ଆଜିର ଖାସ ଖବର
Wed. Apr 15th, 2026

ଭୁବନେଶ୍ୱରରେ ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬ର ଶୁଭାରମ୍ଭ: ପ୍ରଦର୍ଶିତ ହେବ ପୂର୍ବ ଭାରତର ଶ୍ରେଷ୍ଠ ଦକ୍ଷତା

By Admin_Dainkasha Feb28,2026
Eastern India’s Largest Showcase of Skill Excellence Begins as IndiaSkills Regional Competition 2025–26 Kicks Off in Bhubaneswar
Eastern India’s Largest Showcase of Skill Excellence Begins as IndiaSkills Regional Competition 2025–26 Kicks Off in Bhubaneswar

ଭୁବନେଶ୍ୱର: ପୂର୍ବ ଭାରତର ସର୍ବବୃହତ ଦକ୍ଷତା, ପ୍ରତିଭା ଏବଂ ବୈଷୟିକ ଉତ୍କର୍ଷତାର ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ଜଟଣୀସ୍ଥିତ ତରାବୋଇ ‘ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍’ ପରିସରରେ ପୂର୍ବ କ୍ଷେତ୍ର ପାଇଁ ‘ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬’ର ଶୁଭାରମ୍ଭ ହୋଇଛି। ପାଞ୍ଚଟି ପୂର୍ବ ଭାରତୀୟ ରାଜ୍ୟ ଏବଂ ଏକ କେନ୍ଦ୍ରଶାସିତ ଅଞ୍ଚଳରୁ ୨୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଚାରି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପାରମ୍ପରିକ ହସ୍ତକଳାଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ୫୯ଟି ବିଭିନ୍ନ ଦକ୍ଷତା କ୍ଷେତ୍ରରେ ପ୍ରତିଯୋଗିତା ଅନୁଷ୍ଠିତ ହେବ, ଯାହା ଏହି ଅଞ୍ଚଳର ବହୁମୁଖୀ ପ୍ରତିଭାକୁ ପ୍ରଦର୍ଶିତ କରିବ। କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍ଏସଡିଇ) ର ତତ୍ତ୍ୱାବଧାନରେ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍ଏସଡିସି) ର ସହାୟତାରେ ଆୟୋଜିତ ଏହି ଆଞ୍ଚଳିକ ପ୍ରତିଯୋଗିତା, ଭାରତକୁ ବିଶ୍ୱସ୍ତରରେ ପ୍ରତିଯୋଗୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କାର୍ଯ୍ୟବଳ ଭାବେ ଗଢ଼ିତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।


କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟୋଗିତା ମନ୍ତ୍ରଣାଳୟ (ସ୍ୱାଧୀନ ଦାୟିତ୍ୱ) ଏବଂ ଶିକ୍ଷା ମନ୍ତ୍ରଣାଳୟର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି ଯେ, “ଭାରତର ଅଭିବୃଦ୍ଧିର କାହାଣୀ ଆମ ଯୁବଶକ୍ତିର ଅପାର ସମ୍ଭାବନା ଏବଂ ସେମାନଙ୍କର ପ୍ରତିଭାକୁ ଶ୍ରେଷ୍ଠତାରେ ପରିଣତ କରିବାର ଦକ୍ଷତା ଦ୍ୱାରା ନିର୍ଦ୍ଧାରିତ ହେବ। ‘ଇଣ୍ଡିଆସ୍କିଲ୍ସ’ ଏପରି ଏକ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି ଯେଉଁଠାରେ ବୈଷୟିକ ଦକ୍ଷତା ହାସଲ କରିବା ଏକ ଆକାଂକ୍ଷା, ପ୍ରତିଯୋଗିତାମୂଳକ ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡ ସହିତ ସମାନ ଅଟେ। ପୂର୍ବ ଭାରତରେ ଆମେ ଯେଉଁ ସଂକଳ୍ପ ଦେଖୁଛୁ, ତାହା ଏକ ଆତ୍ମବିଶ୍ୱାସୀ, ଭବିଷ୍ୟତ ପାଇଁ ପ୍ରସ୍ତୁତ, ଶୃଙ୍ଖଳିତ ଏବଂ ଉଚ୍ଚାଭିଳାଷୀ ପିଢ଼ିକୁ ପ୍ରତିଫଳିତ କରୁଛି, ଯେଉଁମାନେ ନିଜକୁ ସର୍ବୋଚ୍ଚ ମାନଦଣ୍ଡରେ ମାପିବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ଆମର ଶିଳ୍ପ ସହଭାଗୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି, ଯେଉଁମାନଙ୍କ ସକ୍ରିୟ ସହଯୋଗ ଏହି ପ୍ରତିଯୋଗିତାର ବିଶ୍ୱସନୀୟତା ଓ ପ୍ରାସଙ୍ଗିକତାକୁ ସୁଦୃଢ଼ କରୁଛି ଏବଂ ଏହି ଅଞ୍ଚଳର ପ୍ରତିଭାମାନଙ୍କୁ ଏକାଠି କରିଥିବାରୁ ମୁଁ ଆୟୋଜକମାନଙ୍କୁ ପ୍ରଶଂସା କରୁଛି। ସମସ୍ତ ପ୍ରତିଯୋଗୀ ଏବଂ ବିଶେଷଜ୍ଞଙ୍କୁ ମୋର ଅନେକ ଶୁଭେଚ୍ଛା, ଯେଉଁମାନଙ୍କ ନିଷ୍ଠା ଓ ପରିଶ୍ରମ ପ୍ରକୃତରେ ଶ୍ରେଷ୍ଠତାର ପ୍ରତୀକ ଅଟେ। ଏହି ସାମୂହିକ ପ୍ରତିବଦ୍ଧତା ଏକ ‘ବିକଶିତ ଭାରତ’ ଗଠନ ଦିଗରେ ଆମର ଯାତ୍ରାକୁ ଅଧିକ ଶକ୍ତିଶାଳୀ କରିବ।”


“ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ), ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମାନ୍ୟବର ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ‘ଯେକୌଣସି ରାଷ୍ଟ୍ରର ପ୍ରକୃତ ଶକ୍ତି ତା’ର ଯୁବପିଢ଼ିଙ୍କ ସମ୍ଭାବନାରେ ନିହିତ ଥାଏ। ବ୍ୟବହାରିକ ଦକ୍ଷତା, ନବସୃଜନ, ଏବଂ ନିଜର କୌଶଳକୁ ପ୍ରୟୋଗ କରିବାର ଆତ୍ମବିଶ୍ୱାସ ହିଁ ଅର୍ଥପୂର୍ଣ୍ଣ ପ୍ରଗତିର ଚାଳକ। ପ୍ରତ୍ୟେକ ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରତିଭା ଲୁକ୍କାୟିତ ଥାଏ, ଯାହାକୁ କେବଳ ଖୋଜି ବାହାର କରିବା ଏବଂ ପରିପୁଷ୍ଟ କରିବାର ଆବଶ୍ୟକତା ରହିଛି। ଆମର ଦକ୍ଷତା ବିକାଶ ବ୍ୟବସ୍ଥାକୁ ସୁଦୃଢ଼ କରି ଆମେ କେବଳ ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରୁନାହୁଁ, ବରଂ ସେମାନଙ୍କୁ ନବସୃଜନ, ନେତୃତ୍ୱ ପ୍ରଦାନ ଏବଂ ଏକ ଶକ୍ତିଶାଳୀ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଅବଦାନ ରଖିବା ପାଇଁ ସଶକ୍ତ କରୁଛୁ।'”


“ଇଣ୍ଡିଆସ୍କିଲ୍ସ ହେଉଛି ଦେଶର ଏକ ପ୍ରମୁଖ ଜାତୀୟ ଦକ୍ଷତା ପ୍ରତିଯୋଗିତା ଭିତ୍ତିଭୂମି, ଯାହା ଭାରତର ଶ୍ରେଷ୍ଠ ବୈଷୟିକ ପ୍ରତିଭାମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରଶିକ୍ଷିତ କରିବା ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରିବା ପାଇଁ ପରିକଳ୍ପନା କରାଯାଇଛି। ଇଣ୍ଡିଆସ୍କିଲ୍ସ ପ୍ରତିଯୋଗିତା ୨୦୨୫–୨୬ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଂଖ୍ୟକ ଅଂଶଗ୍ରହଣ ଦେଖିବାକୁ ମିଳିଛି। ଏଥିରେ ‘ସ୍କିଲ୍ ଇଣ୍ଡିଆ ଡିଜିଟାଲ୍ ହବ୍’ ମାଧ୍ୟମରେ ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୬୩ଟି ଦକ୍ଷତା ବିଭାଗରେ ୩.୬୫ ଲକ୍ଷ ପ୍ରାର୍ଥୀ ପଞ୍ଜିକରଣ କରିଛନ୍ତି, ଯାହା ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଦକ୍ଷତା ପ୍ରତି ବଢୁଥିବା ଆଗ୍ରହ ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଛି।”


“ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ହେଉଛି ଉଚ୍ଚ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ପାଇଁ ଜାତୀୟ ସ୍ତରର ‘ଇଣ୍ଡିଆସ୍କିଲ୍ସ’ ପ୍ରତିଯୋଗିତାକୁ ଯିବା ଏବଂ ପରବର୍ତ୍ତୀ ସମୟରେ ‘ୱାର୍ଲ୍ଡସ୍କିଲ୍ସ ଇଣ୍ଟରନ୍ୟାସନାଲ’ ଭଳି ଆନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏହି ଅଭିନବ ପ୍ରୟାସ ଦେଶର ଯୁବପିଢ଼ିଙ୍କ ପାଇଁ ଦକ୍ଷତାକୁ ଗର୍ବ, ପରିଚୟ ଏବଂ ସୁଯୋଗର ଏକ ଉତ୍ସ ଭାବେ ଗଢ଼ିତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି।


ଏହି ଆଞ୍ଚଳିକ ପ୍ରତିଯୋଗିତାରେ ପୂର୍ବ ଭାରତର ପାଞ୍ଚଟି ରାଜ୍ୟ—ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସମେତ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ମୋଟ ୫୯ଟି ବର୍ଗରେ ନିଜର ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଏଥିମଧ୍ୟରୁ ୩୭ଟି ବିଭାଗରେ ପ୍ରତ୍ୟକ୍ଷ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି, ଯେଉଁଠାରେ ବୈଷୟିକ ନିପୁଣତାର ଜୀବନ୍ତ ପ୍ରଦର୍ଶନ ଦେଖିବାକୁ ମିଳିବ; ଅନ୍ୟପଟେ ୨୨ଟି ବିଭାଗରେ ପରୋକ୍ଷ ମାଧ୍ୟମରେ ମୂଲ୍ୟାଙ୍କନ କରାଯାଉଛି, ଯାହା ବିଭିନ୍ନ କ୍ଷେତ୍ରରେ ଏକ ବ୍ୟାପକ ଏବଂ ସମ୍ମିଳିତ ଆକଳନକୁ ସୁନିଶ୍ଚିତ କରୁଛି।”


ଏହି ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର-ତଥା-ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ; ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କମିଶନର ତଥା ସଚିବ ରଶ୍ମିତା ପଣ୍ଡା; ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ଚଞ୍ଚଳ ରାଣା; ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର; ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର; ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର କୁଳପତି ଡଃ ଅମିୟ କୁମାର ରଥ; ଜଟଣୀ ତରାବୋଇ ସ୍ଥିତ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସଡିଆଇ) ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରଞ୍ଜନ ଭୌମିକ; ଭାରତ ସରକାରଙ୍କ ଏମଏସଡିଇର ଡିଡିଜି ଶ୍ରୀ ସୁନିଲ କୁମାର ଗୁପ୍ତା ଏବଂ ଏମଏସଡିଇର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ନବୀନ କୁମାରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ୨ ମାର୍ଚ୍ଚ ୨୦୨୬ରେ ଅନୁଷ୍ଠିତ ହେବ।
ଭାରତର ଦକ୍ଷତା ବିକାଶ କ୍ଷେତ୍ରରେ ପୂର୍ବ ଭାରତର ରଣନୀତିକ ଗୁରୁତ୍ୱ ରହିଛି। ଦ୍ରୁତ ଗତିରେ ଗଢ଼ିଉଠୁଥିବା ଶିଳ୍ପାଞ୍ଚଳ, ଉତ୍ପାଦନ ଓ ସେବା କ୍ଷେତ୍ରରେ ବଢ଼ୁଥିବା ପୁଞ୍ଜିନିବେଶ ଏବଂ ବୈଷୟିକ ଶିକ୍ଷା ନେଟୱାର୍କର ସମ୍ପ୍ରସାରଣ ସହ ଏହି ଅଞ୍ଚଳ ଏକ ପ୍ରମୁଖ ‘ଟ୍ୟାଲେଣ୍ଟ ହବ୍’ ବା ପ୍ରତିଭା କେନ୍ଦ୍ର ହେବାକୁ ଯାଉଛି। ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬ ମାଧ୍ୟମରେ, ଭାରତର ଏକ ଦକ୍ଷ, ଆତ୍ମବିଶ୍ୱାସୀ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଭବିଷ୍ୟତ ଗଠନ ଦିଗରେ ଏହି ଅଞ୍ଚଳ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପୁନଃ ପ୍ରତିପାଦିତ କରୁଛି।

Related Post