ଭାରତର ବର୍ଦ୍ଧିତ ଇସ୍ପାତ ଶିଳ୍ପ ଘରୋଇ ଫେରୋ-ଆଲୟଜ କ୍ଷେତ୍ର ପାଇଁ ନୂଆ ଅଭିବୃଦ୍ଧି ସମ୍ଭାବନା ଏବଂ ବିଶ୍ୱ ବଜାରରେ ନିଜର ସ୍ଥିତିକୁ ସୁଦୃଢ଼ କରିବାର ସୁଯୋଗ ସୃଷ୍ଟି କରିଛି ବୋଲି ଗୋଆରେ ଅନୁଷ୍ଠିତ ଷଷ୍ଠ ଅନ୍ତର୍ଜତାୀୟ ଫେରୋ ଆଲୟଜ ସମ୍ମିଳନୀ (ଆଇଏଫ୍ଏସି ୨୦୨୬)ରେ ଭାରତୀୟ ଫେରୋ ଆଲୟଜ ଉତ୍ପାଦକଙ୍କ ସଂଘ (ଆଇଏଫ୍ଏପିଏ) ପକ୍ଷରୁ କହାଯାଇଛି।
ଭାରତର ଅଶୋଧିତ ଇସ୍ପାତ ଉତ୍ପାଦନ ବାର୍ଷିକ ୧୦ ପ୍ରତିଶତ ହାରରେ ବୃଦ୍ଧି ପାଇ ୨୦୨୫ରେ ୧୬୫ ନିୟୁତ ଟନ୍ରେ ପହଂଚିଛି ଓ ଇସ୍ପାତ ଚାହିଦା ବାର୍ଷିକ ୭ ପ୍ରତିଶତ ହାରରେ ବୃଦ୍ଧି ପାଇବା ଆଶା କରାଯାଉଛି। ଏହି ଚାହିଦା ସହିତ ସ୍ୱତନ୍ତ୍ର ଧରଣର ଇସ୍ପାତ ଚାହିଦାରେ ହେଉଥିବା ବୃଦ୍ଧି ମାଙ୍ଗାନିଜ, କ୍ରୋମିୟମ, ସିଲିକନ ଓ ଅନ୍ୟାନ୍ୟ ଆଲୟ ଇନପୁଟ୍ ପାଇଁ ସୁଯୋଗ ବଢ଼ାଇଛି। ଭାରତ ୨୦୩୦-୩୧ ସୁଦ୍ଧା ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାକୁ ଚାହୁଛି ଯାହା ଏହି ସମସ୍ତ ଉପାଦାନର ଚାହିଦା ବଢାଇବ।
ଭାରତର ମୁଣ୍ଡପିଛା ଇସ୍ପାତ ଉପଯୋଗିତା ଯାହା ୧୯୯୧ରେ ୨୪ କେଜି ଥିଲା ତାହା୨୦୨୫ରେ ୧୦୯ କେଜିକୁ ବୃଦ୍ଧି ପାଇଛି। ଉପଯୋଗିତା ୧୦୦ କେଜି ସ୍ତର ଅତିକ୍ରମ କରିଥିବାରୁ ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ଦ୍ୱାରା ଇସ୍ପାତର ଆବଶ୍ୟକତା ବଢ଼ିବ ଓ ପ୍ରତି ବଦଳରେ ଏହାର ଉତ୍ପାଦନ ପାଇଁ ଆବଶ୍ୟକ ଫେରୋ ଆଲୟଜର ଚାହିଦା ମଧ୍ୟ ବୃଦ୍ଧି ପାଇବ।
ଇଣ୍ଡିଆନ ଫେରୋ ଆଲୟଜ ପ୍ରଡ୍ୟସର୍ସ ଆସୋସିଏସନ (ଆଇଏଫ୍ଏପିଏ)ର ଅଧ୍ୟକ୍ଷ ଶ୍ରୀ ମନିଷ ଶାରଦା କହିଛନ୍ତି ଯେ, “ବିଶ୍ୱସ୍ତରରେ ପ୍ରତିଯୋଗିତାପୂର୍ଣ୍ଣ ରହିବା ଓ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ ଭାରତୀୟ ଫେରୋ ଆଲୟଜ ଉତ୍ପାଦନକାରୀମାନଙ୍କ ପାଇଁ କ୍ରିଟିକାଲ ମିନେରାଲ୍ରର ସ୍ୱଦେଶୀ ଉତ୍ସ ହାସଲ କରିବା ଜରୁରୀ। ଆମକୁ ଦ୍ରୁତ ଗତିରେ ଘରୋଇ ମାଙ୍ଗାନିଜ, କ୍ରୋମ ଓ ଅନ୍ୟାନ୍ୟ କ୍ରିଟିକାଲ୍ ଖଣିଜ ପଦାର୍ଥ ଅନ୍ୱେଷଣ ଓ ବିକାଶ କରିବାକୁ ହେବ। ବହୁ ମାଙ୍ଗାନିଜ ଖଣି ଉଚ୍ଚ ପ୍ରିମିୟମରେ ନିଲାମ କରାଯାଇଥିବା ବେଳେ ଅଥନୈତିକ ଦୃଷ୍ଟିକୋଣରୁ ସଫଳ ହେବାର ସମ୍ଭାବନା କମ୍ ଥିବାରୁ ଅଧିକାଂଶ କାର୍ଯ୍ୟକ୍ଷମ ହୋଇନାହିଁ। ତେଣୁ ନିଲାମ ଫ୍ରେମୱର୍କ କେବଳ ଉଚ୍ଚ ବିଡ୍ ନୁହେଁ, ପ୍ରକୃତ ବିକାଶ ଓ ଉତ୍ପାଦକୁ ଉତ୍ସାହିତ କରିବା ଉଚିତ। ଏକ ଉତ୍ପାଦନକ୍ଷମ ଖଣି ଶିଳ୍ପ ଓ ଅର୍ଥନୀତି ପାଇଁ ମୂଲ୍ୟ ସୃଷ୍ଟି କରିଥାଏ, ଅଣ କାର୍ଯ୍ୟକ୍ଷମ ଖଣି ନୁହେଁ। ଆମଦାନି ନିର୍ଭରଶୀଳତା କମ୍ କରିବା ଏବଂ ଏକ ଦୃଢ଼ ଓ ଆତ୍ମନିର୍ଭର ଫେରୋ ଆଲୟଜ ଶିଳ୍ପ ଗଠନ କରିବାକୁ ଆମଦାନି ନିର୍ଭରଶୀଳତା କମ୍ କରିବା ପାଇଁ ଘରୋଇ ସମ୍ବଳକୁ ବାଣିଜ୍ୟିକ ଭାବେ ସଫଳ ଉପାୟରେ ହାସଲ କରିବା ଜରୁରୀ ହୋଇପଡ଼ିଛି।’’
ଆଇଏଫ୍ଏପିଏ ପକ୍ଷରୁ ଇନ୍ପୁଟ୍ ଖର୍ଚ୍ଚ ପ୍ରତିଯୋଗିତାରେ ଉନ୍ନତି ଆଣିବା, ମାଙ୍ଗାନିଜ ଓ ଆଲୟ ପ୍ରସ୍ତୁତି ପାଇଁ ଆବଶ୍ୟକ କଂଚାମାଲ ଉପରୁ ଆମଦାନି ଶୁଳ୍କ ଶୂନ କରିବା ଏବଂ ପ୍ରତିଯୋଗିତାପୂର୍ଣ୍ଣ ଦରରେ ଫରୋ ଆଲୟ ଉତ୍ପାଦନକାରୀମାନଙ୍କୁ ବିଜୁଳି ଯୋଗାଇଦେବା ଉପରେ ଆଲୋକପାତ କରାଯାଇଥିଲା।
ଫେରୋ ଆଲୟ ଲୁହା ସହିତ ମାଙ୍ଗାନିଜ, କ୍ରୋମିୟମ ଓ ସିଲିକନ ଉପାଦାନକୁ ମିଶାଇ ଇସ୍ପାତର ଦୃଢ଼ତା ଓ କଳଙ୍କି ନିରୋଧୀ କ୍ଷମତା ବଢ଼ାଇଥାଏ। ଭିତ୍ତିଭୂମିି, ଅଟୋମୋବାଇଲ୍, ରେଳବାଇ, ପ୍ରତିରକ୍ଷା ଓ ସ୍ୱତନ୍ତ୍ର ପ୍ରୟୋଗ ପାଇଁ ଆବଶ୍ୟକ ଇସ୍ପାତ ପାଇଁ ତାହା ଜରୁରୀ।
ବିଗମିଂଟ୍ ତଥ୍ୟ ଅନୁସାରେ ଭାରତରେ ସିିଲିକନ ମାଙ୍ଗାନିଜ ଉତ୍ପାଦନ ୨୦୧୯-୨୦ର ୧.୯ ନିୟୁତ ଟନ୍ରୁ ବୃଦ୍ଧି ପାଇ ୨୦୨୫-୨୬ରେ ୩.୫ ନିୟୁତ ଟନ୍ ହୋଇଛି। ଫେରୋ-ମାଙ୍ଗାନିଜ ଉତ୍ପାଦନ ଏହି ସମୟରେ ୦.୯ ନିୟୁତ ଟନ୍ରୁ ବୃଦ୍ଧି ପାଇ ୧.୭ ନିୟୁତ ଟନ୍ ହୋଇଛି। ୨୦୨୫ରେ ଭାରତ ମାଙ୍ଗାନିଜ ଆଲୟର ପ୍ରମୁଖ ଉତ୍ପାଦନକାରୀ ଥିଲା। ୨୦୨୬ର ପ୍ରଥମ ଭାଗରେ ଭାରତର ମାଙ୍ଗାନିଜ ପଥର ଆମଦାନି ବାର୍ଷିକ ଭିତ୍ତିରେ ୨୭ ପ୍ରତିଶତ ବୃଦ୍ଧି ପାଇଛି। ସେହି ସମୟରେ କ୍ରୋମ ପଥର ଉତ୍ପାଦନ ୧୨ ପ୍ରତିଶତ ବଢ଼ି ୨୦୨୫-୨୬ରେ ୩.୫୩ ନିୟୁତ ଟନ୍ ହୋଇଛି। ଫେରୋ କ୍ରୋମ ଉତ୍ପାଦନ ୧୦ ପ୍ରତିଶତ ବଢ଼ି ୧.୪୯ ପ୍ରତିଶତ ହୋଇଛି।
ଆଇଏଫ୍ଏସି ୨୦୨୬ରେ ୭୦୦ରୁ ଅଧିକ ଅଂଶଗ୍ରହଣକାରୀ, ୩୫ ବକ୍ତା ଭାଗ ନେଇଥିଲେ ଓ ୧୫ରୁ ଅଧିକ ଜ୍ଞାନ ଅଧିବେଶନ ଆୟୋଜନ କରାଯାଇଥିଲା। ଏଥିରେ ଶାରଦା ଗ୍ରୁପ, ଏମଓଆଇଏଲ, ଜେଏସଡବ୍ଲ୍ୟୁ ଷ୍ଟିଲ, ଏମଏଫଏ, ଶ୍ୟାମ ମେଟାଲିକ୍ସ, ଇରାମେଟ ସେଲ, ସୁମିଟୋମୋ ମେଟାଲ ମାଇନିଂ, ନାଭା ଲିମିଟେଡ, ହିରା ଗ୍ରୁପ ଆଦି ସଂସ୍ଥାର ପ୍ରତିନିଧି ଭାଗ ନେଇଥିଲେ।
ଏକ ବିଶ୍ୱସ୍ତରୀୟ ଫେରୋ-ଆଲୟଜ୍ ହବ୍ ଭାବେ ଭାରତ ନିଜର ସ୍ଥିତିକୁ ମଜଭୁତ କରିପାରିବ: ଆଇଏଫ୍ଏପିଏ

