ଭୁବନେଶ୍ୱର: ଯକୃତ ରୋଗର ଅନ୍ୟତମ ପ୍ରମୁଖ କାରଣ ଭାଇରାଲ୍ ହେପାଟାଇଟିସ୍ ହୋଇ ରହିଛି ଯାହାକୁ ସଠିକ୍ ସମୟରେ ଚିକିତ୍ସା କରାଗଲେ ବିଶ୍ୱସ୍ତରରେ ଅନେକ ଜୀବନ ବଂଚାଇହେବ। ଭାରତରେ ଏହି ପ୍ରକାର ମୃତ୍ୟୁ ଯଥେଷ୍ଟ ଅଧିକ ରହିଛି। ଆଗାମୀ ବିଶ୍ୱ ହେପାଟାଇଟିସ୍ ଦିବସ ପରିପ୍ରେକ୍ଷୀରେ କେୟାର ହେଲ୍ଥ ଇନସ୍ୟୁରାନ୍ସ ପକ୍ଷରୁ ଏକ ସାର୍ବଜନୀନ ପରାମର୍ଶବଳୀ ଜାରି କରି ଲୋକମାନଙ୍କୁ ହେପାଟାଇଟିସ୍ ପରୀକ୍ଷା କରିବା, ଟିକାକରଣ ଓ ଠିକ୍ ସମୟରେ ମେଡିକାଲ୍ ଚିକିତ୍ସା କରିବାକୁ ଆହ୍ୱାନ ଦିଆଯାଇଛି।
ଏକ ‘ନିରବ ରୋଗ’ ଭାବେ ପରିଚିତ ଭାଇରାଲ୍ ହେପାଟାଇଟିସ୍ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବିନା ଲକ୍ଷଣରେ ରହିଥାଏ ଏବଂ କେବଳ ଯକୃତ କ୍ଷତିଗ୍ରସ୍ତ ହେବା ପରେ ତାହା ଚିହ୍ନଟ ହୋଇଥାଏ। ରୋଗୀ ଚିକିତ୍ସା ସୁବିଧା ହାସଲ କରିବାକୁ ଯିବା ବେଳକୁ ତାହା ସିରୋସିସ, ଯକୃତ ଅଚଳ ହେବା କିମ୍ବା ଯକୃତ କ୍ୟାନସର ଆଡ଼କୁ ଗତି କରିସାରିଥାଏ, ଫଳରେ ତାହାର ଚିକିତ୍ସା ଅତ୍ୟନ୍ତ ଜଟିଳ, ଲମ୍ବା ଓ ବ୍ୟୟବହୁଳ ହୋଇପଡ଼େ। ତେଣୁ ଗମ୍ଭୀର ଜଟିଳତାର ମୁକ୍ତି ପାଇବା ଓ ସ୍ୱାସ୍ଥ୍ୟ ଫଳାଫଳରେ ଉନ୍ନତି ଆଣିବା ପାଇଁ ଆଗୁଆ ପରୀକ୍ଷା ଓ ଠିକ୍ ସମୟରେ ଚିକିତ୍ସା ଜରୁରୀ।
ବିଶ୍ୱର ସର୍ବାଧିକ ହେପାଟାଇଟିସ୍ ମାମଲା ଭାରତରେ ଦେଖାଦେଉଛି। ଏକ ଆକଳନ ଅନୁସାରେ ୨.୯ କୋଟି ଲୋକ ହେପାଟାଇଟିସ୍ ବି ଓ ୦.୫୫ କୋଟି ଲୋକ ହେପାଟାଇଟିସ୍ ସିରେ ଆକ୍ରାନ୍ତ। ଭାଇରାଲ୍ ହେପାଟାଇଟିସ୍ ପ୍ରଭାବରେ ଭାରତରେ ପ୍ରତିବର୍ଷ ୧.୨୩ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି ଏବଂ ବିଶ୍ୱ ହେପାଟାଇଟିସ୍ ବି ଓ ସି ଜନିତ ମୃତ୍ୟୁରେ ଭାରତର ଭାଗ ଯଥେଷ୍ଟ ଅଧିକ ରହିଛି। ଅଧିକାଂଶ ମାମଲାରେ ଆଗୁଆ ଚିକିତ୍ସା କରାଯାଇନଥିବାରୁ ଚିକିତ୍ସା ଆରମ୍ଭ ବେଳକୁ ଯକୃତରେ ଗୁରୁତର ଆଘାତ ସୃଷ୍ଟି ହୋଇଥାଏ। ଭାରତ ସରକାରଙ୍କ ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍ଭିଏଚ୍ସିପି) ଅଧୀନରେ ମାଗଣାରେ ହେପାଟାଇଟିସ୍ ପରୀକ୍ଷାର ସୁବିଧା ରହିଛି। କିନ୍ତୁ ଅତ୍ୟାଧୁନିକ ପରୀକ୍ଷା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏକ ଘରୋଇ ହସ୍ପିଟାଲରେ ଯକୃତ ପ୍ରତିରୋପଣ ପାଇଁ ୧୮-୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ଓ ଜୀବନ ସାରା ଔଷଧ ଖାଇବାକୁ ପଡ଼େ।
କେୟାର ହେଲ୍ଥ ଇନସ୍ୟୁରାନ୍ସର ଅଧ୍ୟୟନରୁ ଜଣାପଡ଼ିଛି ଯେ ଗତ ତିିନି ବର୍ଷରେ ଯକୃତ ଖରାପ ଜନିତ ମୃତ୍ୟୁ ତିନି ଗୁଣ।। ବୃଦ୍ଧି ପାଇଛି ଓ ଚିକିତ୍ସା ଖର୍ଚ୍ଚ ପ୍ରାୟ ୧୦୦% ବଢ଼ିଛି। ବୀମା କମ୍ପାନିଗୁଡ଼ିକ ମଧ୍ୟ ଯୁବବର୍ଗଙ୍କ ମଧ୍ୟରେ ୫-୧୦ ପ୍ରତିଶତ ବୃଦ୍ଧି, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ୧୦୧-୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଏବଂ ମହିଳାଙ୍କ କ୍ଷେତ୍ରରେ ୦ ପ୍ରତିଶତ ବୃଦ୍ଧି ହୋଇଥିବା ଜାଣିପାରିଛନ୍ତି।
ହେପାଟାଇଟିସ୍ ରୋଗକୁ ଏଡ଼ାଇବା ପାଇଁ କେୟାର ହେଲ୍ଥ ଇନସ୍ୟୁରାନ୍ସ ପକ୍ଷରୁ କେତେକ ପରାମର୍ଶ ପ୍ରଦାନ କରାଯାଇଛି। ଥରେ ଅନ୍ତତଃ ହେପାଟାଇଟିସ୍ ବି ଓ ସିର ପରୀକ୍ଷା କରିବା ଉଚିତ। ନବଜାତକଙ୍କୁ ୨୪ ଘଂଟା ଭିତରେ ହେପାଟାଇଟିସ୍ ବି ଟିକା ଦିଆଯିବା ଦରକାର। ଲକ୍ଷଣକୁ ଅପେକ୍ଷା କରନ୍ତୁ ନାହିଁ, କାରଣ ଏହି ରୋଗରେ ନିରବରେ ଭିତରେ ଅନେକ ବର୍ଷ ପର୍ଯ୍ୟନ୍ତ ବଢ଼ିପାରେ। ନିଦାନ ଓ ଚିକିତ୍ସା କଲେ ହେପାଟାଇଟିସ୍ ସିର ଉପଷମ ସମ୍ଭବ ଏବଂ ମେଡିକାଲ୍ ଚିକିତ୍ସା ଜରିଆରେ ହେପାଟାଇଟିସ୍ ବିର ପରିଚାଳନା କରିହେବ। ଡାଇବେଟିସ୍, ମେଦବହୁଳତା, ଫ୍ୟାଟି ଲିଭର ଓ ଅନ୍ୟାନ୍ୟ ମେଟାବୋଲିଜିମ୍ ରୋଗରେ ପୀଡ଼ିତ ଲୋକମାନେ ଏହାର ପରୀକ୍ଷା କରିବା ଜରୁରୀ।
ଇଞ୍ଜେକ୍ସନ, ବ୍ଲଡ୍ ଟ୍ରାନ୍ସଫୁୃ୍ୟଜନ, ଦାନ୍ତ ଚିକିତ୍ସା, ଟାଟୁ କରିବା ଏବଂ କୌଣସି ଅଙ୍ଗରେ କଣା କରିବା ବେଳେ ସତର୍କତା ଅବଲମ୍ବନ କରିବା, ଅନ୍ୟର ରେଜର, ଛୁଂଚି ଓ ସିରିଞ୍ଜ ବ୍ୟବହାରରୁ ଦୂରେଇ ରହିବା ଉଚିତ। ହେବାଟାଇଟିସ ଏ ଓ ଇ ଏଡାଇବା ପାଇଁ ଖାଦ୍ୟ ଓ ପାନୀୟ ପରିମଳ ବଜାୟ ରଖନ୍ତୁ। ମୌସୁମୀ ଋତୁରେ ଏହି ସମସ୍ୟା ଅଧିକ ଦେଖାଦିଏ। ସନ୍ତୁଳିତ ଆହାର, ନିୟମିତ ବ୍ୟାୟାମ ଭଳି ସୁସ୍ଥକର ଜୀବନଯାପନ କରିବା ଏବଂ ଅତ୍ୟଧିକ ମଦ୍ୟପାନ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଅ।।ଯାଇଛି।
