ଆଜିର ଖାସ ଖବର
Sat. Sep 12th, 2026

ଯୁବ ହକି-୫ଏସ୍ ଏସିଆନ ଚାମ୍ପିୟନ୍‌‌ସିପ୍‌: ଏଚ୍‌ଏଏଫ୍‌ର ଦୁଇ ମେମ୍ବରଙ୍କ ଉଚ୍ଚକୋଟୀର ପ୍ରଦର୍ଶନ

By Admin_Dainkasha Aug12,2026

ଭୁବନେଶ୍ୱର, ୦୩/୦୮/୨୦୨୬- ଓମାନର ମସ୍କଟ୍‌‌ଠାରେ ନିକଟରେ ଶେଷ ହୋଇଥିବା ପୁରୁଷ ଯୁବ ହକି-୫ଏସ୍ ଏସୀୟ ଚାମ୍ପିୟନ୍‌‌ସିପ୍‌‌ରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହୋଇଛି। ଏହି ଟିମ୍‌ରେ ସାମିଲ ଥିବା ‘ହକି ଏସ୍ ଫାଉଣ୍ଡେସନ୍‌’ (ଏଚ୍‌ଏଏଫ୍‌)ର ଦୁଇ ମେମ୍ବର ଆଶିଷ ତାନି ପୂର୍ତ୍ତି ଏବଂ ଅଭିଜିତ୍ ହାଜାରୀଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଟିମ୍ ଏହି ସଫଳତା ହାସଲ କରିଛି। ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟର ମିଳିତ ଉଦ୍ୟମରେ ପରିଚାଳିତ ଏଚ୍‌ଏଏଫ୍‌ର ଏହି ଦୁଇ ମେମ୍ବର ଆନ୍ତର୍ଜାତୀୟସ୍ତରରେ ପୁଣି ଥରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି।

ଏହି ଚାମ୍ପିୟନସିପରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିବା ସହ ଏଲିଟ୍ ପୁଲ୍‌‌ର ଶୀର୍ଷରେ ରହି ଭାରତୀୟ ଯୁବ ଦଳ ପ୍ରଥମ ଏଫ୍‌‌ଆଇଏଚ୍ (FIH) ଯୁବ ହକି-୫ଏସ୍ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ନିଜର ସ୍ଥାନ ନିଶ୍ଚିତ କରିଛି।

ଜାମସେଦପୁରସ୍ଥିତ ନାଭାଲ୍ ଟାଟା ହକି ଏକାଡେମୀ (ଏନ୍‌ଟିଏଚ୍‌ଏ)ର କ୍ୟାଡେଟ୍ ଆଶିଷ ତାନି ପୂର୍ତ୍ତି କ୍ରମାଗତ ଦ୍ୱିତୀୟ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ଜାପାନରେ ଆୟୋଜିତ ଏସିଆ କପ୍‌‌ରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳରେ ସେ ସଦସ୍ୟ ଥିଲେ।

ଅନ୍ୟପଟେ, ଓଡ଼ିଶା ସରକାର, ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ ପରିଚାଳିତ ‘ଓଡ଼ିଶା ନାଭାଲ୍ ଟାଟା ହକି ହାଇ-ପରଫରମାନ୍ସ ସେଣ୍ଟର’ (ଓଏନ୍‌ଟିଏଚ୍‌ଏଚ୍‌ପିସି)ର ଭିଡିଓ ଆନାଲିଷ୍ଟ ଅଭିଜିତ୍ ହାଜାରୀଙ୍କ ରଣନୀତି ଓ ମ୍ୟାଚ୍ ବିଶ୍ଲେଷଣ, ଦଳର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ସେ ପୂର୍ବରୁ ଜାପାନରେ ଅନୁଷ୍ଠିତ ଏସିଆ କପ୍‌‌ରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳ ଏବଂ କାଂସ୍ୟ ପଦକ ବିଜେତା ଭାରତୀୟ ମହିଳା ଦଳର ଭିଡିଓ ଆନାଲିଷ୍ଟ ଭାବେ କାର୍ଯ୍ୟ କରି ଆନ୍ତର୍ଜାତୀୟସ୍ତରରେ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି।”

ଏହି ସଫଳତା ପାଇଁ ଉଭୟଙ୍କୁ ଶୁଭେଚ୍ଛା ଜଣାଇ ହକି ଏସ୍ ଫାଉଣ୍ଡେସନ୍‌‌ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଗୁରୁମୀତ ସିଂହ ରାଓ କହିଛନ୍ତି, “ଏହି କୃତିତ୍ୱ ଆମ ହାଇ-ପରଫରମାନ୍ସ ଇକୋସିଷ୍ଟମ୍‌‌ର ସାମର୍ଥ୍ୟକୁ ଦର୍ଶାଉଛି। ଆଶିଷ ଏବଂ ଅଭିଜିତ୍‌‌ଙ୍କ ଅବଦାନ, ଭାରତକୁ ସ୍ୱର୍ଣ୍ଣ ପଦକ ଦେବା ସହ ବିଶ୍ୱକପ୍ ଯୋଗ୍ୟତା ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ।’

ଖେଳାଳିମାନଙ୍କୁ ସାଇଣ୍ଟିଫିକ୍ ଟ୍ରେନିଂ, ଉଚ୍ଚକୋଟୀର କୋଚିଂ ଏବଂ ଆନୁସଙ୍ଗିକ ସହଯୋଗ ଯୋଗାଇ ଦେଇ ଭାରତୀୟ ହକିର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ହକି ଏସ୍ ଫାଉଣ୍ଡେସନ୍ ନିରନ୍ତର କାର୍ଯ୍ୟ କରିଆସୁଛି।

Related Post