୀ ରଙ୍ଗର ବ୍ୟାନର ଧରି ମହିଳା ଓ ବାଳିକାମାନଙ୍କ ସମ୍ମାନ, ସୁରକ୍ଷା ଏବଂ ଅଧିକାରର ବାର୍ତ୍ତା ବାଣ୍ଟି ସମଗ୍ର କଲୋନୀ ପରିକ୍ରମା କରିଥିଲେ।
ପଦଯାତ୍ରା ପରେ ଆୟୋଜିତ ଆଲୋଚନାଚକ୍ରରେ ମହିଳାଙ୍କ ପ୍ରତି ହେଉଥିବା ଶାରୀରିକ, ମାନସିକ, ଯୌନ ଏବଂ ଆର୍ଥିକ ହିଂସା ସମ୍ପର୍କରେ ସଚେତନ କରାଯାଇଥିଲା। ଏହା ସହିତ ହିଂସାର ଶିକାର ମହିଳାଙ୍କ ପାଇଁ ଥିବା ‘ୱାନ୍ ଷ୍ଟପ୍ ସେଣ୍ଟର’ (ଓଏସସି) ଏବଂ ଘରୋଇ ହିଂସା ନିରୋଧ ଆଇନ ଅଧୀନରେ ମିଳୁଥିବା ଆଇନଗତ, ଚିକିତ୍ସା ଓ ପରାମର୍ଶ ସହାୟତା ବିଷୟରେ ସୂଚନା ଦିଆଯାଇଥିଲା।
ଏହି ଅବସରରେ ‘ଦିଶା’ ପ୍ରଶିକ୍ଷାର୍ଥୀ ମୀରା ସୋଏ କହିଥିଲେ ଯେ, ସଚେତନତା ଓ ସଠିକ୍ ପରାମର୍ଶ ଦ୍ୱାରା ଗାଁରେ ବାଲ୍ୟବିବାହ ଭଳି କୁପ୍ରଥାକୁ ରୋକାଯାଇ ପାରୁଛି। ସେହିପରି ଅନ୍ୟ ଜଣେ ଅଂଶଗ୍ରହଣକାରୀ ସାରଥୀ ମହାନ୍ତୋ “ନାରୀ ଦୁର୍ବଳ ନୁହେଁ, ନାରୀ ସବଳ” ବୋଲି ମତ ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ୧୬ ଦିନିଆ ବିଶ୍ୱବ୍ୟାପୀ ସଚେତନତା ଅଭିଯାନ ଅନ୍ତର୍ଗତ ଯାଜପୁର ଜିଲ୍ଲାର କୁମ୍ଭୀରଗାଡ଼ିଆ, ନଡ଼ିଆଭଙ୍ଗା ଏବଂ ଲେମ୍ବୋ ଗ୍ରାମ ପଞ୍ଚାୟତରେ ମଧ୍ୟ ଏହିଭଳି ପଦଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

